ବଦଳି ଯାଉଥିବା ମଣିଷଙ୍କ କଥା
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ବଦଳି ଯାଉଥିବା ମଣିଷଙ୍କ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସୂର୍ଯ୍ୟ ଉଦୟ ହେଇଛ"ି ମାନେ ନିଶ୍ଚୟ ଅସ୍ତ ଯିବେ । ଅସ୍ତ ହେଇଛନ୍ତି ମାନେ ପୁଣି ତ ଉଦୟ ହେବେ । ସମୟ ସ୍ଥିର ନୁହେଁ । ସମୟ କାହା ପାଇଁ ବି ସ୍ଥିର ନୁହଁ । ଦୁଃଖର ସମୟ ଥିଲେ ନିଶ୍ଚୟ ସୁଖର ସମୟ ବି ଆସିବ । ହେଲେ ତାହା ଆମେ ଚାହୁଁଥିବା ରୂପରେ ନୁହେଁ । ଆସିଥାଏ ଭିନ୍ନ ରୂପରେ ।
ସମୟ ଆମ ଇଚ୍ଛାରେ ଚାଲେ ନାହିଁ । ଏକ ପ୍ରାକୃତିକ ନିୟମ ଭିତରେ ଏହା ଆସେ ଏବଂ ପୁଣି ବଦଳିଯାଏ । ସେ ଭିତରେ ସୁଖ ଅଛି, ଦୁଃଖ ଅଛି । ତେବେ, ଦୁଃସମୟରେ ସାହାଯ୍ୟର ହାତ ବଢ଼ାଇଥିବା ଲୋକଟିକୁ କେବେ ଭୁଲିଯିବା ଉଚିତ୍ ନୁହେଁ । ଖରାପ ସମୟରେ ସମସ୍ତେ ସାହାଯ୍ୟ କରନ୍ତି ନାହିଁ । ଖରାପ ସମୟରେ ସାଥୀରେ ଥିବା ଲୋକଟି ହିଁ ପ୍ରକୃତ ବନ୍ଧୁ । ଉତ୍ସବ ସମୟରେ ଆସୁଥିବା ବନ୍ଧୁ କେବଳ ଖାଇବା ପାଇଁ ଓ ନିଜ ସ୍ୱାର୍ଥ ପାଇଁ ଆସନ୍ତି । ଦୁଃଖର ସମୟରେ ବନ୍ଧୁ ନିଜ ସ୍ୱାର୍ଥ ପାଇଁ ନୁହେଁ; ବରଂ ସହଯୋଗର ହାତ ବଢ଼ାଇ ଆସେ । ତେଣୁ ଏଭଳି ବ୍ୟକ୍ତିକୁ କେବେ ହେଲେ ଭୁଲିବା ଉଚିତ୍ ନୁହେଁ । ଦୁଃଖ ସମୟ ସାହାଯ୍ୟ କରିଥିବା ବନ୍ଧୁକୁ ଭୁଲି ଯାଉଥିବା ଲୋକ ହିଁ କୃତଘ୍ନ । କାମ ସରିଗଲେ ବନ୍ଧୁତା ବି ସାରି ଦେଉଥିବା ବ୍ୟକ୍ତି ହେଉଛି ଶଠ । କେବଳ ନିଜ ସ୍ୱାର୍ଥ ପାଇଁ ବନ୍ଧୁତାର ସମ୍ପର୍କ ରଖୁଥିବା ବ୍ୟକ୍ତି ହିଁ ସ୍ୱାର୍ଥପର । ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ ବିପଦ ମୁହଁକୁ ଠେଲି ଦେଉଥିବା ଲୋକ ଦୁର୍ଜନ ଓ ଭୟଙ୍କର । ଦୁର୍ଜନଙ୍କ ଠାରୁ ଦୂରେଇ ରହି ବିପଦରେ ସାହାର୍ଯ୍ୟ କରୁଥିବା ବ୍ୟକ୍ତି ଆଗରେ କୃତଜ୍ଞତା ପ୍ରକାଶ କରିବା ହେଉଛି ଉତ୍ତମ ମଣିଷର ଲକ୍ଷଣ । ବିପଦର ବନ୍ଧୁଙ୍କୁ ଅଧାବାଟରେ ଛାଡିÿ ଯାଉଥିବା ଲୋକଟି ଯେତେ ଉପରକୁ ଉଠିଲେ ମଧ୍ୟ ତାକୁ ପଛରେ ସମସ୍ତେ ନିନ୍ଦା କରନ୍ତି । ଏଭଳି ନିନ୍ଦିତ ଜୀବନ ହେଉଛି ଏକପ୍ରକାରର ଅଭିଶପ୍ତ ଜୀବନ ।
ଚକୁଳି ପିଠା ତଇ ଉପରେ ବାରମ୍ବାର ଉଲଟେ । ଠିକ୍ ସେହିଭଳି ମଣିଷ ଜୀବନରେ ପରିସ୍ଥିତି ବାରମ୍ବାର ବଦଳେ । ଉତ୍ତମ ବ୍ୟକ୍ତି ପରିସ୍ଥିତି ଯେତେଥର ବଦଳିଲେ ବି ବନ୍ଧୁତାର ସମ୍ପର୍କକୁ ଏବଂ ବନ୍ଧୁତ୍ୱର ପରିଭାଷା ବଦଳାନ୍ତି ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତ ୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।