ମନନ ତ୍ରାଣ ଧର୍ମାଣୋ ମନ୍ତ୍ରଃ
ମନ୍ତ୍ର ସମ୍ପର୍କରେ ସବୁକଥା ଆମ ପ୍ରଣୀତ ମନ୍ତ୍ର ବିଜ୍ଞାନରେ ଆଲୋଚିତ ହୋଇଛି । ମନନାତ୍ ତ୍ରାୟତେ ଇତି ମନ୍ତ୍ର । ଅର୍ଥାତ୍ ଯାହା ମନ ମଧ୍ୟରେ ସବୁବେଳେ ଭାବି ଚାଲିଲେ ଜନ୍ମମୃତୁ୍ୟର ଚକ୍ରରୁ ରକ୍ଷା ମିଳେ, ତାହା ହିଁ ମନ୍ତ୍ର । ମନ୍ତ୍ର ଯିଏ ଦେବତା ସିଏ । ଈଶ୍ୱର ଈଶ୍ୱରୀଙ୍କର ବିଭିନ୍ନ ନାମ ମଧ୍ୟ ମନ୍ତ୍ର । ବୈଦିକ ମନ୍ତ୍ରଠାରୁ ଶାବର ମନ୍ତ୍ର ଯାଏ ବିଭିନ୍ନ ପ୍ରକାର ମନ୍ତ୍ର ରହିଛି । ସେ ସବୁ ମନ୍ତ୍ର ଏକ ଏକ ଦିବ୍ୟଶକ୍ତି । ମନ୍ତ୍ର ଓ ତାହାର ଅଧିଷ୍ଠାତ୍ରୀ ଦେବୀ ବା ଦେବତା ଏକ । ସ୍ୱାମୀ ଶିବାନନ୍ଦ ଲେଖିଛନ୍ତି - ମନ୍ତ୍ରଯୋଗ ହେଉଛି ଏକ ବାସ୍ତବ ବିଜ୍ଞାନ । ଶ୍ରଦ୍ଧା, ଭକ୍ତି ଓ ପବିତ୍ରତାର ସହିତ ସତତ ମନ୍ତ୍ର ଜପ କଲେ ସାଧକଙ୍କର ଶକ୍ତି ବୃଦ୍ଧି ପାଏ, ସୁପ୍ତ ଚୈତନ୍ୟର ଜାଗରଣ ହୁଏ ଓ ମନ୍ତ୍ର ସିଦ୍ଧି ଲାଭ ହୁଏ । ସାଧକ ଜ୍ଞାନ, ମୁକ୍ତି, ଶାନ୍ତି, ଶାଶ୍ୱତ ଆନନ୍ଦ ଏବଂ ଅମୃତତ୍ୱ ଲାଭ କରନ୍ତି । ସବୁବେଳେ କୌଣସି ଏକ ମନ୍ତ୍ର ଜପ କଲେ ସାଧକ ମନ୍ତ୍ରର ଅଧିଷ୍ଠାତା ଦେବତାଙ୍କର ଗୁଣ ଓ ଶକ୍ତି ଲାଭ କରନ୍ତି । ମନ ଏବଂ ଶରୀର ଉପରେ ତାର ଅଦ୍ଭୁତ ପ୍ରଭାବ ପରିଲକ୍ଷିତ ହୁଏ । ଗୋଟିଏ ମନ୍ତ୍ରକୁ ପ୍ରତ୍ୟହ ନିର୍ଦ୍ଧିଷ୍ଟ ସଂଖ୍ୟାରେ ଜପ କରିବା ଦ୍ୱାରା ତାହାର ପ୍ରଭାବ ରୋଗ ନିଦାନକାରୀ ଔଷଧ ପରି କାମ କରେ ।
ଗାୟତ୍ରୀ ବା ପ୍ରଣବ ଓଁ ବା ଓଁ ନମଃ ଶିବାୟ, ଓଁ ନମୋ ନାରାୟଣାୟ, ଓଁ ନମୋ ଭଗବତେ ବାସୁଦେବାୟ - ଏ ଭିତରୁ ଯେ କୌଣସି ମନ୍ତ୍ର ଭାବ ଓ ଭକ୍ତିର ସହିତ ୧୧/୪ ଲକ୍ଷଥର ଜପ କଲେ ଜଣେ ମନ୍ତ୍ରରେ ସିଦ୍ଧିଲାଭ କରେ । "ଓଁ ସୋଽହମ୍', "ଶିବୋଽହମ୍', "ଅହଂ ବ୍ରହ୍ମସି' - ଏସବୁ ହେଉଛି ମୋକ୍ଷ ମନ୍ତ୍ର । ଏସବୁ ଜଣକୁ ଆତ୍ମସାକ୍ଷାତ୍କାରରେ ସାହାଯ୍ୟ ପ୍ରଦାନ କରେ । ମହାମୃତୁ୍ୟଞ୍ଜୟ ମନ୍ତ୍ର ଆକସ୍ମିକ ଦୁର୍ଘଟଣା ଏବଂ ଅସାଧ୍ୟ ରୋଗ ଦୂର କରି ଦୀର୍ଘାୟୁ ଓ ଅମରତ୍ୱ ପ୍ରଦାନ କରେ । ଏହା ମଧ୍ୟ ଏକ ମୋକ୍ଷ ମନ୍ତ୍ର ଅଟେ । ମନ୍ତ୍ର ଦ୍ୱାରା ପୁରାତନା ଅସାଧ୍ୟ ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିପାରିବେ । ମନ୍ତ୍ରୋଚ୍ଚାରଣ ବା ଜପ, ଶକ୍ତିଶାଳୀ ଆଧ୍ୟାତ୍ମିକ ତରଙ୍ଗ ବା ଦିବ୍ୟ ସ୍ପନ୍ଦନ ଉତ୍ପନ୍ନ କରେ । ସେଗୁଡ଼ିକ ରୋଗୀର ସ୍ଥୂଳ ଓ ସୂକ୍ଷ୍ମ ଶରୀରରେ ପ୍ରବେଶ କରି କଷ୍ଟ ଯନ୍ତ୍ରଣାରେ ମୂଳ କାରଣକୁ ଦୂର କରି ଦିଅନ୍ତି । ଜୀବକୋଷଗୁଡ଼ିକୁ ଶୁଦ୍ଧ ସତ୍ତ୍ୱରେ ପୂର୍ଣ୍ଣ କରିଦିଅନ୍ତି । ରୋଗ ଜୀବାଣୁଗୁଡ଼ିକୁ ନଷ୍ଟ କରିଦିଅନ୍ତି ଓ ଜୀବକୋଷଗୁଡ଼ିକୁ ଶକ୍ତି ପ୍ରଦାନ କରନ୍ତି । ଆଧ୍ୟାତ୍ମିକ ତରଙ୍ଗ ହେଉଛି ସର୍ବୋତ୍ତମ ଜୀବାଣୁନାଶକ ଶକ୍ତି । ତାହା ଅଲଟ୍ରା ଭାୟୋଲେଟେ କିରଣ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ । ଯେଉଁମାନେ ରୋଗରୁ ଆରୋଗ୍ୟ ହେବା ପାଇଁ ମନ୍ତ୍ର ଜପ କରିବେ ସେମାନେ ପେଟ ଖାଲିଥିବା ଅବସ୍ଥାରେ ସକାଳ ସନ୍ଧ୍ୟାରେ ନିୟମିତ ରୂପେ ଚାଳିଶ ଦିନ ପର୍ଯ୍ୟନ୍ତ ମନ୍ତ୍ର ଜପ କରିବା ବିଧେୟ । ଏହି ସମୟରେ ବ୍ରହ୍ମଚର୍ଯ୍ୟ ପାଳନ କରିବା, ଦୁଗ୍ଧାହାର, ଫଳାହାର କରିବା ବା ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିବା ଉଚିତ । ଶୀଘ୍ର ଆଧ୍ୟାତ୍ମିକ ଉନ୍ନତି ଲାଭ ପାଇଁ ନିର୍ଦ୍ଧାରିତ ସଂଖ୍ୟାରେ କୌଣସି ମନ୍ତ୍ର ଜପ କରିବାକୁ ପୁରଶ୍ଚରଣା କରାଯାଏ । ଧାରାବାହିକ ମନ୍ତ୍ର ପୁରଶ୍ଚରଣ ଦ୍ୱାରା ମୋକ୍ଷ ଲାଭ ହୁଏ । ମନ୍ତ୍ରର ଅର୍ଥ ହେଉଛି - "ମନନ ତ୍ରାଣ ଧର୍ମାଣୋ ମନ୍ତ୍ରଃ ।' ମନ୍ତ୍ରାର୍ଥ ମଞ୍ଜରୀରେ ଏହି ସୂତ୍ରରେ ମନ୍ତ୍ରର ସମସ୍ତ ଜ୍ଞାନ-ବିଜ୍ଞାନ ସନ୍ନିହିତ । ଶ୍ରଦ୍ଧା ଏବଂ ନିଷ୍ଠା ସହିତ ମନ୍ତ୍ରର ମନନ ଏବଂ ଚିନ୍ତନ ଦ୍ୱାରା ପରମାତ୍ମାଙ୍କ ସିଂହାସନ ଟଳମଳ ହୋଇଯାଏ ଏବଂ ସେ ପ୍ରକଟ ହୋଇଥାନ୍ତି । ମନ୍ତ୍ର ଜପ କେବଳ ଜିହ୍ୱାର ପ୍ରକ୍ରିୟା ନୁହେଁ । ମନ୍ତ୍ର ଜପରେ ହୃଦୟର ଭାବନା ସମନ୍ୱିତ ନହେଲେ ଜିହ୍ୱା ଦ୍ୱାରା ଉଚ୍ଚାରଣ କରାଯାଉଥିବା ମନ୍ତ୍ର ଆଶାଜନକ ପ୍ରଭାବ ଉତ୍ପନ୍ନ କରିପାରେ ନାହିଁ । ପ୍ରତ୍ୟେକ ମନ୍ତ୍ରରେ "ଅ' କାରରୁ "କ୍ଷ' କାରନ୍ତ ପର୍ଯ୍ୟନ୍ତ ମାତୃକା ରୂପେ ସଜ୍ଜିତା । ତେଣୁ ଜଣେ ସାଧକ ବା ମନ୍ତ୍ର ଅଭ୍ୟାସ କରୁଥିବା ବ୍ୟକ୍ତି ଯେକୌଣସି ମନ୍ତ୍ରକୁ ଯଥାଯଥ ଭାବରେ ସାଧନ କରିବାର ଲକ୍ଷ୍ୟ ଚରମରେ ପରାଶକ୍ତି ସାହାଯ୍ୟରେ ବ୍ରହ୍ମପ୍ରାପ୍ତି ହୁଏ ।
ତପସ୍ୱିନୀ ପଟ୍ଟନାୟକ,କଟକ