ନିୟନ୍ତ୍ରଣ ଆବଶ୍ୟକ କି?


ବର୍ତ୍ତମାନ ଦେଶର ବିଭିନ୍ନ ସହରାଞ୍ଚଳରେ ବସ୍ତି ସବୁ ଗଢ଼ି ଉଠୁଛି । ଏହି ବସ୍ତି ଗୁଡ଼ିକରେ ଗ୍ରାମାଞ୍ଚଳର ଲୋକମାନେ ଆସି କର୍ମସଂସ୍ଥାନ ଉଦେ୍ଦଶ୍ୟରେ ରହୁଛନ୍ତି । କିନ୍ତୁ ଏହି ବସ୍ତି ଗୁଡ଼ିକ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଗଢ଼ି ଉଠୁଥିବାରୁ ସହରାଞ୍ଚଳର ସମସ୍ତଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଡ଼େଙ୍ଗୁ ଏବଂ ମ୍ୟାଲେରିଆ ଭଳି ଭେକ୍ଟର୍ ବାହିତ ରୋଗ ଗୁଡ଼ିକ ବସ୍ତି ଅଞ୍ଚଳରୁ ହିଁ ଆରମ୍ଭ ହୋଇଥାଏ ଏବଂ ଏହା ସମଗ୍ର ସହରକୁ ସଂକ୍ରମିତ କରିଥାଏ । ଅନ୍ୟପକ୍ଷରେ ସହରାଞ୍ଚଳରେ ହୋଲ୍ଡିଂ ଟିକସ ବ୍ୟବସ୍ଥା ଭିତରେ ରହୁଥିବା ଲୋକମାନେ ବିଭିନ୍ନ ପ୍ରକାରର ବ୍ୟକ୍ତିଗତ ତଥା ସାମାଜିକ ସେବା ପାଇଁ ବସ୍ତିବାସିନ୍ଦାଙ୍କ ଉପରେ ମୁଖ୍ୟତଃ ନିର୍ଭର କରିଥାନ୍ତି । ପନିପରିବା ଠାରୁ ଆରମ୍ଭ କରି ଲୁଗାପଟା ସଫା କରିବା ଯାଏଁ ବିଭିନ୍ନ ପ୍ରକାରର ସେବା ସରକାରୀ ଭାବରେ ଲୋକଙ୍କୁ ଯୋଗାଇବା ସମ୍ଭବ ନୁହେଁ । ଆହୁରି ମଧ୍ୟ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ ପାଇଁ ଶ୍ରମିକ ମିଳିବା ମଧ୍ୟ ଆଉ ଏକ ସମସ୍ୟା ସୃଷ୍ଟି କରିଥାଏ । ଗ୍ରାମାଞ୍ଚଳର ଲୋକମାନେ ବସ୍ତୀ ଭିତରେ ସାମାଜିକ ଭାବରେ ଆବଶ୍ୟକ ହେଉଥିବା ସମସ୍ତ ସେବା ସମାଜକୁ ଯୋଗାଇ ଦେଇଥାନ୍ତି । କିନ୍ତୁ ସେମାନଙ୍କର ନିଜର ରହିବା ପାଇଁ ଘର ଖଣ୍ଡିଏ ନ ଥିବାରୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ସରକାରୀ ଅନାବାଦୀ ଜାଗାରେ କୁଡ଼ିଆ ନିର୍ମାଣ କରି ରହିଯାନ୍ତି । ବସ୍ତି ଗୁଡ଼ିକର ସବୁଠାରୁ ବଡ଼ ସମସ୍ୟା ହେଲା ଜଳ ଏବଂ ପରିମଳ । ଏ ଦୁଇଟିର ବ୍ୟବସ୍ଥାଗତ ଢ଼ାଞ୍ଚା ଅଭାବରୁ ବସ୍ତୀ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକ ମଳତ୍ୟାଗଜନିତ ଦୂଷିତ ବାତାବରଣରେ ଦୁର୍ଗନ୍ଧମୟ ହୋଇ ଉଠେ । କାରଣ ବସ୍ତି ଭିତରେ ପାଇଖାନା ନିର୍ମାଣ କରି ସମସ୍ତେ ବ୍ୟବହାର କରିବା ସମ୍ଭବ ନୁହେଁ । ଦ୍ୱିତୀୟରେ ଚଳିବା ପାଇଁ ପାନୀୟ ଜଳ ଏବଂ ବ୍ୟବହାର୍ଯ୍ୟ ଜଳର ଆବଶ୍ୟକତା ମଧ୍ୟ ରହିଛି । ବସ୍ତି ଗୁଡ଼ିକରେ ଏହି ସୁବିଧା ଆଦୌ ନାହିିଁ । ତେଣୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଏହି ବସ୍ତି ଗୁଡ଼ିକରେ ହିଁ ଥାଏ । ସବୁ ପ୍ରକାରର ସୁବିଧା ଏବଂ ଅସୁବିଧାକୁ ଦୃଷ୍ଟିରେ ରଖି ସରକାରୀ ଭାବେ କିଛି ବସ୍ତିକୁ ପାନୀୟ ଜଳ, ବିଦୁ୍ୟତ, ଗୋଷ୍ଠୀ ପାଇଖାନା ଆଦି ସୁବିଧା ଯୋଗାଇ ଦିଆଯାଉଛି । ଏଭଳି ସୁବିଧା ସରକାରୀ ଜାଗାରେ ରହି ପାଇଯିବା ପରେ କିଛି ଅସାମାଜିକ ବ୍ୟକ୍ତି ବସ୍ତିଗୁଡିକରେ ନିଜର ଗୁଣ୍ଡାଗିରି ଦେଖାଇ ଏହାର ସମ୍ପ୍ରସାରଣ କରିବାର ସୁଯୋଗ ସୃଷ୍ଟି କରିଦିଅନ୍ତି । ଏହା ଫଳରେ ଛୋଟ ଛୋଟ ବସ୍ତି ଅଳ୍ପଦିନରେ ବଡ଼ ବଡ଼ ବସ୍ତିରେ ପରିଣତ ହୋଇଯାଏ । ଆହୁରି ମଧ୍ୟ ନୂଆ ନୂଆ ବସ୍ତି ରାତାରାତି ଗଢ଼ି ଉଠୁଛି । ଏସବୁ ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଇନ୍ ଏପର୍ଯ୍ୟନ୍ତ ସରକାର କରିନାହାଁନ୍ତି । ସେଥିପାଇଁ ପୁରୁଣା ହେଉ କି ନୂଆ ହେଉ ସରକାରୀ ଜାଗାରେ ବସ୍ତି ଗଢ଼ି ଉଠିବା ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଏହି ସମସ୍ୟାର ସମାଧାନା ପାଇଁ ସ୍ଥାନୀୟ ଜନପ୍ରତିନିଧି କିମ୍ବା ରାଜନୀତିକ ଦଳର ପ୍ରତିନିଧିମାନେ ମାନବୀୟ ସହାୟତା ଏବଂ ଅନୈତିକ ସହାୟତା ବହୁତ କିଛି ଯୋଗାଇ ଦେବାରେ ଆଦୌ ହେଳା କରନ୍ତି ନାହିଁ । ଏହି କାରଣରୁ ବସ୍ତି ଗୁଡ଼ିକ ମଧ୍ୟ ବିଭିନ୍ନ ପ୍ରକାରର ଅପରାଧିକ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ଭାବରେ ପରିଣତ ହେବା ଦେଖିବାକୁ ମିଳୁଛି । 
ସମାଜରେ ସବୁ ବର୍ଗର ଲୋକଙ୍କ ପାଇଁ ସେବା କିମ୍ବା ଦ୍ରବ୍ୟ ଯୋଗାଇବା ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ । ଏହି ବସ୍ତୀଗୁଡିକରେ ରହୁଥିବା ଲୋକମାନେ ସମାଜକୁ ଯୋଗାଇ ଦେଉଥିବା ସେବା କିମ୍ବା ଦ୍ରବ୍ୟ ପାଇଁ ଏକ ସରକାରୀ ନିୟନ୍ତ୍ରଣ ବ୍ୟବସ୍ଥା କିମ୍ବା ଆଇନ୍ଗତ ବ୍ୟବସ୍ଥା ବର୍ତ୍ତମାନ ଆବଶ୍ୟକ ପଡୁଛି । ଏ ଦିଗରେ ସରକାର ଚିନ୍ତା କରିବା ନିହାତି ଆବଶ୍ୟକ ।