ଓଡ଼ିଆ କାବ୍ୟର ଆଧ୍ୟାତ୍ମ ସ୍ୱାକ୍ଷର 


"ଯେଉଁ କବିତା ପଢ଼ିଲେ ପାଠକ ଭାବେ ଯେ ସେହି କବିତାର ଲେଖକ ସେ କବି ନୁହଁନ୍ତି, ତାହା ହେଉଛି ତାର ନିଜସ୍ୱ ଅଭିଜ୍ଞତା ବା ଅଭିବ୍ୟକ୍ତି ଏବଂ କବିତାରୁ କବି ନିଷ୍କ୍ର୍ରାନ୍ତ ହୋଇଯାଇ ପାଠକଟି ଯେତେବେଳେ ଅଧିଷ୍ଠିତ ହୋଇଯାଏ ତାହା ହୁଏ ସାର୍ଥକ କବିତା ।' - ସମକାଳୀନ ଓଡ଼ିଆ କବିତାର ଶିଖର ପୁରୁଷ ତଥା ଭାରତୀୟ ଆଧୁନିକ କବିତାର ଅନ୍ୟତମ ପ୍ରଖ୍ୟାତ କବି ପଦ୍ମଭୂଷଣ ରଥ ନିଜ କବିତାକୁ ନେଇ ଏହିପରି କିଛି ଧାଡ଼ି ଉଲ୍ଲେଖ କରିଥିଲେ । ସେ ସୃଷ୍ଟି କରିଥିବା କବିତା, କାବ୍ୟଧାରା କବିତାପ୍ରେମୀଙ୍କ ହୃଦୟରେ ସେ ତିଆରି କରିଥିବା ସଶ୍ରଦ୍ଧ ସ୍ଥାନଟି ଚିରକାଳ ଅକ୍ଷୁଣ୍ଣ ରହିବ ନିଶ୍ଚୟ । ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କ ଏକାନବେ ବର୍ଷ ବୟସରେ ପରଲୋକ ସମଗ୍ର ଦେଶର ସାରସ୍ୱତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଓଡ଼ିଆ ସାହିତ୍ୟରେ ତାଙ୍କ ଚିରସ୍ମରଣୀୟ ଅବଦାନ ମାଧ୍ୟମରେ ସେ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି । ରମାକାନ୍ତ ରଥ କେବଳ ଓଡ଼ିଆ ସାହିତ୍ୟ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟରେ ଜଣେ ସ୍ମରଣୀୟ ବ୍ୟକ୍ତିତ୍ୱ । ରମାକାନ୍ତ ରଥ ଓଡ଼ିଆ କାବ୍ୟ ଜଗତରେ ଅଦ୍ୱିତୀୟ ପୁରୁଷ । ସଚ୍ଚିଦାନନ୍ଦ ରାଉତରାୟଙ୍କ ପରେ ଓଡ଼ିଆ ସାହିତ୍ୟରେ ଜଣଙ୍କୁ ଯଦି ମହାନ କବିର ଆଖ୍ୟା ଦିଆଯାଇପାରେ ସେ ହେଉଛନ୍ତି ରମାକାନ୍ତ ରଥ ।  ଜୀବନ-ମୃତୁ୍ୟ, ପ୍ରେମ-ବିରହ, ମିଳନ-ଶୋକ ଓ ଅତୀତ-ଭବିଷ୍ୟତର ନାଡ଼ି ନକ୍ଷତ୍ର ଚିହ୍ନାଇ ଦେଉଥିବା କବି ଥିଲେ ରମାକାନ୍ତ ରଥ । ତାଙ୍କର ଅବର୍ତ୍ତମାନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲେ ମଧ୍ୟ ତାହା ପୂର୍ଣ୍ଣ ହୋଇଯାଏ ତାଙ୍କ କାବ୍ୟ କୃତିରେ । କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ସେ ଜଣେ ଅବିସ୍ମରଣୀୟ କବି ଭାବରେ ପରିଚିତ ଥିଲେ । କବିର ନାମ ବିସ୍ମରଣ ହୋଇଯାଏ ପଛକେ କବିତା ବିସ୍ମରଣ ହୁଏନାହିଁ । ଗୁରୁ ପ୍ରସାଦ ମହାନ୍ତି ଓ ରମାକାନ୍ତ ରଥ ଯେଉଁ ଯୁଗ ସୃଷ୍ଟି କରିଥିଲେ କବିତାରେ ତାହାର ଆଜି ଅନ୍ତ ଘଟିଛି । ଏହା ପରଠାରୁ ସାହିତ୍ୟରେ ଯୁଗ ପରିବର୍ତ୍ତନ ଘଟିବ । ସେ ଜଣେ ଯୁଗ ସ୍ରଷ୍ଟା କବି ଥିଲେ । ତାଙ୍କ କବିତାରେ ରାଧା କେବଳ ଗୋପପୁର ନୁହେଁ, ବରଂ ସହରର ବସ୍ତିମାନଙ୍କରେ ମଧ୍ୟ ଥିଲେ । ତାଙ୍କ କବିତା ଓ ଉପମା ଦେବାର ଢ଼ଙ୍ଗ ବିରଳ ।
ରମାକାନ୍ତ ରଥ ଥିଲେ ଭାରତୀୟ କାବ୍ୟ ଇତିହାସର ଅନ୍ୟତମ ଶିଖର ସ୍ୱାକ୍ଷର । ତାଙ୍କ କବିତାରେ ଭାରତୀୟ ପରମ୍ପରା, ପୁରାଣ ଓ ଆଧୁନିକତାର ସମନ୍ୱୟ ଘଟିଥିଲା । ବାସ୍ତବିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ଶୂନ୍ୟତା ସୃଷ୍ଟି କରିଛି । ରମାକାନ୍ତ ରଥ ଉଭୟ ପ୍ରଶାସନିକ ଅଧିକାରୀ ଓ କବି ଜୀବନରେ ସଫଳତା ପାଇଛନ୍ତି । ତାଙ୍କ ପ୍ରଶାସନିକ ଜୀବନ ତାଙ୍କ କବି ଜୀବନକୁ କେବେ ବି ପ୍ରଭାବିତ କରିନାହିଁ । ଅନେକ କବି ତାଙ୍କୁ ସମସାମୟିକ କାଳର ଶିଖର ପୁରୁଷ ବୋଲି ବିବେଚନା କରନ୍ତି । ସେ ଶିକ୍ଷା ସଚିବ ଥିବା ସମୟରେ ଶିଶୁଲେଖା ପ୍ରକାଶ ପାଇଁ ଉଦ୍ୟମରତ ଥିଲେ । ସେ ନିଜ କବି ପ୍ରତିଭାକୁ ଶେଷ ଜୀବନ ପର୍ଯ୍ୟନ୍ତ ବଜାୟ ରଖିଥିଲେ । ସେ ମୃତୁ୍ୟ ଚେତନାକୁ ନୂତନ ଭାବରେ ଆବିଷ୍କାର କରିଥିଲେ । ସେ ଜଣେ ଅନନ୍ୟ କବି ଓ ଓଡ଼ିଆ ଭାବେ ଚିର ନମସ୍ୟ ହୋଇ ରହିବେ ।  ରମାକାନ୍ତ ରଥ ଥିଲେ ମାନୁଷୀ ରାଧା-କୃଷ୍ଣ ପ୍ରଣୟଗାଥାର ପ୍ରଥମ ବାର୍ତ୍ତାକାର । ଭାରତୀୟ ସାହିତ୍ୟରେ ପ୍ରଣୟକୁ ଅନନ୍ତ ବିରହର ଆଧ୍ୟାତ୍ମରେ ମୂର୍ଚ୍ଛି ଦେଇପାରିଥିବାର କାବ୍ୟକୋଟି ରମାକାନ୍ତ ରଥଙ୍କର ଅପହଞ୍ଚ, ଅନତିକ୍ରମ୍ୟ । ସେ ବଳଦେବ ରଥଙ୍କ ପରେ ଓଡ଼ିଆ କବିତାର ଦ୍ୱିତୀୟ କବିସୂର୍ଯ୍ୟ । ଓଡ଼ିଆ ସାହିତ୍ୟ ଜଗତ ବିଶେଷକରି କାବ୍ୟ ଜଗତ ସ୍ତବ୍ଧ ହୋଇଯାଇଛି । ସ୍ୱାଧୀନତାର ଯୁଗର ପ୍ରବର୍ତ୍ତକ, ଦିଗଦର୍ଶକ ଏପରିକି ଏକ ବିଂଶ ଶତାବ୍ଦୀର କବି ଓ ସାହିତି୍ୟକଙ୍କ ପ୍ରେରଣାର ଉତ୍ସ ଥିଲେ ସେ । ସେ ବିଭିନ୍ନ ରଚନାରେ ତାଙ୍କ ପିତାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ବିଷୟରେ ଉଲ୍ଲେଖ କରିଛନ୍ତି । ଶ୍ରୀରାଧାର କବି, ଯୁବ ମାନସ, ପରିପକ୍ୱ ମାନସର କବି ଅମର ଧାମକୁ ଯାତ୍ରା କରିଛନ୍ତି । ମୁଁ ଆଜି ଅନୁଭବ କରୁଛି ଯେ କବିର ମୃତୁ୍ୟ ନାହିଁ । କବିର ଜୀବନ ହୁଏତ ଶେଷ ହୋଇଯାଏ, ହେଲେ ତା'ର ଅମର ଜୀବନ ଏହିଠାରୁ ଆରମ୍ଭ ହୁଏ । ଏହା ଅନନ୍ତ କାଳ ଯାଏ ତାଙ୍କ ଛାୟା ଆମକୁ ଆଚ୍ଛନ୍ନ କରି ରଖେ । ରମାକାନ୍ତ ତାଙ୍କ ମୃତୁ୍ୟରେ ଶୋକ ଗୀତଟିଏ ଲେଖି ଯାଇଛନ୍ତି କବିତାପ୍ରେମୀ ପାଠକମାନଙ୍କ ହୃଦୟରେ । ସେ କବିତା ଚିରକାଳ ବଞ୍ଚô ରହିବେ ।
ଡ.ଅରୁନ୍ଧତୀ ଦେବୀ,ମୋ: ୯୯୩୭୧୭୨୮୧୦