ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପତ୍ତି
ବୟସର ଅପରାହ୍ନରେ ପହଞ୍ଚôବା ପରେ ସେମାନେ ଅଲୋଡ଼ା ହୋଇ ପଡ଼ିଥାନ୍ତି । ଅନେକଙ୍କ ମତରେ ବୟସର ଭାରରେ ନଇଁ ପଡ଼ିଥିବା ଅପାରଣ ବ୍ୟକ୍ତି ବରିଷ୍ଠ ନାଗରିକ ଭାବେ ଗଣ୍ୟ । କେବଳ ପରିବାର ନୁହେଁ ସମାଜରେ ମଧ୍ୟ ଏମାନେ ଏକ ପ୍ରକାର ଅଦରକାରୀ ଅଙ୍ଗ ଭାବେ ବିବେଚିତ ହୋଇଥାନ୍ତି । ଏଭଳି ଚିନ୍ତାଧାରା ବରିଷ୍ଠ ନାଗରିକମାନଙ୍କ ପ୍ରତି ଦିନକୁ ଦିନ ବଢ଼ୁଥିବା ଅତ୍ୟାଚାରର ଅନ୍ୟତମ ପ୍ରଧାନ କାରଣ । ଲୋକମାନଙ୍କ ମନରୁ ଏସବୁ ଚିନ୍ତାଧାରାକୁ ଦୂର କରିବା ତଥା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ଏବେ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି । ସେମାନଙ୍କ ପ୍ରତି ଯତ୍ନଶୀଳ ହେବା ଏବଂ ଏହି ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୨୧ରେ ପାଳିତ ହୋଇଥାଏ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ।
ବରିଷ୍ଠ ନାଗରିକମାନେ କିଛି ନହେଲେ ବି ବୟସ ଦୃଷ୍ଟିରୁ ଅନୁଭବୀ ଅଟନ୍ତି । ଅନୁଭବର ବହୁତ ମୂଲ୍ୟ ଅଛି ତେଣୁ ସେମାନଙ୍କର ଆବଶ୍ୟକତା ସମାଜ ପାଇଁ ସବୁବେଳେ ରହିଛି । କିନ୍ତୁ ବେଳେବେଳେ କେତେକ ପରିବାରରେ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଅଣଦେଖା କରାଯାଉଥିବା, ନିର୍ଯାତନା ଦିଆଯାଉଥିବା ଦେଖିବାକୁ ମିଳୁଛି । ଗୋଟିଏ କାହାଣୀ ମନେ ପଡ଼ୁଛି । ତାର ସାରାଂଶ ହେଉଛି - ଜଣେ ରାଜାଙ୍କ ଦେହାନ୍ତ ହୋଇଯିବାରୁ ତାଙ୍କ ଯୁବକ ପୁତ୍ର ଅଧିକାର ସୂତ୍ରରେ ସିଂହାସନ ଆରୋହଣ କଲେ । ତାଙ୍କ ଭିତରେ ଏକ ଧାରଣା ବଳବତ୍ତର ଥିଲା ବୃଦ୍ଧ ବ୍ୟକ୍ତିମାନେ ସମାଜ ପାଇ ଅଦରକାରୀ । ଏମାନେ ବସି ବସି କେବଳ ଅନ୍ନ ଧ୍ୱଂସ କରୁଛନ୍ତି । ଏମାନେ ସମାଜ ପାଇଁ ବହୁତ ବଡ଼ ବୋଝ । ଯଦି ଏମାନଙ୍କୁ ମାରି ଦିଆଯାଆନ୍ତା ତେବେ ସମାଜ ଏକ ବଢ଼ ବିପଦରୁ ରକ୍ଷା ପାଇ ଯାଆନ୍ତା । ସେ ଘୋଷଣା କଲେ ଦେଶର ସବୁ ବୃଦ୍ଧ ବ୍ୟକ୍ତିଙ୍କୁ ମାରିଦିଆଯାଉ । ବହୁତ ଚିନ୍ତାଶୀଳ ବ୍ୟକ୍ତି