ନୂଆବର୍ଷରେ ଧର୍ମଯାତ୍ରା

ବର୍ତ୍ତମାନ ଦେଶରେ ଧର୍ମଗତ ଚେତନାକୁ ନେଇ ଅନେକ ପ୍ରକାରର ମତ ଉଠୁଛି । ଅନ୍ୟପକ୍ଷରେ ଧର୍ମ ଧର୍ମ ମଧ୍ୟରେ ଏକ ଭାତୃତ୍ୱ ଭାବ ନରହିଲେ ଦେଶରେ ଶାନ୍ତି ପ୍ରତିଷ୍ଠା ହେବା କଷ୍ଟକର ବୋଲି କିଛି ଲୋକ ବୁଝିବାକୁ ନାରାଜ୍ । ଡ଼ିସେମ୍ବର ୩୧ ତାରିଖ ଦିନ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବା ଆୟୋଜନରେ ସମଗ୍ର ବିଶ୍ୱ ଲାଗି ପଡ଼ିଥିଲା । ଆମ ଦେଶରେ ମଧ୍ୟ ଅଗଣିତ ଜନତା ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବିପୁଳ ଉତ୍ସାହ ଉଦ୍ଦୀପନା ଦେଖାଇଛନ୍ତି । ଆମେ ମଧ୍ୟ ଊଣାଅଧିକେ ସେଇଥିରୁ ବାଦ୍ ପଡ଼ିନୁ । ଜାନୁଆରୀ ୧ ତାରିଖ ଈଂରାଜୀ ନୂଆବର୍ଷ ଦିନ ବିଭିନ୍ନ ଧର୍ମପୀଠରେ ବିପୁଳ ସଂଖ୍ୟାରେ ସମାବେଶ ହୋଇ ନୂଆବର୍ଷ ପାଇଁ ଈଶ୍ୱରଙ୍କ ଆଶୀଷ କାମନା କରି ପ୍ରବଳ ଭିଡ଼ ଜମାଇଲେ । କେତେକ ସ୍ଥାନରେ ଏହି ଭିଡ଼ ଏତେ ଅଧିକ ହୋଇଗଲା ଯେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ର ମଧ୍ୟ ସହାୟତା ନିଆଗଲା । ଅନ୍ୟପକ୍ଷରେ ଏହାକୁ ଖ୍ରୀଷ୍ଟିୟାନ୍ମାନଙ୍କର ଏକ ପର୍ବ ଭାବରେ ବର୍ଣ୍ଣନା କରି କିଛି ଲୋକ ନୂଆବର୍ଷ ପାଳନର ଉଦ୍ଦୀପନା କୁସମାଲୋଚନା କରିଛନ୍ତି । ସମସ୍ତ ସମାଲୋଚନାକୁ ବେଖାତିର୍ କରି ଲୋକମାନେ ରାତି ୧୨ଟା ଯାଏଁ ଅନିଦ୍ରା ରହି ବାଣ ଫୁଟାଇଥିଲେ । ବିଭିନ୍ନ ଧର୍ମସ୍ଥଳରେ ବିପୁଳ ସଂଖ୍ୟାରେ ଦେବ ଦର୍ଶନ କରିଥିଲେ । ଶେଷରେ ଏତିକି ଦେଖାଗଲା ଯେ ମୂଷ୍ଟିମେୟ ମାତ୍ର କେତେ ଜଣ ଲୋକ ସାମାଜିକ ଗଣମାଧ୍ୟମରେ ଜାନୁଆରୀ ୧କୁ ନୂଆବର୍ଷ ଭାବରେ ପାଳନ କରୁଥିବା ଲୋକଙ୍କୁ ସମାଲୋଚନା କରୁଥିବା ବେଳେ କୋଟି କୋଟି ଲୋକ ଏହାକୁ ମଉଜମସ୍ତିର ଏକ ସୁଯୋଗ ଭାବରେ ବିତାଇଛନ୍ତି । ଆମେ ଯଦି ଦେଖିବା ତାହା ହେଲେ ଡ଼ିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ଖ୍ରୀଷ୍ଟଧର୍ମ ସହିତ ସମ୍ପର୍କିତ ଥିଲେ ମଧ୍ୟ ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତିର ବ୍ୟତିକ୍ରମ ଭାବରେ ଶ୍ରୀଜୀଉମାନଙ୍କର ପହୁଡ଼ ନୀତିକୁ ମଧ୍ୟ ବଦଳାଇ ଦିଆଯାଇଥିଲା । ଏଇଠି ଆମେ ସମାଲୋଚନା କରିବାକୁ ଚାହୁଁନାହୁଁ, ଯାହା ବାସ୍ତବ ତାହା ହିଁ ଦର୍ଶାଉଛୁ । ହଁ, କେବଳ ଏତିକି ନୁହେଁ ସବୁ ରାଜନେତା ଏବଂ ମନ୍ତ୍ରୀମାନେ ସମଗ୍ର ଦେଶରେ ନୂଆବର୍ଷ ଉପଲକ୍ଷେ ଲୋକମାନଙ୍କୁ ବିଭିନ୍ନ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ । ଅତଏବ କିଛି ଲୋକ ଖ୍ରୀଷ୍ଟୀୟ ନୂଆବର୍ଷକୁ ଧାର୍ମିକ ଭାବନା ନେଇ ଯେତେ ସମାଲୋଚନା କରିଲେ ମଧ୍ୟ ସେସବୁ ସମାଲୋଚନାକୁ କର୍ଣ୍ଣପାତ ମଧ୍ୟ କରୁନାହାନ୍ତି । ଏହାର ଏକ ବଳିଷ୍ଠ କାରଣ ହେଲା ଖ୍ରୀଷ୍ଟୀୟ ନବବର୍ଷ ଯେଉଁ ସମୟରେ ଆରମ୍ଭ ହୁଏ, ତାହା ପରିବେଶଗତ ଦୃଷ୍ଟିରୁ ଏକ ଉପଭୋଗ୍ୟ ସମୟ । କାରଣ ଶୀତଦିନ ହିଁ ପର୍ଯ୍ୟଟନର ଋତୁ ଏବଂ ଶୀତଦିନକୁ ହିଁ ଉପଭୋଗ କରିବାକୁ ଲୋକଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ । ୪୦ରୁ ୪୫ ଡ଼ିଗ୍ରୀ ଉତ୍ତାପ ଥିବା ସମୟରେ ଲୋକେ ନୂଆବର୍ଷକୁ ପାଳନ କରିବାକୁ କେବେ ହେଲେ ଚାହିଁବେ ନାହିଁ, ଚାହୁଁନାହାନ୍ତି ମଧ୍ୟ । ତେଣୁ ଲୋକମାନଙ୍କ ଭାବନା ଧର୍ମ ସହିତ ଯେତେ ଜଡ଼ିତ ହେଲେ ମଧ୍ୟ ପରିବେଶଗତ ପ୍ରଭାବରୁ ଲୋକମାନେ ଶୀତଦିନକୁ ଅଧିକ ଭାବରେ ଉପଭୋଗ କରିବାକୁ ଚାହିଁଥାଆନ୍ତି । ଧର୍ମୀୟ ଚେତନା ନେଇ ଯେତେ ସମାଲୋଚନା କରିଲେ ମଧ୍ୟ ଲୋକେ ପାଗକୁ ବେଶୀ ବିଶ୍ୱାସ କରନ୍ତି । ପାଗ ଯଦି ଅନୁକୂଳ ହୋଇଥାଏ ତେବେ ନିଶ୍ଚିତ ରୂପେ ଲୋକେ ସେହି ସମୟଟିକୁ ହାତ ଛଡ଼ା କରିବାକୁ ଚାହିଁବେ ନାହିଁ; ବରଂ ସୁଯୋଗ ମିଳିଲେ ସମସ୍ତେ ଅନୁକୂଳ ପାଗ ଓ ପରିବେଶର ଫାଇଦା ନେଇ ଉପଭୋଗ କରିବା ପାଇଁ ଆଗେଇ ଆସିବେ ଏବଂ ତାହା ହିଁ ହେଲା । ଧର୍ମୀୟ ଭାବନା ସହିତ ଲୋକମାନଙ୍କର ଉପଭୋଗର ମନୋବୃତ୍ତି କେବେ ହେଲେ ଯେତେ ଚେଷ୍ଟା କରିଲେ ମଧ୍ୟ ଜଡ଼ିତ ହେବ ନାହିଁ । ଆମ ଦେଶରେ ଯେଉଁଠି ପରିବା ଗାଡ଼ି ଓଲଟିଲେ ଲୋକେ ରାସ୍ତାରେ ଗଡୁଥିବା ପରିବାକୁ ବ୍ୟାଗ୍ ବ୍ୟାଗ୍ ବୋହି ନିଅନ୍ତି, ସେଠାରେ ଧର୍ମର ନାଁ କହି ଲୋକଙ୍କ ମାନସିକତାକୁ ବଦଳାଇବାର ଚେଷ୍ଟା କେବଳ ଅପଚେଷ୍ଟା ମାତ୍ର । ଅନ୍ୟ କୌଣସି କ୍ଷେତ୍ରରେ ହୁଏତ ଧର୍ମକୁ ବ୍ୟବହାର କରି ସଫଳତା ମିଳିପାରେ, କିନ୍ତୁ ଉପଭୋଗର ପ୍ରସଙ୍ଗ ଆସିଲେ ସମସ୍ତେ ସୁଯୋଗକୁ ଦେଖି ତାହାର ଫାଇଦା ଉଠାଇ ନିଅନ୍ତି ।