ଆଚରଣକୁ ନେଇ ବ୍ୟକ୍ତିତ୍ୱର ଆକଳନ

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ମଣିଷର ଆଚରଣକୁ ନେଇ ବ୍ୟକ୍ତିତ୍ୱର କିଭଳି ଆକଳନ ହୋଇଥାଏ, ସେନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । ଜୀବନରେ ଯେତେବେଳେ କୌଣସି ସମସ୍ୟା ଆସେ ସେହି ସମୟରେ ମଣିଷର ଆଚରଣକୁ ନେଇ ବ୍ୟକ୍ତିତ୍ୱକୁ ଆକଳନ କରାଯାଇପାରିବ । ସମସ୍ୟାର ନିବୃତ୍ତ ହେଉଥିବା ବ୍ୟକ୍ତି କେବେ ହେଲେ କୌଣସି ଦୃଢ଼ ନିଷ୍ପତ୍ତି ନେଇପାରିବ ନାହିଁ କି ଜୀବନରେ କୌଣସି ବଡ଼ କାମ କରିପାରିବ ନାହିଁ । ଧୈର୍ଯ୍ୟ ଏବଂ ମାନସିକ ଦୃଢ଼ତା-ଏହି ଦୁଇଟି ହିଁ ଜୀବନର ସମସ୍ତ ପ୍ରକାରର ସମସ୍ୟାକୁ ସମ୍ମୁଖୀନ ହେବା ପାଇଁ ଆବଶ୍ୟକ ହୋଇଥାଏ । 
ଗଛରେ ଫୁଲଟିଏ ଫୁଟିଲେ ଫଳଟିଏ ଫଳିବ । ଫଳଟି ଫଳିଲେ ତାହା ଦିନେ ପାଚି ଗଛରୁ ଛିଡ଼ିପଡ଼ିବ । ଯଦି କେହି ଫୁଲ ଫୁଟିବା ଦିନ ହିଁ ପାଚିଲା ଫଳଟିଏକୁ ଖୋଜି ବସେ, ତାହା ହେଲେ ତାକୁ ଅଜ୍ଞ କିମ୍ବା ମୂର୍ଖ ବୋଲି କୁହାଯାଇପାରିବ । ଏ ପ୍ରକାରର ବ୍ୟକ୍ତିମାନେ ନିଜେ ଧୈର୍ଯ୍ୟ ଧରି ରହିପାରନ୍ତି ନାହିଁ କିମ୍ବା ଧୈର୍ଯ୍ୟର ସହ ସମସ୍ୟା ଗୁଡ଼ିକର ସମ୍ମୁଖୀନ ହୋଇପାରନ୍ତି ନାହିଁ । 
କୌଣସି ଏକ ଯୁଦ୍ଧରେ ବାହୁବଳ ଅପେକ୍ଷା ଧୈର୍ଯ୍ୟ ଓ ସାହସର ଭୂମିକା ସବୁଠାରୁ ଅଧିକ । କୌଣସି ଏକ ପରିସ୍ଥିତିରେ ଶତ୍ରୁର ସମ୍ମୁଖୀନ ହେବା ସମୟରେ ଧୈର୍ଯ୍ୟ ଓ ସାହସ ମାଧ୍ୟମରେ ଶତ୍ରୁକୁ ପରାଜିତ କରାଯାଇପାରିବ । ସବୁବେଳେ ଶକ୍ତିଶାଳୀର ବିଜୟ ହୁଏ ନାହିଁ । ସାହସୀ ଓ ଧୈର୍ଯ୍ୟବାନ୍ ବ୍ୟକ୍ତିର ବିଜୟ ଘଟେ । କୌଣସି ଏକ ବିପରୀତ ପରିସ୍ଥିତି ବା ପ୍ରତିକୂଳ ପରିସ୍ଥିତିରେ ଯଦି ଧୈର୍ଯ୍ୟ ଓ ସାହସର ସହ କାର୍ଯ୍ୟ କରାଯିବ, ବ୍ୟକ୍ତି କେବେ ହେଲେ ପରିଣତି ନେଇ ବିବ୍ରତ ହେବ ନାହିଁ । କୌଣସି ଏକ ସମସ୍ୟା, ଯୁଦ୍ଧ ଆଦିର ଫଳାଫଳ କେହି ଆଗତୁରା କହିପାରିବେ ନାହିଁ । ସାମାନ୍ୟ ଟିକିଏ ଟିକିଏ ତ୍ରୁଟିକୁ ନେଇ ଯୁଦ୍ଧର ଫଳାଫଳ ବଦଳି ଯାଇପାରେ । ଅତୀତରେ ଘଟିଥିବା ଯୁଦ୍ଧ ସବୁର ଏହିଭଳି ଶହ ଶହ ଉଦାହରଣ ରହିଛି । ଇତିହାସର ପୃଷ୍ଠା ଓଲଟାଇଲେ ଏ ପ୍ରକାରର ଶହ ଶହ ଘଟଣା ଦୃଷ୍ଟିକୁ ଆସିଥାଏ । ତେଣୁ ଶାରୀରିକ ଭାବରେ ଶକ୍ତିଶାଳୀ ହେବା ଅପେକ୍ଷା ଧୈର୍ଯ୍ୟବାନ୍ ହୋଇ ମାନସିକ ଭାବରେ ଶକ୍ତିଶାଳୀ ହେବା ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ । 
ଏଇଠି ଯୁଦ୍ଧକ୍ଷେତ୍ର ଏକ ଉଦାହରଣର ଅବତାରଣା ମାତ୍ର । ବାସ୍ତବ କଥାଟି ଜୀବନ ଓ ପରିସ୍ଥିତିକୁ ନେଇ ଚିତ୍ରଣ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଓ ସାହସକୁ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ରହିଛି । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।