ବାର୍ଦ୍ଧକ୍ୟର ଗତିରୋଧ


ଯୁଧିଷ୍ଠିର ମହାରଣା : ଲୋଳିତ ଚର୍ମ, ହ୍ରାସ ପାଉଥିବା ସ୍ମୃତି ଶକ୍ତି, କର୍କଟ ଓ ହୃଦରୋଗର ଭୟ ସହ ବାର୍ଦ୍ଧକ୍ୟର ସ୍ପର୍ଶ ଆମ ସମସ୍ତଙ୍କ ଜୀବନରେ ଅବଶ୍ୟମ୍ଭାବୀ, ଯେଉଁଥିରୁ ବର୍ତ୍ତିବା ସମ୍ଭବ ନୁହେଁ । ତଥାପି ହଜାର ହଜାର ବର୍ଷ ଧରି ମାନବ ଚେଷ୍ଟା କରି ଆସୁଛି ଏହି ବାର୍ଦ୍ଧକ୍ୟକୁ ଦୂରେଇ ରଖିବା ପାଇଁ । ଆମ ଦୈନନ୍ଦିନ ଜୀବନର ଆହାରର ମାତ୍ରାଧିକ ପ୍ରଭାବ ବାର୍ଦ୍ଧକ୍ୟର ଆଗମନ ଉପରେ ପ୍ରଭାବ ରଖିଛି ବୋଲି ଗବେଷଣାରୁ ଜଣାପଡ଼ିଛି । ଜଣେ ବୟସ୍କ ବ୍ୟକ୍ତି ନିଜ ଦୈନନ୍ଦିନ ଆହାରରେ ବାର୍ଦ୍ଧକ୍ୟର ପ୍ରଭାବକୁ କିଛିଟା ପ୍ରତିହତ କରିପାରିବ ବୋଲି ଗବେଷକମାନେ ମତ ଦେବା ଆରମ୍ଭ କଲେଣି । ଆମ ଖାଦ୍ୟରେ ଥିବା ପୁଷ୍ଟିସାର ବା ପ୍ରୋଟିନ ଆମ ମଧ୍ୟରେ ବୃଦ୍ଧାବସ୍ଥାର ସଙ୍କେତ ଗୁଡ଼ିକୁ ଆଣିବାରେ ସହାୟକ ହୋଇଥାଏ ବୋଲି କିଛି ଦିନ ତଳେ କୋଲକାତା ବିଶ୍ୱବିଦ୍ୟାଳୟର ଜନୈକ ବାୟୋକେମେଷ୍ଟ୍ରି ବିଭାଗର ପ୍ରଫେସର ମି୍ରଣାଳକାନ୍ତି ପୋଦ୍ଦାର ନିଜ ଗବେଷଣାରୁ ଜାଣିପାରିଛନ୍ତି । ଏହି ଖବର ନିକଟରେ ଇଣ୍ଟରନେଟରେ ସବିଶେଷ ସୂଚୀତ ହୋଇଛି । ପୋଦ୍ଦାର ହେଉଛନ୍ତି ପ୍ରଥମ ବୈଜ୍ଞାନିକ ଯିଏ ହେଉଛନ୍ତି ଆମ ଖାଦ୍ୟରେ ଥିବା ପ୍ରୋଟିନ, ଆମ ହରମୋନ, ସ୍ନାୟୁତନ୍ତୁ ତଥା ରୋଗପ୍ରତିରୋଧକ ଶକ୍ତି ମଧ୍ୟରେ ଥିବା ନିବିଡ଼ ଗୁଢ଼ ସମ୍ପର୍କକୁ ସୂଚାଇ ପାରିଛନ୍ତି ବୈଜ୍ଞାନିକ ଭିତ୍ତିରେ । ତାଙ୍କ ଗବେଷଣାରଲବ୍ଧ ତଥ୍ୟ ସୂଚୀତ କରୁଛି କି ଯେ ଖାଦ୍ୟରେ ଅତ୍ୟଧିକ ପ୍ରୋଟିନର ଅବସ୍ଥିତି ବାର୍ଦ୍ଧକ୍ୟର ସଙ୍କେତ ଗୁଡ଼ିକର ଦ୍ରୁତ ଆଗମନରେ ସହାୟକ ହୁଏ । ଜୀବିତ ପ୍ରାଣୀମାନଙ୍କ ଦେହ ଉପରେ ପ୍ରୋଟିନର ପ୍ରଭାବ ବିଚିତ୍ର । ପରୀକ୍ଷାରୁ ଜଣାପଡ଼ିଛି ଖାଦ୍ୟରେ ଅଧିକ ପରିମାଣର ପ୍ରୋଟିନ ତରୁଣ ମୂଷା ମାନଙ୍କ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ କିନ୍ତୁ ବୟସ୍କ ମୂଷା