କୁମ୍ଭ ସ୍ନାନର ମହତ୍ତ୍ୱ ଓ ବିଶେଷତ୍ୱ

ଯୁଧିଷ୍ଠିର ମହାରଣା : ପବିତ୍ର କୁମ୍ଭ ସ୍ନାନ ପଛରେ ବହୁ ଗଭୀର ମହତ୍ତ୍ୱ ରହିଛି  । ସମୁଦ୍ର ମନ୍ଥନ ସମୟରେ ଦେବତା ଓ ଅସୁରମାନେ ପରସ୍ପର ଏକତାର ବନ୍ଧନରେ ବାନ୍ଧି ହୋଇଥିଲେ  । ଉକ୍ତ ମନ୍ଥନରୁ ନିଃସୃତ ଅମୃତ ପାନ କରି ଅମର ହେବା ସୂଚନା ଥିବାରୁ ଉଭୟ ଦେବତା ଓ ଅସୁରମାନେ ଏହି ଅମୃତ କୁମ୍ଭକୁ ଛଡ଼ାଛଡ଼ି କରିଥିଲେ  । ଏହାଫଳରେ ବିଭିନ୍ନ ସ୍ଥାନରେ କିଛି କିଛି ଅମୃତ ଢ଼ାଳି ହୋଇଯାଇଥିଲା, ଯାହାକୁ ଭିତ୍ତିକରି ଅମୃତ ପ୍ରାପ୍ତି ଉଦେ୍ଦଶ୍ୟରେ ସେହି ସେହି ସ୍ଥାନଗୁଡ଼ିକରେ କୁମ୍ଭ ସ୍ନାନର ଏହି ମହାପର୍ବ ପାଳିତ ହୋଇଆସୁଛି  । 
ସାଗର ମନ୍ଥନରୁ ମିଳିଥିବା ଅମୃତ କଳସ ପାଇବା ପାଇଁ ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ମହାସଂଗ୍ରାମ ସୃଷ୍ଟି ହୋଇଥିଲା  । ଶେଷରେ ସୂର୍ଯ୍ୟ, ଚନ୍ଦ୍ର ଓ ବୃହସ୍ପତିଙ୍କ ଦାୟିତ୍ୱରେ ସେହି ଅମୃତ କଳସକୁ ଛାଡ଼ି ଦିଆଗଲା  । ଏହି ତିନି ଦେବ ଅସୁରଙ୍କୁ ଲୁଚାଇ ଅମୃତ କଳସ ନେଇଗଲେ  । ତେଣୁ ଯେଉଁ ରାଶିରେ ସୂର୍ଯ୍ୟ, ଚନ୍ଦ୍ର ଓ ବୃହସ୍ପତି ଗତି କରୁଥିଲେ ସେହି ହିସାବରେ ପୃଥିବୀର ଯେଉଁ ଅଂଶରେ ସେମାନଙ୍କର ବିଶେଷ ଦୃଷ୍ଟି ଥିଲା ତାହା କୁମ୍ଭ ଯୋଗ ରୂପେ ପରିଗଣିତ ହେଲା  । ଦେବଦାନବ ବିବାଦ ସମୟରେ ପୃଥିବୀର ଯେଉଁ ଭାଗରେ ଯେଉଁ ସମୟରେ ଅମୃତ କଳସର ଛିଟିକା ପଡ଼ିଥିଲା ସେହି ସମୟକୁ ସେହି ସ୍ଥାନର କୁମ୍ଭ ଯୋଗ କୁହାଗଲା  । 
        ହରିଦ୍ୱାର, ପ୍ରୟାଗ (ଧାରାନଗରୀ), ଉଜ୍ଜୟିନୀ ଓ ଗୋଦାବରୀ ତଟ (ତ୍ରୟମ୍ବକ) - ଏହି ଚାରି ସ୍ଥାନରେ ମହା କୁମ୍ଭମେଳା ହେବାର ବର୍ଣ୍ଣନା ଅଛି, କିନ୍ତୁ ଏହାର ସମୟ ଓ ସ୍ନାନ ଯୋଗ ସ୍ୱତନ୍ତ୍ର  ।
    ଏହି ପ୍ରସିଦ୍ଧ ତୀର୍ଥସ୍ଥଳୀଗୁଡ଼ିକରେ ପ୍ରତି ୧୨ବର୍ଷ ପରେ ପଡ଼ୁଥିବା ମହାକୁମ୍ଭ ଯୋଗ ମହାନ୍ ଶୁଭ ଫଳଦାୟକ ହୋଇଥାଏ  । ବୃହସ୍ପତି ଥରେ ରାଶିଚକ୍ର ଭ୍ରମଣ କରିବା ପାଇଁ ହାରାହାରି ୧୨ରୁ ୧୩ ବର୍ଷ ସମୟ ନେଇଥାନ୍ତି  । ଯେଉଁଥିପାଇଁ ପ୍ରତି ୧୨ ବର୍ଷରେ ଏକ ଯୁଗ୍ମ ସଂଗଠିତ ହୋଇଥାଏ ଏବଂ ଏହି ସ୍ନାନ ପ୍ରତି ୧୨ ବର୍ଷରେ ପୁନରାୟ ପାଳିତ ହୋଇଥାଏ  ।
   କୁମ୍ଭର କଳ୍ପନା ଏବଂ ଆଖ୍ୟାନ ସହିତ ପ୍ରଥମରୁ ଏକତାର ଭାବନା ସଂଶ୍ଳିଷ୍ଟ  । ଦେବତା ଓ ରାକ୍ଷସ ଦୁଇ ବିପରୀତ ବିଚାରଧର୍ମୀଙ୍କ ମଧ୍ୟରେ ଅମୃତପ୍ରାପ୍ତି ଉଦେ୍ଦଶ୍ୟରେ ଦିନେ ଏକ ମହାନ୍ ଏକତା ଦେଖାଦେଇଥିଲା  । ଯାହା ଆଜି ମଧ୍ୟ ଆମକୁ ପ୍ରେରଣା ଦିଏ ଯେ ଏକ ମହତ୍ ଉଦେ୍ଦଶ୍ୟ ପାଇଁ ବହୁ କ୍ଷୁଦ୍ରତର ସ୍ୱାର୍ଥର ବଳି ଦିଆଯାଇପାରେ  । ଆମ ସଂସ୍କୃତିକୁ ଏହ ଅତ୍ୟନ୍ତ ପ୍ରଭାବିତ କରିଥିବାରୁ "ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ'ର ଗାଥା ଆଜି ମଧ୍ୟ ପୃଥିବୀକୁ ଅବିଦିତ ନୁହେଁ  । ପୁନଶ୍ଚ ଅମୃତ କୁମ୍ଭରୁ ଉଦ୍ଧାର କରାଯାଇଥିବା ଅମୃତ ପାନକରି ଦେବତାମାନେ ବଳଶାଳୀ ହୋଇଥିଲେ  । ସେହିପରି ଏହି ପୂର୍ଣ୍ଣ ତୀର୍ଥରେ ସ୍ନାନକରି ମନୁଷ୍ୟ ଭିତରେ ଥିବା ଦେବତ୍ୱ ପ୍ରକାଶ ଉଦେ୍ଦଶ୍ୟରେ ଏହି ସ୍ନାନର ମହତ୍ୱ ଅତ୍ୟଧିକ  । ସେଥିପାଇଁ ମନୁଷ୍ୟକୁ "ଅମୃତସ୍ୟ ପୁତ୍ରଃ' କୁହାଯାଇଛି  ।
ଧର୍ମ, ଅର୍ଥ, କାମ, ମୋକ୍ଷ ଏହି ଚାରି ବିଭାବରୁ ଯିଏ ଗୋଟିଏ ବି ବିଭାବ ଅର୍ଜନ କରିନପାରେ ତା' ଜୀବନ ନିରର୍ଥକ  । ଏହାମଧ୍ୟରୁ ଅର୍ଥ ଓ କାମ ଲୌକିକ ଏବଂ ଧର୍ମ ଓ ମୋକ୍ଷ ପାରଲୌକିକ ଶ୍ରେଷ୍ଠତା ପାଇଁ ଉଦ୍ଦିଷ୍ଟ  । ଶାସ୍ତ୍ରଗୁଡ଼ିକରେ ଯେଉଁଠାରେ କୁମ୍ଭର ବର୍ଣ୍ଣନା କରାଯାଉଛି ସେଠାରେ ଏହି ଚାରି ପଦାର୍ଥର ପ୍ରାପ୍ତି ଉଲ୍ଲେଖ କରାଯାଇଛି  । ମହାକୁମ୍ଭପର୍ବ ଓ ଏହାର ସ୍ନାନ ଏହି ଚତୁବର୍ଗ ଫଳ ପ୍ରଦାନ କରିଥାଏ  । ଧର୍ମ ସମସ୍ତ ଶ୍ରେଷ୍ଠତାର ମୂଳ ଏବଂ ଜଗତରେ ସମସ୍ତ ଚଳଚଞ୍ଚଳ ଥିବାବେଳେ ଧର୍ମ ହିଁ ଏକମାତ୍ର ନିଶ୍ଚଳ  ।
