ଏ ପଥର କଥା କହେ
ମାୟାଧର ନାୟକ : ସଂପତ୍ତି ଉପରେ ମାଲିକାନାକୁ ନେଇ ଉଠିଥିବା ପ୍ରଶ୍ନରୁ ପରିବାର ସୃଷ୍ଟି ହେଲା । ନାରୀକୁ ବି ସଂପତ୍ତି ଦୃଷ୍ଟିରେ ଦେଖିଲା ପୁରୁଷ । ପୂର୍ଣ୍ଣଚ୍ଛେଦ ପଡ଼ିଗଲା ଦୀର୍ଘକାଳର ମାତୃପ୍ରଧାନ ସମାଜର ମାଂଗଳିକ ସଂସ୍କୃତିରେ । ମୁଣ୍ଡ ଟେକିଲା ପିତୃପ୍ରଧାନ ସମାଜ - ଦଳ, ଗୋଷ୍ଠୀ, ବଂଶ । ପୁରୁଷ ହେଲା କର୍ତ୍ତା । ନାରୀ ହେଲା ତା’ର ସେବାଦାସୀ । ପତିକୁ ପରମେଶ୍ୱର ମଣିବାକୁ ମଣିଷ ଶିଖାଇଲା ତାକୁ । ପଥର ହେଇଗଲା ନାରୀ - ରକ୍ତମାଂସର ପଥର!
ବେଶି କଣ କହିବି ଆଉ ? ସାଧୁବାଦ ଦେବି ସେଇ ସ୍ୱଳ୍ପସଂଖ୍ୟକ ସୃଜନବିଭୋର ମଣିଷମାନଙ୍କୁ, ଯେଉଁମାନେ ଶିଳ୍ପୀ, ଭାସ୍କର, ସ୍ଥପତି, ବିନ୍ଧାଣି, କାରିଗର, କବି । ସେମାନେ ଧ୍ୱଂସରେ ବିଶ୍ୱାସ ନ କରି ସର୍ଜନାରେ ମନପ୍ରାଣଚୈତନ୍ୟ ସମର୍ପି ଦେଇଛନ୍ତି - ଯୁଗେଯୁଗେ ସେମାନଙ୍କ ସଂଖ୍ୟା ସ୍ୱଳ୍ପ । ମାତ୍ର ସେଇ ମୁଷ୍ଟିମେୟର ଦଳ ହିଁ କାଳକାଳ ପାଇଁ ରଖିଯାଇଛନ୍ତି କଳା ଓ କୀର୍ତ୍ତିର ମହାନ ସଭ୍ୟତା । କୃଷି ଓ କୃଷ୍ଟିର ସମନ୍ୱୟରେ ଯେଉଁ ସଂସ୍କୃତି - ସେଇ ସଂସ୍କୃତିର ଶତଦଳ ଫୁଟାଇଛନ୍ତି ଏମାନେ ଯୁଗେଯୁଗେ, କାଳେକାଳେ । ଆଜି ବି ପରମ ବିସ୍ମୟ ସେମାନଙ୍କ ଶିଳ୍ପକଳା - ଆଧୁନିକ ମଣିଷ ଆଖିରେ । ତୁମେ ପ୍ରକୃତରେ କୃତାର୍ଥ ମଣିପାର ନିଜକୁ - ଏଇ ମୁଷ୍ଟିମେୟ ମଣିଷର କଳା ଓ କୀର୍ତ୍ତି ଦର୍ଶନ କରି । ରହସ୍ୟମୟ ମାୟାସଭ୍ୟତା ତୁମକୁ ଯେଉଁ ଉତ୍ତୁଙ୍ଗ ପ୍ରସ୍ତରମାଳାର ଅଦ୍ଭୁତ ଦୃଶ୍ୟ ଦେଖାଏ, କଳନା କରିପାରିବ ସେ କଳ୍ପନାତୀତ ବାସ୍ତବତାର ରହସ୍ୟ ? ମିଶରର ପିରାମିଡ୍ ଆଜି ବି ପଥର ପିଣ୍ଡରେ ପରମ ବିସ୍ମୟ । ଦେଖ ପୁଣି ପ୍ରାଚୀନ ଗ୍ରୀସ୍ର ଭାବୋଦ୍ଦୀପକ ଭାସ୍କର୍ଯ୍ୟ, ଚୀନ୍ର ସୁଦୀର୍ଘ ପ୍ରାଚୀର, ଦେଶବିଦେଶର ଦୁରତିକ୍ରମ୍ୟ ଦୁର୍ଗଶିଖର । ସବୁଠି ଆମ ପଥରମାନଙ୍କର ଭିନ୍ନ ଭିନ୍ନ ଭୂମିକାରେ ବିଚିତ୍ର ବର୍ଣ୍ଣାଢ୍ୟତା । ପ୍ରାଚୀନ ସଭ୍ୟତାର ସ୍ମୃତିଲିପି ସଂରକ୍ଷିତ ହୋଇରହିଛି ସୁରମ୍ୟ ଶିଳାଖଣ୍ଡଗୁଡ଼ିକରେ । ଶିଳାସ୍ତମ୍ଭରେ ସ୍ମାରକିତ ହୋଇଛି କେତେ କମ୍ର କମକୁଟି । ମନ୍ଦିର, ମସ୍ଜିଦ୍, ଗିର୍ଜା, ପାଗୋଡ଼ା - ସବୁ ଧର୍ମପୀଠର ଭିତ୍ତି ଓ ଭୂତି ପଥର - ସୋପାନରୁ ଶିଖରଦେଶ ପର୍ଯ୍ୟନ୍ତ ସବୁ ପଥର - ତୁମେ ପୂଜୁଥିବା ଶାଳଗ୍ରାମ ବି ପଥର - ଲକ୍ଷ୍ୟ କର । ମାତ୍ର କଠିନ ପଥରକୁ ଫୁଲ କରିଦେବାର କଳା ଯଦି କେହି ଦେଖାଇଥାନ୍ତି, ତା’ହେଲେ ସେମାନେ ଏ ଦେଶର ଦୁଃସ୍ଥଦୁର୍ଗତ ଶିଳ୍ପୀକୁଳ । ଯାଅ ଦେଖିବ ଅଜନ୍ତା, ଏଲୋରା, ଖଜୁରାହୋ, କୋଣାର୍କ - ପରମ ବିସ୍ମୟରେ ନିଜେ ବି ପାଲଟିଯାଇପାର ପଥର !
ଏବେ କିନ୍ତୁ ମଣିଷର ଆଖିରେ ଲାଳସାର ଲାଲ୍ରଙ୍ଗ । ଲାଭଖୋର୍ ଲୋଭୀମଣିଷ ପଥରକୁ ତା’ ତରାଜୁର ପଲା ଉପରେ ଥୋଇ ଓଜନ କରୁଛି । ଅନ୍ୟ ଗ୍ରହରେ ଜୀବଜଗତର ସ୍ଥିତି ସନ୍ଧାନ ପାଇଁ ତାର ମହାକାଶ ଅଭିଯାନ ଜାରି ରହିଛି - ଏଲିଏନ୍ ହେଉ କି ଉଡ଼ନ୍ତା ଥାଳିଆ ହେଉ, କେତେ କ’ଣ କାହାଣୀକୁ ନେଇ ରୂପେଲି ପରଦାରେ ରଙ୍ଗ ସୃଷ୍ଟି କରୁଛି - ଅନ୍ୟ ଗ୍ରହରେ ଜଳ ଅଛି କି ନାହିଁ ଖୋଜି ବୁଲୁଛି । ତା’ ନିଜ ଗ୍ରହର ଉପଗ୍ରହରେ ଅର୍ଥାତ୍ ଚନ୍ଦ୍ରରେ ଏଯାବତ୍ ଚାଲିଛନ୍ତି ୧୨ଜଣ ମହାକାଶଚାରୀ । ସେଠାରେ ପାଣି ମିଳି ନ ଥିଲେ ବି ବୈଜ୍ଞାନିକ ପରୀକ୍ଷାରୁ ବରଫ ପ୍ରସ୍ତୁତ ହେଉଥିବା ତଥ୍ୟ ସୂଚାଇ ଦିଆଯାଇଛି । ଚନ୍ଦ୍ରରୁ ପାଣି ଟୋପିଏ ସିନା ମିଳିନି, ମାତ୍ର ଆପୋଲୋ ଅଭିଯାନରେ ସଂଗ୍ରହ କରାଯାଇଛି ୨୧୯୬ ଖଣ୍ଡ ପଥର! ସେ ପଥରଖଣ୍ଡଗୁଡ଼ିକୁ ଏକାଠି ମିଶାଇଦେଲେ ତା’ର ସର୍ବମୋଟ ଓଜନ ୩୮୨ କିଲୋଗ୍ରାମ । ତୁମ ମଣିଷମାନଙ୍କର ମତଲବ ହେଉଛି ଖାଲି ତଉଲିବା । ଏପରିକି ସରଳ ନିରୀହ ଭାଗ୍ୟବାଦୀ ମଣିଷମାନଙ୍କୁ ଭଣ୍ଡେଇବା ପାଇଁ କିଛି ଧୂର୍ତ୍ତ ମଣିଷ ନିଜକୁ ଭବିଷ୍ୟଭାଷୀ ଭାଗ୍ୟପରିବର୍ତ୍ତନକାରୀ ଜ୍ୟୋତିଷୀ ଆସନରେ ବସାଇ ‘ଗ୍ରହପଥର’ ନାଆଁରେ ଗୁଡ଼ିଏ ରଙ୍ଗିଲା ପଥର ବିକି ବିତ୍ତଶାଳୀ ହେବାରେ ଲାଗିପଡ଼ିଛନ୍ତି । ଏମିତି ମୁନାଫାଖୋର୍ ମଣିଷଙ୍କ ହାତରେ ପଡ଼ି ଜଣେ ନିରୀହ ମଣିଷକୁ ପ୍ରତାରିତ କରିବାର ପ୍ରକି୍ରୟାରେ ପରୋକ୍ଷଭାବରେ ସାମିଲ୍ ହେଲାବେଳେ ସୁଦ୍ଧା ଆମେ ପଥରମାନେ କ’ଣ କମ୍ ଲଜ୍ଜିତ ହୋଇନଥାଉ ? ଆଉ କିଛି କଥା ରହିଗଲା । ରହିଯାଉ । ମୁଁ ତ ଆଉ ଆତ୍ମଜୀବନୀ ଲେଖିବସୁନି ଯେ କଥା ଅଧା ରହିଗଲେ ଅବସୋସ ରହିଯିବ । ନା, ଆତ୍ମକାହାଣୀ ଅଧା ରହିଯାଉ ପଛେ ମୋ’ ପ୍ରେମକାହାଣୀଟି କିନ୍ତୁ ଏଇଠି ଚୁମ୍ବକରେ ସୂଚାଇ ନ ଦେଲେ ସୁଖ ଲାଗିବନି । ଦୁଃଖ ତ ଅନେକ ଭୋଗିଛି, ହେଲେ ସୁଖଟି ଅଳ୍ପ ହେଲେ ବି ସେଇଟି ହିଁ ମୋ’ ପ୍ରେମକାହାଣୀ । ହଁ, ମୋର ଏ ପ୍ରେମକାହାଣୀଟି ବି ଅଧୁରା । ସେତେବେଳେ ବୋଧିସତ୍ତ୍ୱଙ୍କ ଜନ୍ମ ହୋଇସାରିଥାଏ । ରାଜା ବ୍ରହ୍ମଦତ୍ତ ରାଜୁତି କରୁଥାନ୍ତି ବାରାଣାସୀରେ । ସେ ସମୟ ଆଉ ଏ ସମୟ ଭିତରେ ଆକାଶପାତାଳ ଫରକ । ରାଜା ଯେଭଳି ନ୍ୟାୟୀ ଥିଲେ, ପ୍ରଜାଏ ସେଭଳି ନୀତିନିଷ୍ଠ ଥିଲେ । ଯେମିତି ଏଇ ରାଜ୍ୟରେ ହିଁ ସତ୍ୟଯୁଗ ସ୍ଥିର ହୋଇ ରହିଯାଇଛି, ଠିକ୍ ସେମିତି ମନେହେଉଥିଲା । କିନ୍ତୁ ହଠାତ୍ ଘଟିଗଲା ସେଇ ଅଭାବିତ କାଣ୍ଡ - ମହାପ୍ରାକୃତିକ ଖଣ୍ଡପ୍ରଳୟ ଯେମିତି ! ସତ୍ୟ, ନ୍ୟାୟ, ନୀତି, ଧର୍ମ ଯେଉଁ ରାଜ୍ୟର ଥିଲା ଶୁଭନିୟାମକ, ସେ ରାଜ୍ୟରେ ଏଭଳି ଅଘଟଣ ଯେ ଘଟିଯାଇପାରେ - କିଏ କାହିଁକି ଦିବାସ୍ୱପ୍ନରେ ବି ଏ ବିଷୟ ଚିନ୍ତା କରିବ ? ମାତ୍ର ଘଟିଲା - ଏକ ଭୀଷଣ ଭୂକଂପ । ସେ ଭୂକଂପ ଏତେ ଭୟାବହ ଥିଲା ଯେ ଆଜି ବି ମନେପକାଇଲେ ଅନ୍ତରାତ୍ମା ଦୋହଲିଯାଉଛି । ଏଇ ମହାଭୂକଂପ ପୂର୍ବରୁ ମୁଁ ଥିଲି ସେତେବେଳେ ଗୋଟିଏ ବିଶାଳ ମନ୍ଦିରଦ୍ୱାରର ଶେଷପାହାଚ । କେଉଁ ମହାପ୍ରଳୟଙ୍କର ବନ୍ୟା ଓ ବାତ୍ୟାର ବିଭୀଷିକା ଯୋଗୁ ମୁଁ ଦିନେ ସ୍ଥିତିହୀନ ବାସ୍ତୁହରା ବିସ୍ଥାପିତ ଭଳି ଏଇ ମନ୍ଦିର ଉଦ୍ୟାନରେ ଆସି ନିଃପତିତ ହୋଇଥିଲି, ସେ କାହାଣୀ ମୋ’ ଆତ୍ମକାହାଣୀର ଗୋପନୀୟ ଅଧ୍ୟାୟ । ସେ ପ୍ରସଙ୍ଗର ବିସ୍ତୃତ ବିବରଣୀ ପ୍ରଦାନ ଏଠାରେ ଅପ୍ରାସଙ୍ଗିକ । ମାତ୍ର ପ୍ରାସଙ୍ଗିକ ହେଉଛି, ମନ୍ଦିର-ଉଦ୍ୟାନରେ ମୋର ନିଃପତିତ ହୋଇଥିବା ପର୍ଯ୍ୟାୟରେ ଦିନେ ଜଣେ ଶୁଭ୍ରଜ୍ୟୋତିର୍ମୟ ଦିବ୍ୟପୁରୁଷ ମୋ’ ଉପରେ ଉପବିଷ୍ଟ ହୋଇଥିଲେ । କ’ଣ ହେଲା କେଜାଣି, ତାଙ୍କ କରସ୍ପର୍ଶରେ ମୋ ଆତ୍ମା ପରମ ପ୍ରଶାନ୍ତିରେ ପରିପୂର୍ଣ୍ଣ ହୋଇଉଠିଲା । ଏ କି ଅବବୋଧ ! ଏ କି ଉପଲବ୍ଧି ! ସେଇ ଦିବ୍ୟପୁରୁଷ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ କତିପୟ ନରନାରୀଙ୍କୁ ସଦାଚାର ସମ୍ବନ୍ଧରେ ସୁମିଷ୍ଟ ବଚନ ଶୁଣାଉଥାନ୍ତି । ମନ୍ତ୍ରମୁଗ୍ଧ ହୋଇ ସମସ୍ତେ ଅମୃତପାନ କଲା ପରି ମତେ ଲାଗୁଥାଏ । ଆହା! ଆଉକେବେ ସେହି ଅମୃତବାଣୀ ଏ କାନ ଶୁଣିପାରନ୍ତା ଭଲା! ମୁଁ ଆତ୍ମବିସ୍ମୃତ ହୋଇପଡ଼ିଥାଏ । ଧ୍ୟାନଭଂଗ ହେଲା ଠିକ୍ ସେତିକିବେଳେ, ଯେତେବେଳେ ଲକ୍ଷ୍ୟ କଲି ରାଜା ବ୍ରହ୍ମଦତ୍ତ ତାଙ୍କ ରାଜପଟୁଆରରେ ମୋ ନିକଟରେ ପହଂଚି ସେ ଦିବ୍ୟପୁରୁଷ କୁଆଡ଼େ ଚାଲିଗଲେ ବୋଲି ଜିଜ୍ଞାସା କରୁଥାନ୍ତି । ମନ୍ଦିର ପୂଜକ ଉତ୍ତର ଦେଲେ - ହେ ରାଜନ୍, ସେ ଶୁଭ୍ରଜ୍ୟୋତି ଶ୍ରୀମନ୍ତ ବିଦ୍ୱାନଯୁବକ ଏଇମାତ୍ର କିୟତ୍କ୍ଷଣ ପୂର୍ବରୁ ଅନ୍ତର୍ହିତ ହୋଇସାରିଛନ୍ତି । ମୁଁ ଚମକିତ ହେଲି । ତାଙ୍କ ସ୍ପର୍ଶରେ ମୋର ଏଭଳି ଆତ୍ମବିସ୍ମୃତି ଆସିଯାଇଥିଲା ଯେ ମୁଁ ମଧ୍ୟ ଜାଣିପାରିନଥିଲି, ଉପବିଷ୍ଟ ଦିବ୍ୟପୁରୁଷ କେତେବେଳେ ମୋ ଉପରୁ ଉଠି ଚାଲିଗଲେଣି ! ମୁଁ ଚାହିଁଦେଖିଲି, ମନ୍ଦିର-ପୂଜକ ରାଜା ବ୍ରହ୍ମଦତ୍ତଙ୍କୁ ଆଣି ମୋ ସାମ୍ନାରେ ପହଂଚାଇଦେଲେ । କହିଲେ - ରାଜନ୍, ଏଇ ପଥରଖଣ୍ଡିକ ଉପରେ ସେ ଉପବେଶନ କରିଥିଲେ ।
ରାଜା ବ୍ରହ୍ମଦତ୍ତ ଶ୍ରଦ୍ଧାରେ ମତେ ଆଉଁଶିଦେଇ ନିଜକୁ ନିଜେ ଶୁଣାଇଲା ପରି ଅସ୍ଫୁଟ ସ୍ୱରରେ କହିଲେ - ହେ ପଥର, ତୁ କେଡ଼େ ଭାଗ୍ୟବାନ୍ ! ଯିଏ ମୋ ଭାଗ୍ୟରେ ନ ଥିଲେ, ସେଇ ମହାନ୍ ବୋଧିସତ୍ତ୍ୱଙ୍କୁ ତୁ ତୋ ପିଠିରେ ବସାଇ ପାରିଥିଲୁ ! ଏଥର ସତରେ ମୁଁ ଚମକି ପଡ଼ିଲି! ବୋ-ଧି-ସ-ତ୍ତ୍ୱ ! ମୋ ଉପରେ ଯେଉଁ ଦିବ୍ୟପୁରୁଷ କିୟତ୍କାଳ କ୍ଳାନ୍ତି ଅପନୋଦନ ନିମନ୍ତେ ଉପବିଷ୍ଟ ହୋଇଥିଲେ, ସେ ତା’ହେଲେ ଥିଲେ ବୋଧିସତ୍ତ୍ୱ - ଯିଏ ପରବର୍ତ୍ତୀ ଯୁଗର ମହାବତାର, ପରମକାରୁଣିକ ବୁଦ୍ଧଦେବ? ରାଜା ବ୍ରହ୍ମଦତ୍ତଙ୍କର ନିଦେ୍ର୍ଦଶ ଶୁଣିବାକୁ ପାଇଲି । ସେ ଆଜ୍ଞା ଦେଲା ପରି ତାଙ୍କ କର୍ମଚାରୀମାନଙ୍କୁ କହୁଥିଲେ - ଏ ପଥର ଅତି ପବିତ୍ର । ଯାଅ, ଏ ରାଜ୍ୟର ଶିଳ୍ପୀଗୁରୁଙ୍କୁ ଡକାଅ, ସେ ଏଇ ବିରାଟ ପଥରଖଣ୍ଡକୁ ଏହି ମହାମନ୍ଦିରର ଶେଷସୋପାନ ରୂପେ ସଂସ୍ଥାପିତ କରାନ୍ତୁ ।
ମୁଁ ହେଲି ମନ୍ଦିରର ଶେଷ ପାହାଚ ।
ଏଇ ଶେଷ ପାହାଚ ହେବାର ସମୟଖଣ୍ଡ ହେଉଛି ମୋ ଜୀବନରେ ପ୍ରଥମ ପ୍ରେମର ପ୍ରବେଶକାଳ । ସେଇ କଥା କଣ ସହଜରେ କହିଦେଇହେବ, ତାହା ହୃଦୟର ନିଭୃତ ଅନୁଭବ । ଯେଉଁସ୍ଥାନରେ ମୁଁ ଶେଷପାହାଚ ରୂପରେ ପ୍ରାୟ ଶହେବର୍ଷ ନିଜ ଅସ୍ତିତ୍ୱ ଘୋଷଣା କରୁଥିଲି, ଠିକ୍ ତାହାର ନିକଟବର୍ତ୍ତୀ ସ୍ଥଳରେ ମନ୍ଦିରଗାତ୍ରରେ ସଂଲଗ୍ନ ଥିଲା ଏକ ମନୋମୁଗ୍ଧକର ନର୍ତ୍ତକୀ ପ୍ରତିମା । ଅନିନ୍ଦ୍ୟରୂପସୀ ସେ ମନୋରମା ନାରୀମୂର୍ତ୍ତି । ହଠାତ୍ ଦିନେ ପାହାନ୍ତି ପହରରେ ମୋ ଉପରେ ଦୁଇବୁଂଦା କାକର ପଡ଼ିଲା । ପୁଣି କିଛି ସମୟ ପରେ - ଆଉ ଦୁଇବୁଂଦା । ମୁଁ କାକରବୁଂଦା ଭାବି ଏ ଘଟଣାକୁ ଏଡ଼ାଇଦେଲା ବେଳକୁ ମୋ ଆତା୍ମ ଯେପରି ମୋତେ କହିଲା - ଆରେ ମୂଢ଼, ଲୁହବୁଂଦାକୁ କାକରବୁଂଦା ଭାବିନେଉଛୁ?
ମୁଁ ଆଶ୍ଚର୍ଯ୍ୟ ! ଲୁହବୁଂଦା ?
