ବିଶ୍ୱ ପାଇଁ ବନ୍ଧୁ ନା ବିପଦ?

ଗତ ୨୦ ତାରିଖ ଦିନ ଡ଼ୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ଭାବରେ ଦ୍ୱିତୀୟ ଥର ଦାୟିତ୍ୱ ଗ୍ରହଣ କଲେ । ତେବେ ଡ଼ୋନାଲ୍ଡ ଟ୍ରମ୍ପ୍ ଶପଥ ଗ୍ରହଣ ପରେ ପରେ ସେହି ଦିନ ହିଁ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହା ବିଶ୍ୱ ପାଇଁ କେତେଦୂର ବିପଦ କିମ୍ବା ବିଶ୍ୱର ବର୍ତ୍ତମାନର ପରିସ୍ଥିତିକୁ ସୁଧାରିବାରେ କେତେଦୂର ସହାୟକ ହେବ ତାକୁ ଆକଳନ କରି ହେଉ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରୁ ଆମେରିକା ଓହରି ଯାଇଛି ଏବଂ ପ୍ୟାରିସ୍ ଜଳବାୟୁ ଚୁକ୍ତିକୁ ଟ୍ରମ୍ପ୍ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଏହି ଦୁଇଟି ବଡ଼ ବଡ଼ ଘଟଣା ସହିତ ଆମେରିକାର ନାଗରିକତା ନେଇ ସେ ଦେଇଥିବା ମନ୍ତବ୍ୟ ବର୍ତ୍ତମାନ ଭାରତ ସମେତ ବିଶ୍ୱର ଅନେକ ଦେଶରେ ରାଷ୍ଟ୍ରନାୟକ ମାନଙ୍କର ଚିନ୍ତା ବଢ଼ାଇ ଦେଲାଣି । ରାଷ୍ଟ୍ରପତି ଭାବରେ ଶପଥ ନେବାର ପ୍ରଥମ ଘଣ୍ଟାରେ ସେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁ ନେଇଛନ୍ତି । 
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଆମେରିକାର ସର୍ବାଧିକ ଆର୍ଥôକ ସହଯୋଗ କରିଥାଏ । ସମଗ୍ର ବିଶ୍ୱରେ ବିଭିନ୍ନ ରାଷ୍ଟ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜନସ୍ୱାସ୍ଥ୍ୟ ସମ୍ପର୍କିତ ଅନେକ କାର୍ଯ୍ୟକ୍ରମ ଚାଲୁ ରଖିଛି । ଖାଲି ସେତିକି ନୁହେଁ, ବିଶ୍ୱର ସମସ୍ତ ରାଷ୍ଟ୍ରର ଲୋକଙ୍କ ସ୍ୱାସ୍ଥ୍ୟଗତ ପରିସ୍ଥିତି ଉପରେ ମଧ୍ୟ ନଜର ରଖିଛି । ଏହାର ଗୋଟିଏ ଉଦାହରଣ ହେଲା ଭାରତରେ ପ୍ରକୃତ ଦୁଗ୍ଧ ଉତ୍ପାଦନ ଏବଂ ବଜାରରେ ମିଳୁଥିବା ଦୁଗ୍ଧର ପରିମାଣ ଭିତରେ ଆକାଶପାତାଳ ପ୍ରାର୍ଥକ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦୃଷ୍ଟିରେ ରଖିଛି । ପ୍ରକୃତ ଦୁଗ୍ଧ ଉତ୍ପାଦନର ୫ ଗୁଣା ଅଧିକ ଦୁଗ୍ଧ ବଜାରେ ମିଳୁଛି । ତେଣୁ ଏହା ସ୍ପଷ୍ଟ ହୋଇଯାଉଛି ଯେ ଅପମିଶ୍ରିତ ଦୁଗ୍ଧ ଭାରତୀୟ ବଜାରରେ ପ୍ରଚୁର ପରିମାଣରେ ବିକ୍ରି ହେଉଛି ଏବଂ ଭିବଷ୍ୟତରେ ସେହି ଦୁଗ୍ଧକୁ ଖାଦ୍ୟ ଭାବରେ ବ୍ୟବହାର କରି ଲୋକେ କର୍କଟ ବା କ୍ୟାନସର୍ ଭଳି ଭୟଙ୍କର ରୋଗରେ ପୀଡିତ ହେବେ ବୋଲି ସତର୍କ କରାଇ ଦେଇଛି । