ଅନ୍ତଃକରଣରେ ପରମଶାନ୍ତି


ବର୍ଷା ବିନ୍ଦୁ ସବୁଠାରେ ପଡ଼େ । ତତଲା କଡ଼େଇରେ ପଡ଼ିଲେ ତାହା ସଙ୍ଗେ ସଙ୍ଗେ ଶୁଖିଯାଏ । ସର୍ବଦା ବିଷୟ ବାସନାରେ ବ୍ୟସ୍ତ ଥିବା ମନ ଉପରେ ଗୁରୁଙ୍କର ଅଶେଷ ଜ୍ଞାନ ରୂପୀ ବର୍ଷା ବିନ୍ଦୁ ପଡ଼ି ସଙ୍ଗେ ସଙ୍ଗେ ସେହିଠାରେ ଶୁଷ୍କ ହୋଇଯାଏ । ଆମେ ଶୁଣୁ କିନ୍ତୁ ଅନୁଧ୍ୟାନ କରୁନା । ଶବ୍ଦର ଊଦ୍ଧ୍ୱର୍ରେ ନୀରବତା ରାଜ୍ୟକୁ ଯିବା ପାଇଁ ଆଦୌ ଧ୍ୟାନ କରୁନା । ପଦ୍ମ ପତ୍ର ଉପରେ ବର୍ଷା ବିନ୍ଦୁ ପଡ଼ିଲେ ମୋତି ପରି ଖୁବ ସୁନ୍ଦର ଦିଶେ । ଏହା ମୁହୂର୍ତ୍ତକ ପାଇଁ ରହେ, ପତ୍ରଟି ହଲିବା ପର୍ଯ୍ୟନ୍ତ । ତାପରେ ଖସିପଡ଼େ । ସେହିପରି ଆମେ ଏକାଗ୍ର ଚିତ୍ତ ହୋଇ ଶୁଣିଲେ, ଆମର ପ୍ରକୃତ ଆତ୍ମା ପ୍ରତି କିଞ୍ଚôତ ବିଶ୍ୱାସ ବୃଦ୍ଧି କଲେ ଓ ଶାସ୍ତ୍ରର ବାଣୀ ଆମର ପଦ୍ମ ପତ୍ର ସଦୃଶ ମନରେ ମୋତି ପରି ରହେ ।
ଭଗବାନ ଶ୍ରୀସତ୍ୟସାଇ ବାବା ଏ ପ୍ରସଙ୍ଗରେ ଆମକୁ ସାବଧାନ କରି ତାଙ୍କ ସମ୍ଭାଷଣରେ କହିଛନ୍ତି ଅହଂକାରପୂର୍ଣ୍ଣ ବଚନ ଓ ଅତିଶୟ ସାଂସାରିକ କର୍ମ ଆମଠାରୁ ଜ୍ଞାନକୁ ଅପହରଣ କରି ନେବାର ଶକ୍ତି ରଖିଛନ୍ତି । ସେହି ବର୍ଷା ବିନ୍ଦୁ ଶାମୁକା ଉପରେ ପଡ଼ିଲେ ଏହା ତାକୁ ଉଜ୍ଜ୍ୱଳ ମୁକ୍ତାରେ ରୂପାନ୍ତରିତ କରିଦିଏ । କୁହାଯାଏ ଯେ ବର୍ଷା ବିନ୍ଦୁ ପଡ଼ିବା ମାତ୍ରେ ଶାମୁକା ବନ୍ଦ ହୋଇଯାଏ ଏବଂ ସମୁଦ୍ର ଗର୍ଭକୁ ଚାଲଯାଇ ଧ୍ୟାନସ୍ଥ ହୁଏ ଓ ବର୍ଷା ବିନ୍ଦୁକୁ ମୁକ୍ତାରେ ରୂପାନ୍ତରିତ କରେ । ସେହିପରି ପ୍ରକୃତ ଅନୁସନ୍ଦିତ୍ସୁମାନେ ହୃଦୟରେ ଜ୍ଞାନର ବାଣୀ ଗ୍ରହଣ କରନ୍ତି, ଏହା ଉପରେ ଚିନ୍ତନ କରନ୍ତି ଏବଂ ଜ୍ଞାନାଲୋକ ପ୍ରାପ୍ତ କରନ୍ତି । 