ଚାରିଆଡ଼େ ଚାହିଁଲା ବେଳକୁ କୁଆକୋଇଲି କେହି ନାହିଁ । ତା’ହେଲେ କିଏ ? କିଏ କାଂଦିଲା ଯେ ଲୁହ ଝରିଲା ଦୁଇବୁଂଦା !
- ପଥର ହୋଇ ବି ପଥରକୁ ଚିହ୍ନିପାରିଲନି ?
କାହାର ଏ ସ୍ୱର ବତାସକୁ ବିଦୀର୍ଣ୍ଣ କରୁଛି ?
ଯାହା ଲକ୍ଷ୍ୟ କଲି, ସ୍ତବ୍ଧ ହୋଇଗଲି । ଦେଖିଲି, ସେଇ ଦିବ୍ୟରୂପସୀ ନର୍ତ୍ତକୀ ଆଖିରେ ଅଶ୍ରୁସଂଚାର ।
ସେଇ ରାତିରୁ ଆରମ୍ଭ ହେଲା ମୋର ପ୍ରଥମ ପ୍ରେମର ପ୍ରହର । ପ୍ରାୟ ଶହେବର୍ଷ ପ୍ରତି ରାତିରେ ଦୁହେଁ କଥାଭାଷା ହେଉ - ସେଇ ଅନିନ୍ଦ୍ୟସୁଂଦରୀ ନାରୀମୂର୍ତ୍ତି ଓ ଶେଷସୋପାନ ଦାୟିତ୍ୱ ନିର୍ବାହକାରୀ ମୁଁ । ଦୁଇ ପଥରର ଏ ପ୍ରେମକାହାଣୀ ଯେତିକି ନିଭୃତ, ସେତିକି ନିର୍ଜନ । ଦୁହେଁ ଦୁଃଖ ବାଂଟୁ ଦୁହିଁଙ୍କର । ଦୁଃଖ କହିଦେଇ ସୁଖ ପାଉ । ପବିତ୍ର ଆମର ଭଲପାଇବା । ନିଷ୍କାମ ଆମର ପ୍ରେମ । ଦୁଇ ଆତ୍ମାର, ଦୁଇ ଅନ୍ତରର ଅନୁରାଗ ଇଏ ।
କଟିଯାଇଥାନ୍ତା ଏମିତି କାଳକାଳ । ମାତ୍ର ବୋଧିସତ୍ତ୍ୱ ସେତେବେଳକୁ ଆଉଏକ ନବଜନ୍ମ ନେଇଥିବେ - ରାଜା ବ୍ରହ୍ମଦତ୍ତ ଏ ଧରାରୁ ବିଦାୟ ନେବାର ଅଳ୍ପ କେଇମାସ ପରେ ଅଭାବିତ ଭାବରେ ଦେଖାଦେଇଥିଲା ପୂର୍ବରୁ ସୂଚାଇଥିବା ସେଇ ଭୀଷଣ ଭୂକଂପ । ଭୂମିକଂପ ପରେ ବଦଳିଯାଇଥିଲା ପୂର୍ବର ଭୂଚିତ୍ର । ସମୂଳେ ନିଶ୍ଚିହ୍ନ ହୋଇଯାଇଥିଲା ବାରାଣାସୀର ସେଇ ମହାମନ୍ଦିର । ମୋର ଅତି ଆଦରଣୀୟା ପ୍ରେମପ୍ରତିମା ନର୍ତ୍ତକୀ ନାରୀ ଅଂତର୍ହିତ ହୋଇସାରିଥିଲା ମୋ ସମ୍ମୁଖରୁ । ମୁଁ ମଧ୍ୟ ଆଉ ପାହାଚ ରୂପରେ ରହିପାରିନଥିଲି, ଖଣ୍ଡିଆଖାବରା ହୋଇ କୁଆଡ଼େ ବୋଲି କୁଆଡ଼େ ଚାଲିଆସିଥିଲି - ନିଜେ ବି ଜାଣିନି । ସତରେ କାଳର କ୍ରମ କି କୁଟିଳ!(କ୍ରମଶଃ)
ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