ନିଆରା ଉଦ୍ୟୋଗପତିଙ୍କ ଦୂରଦର୍ଶୀ ଉଦାରତା
ଇଂ. ପ୍ରଭାତ କୁମାର ଭୂୟାଁ : ନିକଟରେ ଦୁନିଆରୁ ବିଦାୟ ନେଇଥିବା ଶିଳ୍ପପତି ରତନ ଟାଟା, ‘ଟାଟା’କୁ ଏକ ଗ୍ଲୋବାଲ ବ୍ରାଣ୍ଡ ଭାବେ ଗଢ଼ି ତୋଳିଥିଲେ ଏବଂ ବ୍ୟବସାୟ ସହିତ ଲୋକଙ୍କ ଦୁଃଖ ବି ବୁଝୁଥିଲେ । ସେମାନଙ୍କ ପାଇଁ ସହାୟତାର ହାତ ବଢ଼ାଉଥିଲେ । ଖାଲି ଦେଶ ମଧ୍ୟରେ ସୀମିତ ନଥିଲା ତାଙ୍କର ଚମକ । ବିଶ୍ୱର କୋଣ ଅନୁକୋଣରେ ନିଜ ବ୍ୟକ୍ତିତ୍ୱର ଛାପ ଛାଡ଼ିଛନ୍ତି ସେ । ଖାଲି ଲାଭ ନୁହେଁ ଲାଭ ଠାରୁ ବାହାରେ ଥିଲା ରତନ ଟାଟାଙ୍କ ଦୂରଦୃଷ୍ଟି । ସାମାଜିକ ଦାୟିତ୍ୱ ଏବଂ ନିରନ୍ତରତା ନେଇ ସେ ଥିଲେ ଅଙ୍ଗୀକାରବଦ୍ଧ । ୨୦୨୧ରେ ଆଇଆଇଏଫଏଲ ୱେଲଥ ହୁରୁନ୍ ଇଣ୍ଡିଆ ଧନୀ ତାଲିକାରେ ସେ ୪୩୩ ନମ୍ବରରେ ଥିଲେ । ଏହାର କାରଣ ହେଉଛି ଅତି ମାତ୍ରାରେ ଆୟକୁ ଦାନ ଆକାରରେ ପ୍ରଦାନ କରୁଥିଲେ ସେ । ତାଙ୍କ ଫାଉଣ୍ଡେସନ ଟାଟା ଟ୍ରଷ୍ଟ ଭାରତର ଅନ୍ୟତମ ବୃହତ୍ ଦାତବ୍ୟ ସଂସ୍ଥା । ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଗ୍ରାମୀଣ ବିକାଶ ଏବଂ ନିରନ୍ତର ଜୀବନଶୈଳୀ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପକୁ ସହାୟତା ଲାଗି ଏହି ସଂସ୍ଥା ଟେକ୍ନୋଲୋଜି ସେଣ୍ଟରମାନ ସ୍ଥାପନ କରିଛି । କରୋନା ମହାମାରୀ ବେଳେ ସେ ୫୦୦ କୋଟି ଟଙ୍କା ଦାନ କରିଥିଲେ । ନିଜ ଆଲମା ମାଟର ହାର୍ଭାଡ଼ ବିଜନେସ ସ୍କୁଲକୁ ଏକ ଏକଜିକୁ୍ୟଟିଭ ସେଣ୍ଟର ନିର୍ମାଣ କରିବାକୁ ଦେଇଥିଲେ ୫ କୋଟି ଡଲାର । ଟାଟା ଟ୍ରଷ୍ଟ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ ଏବଂ ବିଭିନ୍ନ ଆଇଆଇଆଇଏମ୍ କ୍ୟାମ୍ପସଗୁଡ଼ିକୁ ଆର୍ତିକ ସହାୟତା ପ୍ରଦାନ କରିଛି । ମୁମ୍ବାଇରେ ୨୬/୧୧ ହମଲା ପରେ ରତନ ଟାଟା ତାଜ ପବ୍ଲିକ ସର୍ଭିସ ୱେଲଫେୟାର ଟ୍ରଷ୍ଟ ଗଠନ କରିଥିଲେ, ଯାହା ପ୍ରଭାବିତ ବ୍ୟକ୍ତିବିଶେଷ ଏବଂ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିଥିଲେ ।
ଦେଶରେ ମାତ୍ର କେତେ ଜଣ ଉଦ୍ୟୋଗୀ ଥିବେ ଯେଉଁମାନେ ଦେଶ ପାଇଁ ବଞ୍ଚôଥିବେ ନିଜ ପାଇଁ ନୁହେଁ । ଦେଶ ତଥା ଦେଶବାସୀଙ୍କ ଉନ୍ନତି ଓ ଅଗ୍ରଗତି ପାଇଁ ଯୋଗଦାନ ଦେଉଥିବେ । ଦେଶବାସୀଙ୍କୁ ନିମ୍ନ ସ୍ତରରୁ ଉଠାଇ ସମାଜର ମୁଖ୍ୟସ୍ରୋତରେ ନେବା ପାଇଁ ଆଗତୁର ଥିବେ । ସେହିଭଳି ଜଣେ ଉଦ୍ୟୋଗପତି ଥିଲେ ରତନ ଟାଟା । ତାଙ୍କର ସଫଳତାର କାହାଣୀ ଭାରତୀୟ ଅର୍ଥନୀତିରେ ସ୍ପଷ୍ଟ ଦୃଶ୍ୟମାନ । ଅତି ଲାଜକୁଳା ସ୍ୱଭାବର ଥିବା ସେହି ପିଲାଟି ଯେ ଭବିଷ୍ୟତରେ ଟାଟାକୁ ଏକ ଗ୍ଲୋବାଲ ବ୍ରାଣ୍ଡ ଭାବେ ଗଢ଼ି ତୋଳିବ ତାହା କାହାକୁ ଜଣା ନଥିଲା । ଦୁଇ ଦଶନ୍ଧି ଧରି ଟାଟା ଗ୍ରୁପର ଅଧ୍ୟକ୍ଷ ପଦରେ ରହି ସେ ଦେଶର ଅର୍ଥନୀତିରେ ବଡ଼ ମୂଲ୍ୟ ଯୋଡ଼ିଥିଲେ । ଭାରତରେ କୋଣ ଅନୁକୋଣରେ ଟାଟାର ସେବା ଆଉ ସାମଗ୍ରୀ । ଲୁଣଠାରୁ ଆରମ୍ଭ କରି ବିମାନ ସେବା ପର୍ଯ୍ୟନ୍ତ ସବୁଥିରେ ଟାଟା । ଆଉ ଏହା ପଛରେ ଯାହାର ବୃଦ୍ଧି ସେ ଥିଲେ ରତନ ଟାଟା । ବିବାଦ କେବେ ବି ତାଙ୍କ ରାସ୍ତାରେ ଆସିନଥିଲା । ବ୍ୟବସାୟ, ଚତୁରତା, ଦୂରଦୃଷ୍ଟି ଏବଂ ନିଜର ମଜଭୁତ କାର୍ଯ୍ୟ ନୀତିରୁ ସେ ନିଜ ପାରିବାରିକ ବ୍ୟବସାୟକୁ ଏକ ଅନ୍ତରାଷ୍ଟ୍ରୀୟ ସାମ୍ରାଜ୍ୟରେ ରୂପାନ୍ତର କରିଥିଲେ । ତାଙ୍କ କାର୍ଯ୍ୟକାଳରେ ଟାଟା ଗ୍ରୁପର ରାଜସ୍ୱ ହୋଇଥିଲା ବହୁଗୁଣା । ରତନ ଟାଟା ଏଭଳି ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ଭଳି ହେବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ବ୍ୟବସାୟରେ ବଡ଼ ନାଁ ସହିତ ଜଣେ ଦାନବୀର ଭାବେ ସେ ପାଇଛନ୍ତି ପରିଚୟ । ଟାଟା ଷ୍ଟିଲ ଜରିଆରେ ସେ ବ୍ୟବସାୟରେ ପାଦ ରଖିଲେ । ଆରମ୍ଭରେ ଜଣେ କର୍ମଚାରୀ ଭାବେ ସେ ଏଥିରେ ଯୋଗ ଦେଇଥିଲେ ଏବଂ ଜାମସେଦପୁର ପ୍ଲାଣ୍ଟରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କଲେ ଏବଂ ବ୍ୟବସାୟକୁ ଆମୂଳଚୂଳ ଜାଣିଲେ । ଟାଟା ଗ୍ରୁପକୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଗଢ଼ିବାରେ ରତନ ଟାଟାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଲୁଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଏଫଏମସିଜି ପ୍ରଡକ୍ଟ, ସଫ୍ଟୱେର, କାର, ହୋଟେଲ, କେମିକାଲ, ଇସ୍ପାତ ଏବଂ ବିମାନ ପର୍ଯ୍ୟନ୍ତ ବ୍ୟବସାୟର ଚେର ଲମ୍ବାଇ ସେ ଟାଟା ଗ୍ରୁପକୁ ଏକ ବିଶାଳ ଅଗ୍ରଦୂତ ଭାବେ ଛିଡ଼ା କରିଯାଇଛନ୍ତି । ୧୯୬୨ ମସିହାର କଥା । ଲସ ଏଞ୍ଜେଲସରେ ଥବା ବେଳେ ଜଣେ ବିଦେଶିନୀଙ୍କ ସହ ରତନଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ବିବାହ ପାଇଁ ଦିନ ସ୍ଥିର ହୋଇଯାଇଥିଲା । କିନ୍ତୁ ଅଚାନକ ଭାରତ-ଚୀନ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା । ତେଣୁ ତରୁଣୀଙ୍କ ପିତାମାତା ତାଙ୍କୁ ଭାରତ ଛାଡ଼ି ନଥିଲେ । ରତନ ବାହାଘର ଅଟକି ଯାଇଥିଲା । ବାଧ୍ୟ ହୋଇ ରତନ ତରୁଣୀଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ । ତାଙ୍କର କିଛି ପ୍ରେରଣାଦାୟୀ କଥା ଆମେ ଉଲ୍ଲେଖ କରୁଛୁ । “ଲୁହାକୁ କେହି ନଷ୍ଟ କରିପାରେ ନାହିଁ । ଏହା କେବଳ ନିଜର କଳଙ୍କି ଦ୍ୱାରା ନଷ୍ଟ ହୁଏ । ଜଣେ ମଣିଷକୁ କେହି ଧ୍ୱଂସ କରିପାରିବ ନାହିଁ । ତାର ନିଜ ଚିନ୍ତାଧାରା ହିଁ ତାକୁ ବିପଥଗାମୀ କରେ । ଶକ୍ତି ଓ ସମ୍ପତ୍ତି ଭଳି ଦୁଇ ଦିଗ ମୋର ପ୍ରକୃତ ଅଂଶଧନ ନୁହେଁ । ଯଦି ଶୀଘ୍ର ଚାଲିବାକୁ ଚାହାଁନ୍ତି ଏକା ଚାଲନ୍ତୁ । ଯଦି ଦୀର୍ଘ ରାସ୍ତା ଚାଲିବାକୁ ଚାହାଁନ୍ତି ତେବେ ମିଳିତ ହୋଇ ଚାଲନ୍ତୁ । ଲୋକ ଆପଣଙ୍କୁ ମାରୁଥିବା ପଥରକୁ ସଂଗ୍ରହ କରନ୍ତୁ, ଏହାକୁ ନେଇ ଏକ ସ୍ମାରକୀ ବନାନ୍ତୁ । ଯେଉଁମାନେ ସଫଳ ମୁଁ ତାଙ୍କୁ ବେଶ ପ୍ରଶଂସା କରେ । ମାତ୍ର ନିଷ୍ଠୁରତା ଦ୍ୱାରା ଯଦି ଏହି ସଫଳତା ପ୍ରାପ୍ତ କରାଯାଇଥାଏ, ତେବେ ଏହି ପ୍ରଶଂସା ସେତେଟା ରୁହେନି । ଦିନେ ଏୟା ନିଶ୍ଚିତ ଉପଲବ୍ଧି ହେବ ଯେ, ବସ୍ତୁବାଦୀ ହେବା କିଛି ଗୁରୁତ୍ୱ ରଖେନି । ତୁମ ପ୍ରିୟଜନଙ୍କ ଖୁସି ହିଁ ସବୁକିଛି । ସେହିମାନେ ହିଁ ସର୍ବୋତ୍ତମ ଲିଡ଼ର ଯେଉଁମାନେ ନିଜ ଚାରି ପାଖରେ ତାଙ୍କ ଠାରୁ ଅଧିକ ବୁଦ୍ଧିମାନ ସହଯୋଗୀ ରଖିଥାନ୍ତି । ମୁଁ କର୍ମ ଏବଂ ଜୀବନ ମଧ୍ୟରେ ସନ୍ତୁଳନ ଉପରେ ବିଶ୍ୱାସ କରେନି । କର୍ମ ଓ ଜୀବନ ମଧ୍ୟରେ ସଂଯୋଗ ଉପରେ ମୋର ବିଶ୍ୱାସ । ଜୀବନ ଓ କର୍ମକୁ ଏଭଳି ପରିବର୍ତ୍ତନ ଏବଂ ଅର୍ଥପୂର୍ଣ୍ଣ ବନାନ୍ତୁ ଯାହା ଉଭୟ ଉଭୟକୁ ସହଯୋଗ କରିବ । ସବୁଠାରୁ ବଡ଼ ରିସ୍କ ହେଉଛି ରିସ୍କ ନ ନେବା । ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଯଦି ରିସ୍କ ନ ନେବା ତେବେ ଏହା ବିଫଳତା ଲାଗି ଗ୍ୟାରେଣ୍ଟି ହେବ । ଆହ୍ୱାନକୁ ସାମ୍ନା କରିବା ଲାଗି ନିରନ୍ତର ଲାଗି ରୁହନ୍ତୁ । ଏହା ସଫଳତା ଆଡ଼କୁ ମାର୍ଗ ପ୍ରସ୍ତୁତ କରେ । ଅନ୍ୟ ସହ କତା ହେବାବେଳେ ଦୟା, କ୍ଷମା ଓ ଉଦାରଶୀଳତାର ଶକ୍ତିକୁ କେବେ ସର୍ବଦା ମନେ ରଖିବା ଉଚିତ । ସବୁବେଳେ ଏକ ଆରମ ଜୀବନ ମିଳିବନି । ସବୁ ସମସ୍ୟା ସବୁବେଳେ ସମାଧାନ କରି ହେବନି । ତେବେ ନିଜକୁ କେବେ ବି ହୀନ ଭାବିବା ଅନୁଚିତ । ଇତିହାସ ଏହା ଶିଖାଇଛି ଯେ, ଜୀବନରେ ସାହସ ଏବଂ ଆଶା ଆମକୁ ଆଗକୁ ବଢ଼ାଇଥାଏ । ନେତୃତ୍ୱ ସର୍ବଦା ଉତ୍ତରଦାୟୀ ହେବାରେ ଥାଏ । ଭାରତର ଅସୀମ ସମ୍ଭାବନାକୁ ନେଇ ସର୍ବଦା ଆଶାବାଦୀ ଭାରତ ଏକ ମହାନ ଦେଶ । ଲୋକମାନେ ଏବେ ବି ଏୟା ବିଶ୍ୱାସ କରନ୍ତି ଯେ, ସେମାନେ ଯାହା କିଛି ବି ପଢ଼ୁଛନ୍ତି ତାହା ନିଶ୍ଚିତ ପକ୍ଷେ ସମ୍ପୂର୍ଣ୍ଣ ଭାବେ ସତ୍ୟ । ମୁଁ ଠିକ ନିଷ୍ପତ୍ତି ନେବା ଉପରେ ବିଶ୍ୱାସ ରଖେନି । ମୁଁ ନିଷ୍ପତ୍ତି ନିଏ ତାକୁ ଠିକ କରି ଦେଖାଏ । ମୁଁ ଏଭଳି ଜଣେ ବ୍ୟକ୍ତିଙ୍କୁ ଅନୁସରଣ କରୁଛି ଯାହାଙ୍କ ଜୋତା ବହୁତ ବଡ଼ । ସେ ବହୁତ ବଡ଼ ଐତିହ୍ୟ ଛାଡ଼ି ଯାଇଛନ୍ତି । ମୁଁ କେବଳ ତାକୁ ଅନୁସରଣ କରୁଛି । ମୋତେ କେତେ ସମାଲୋଚନା କଲେ ଟାଟା ମୋଟର୍ସ ଏବଂ ଟାଟା ଷ୍ଟିଲରେ ଅଂଶଧନରେ ମୁଁ କେବେ ଅଂଶଧନ ବିକିବି ନାହିଁ ।’ ତାଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହେବ ଏବଂ ସେ ଆମ ହୃଦୟରେ ବଞ୍ଚô ରହିବେ । ଶିଳ୍ପ ପରିଦୃଶ୍ୟ ଠାରୁ ଆଗକୁ ଯାଇ ସେ ଆରମ୍ଭ କରିଥିବା ପ୍ରତ୍ୟେକଟି କାର୍ଯ୍ୟ ଭାରତୀୟଙ୍କ ଜୀବନକୁ ସମୃଦ୍ଧ କରିଛି । ତାଙ୍କ ଦର୍ଶନ, ନମ୍ରତା ଓ କରୁଣା ଶିଳ୍ପ ଓ ଜୀବନକୁ ସମାନ ଭାବରେ ବଦଳାଇ ଦେଇଥିଲା । ତାଙ୍କ ପରମ୍ପରା ନୂଆ ପିଢ଼ିକୁ ପ୍ରେରଣା ଯୋଗାଇବ । ରତନ ଟାଟାଙ୍କ ଦୂରଦର୍ଶୀ ନେତୃତ୍ୱ କେବଳ ଟାଟା ଗ୍ରୁପକୁ ଆକାର ଦେଇନାହିଁ ବରଂ ନୈତିକ ବ୍ୟବସାୟ ଅଭ୍ୟାସ ପାଇଁ ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ମଧ୍ୟ ସ୍ଥାପିତ କରିଛି । ରାଷ୍ଟ୍ର ନିର୍ମାଣ, ଉଦ୍ଭାବନ ଓ ପରୋପକାର ପ୍ରତି ତାଙ୍କର ନିରନ୍ତର ସମର୍ପଣ ଏକ ଅବିସ୍ମରଣୀୟ ଛାପ ଛାଡ଼ିଯାଇଛି । ତାଙ୍କଭଳି କିମ୍ବଦନ୍ତୀ ବ୍ୟକ୍ତିତ୍ୱ ସର୍ବଦା ଅମର ।
ମୋ: ୯୯୩୭୬୬୯୮୮୭