କୁମ୍ଭ ପର୍ବରେ ବିଧିବିଧାନ ପୂର୍ବକ ସ୍ନାନ, ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ପୁଣ୍ୟ ପ୍ରାପ୍ତି ହୁଏ  । ପରଲୋକ ମୁକ୍ତି ହୁଏ ଏବଂ ଜୀବନର ସମସ୍ତ ବାସନା ପୂରଣ ହୋଇ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ  । ଯେଉଁ ବ୍ୟକ୍ତ କୁମ୍ଭ ମହାପର୍ବରେ ସମ୍ମିଳିିତ ହୋଇ ସ୍ନାନ କରେ ସେ ସଂସାର ବନ୍ଧନରୁ ମୁକ୍ତ ହୋଇ ଅମୃତତ୍ୱ ପ୍ରାପ୍ତ ହୁଏ  । ତାହା ସମ୍ମୁଖରେ ଦେବତାଗଣ ନତମସ୍ତକ ହୁଅନ୍ତି ଯେପରି ଧନାଢ଼୍ୟ ବ୍ୟକ୍ତି ସମ୍ମୁଖରେ ନିର୍ଦ୍ଧନ ଶିରନତ କରିଥାଏ  ।
କୁମ୍ଭ ସ୍ନାନର ଐତିହାସିକ ପୃଷ୍ଠଭୂମି ଖୋଜିବସିଲେ ଗୁପ୍ତଯୁଗରୁ (୩୨୦ ଖ୍ରୀ.ଅ. - ୬୨୦ ଖ୍ରୀ.ଅ.) ବିଶେଷକରି ହର୍ଷବର୍ଦ୍ଧନଙ୍କ ସମୟରୁ (୬୧୨ ଖ୍ରୀ.ଅ. - ୬୪୭ ଖ୍ରୀ.ଅ.) ଗଡ଼୍ଡାଳିକା ପ୍ରବାହରେ ଅଦ୍ୟାବଧି ଗଡ଼ି ଆସିଥିବାର କେତେକ ତଥ୍ୟ ମିଳେ  । ଚୀନ୍ ପରିବ୍ରାଜକ ହୁଏନସାଂ ମଧ୍ୟ ଏଇ ସ୍ନାନ ସମ୍ପର୍କରେ କେତେକ ତଥ୍ୟ ପ୍ରଦାନ କରିବାକୁ ଭୁଲି ନାହାନ୍ତି  । ସେ କୁହନ୍ତି ଯେ ରାଜାମାନେ ଦୀର୍ଘ ବର୍ଷ ବର୍ଷ ଧରି ଏ ଅବସରରେ ବ୍ରାହ୍ମଣ, ଜ୍ଞାନୀ, ସାଧୁସନ୍ଥ, ଅସହାୟ ଓ ଦରିଦ୍ରମାନଙ୍କୁ ଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରୁଥିଲେ ଏବଂ ଏହି ପବିତ୍ର ସ୍ନାନ ଅବସରରେ ସ୍ନାନାନ୍ତେ ସେମାନେ ଏ ସମ୍ପତ୍ତିମାନ ଦାନ କରି ଆନନ୍ଦ ଅନୁଭବ କରୁଥିଲେ  । ଏପରିକି ସମ୍ରାଟ ହର୍ଷବର୍ଦ୍ଧନ ମଧ୍ୟ ଏଥିରୁ ବାଦ୍ ପଡ଼ୁନଥିଲେ  । ସେ ପ୍ରତି ୫/୬ ବର୍ଷରେ ଥରେ ଏହି ତୀର୍ଥରେ ସନାତନ ଧର୍ମାବଲମ୍ବୀ ବିଦ୍ୱାନମାନଙ୍କର ସମ୍ମିଳନୀ କରୁଥିଲେ, ଯେଉଁଥିରେ ବିଶେଷ ଭାବରେ ଧର୍ମଚର୍ଚ୍ଚା ଓ ଦାନଧର୍ମ କରାଯାଉଥିଲା  । ସେଥିରୁ କୁମ୍ଭର ସୂତ୍ରପାତ ହେଲା  ।