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡ଼ବ୍ଲୁଏଚ୍ଓର ଉପସ୍ଥିତି ସମଗ୍ର ବିଶ୍ୱ ପାଇଁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ହେଲେ ଟ୍ରମ୍ପ୍ଙ୍କ କହିବା ଅନୁଯାୟୀ ଏଭଳି ଏକ ସଙ୍ଗଠନ ଗତ କୋଭିଡ୍ ସମୟରେ ଠିକ୍ ସମୟରେ ଠିକ୍ ସୂଚନା ଲୋକଙ୍କୁ ଦେଇପାରିଲା ନାହିଁ ଏବଂ ସମଗ୍ର ବିଶ୍ୱରେ କରୋନା ମହାମାରୀର ରୂପ ନେଇ ପ୍ରାୟ କୋଟିଏ ଲୋକଙ୍କ ଜୀବନ ନେଇଥିଲା । ଏଥିପାଇଁ ଟ୍ରମ୍ପ୍ ବ୍ୟକ୍ତିଗତ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉପରେ କ୍ଷୁବ୍ଧ ଥିଲେ । ସେହି କାରଣରୁ ସେ ଶପଥ ଗ୍ରହଣର ପ୍ରଥମ ସପ୍ତାହ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗେଠନରୁ ଆମେରିକା ଓହରି ଯିବା ନେଇ ଶୁଣାଇ ଦେଇଛନ୍ତି । 
ଦ୍ୱିତୀୟ ଘଟଣାଟି ହେଲା ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ମଧ୍ୟ ଆମେରିକା ଓହରି ଯିବ ବୋଲି ଟ୍ରମ୍ପ୍ ଶୁଣାଇ ଦେଇଛନ୍ତି । ଏହି ଦୁଇଟି ବଡ଼ ବଡ଼ ନିଷ୍ପତ୍ତି ସହିତ ଆମେରିକାର ମୁଖ୍ୟ ବାଣିଜି୍ୟକ ସହଯୋଗୀ କାନାଡ଼ା ଏବଂ ମେକ୍ସିକୋରେ ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ଆମେରିକା ଆମଦାନୀ କରିବା ସମୟରେ ସେହିସବୁ ଆମଦାନୀ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଟ୍ରମ୍ପ୍ ଘୋଷଣା କରିଛନ୍ତି । ଅନ୍ୟ ନିଷ୍ପତ୍ତି ଗୁଡ଼ିକ ମଧ୍ୟରେ ରହିଛି ଆମେରିକା ମାଟିରେ ଜନ୍ମଲାଭ କରି ନାଗରିକତା ପାଉଥିବା ଶିଶୁମାନଙ୍କ ଉପରେ ଏକ ନିଷ୍ପତ୍ତି । ଆମେରିକାର ଅବୈଧ ଭାବରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଲକ୍ଷ ଲକ୍ଷ ଲୋକ ବାସ କରୁଛନ୍ତି । ଏଭଳି ଅବୈଧ ଭାବରେ ରହୁଥିବା ଭାରତୀୟଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଅବୈଧ ଭାବରେ ନାଗରିକଙ୍କ ସନ୍ତାନମାନଙ୍କୁ ଆମେରିକା ନାଗରିକତ୍ୱ ଦେବ ନାହିଁ ବୋଲି ସେ ଶୁଣାଇ ଦେଇଛନ୍ତି । ତେଣୁ ଦେଖିବାକୁ ଗଲେ ବିଶ୍ୱ ଆମେରିକା ଠାରୁ ଯାହା କିଛି ଆଶା କରୁଛି ତାହା ଠାରୁ ଯଥେଷ୍ଟ ଅଧିକ ଆତଙ୍କିତ ହୋଇ ରହୁଛି । ଅତଏବ ବିଶ୍ୱ ପାଇଁ ଟ୍ରମ୍ପ୍ ବିପଦ ଭାବେ ଉଭା ହେବେ ନା ବନ୍ଧୁ ଭଳି କାର୍ଯ୍ୟ କରିବେ, ତା'ରି ଉପରେ ସମସ୍ତଙ୍କ ନଜର ।