ମାନଙ୍କ କ୍ଷେତ୍ରରେ ଆହାରରେ ଅଧିକ ପରିମାଣର ପ୍ରୋଟିନ ରୋଗପ୍ରତିରୋଧକ ଶକ୍ତିକୁ ହ୍ରାସ କରାଏ । କିଛି ମୂଷାଙ୍କୁ ଅଲଗା ଅଲଗା ଭାବରେ ମାତ୍ରାଧିକ ପ୍ରୋଟିନ, ସନ୍ତୁଳିତ ପ୍ରୋଟିନ ଓ ଅଳ୍ପ ପ୍ରୋଟିନ ସମ୍ବଳିତ ଖାଦ୍ୟ ଦେଇ କିଛି ଦିନ ରଖାଯାଇଥିଲା । ତାହାପରେ ସେ ମୂଷା ମାନଙ୍କ ଦେହରେ ଥିବା କର୍ଟିକଷ୍ଟେରୋନ ନାମକ ଆଡ଼୍ରେନାଲ ହରମୋନର ମାତ୍ରାକୁ ଅନୁଧ୍ୟାନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ତନ୍ୟପାୟୀ ପ୍ରାଣୀ ମାନଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଦେହରେ କର୍ଟିକଷ୍ଟେରୋନର ମାତ୍ରା ହ୍ରାସ ପାଏ ଓ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଅବସ୍ଥାରେ ଦେହରେ ଏହି ହରମୋନର ମାତ୍ରା ବୃଦ୍ଧି ପାଏ । ଅନୁଧ୍ୟାନରୁ ଜଣାପଡ଼ିଲା ଯେ ଅଧିକ ପ୍ରୋଟିନ ଖାଉଥିବା ବୟସ୍କ ମୂଷାମାନଙ୍କ ଦେହରେ କର୍ଟିକଷ୍ଟେରୋନର ମାତ୍ରା ଥିଲା ସର୍ବାଧିକ । ପୋଦ୍ଦାର କହିଛନ୍ତି ଦେହର କର୍ଟିକଷ୍ଟୋରୋନ ମାତ୍ରା ମସ୍ତିଷ୍କରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଦର୍ଶାଏ । କର୍ଟିକଷ୍ଟେରୋନର କ୍ଷରଣକୁ ମସ୍ତିଷ୍କର ହାଇପୋଥାଲାମସ ନିୟନ୍ତ୍ରଣ କରେ । ମାନସିକ ଚାପ ଓ ପରିଶ୍ରମ ବୃଦ୍ଧି ପାଇଲେ ହାଇପୋଥାଲାମସ ମସ୍ତିଷ୍କରେ ଅବସ୍ଥିତ ପିଟୁ୍ୟଟାରି ଗ୍ଲାଣ୍ଡକୁ ଏକ ବିଶେଷ ପ୍ରକାରର ହରମୋନ କ୍ଷରଣ କରିବାକୁ ନିଦେ୍ର୍ଦଶ ଦିଏ ଯାହା ଆମର ଆଡ୍ରେନାଲ ଗ୍ରନ୍ଥିକୁ ପ୍ରଭାବିତ କରେ । ଏହାପରେ ଆଡ୍ରେନାଲ ଗ୍ରନ୍ଥି କର୍ଟିକଷ୍ଟେରୋନ କ୍ଷରଣ କରିବା ଆରମ୍ଭ କରିଦିଏ । ତେଣୁ ଏହା ନିଶ୍ଚିତ ଯେ ବୟସ୍କ ଲୋକମାନେ ମାତ୍ରାଧିକ ପ୍ରୋଟିନ ଖାଇବା ଦ୍ୱାରା ନିଜର ରୋଗ ପ୍ରତିରୋଧକ ଶକ୍ତି କମାଇ ଚାଲନ୍ତି ।