ଏହି ଆଦେଶରେ ଚିନ୍ତିତ ହୋଇ ପଡ଼ିଲେ । ଯେଉଁ ପିଲାମାନେ ପିତା ମାତାଙ୍କ ପ୍ରତି ବୀତସ୍ପୃହ ଥିଲେ ସେମାନେ ଖୁସି ହେଲେ । ସବୁଲୋକ ଘରର ବରିଷ୍ଠ ବ୍ୟକ୍ତି ମାନଙ୍କୁ ମାରିଦେଲେ । ଦେଶରେ ଜଣେ ପିତୃମାତୃ ଭକ୍ତ ଥିଲେ । ସେ କିନ୍ତୁ ତାଙ୍କୁ ନମାରି ଘରର ଅମାରରେ ଲୁଚାଇ ରଖିଦେଲେ । ସେହି ରାଜ୍ୟରେ ଲଗାତର ମରୁଡ଼ି ପଡ଼ିଲା । ଲୋକ ଯାହା ଯାହା ବିହନ ରଖିଥିଲେ ପର ବର୍ଷ ପାଇଁ ପେଟ ବିକଳରେ ସେ ସବୁକୁ ଖାଇ ଦେଲେ । ଆଗାମୀ ବର୍ଷ ଆଉ ଚାଷ ହୋଇ ପାରିଲା ନାହିଁ । ଦେଶରେ ହାହାକାର ପଡ଼ିଗଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ସମସ୍ତଙ୍କ ଜମି ପଡ଼ିଆ ପଡ଼ିଥିବା ବେଳେ ସେହି ପିତୃମାତୃ ଭକ୍ତଙ୍କ କ୍ଷେତ ସୁନା ଫସଲରେ ହସି ଉଠିଲା ।
ରାଜାଙ୍କ ପାଖରେ ଏହି ଖବର ପହଞ୍ଚôଲା । ରାଜା ପଚାରିଲେ ତୁମେ ଦୁଇବର୍ଷର ମରୁଡ଼ି ପରେ ଚାଷ ପାଇଁ ବିହନ କେଉଁଠୁ ପାଇଲ? ଚାଷୀଟି ବିଚରା ଡରିମରି କହିଲା ମହାରାଜ ଯଦି ଆମ ମୁଣ୍ଡ ରଖିବେ ତେବେ ମୁଁ ଏହାର କାରଣ କହିବି । ରାଜା ଅଭୟ ପ୍ରଦାନ କରି କହିଲେ କୁହ । ସେ କହିଲେ ମୋ ବାପାଙ୍କ ବୁଦ୍ଧି ଓ ମାର୍ଗ ଦର୍ଶନରେ ମୁଁ ଏ ସୁନା ଫସଲ ଉପୁଜାଇ ପାରିଛି । ସେ କହିଲେ ଆପଣଙ୍କ ଆଦେଶ ସତ୍ତ୍ୱେ ମଧ୍ୟ ମୁଁ ମୋ ବାପାମାଙ୍କୁ ହତ୍ୟା ନକରି ଲୁଚାଇ ରଖିଥିଲି । ମରୁଡ଼ି ପରେ ଚାଷ କିପରି ହେବ, ବିହନ କେଉଁଠୁ ଆସିବ, ଏ ଚିନ୍ତାରେ ବ୍ୟସ୍ତ ଥିବା ଦେଖି ବାପା ମୋତେ କହିଲେ - ତୁ ବ୍ୟସ୍ତ ହୁଅନା । ବର୍ଷା ପୂର୍ବରୁ ଜମିସବୁ ହଳ କରିଦେ । ଦେଖିବୁ ଜନ୍ଦା ପିମ୍ପୁଡ଼ିଙ୍କ ଗାତରେ ସଞ୍ଚôତ ଶସ୍ୟ ବର୍ଷା ପାଣିରେ ପାଇଲେ ଅଙ୍କୁରିତ ହୋଇ ଫଳ ଦାନ କରିବ । ରାଜା ନିଜର ଭୁଲ ବୁଝିପାରି ଅନୁତାପ କଲେ ଏବଂ ବୃଦ୍ଧ ପିତାମାତାଙ୍କୁ ସସମ୍ମାନେ ଆଣି ନିଜର ଉପଦେଷ୍ଟା ଓ ମାର୍ଗଦର୍ଶକ ଭାବେ ନିଯୁକ୍ତ କଲେ । ବରିଷ୍ଠ ନାଗରିକଙ୍କର ବୟସର ଅନୁଭବ ଆମ ସମସ୍ତଙ୍କ ପାଇଁ ଶିକ୍ଷଣୀୟ । ଏବେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ତଥା ସେମାନଙ୍କୁ ସମ୍ମାନ ପ୍ରଦାନ କରିବା ଉଦେ୍ଦଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୨୧ ତାରିଖକୁ ବରିଷ୍ଠ ନାଗରିକ ଦିବସ ଭାବେ ପାଳନ କରାଯାଉଛି । ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନ ୧୯୮୮ ମସିହାରେ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ଦିବସ ପାଳନ ଆରମ୍ଭ କରିଥିଲେ । ଦେଶର ସମୁଦାୟ ଜନସଂଖ୍ୟାର ୭୦ ପ୍ରତିଶତ ହେଉଛନ୍ତି ବରିଷ୍ଠ ନାଗରିକ । ଏଣୁ ସେମାନଙ୍କ ଆବଶ୍ୟକତା ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ମଧ୍ୟ ଆବଶ୍ୟକ । ପରିବାରକୁ ଉଚିତ ପରାମର୍ଶ ପ୍ରଦାନ କରିବାରେ ବରିଷ୍ଠ ନାଗରିକଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ସମାଜକୁ ସଠିକ ମାର୍ଗଦର୍ଶନ ଦେବାରେ ମଧ୍ୟ ସେମାନଙ୍କ ଭୂମିକା ସେତିକି ମହତ୍ତ୍ୱପୂର୍ଣ୍ଣ ।
ବରିଷ୍ଠ ନାଗରିକଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ଆମେରିକା ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଆଜିକାଲି ପିଲାମାନେ ପିତାମାତାଙ୍କୁ ବୋଝ ସଦୃଶ ମନେ କରି ବୃଦ୍ଧାଶ୍ରମରେ ଛାଡ଼ୁଥିବା ଖବର ସାମ୍ନାକୁ ଆସୁଛି । ଯେଉଁ ସମୟରେ ବୁଦ୍ଧ ପିତାମାତାଙ୍କ ଯତ୍ନ ନେବା ଉଚିତ, ସେବା କରିବା ଉଚିତ ସେହି ସମୟରେ ସନ୍ତାନମାନେ ସେମାନଙ୍କୁ ଅଣଦେଖା କରୁଛନ୍ତି । ଫଳରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣୁ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ହେଉଛି ଏହି ଦିବସର ତାତ୍ପର୍ଯ୍ୟ । ବାସ୍ତବରେ କେବଳ ଘର ପରିବାର ପାଇଁ ନୁହେଁ ସମାଜ ପାଇଁ ମୂଲ୍ୟବାନ ଓ ଅମୂଲ୍ୟ ସମ୍ପତ୍ତି ହେଉଛନ୍ତି ବରିଷ୍ଠ ନାଗରିକମାନେ । ସେମାନେ ତାଙ୍କ ଜୀବନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଅଭିଜ୍ଞତା ଓ ଜୀବନର ଯେଉଁ ଉପଲବ୍ଧି ହାସଲ କରିଥାନ୍ତି ତାହାକୁ ପରବର୍ତ୍ତୀ ପିଢ଼ି ଜ୍ଞାନଭାବେ ଅର୍ଜନ କଲେ ନିଜର ପ୍ରଭୂତ ଉନ୍ନତି ସହ ପରିବାର ଓ ସମାଜର ମଙ୍ଗଳ ସାଧନ ହେବ ।
ମୋ: ୮୭୬୩୧୦୭୧୨୬