ଅଜ୍ଞାନ ମାନବ କେବଳ ଇନ୍ଦ୍ରିୟଗ୍ରାହ୍ୟ ବସ୍ତୁର ପଶ୍ଚାତରେ ଧାବିତ ହୁଏ ଓ ତାହାର ଚତୁଃପାଶ୍ୱର୍ସ୍ଥ ବିସ୍ତୃତ ମାୟାଜାଲରେ ପତିତ ହୁଏ  । ସେ ବାରମ୍ବାର ପଥ ହୁଡ଼େ  । ମୋକ୍ଷର ପଥ ତାଙ୍କୁ ଅଜ୍ଞାତ  । ମୋକ୍ଷ ଜୀବନର ଚରମ ଗତି ଓ ଜୀବନର ଉଦେ୍ଦଶ୍ୟ ସିଦ୍ଧି  । ଜନ୍ମ-ମୃତୁ୍ୟ ରୂପୀ ବନ୍ଧନରୁ ମୁକ୍ତି (ମୋକ୍ଷ) ଲାଭ କଲେ ଏହି ପୃଥିବୀରେ ଜୀବନର କାର୍ଯ୍ୟ ଶେଷ ହୁଏ  । ଜୀବନର ପ୍ରକୃତ ଉଦେ୍ଦଶ୍ୟ ମୁକ୍ତି ବା ମୋକ୍ଷ ଲାଭ  । ଏ ମାର୍ଗ ଅଖଣ୍ଡ ସୁଖ ଓ ସଦା ପ୍ରବହମାନ, ଏହା ଆନନ୍ଦମୟ ସନାତନ ଜୀବନ ଦାନ କରେ  । ମୋକ୍ଷ ଆତ୍ମାର ଧ୍ୱଂସ ନୁହେଁ, ଏହା ମୁଁକାର ଭାବଯୁକ୍ତ ତଥା ଆତ୍ମପ୍ରଶସ୍ତିକାରୀ ଅହଙ୍କାର ନାଶ, ଜୀବାତ୍ମା ସହିତ ପରମାତ୍ମାଙ୍କ ଏକତ୍ର ଅନୁଭୂତି  । ଏହି କ୍ଷୁଦ୍ର ଅହଂଭାବର ଧ୍ୱଂସ ସାଧନା କଲେ ଆତ୍ମା ବିଶ୍ୱବ୍ୟାପୀ ଆତ୍ମାରେ ମିଳିତ ହୋଇଯିବ  । ଏହା ଅନନ୍ତ ଜୀବନ ବା ପରିପୂର୍ଣ୍ଣ ଜୀବନର ମାର୍ଗ ଉନ୍ମେଷକାରୀ ହେବ  । ପବିତ୍ର ହୃଦୟ ସହ ସତସଙ୍ଗର ସମ୍ପର୍କ ମଧ୍ୟ ନିଗୁଢ଼ ରହିଛି । ସତସଙ୍ଗ ହେଲା ସତ୍ ଅର୍ଥ ଭଗବାନ । ସତ ଅର୍ଥ ଯାହା ଚିରନ୍ତନ ସତ୍ୟ । ସଦାସର୍ବଦା ଈଶ୍ୱରଙ୍କୁ ସ୍ମରଣ କରିବା ହିଁ ସତସଙ୍ଗ । ଈଶ୍ୱର କୋଟି ପୁରୁଷ ବା ସତ୍ ପୁରୁଷମାନଙ୍କ ସହ ସଙ୍ଗ ସ୍ଥାପନ କରିବା ହିଁ ସତସଙ୍ଗ । ସଦାସର୍ବଦା ସତ୍ୟପରାୟଣ ହେବା ହିଁ ସତସଙ୍ଗ । ସଦଗ୍ରନ୍ଥ ପଠନ କରିବା ମଧ୍ୟ ସତସଙ୍ଗ । ପ୍ରକୃତ ଅର୍ଥରେ ସତସଙ୍ଗ ହିଁ ଈଶ୍ୱରଙ୍କ ସାମ୍ରାଜ୍ୟ । ଈଶ୍ୱରଙ୍କ ସାମ୍ରାଜ୍ୟରେ ପ୍ରବେଶ କର । ସମସ୍ତ ଶୁଭ, ମଙ୍ଗଳ ଓ କଲ୍ୟାଣପ୍ରଦ କଥା ଆପେ ଆପେ ଲାଭ ହୋଇଯିବ । ଆମେ ଜାଣି ପାରିବା ଯେ ଯେଉଁ ମୁହୂର୍ତ୍ତରେ ଆମେ ଭଗବାନଙ୍କୁ ଭୁଲିଯାଉ ବା ମନ ତାଙ୍କ ଠାରୁ ଦୂରକୁ ନେଇଯାଉ ସେତିକି ବେଳେ ସମସ୍ତ ଅଶୁଭ, ଅମଙ୍ଗଳ ଓ ଅନୈତିକ ଚିନ୍ତା ଆମ ମୁଣ୍ଡରେ ପଶିଯାଏ । ଭଗବତ ଚିନ୍ତା ସଙ୍ଗେ, କାମ, କ୍ରୋଧ, ଲୋଭ ବା ମାତ୍ସର୍ଯ୍ୟ ଏକତ୍ର ରହି ପାରନ୍ତି ନାହିଁ । ସତସଙ୍ଗରୁ କେତେ ପରିମାଣରେ ଉପକାର ମିଳେ ତାହା ବ୍ୟକ୍ତିର ବିଶ୍ୱାସ ନିଷ୍ଠା ଓ ଅଧ୍ୟବସାୟର ଗଭୀରତା ଉପରେ ନିର୍ଭର କରେ । ହୃଦୟରେ ପବିତ୍ରତା ବା ଏକାଗ୍ରତା ଥିଲେ ମନ ଯଥାକ୍ରମେ ପବିତ୍ର ବା ଏକାଗ୍ର ଭାବରେ ଭାବିତ ହୋଇପାରେ  । ଦୟା ସମ୍ବନ୍ଧରେ ଭାବିଲେ ସମସ୍ତ ଶରୀର ଦୟାରେ ଆର୍ଦ୍ର ହୋଇଯିବ, ଶାନ୍ତି ସମ୍ପର୍କରେ ଭାବିଲେ ଶରୀର ଶାନ୍ତିମୟ ହେବ  । ଆଧ୍ୟାତ୍ମିକ ପଥ ନାନା ବାଧାସଙ୍କୁଳ, ଏପଥରେ ଗତି କରିବା ତୀକ୍ଷ୍ଣ କ୍ଷୁରଧାରରେ ଗତି କରିବା ସମାନ ଅଟେ  । ବହୁବାର ପତନ ହେବ, କିନ୍ତୁ ଶୀଘ୍ର ଉଠି ଅଧିକ ଆଗ୍ରହ, ସାହସ ଓ ଉତ୍ସାହର ସହିତ ଅଗ୍ରସର ହେବାକୁ ପଡ଼ିବ  । ପ୍ରତ୍ୟେକ ବାଧା ଆଧ୍ୟାତ୍ମିକ ଜ୍ଞାନରୂପୀ ଶିଖର ଆରୋହଣରେ ଅର୍ଥାତ୍ କୃତକାର୍ଯ୍ୟ ହେବା ନିମନ୍ତେ ସୋପାନରେ ପରିଣତ ହେବ  । ପ୍ରତ୍ୟେକ ପତନ ଉତ୍ଥାନ ପାଇଁ ଅଭିମନ୍ତ୍ରିତ କରାଇବାରେ ଅଫୁରନ୍ତ ଶକ୍ତି ହେବ  । ଉଦେ୍ଦଶ୍ୟ ଭୁଲନ୍ତୁ ନାହିଁ, କୌଣସି ପରିସ୍ଥିତିରେ ଆଦର୍ଶ ତ୍ୟାଗ କରନ୍ତୁ ନାହିଁ କି ହତୋତ୍ସାହ ହୁଅନ୍ତୁ ନାହିଁ  ।  ତନ୍ତୁ ସୂକ୍ଷ୍ମ ଓ ଦୁର୍ବଳ ହୋଇଥିଲେ ହେଁ ବହୁସଂଖ୍ୟକ ତନ୍ତୁ ସମାନ ଦୈର୍ଘ୍ୟବିଶିଷ୍ଟ ଓ ଏକତ୍ର ହେଲେ ବିରାଟ ବୋଝ ସହିପାରେ  । ଏହା ପ୍ରତ୍ୟେକଙ୍କ ପାଇଁ ଏକ ଦୃଷ୍ଟାନ୍ତ, ଅର୍ଥାତ୍ ସଜ୍ଜନ ଦୁର୍ବଳ ହୋଇଥିଲେ ହେଁ ଏକତ୍ରିତ ଶକ୍ତି ଅର୍ଥାତ୍ ସମଭାବାପନ୍ନଙ୍କ ସହ ମିଶି ବିପଦରୁ ଉଦ୍ଧାର ପାଇଥାଏ  । ଜ୍ଞାନୀ ମହାତ୍ମାମାନଙ୍କର ପଥ ପବିତ୍ର  । ମନ ଓ ହୃଦୟର ପୂର୍ଣ୍ଣ ପବିତ୍ରତା, ପ୍ରତ୍ୟେକ କାର୍ଯ୍ୟର ପୂର୍ଣ୍ଣ ପବିତ୍ରତା, ଚରିତ୍ର ଓ ଜୀବନରେ ପବିତ୍ରତା, ଆତ୍ମସଂଯମ ଓ ମନ ସଂଯମ ଦ୍ୱାରା ପବିତ୍ର ସ୍ୱୟଂ ଜ୍ୟୋତି, ଆତ୍ମଜ୍ଞାନ ଲାଭରେ ସକଳ ସନେ୍ଦହ ଦୂରୀଭୂତ ହୋଇଯାଏ  । ପରମଶାନ୍ତି ଚିରକାଳ ଅନ୍ତଃକରଣରେ ବିରାଜମାନ କରିବ  ।
ମୋ: ୯୪୩୭୦୦୪୪୬୬