ପୁରାକାଳରେ ହୁଏତ ସେଇଥିପାଇଁ ବାନପ୍ରସ୍ଥ ଗ୍ରହଣ କରୁଥିବା ବୟସ୍କ ଲୋକମାନେ ଶାକାହାରୀ କିମ୍ବା ଫଳାହାରୀ ହେଉଥିଲେ । ପୋଦ୍ଦାରଙ୍କ ମତରେ ଆମିଷରେ ଥିବା ପ୍ରୋଟିନ ବାର୍ଦ୍ଧକ୍ୟର ସଙ୍କେତ ଗୁଡ଼ିକୁ ଉଜାଗର କରିବାରେ ଅଧିକ ସହାୟକ ହୁଏ ଏବଂ ଏହା ହୁଏତ ବୟସ୍କ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଏ । ଆମେ ଆମିଷ ଓ ନିରାମିଷ ଦୁଇଟି ଯାକ ଖାଦ୍ୟ ସ୍ରୋତରୁ ପ୍ରୋଟିନ ପାଉ । ମାଛ, ମାଂସ, ଅଣ୍ଡା, କ୍ଷୀର, ଡାଲି, ସୋୟାବିନ ଇତ୍ୟାଦିରୁ ପ୍ରୋଟିନ ମିଳେ । ବିଜ୍ଞାନୀମାନଙ୍କ ମତରେ ବୟସ୍କ ମାନଙ୍କ ପାଇଁ ମାଂସ ଓ ଅଣ୍ଡା ସବୁଠାରୁ ଅଧିକ କ୍ଷତିକାରକ । ତେଣୁ ଆମିଷ ପ୍ରତି ଆକୃଷ୍ଟ ହେଉଥିବା ବୟସ୍କମାନେ ମାଂସ ଓ ଅଣ୍ଡା ସ୍ଥାନରେ ମାଛ ଖାଇବା ଉଚିତ । ମାଛରେ ଓମେଗା-ଥ୍ରୀ ଫ୍ୟାଟି ଏସିଡ଼ ଥିବା ହେତୁ ଏହା ହୃଦ୍ରୋଗର କାରଣ ଗୁଡ଼ିକୁ ପ୍ରତିହତ କରିବାରେ ସହାୟକ ହୁଏ ଓ ରୋଗ ପ୍ରତିରୋଧକ ଶକ୍ତିକୁ କିଛି ପରିମାଣରେ ବୃଦ୍ଧି କରିବାରେ ସହାୟକ ହୁଏ । କିନ୍ତୁ କମ ପ୍ରୋଟିନ ଥିବା ଅଧିକା ଶାକସବ୍ଜି ଯୁକ୍ତ ଆହାର ବୟସ୍କ ମାନଙ୍କ ପାଇଁ ସବୁଠାରୁ ଅନୁକୂଳ । ଆମେରିକାର ଇନଷ୍ଟିଚୁ୍ୟଟ ଅଫ ଏଜିଂ ଏଣ୍ଡ ଲଙ୍ଗଜିଭିଟିର ଗବେଷଣା ଅନୁଯାୟୀ ବାର୍ଦ୍ଧକ୍ୟ ଉପନୀତ ହେଲେ ଖାଦ୍ୟ ପ୍ରତି ସଜାଗ ନ ହେଲେ ମାନସିକ ଶକ୍ତି ହ୍ରାସ ପାଏ । ଏହି ସଂସ୍ଥାନ ବୟସ୍କ ଲୋକମାନଙ୍କୁ ନିଜ ଖାଦ୍ୟରେ ଆମିଷର ମାତ୍ରା କମାଇ ଅଧିକ ଫଳ ଓ ପରିବା ଖାଇବା ପାଇଁ ପରାମର୍ଶ ଦିଏ । ପ୍ରଫେସର ପୋଦ୍ଦାର ମଧ୍ୟ କୁହନ୍ତି ସେ ବର୍ତ୍ତମାନ ଯାଏ ମଣିଷଙ୍କୁ ନେଇ ପରୀକ୍ଷା କରିନଥିଲେ ମଧ୍ୟ ସ୍ନାୟୁ ଦୁର୍ବଳତା ଅନୁଭବ କରୁଥିବା ବୟସ୍କ ଲୋକମାନଙ୍କୁ ଖାଦ୍ୟରେ ପ୍ରୋଟିନର ମାତ୍ରା କମାଇବା ପାଇଁ ଉପଦେଶ ଦିଅନ୍ତି । ପୋର୍ଦ୍ଦାରଙ୍କ ଗବେଷଣା ସମ୍ପୂର୍ଣ୍ଣ ହେଲା ପରେ ହୁଏତ ସାରା ବିଶ୍ୱର ପଥ୍ୟ ବିଜ୍ଞାନୀମାନେ ବୟସ୍କ ମାନଙ୍କୁ ପ୍ରୋଟିନ ଗ୍ରହଣ କରିବା ସଂକ୍ରାନ୍ତରେ ଉପଦେଶ ଦେବେ । 
 ଡା.ପ୍ରଫୁଲ୍ଲ କୁମାର ଦାସ