ଏଇ ସପ୍ତାହରେ ବିଜେପି ନୂଆ ସଭାପତି


 ନୂଆଦିଲ୍ଲୀ : ବିଜେପିର ନୂଆ ସଭାପତି ସହ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ନୂଆଦିଲ୍ଲୀରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି  । ଗତକାଲି ରାତିରେ ଏନେଇ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଲୋଚନା କରିଛନ୍ତି  । ସେହିପରି ମନ୍ତ୍ରୀମଣ୍ଡଳ ବି ସମ୍ପ୍ରସାରଣ ହେବ  । କିଛି ମନ୍ତ୍ରୀଙ୍କୁ ମୋଦି ବାଦ୍ ଦେଇ ନୂଆ ମୁହଁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରିବେ  । ଏହାଛଡ଼ା ମନ୍ତ୍ରୀମାନଙ୍କର ମନ୍ତ୍ରଣାଳୟ ବି ବଦଳିଯିବାର ସମ୍ଭାବନା ରହିଛି  । ଚଳିତ ସପ୍ତାହରେ ବିଜେପି ବଡ଼ ଘୋଷଣା କରିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।
କିଏ ହେବେ ବିଜେପିର ନୂଆ ସଭାପତି? ଗତ ଚାରିମାସ ଧରି ଏହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି  । ପଦ୍ମ ଘୁଞ୍ଚô ଘୁଞ୍ଚô ଯିବା ଭଳି ବିଜେପିର ନୂଆ ସଭାପତି ଘୋଷଣା ବି ଘୁଞ୍ଚôଘୁଞ୍ଚô ଚାଲିଛି  । ଅପ୍ରେଲ ୧୫ରେ ବିଜେଡ଼ି ସଭାପତି ଘୋଷଣା କରିବ ବୋଲି ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା  । କିନ୍ତୁ ସଦ୍ୟତମ ଖବରଟି ହେଉଛି, ନୂଆ ସଭାପତି ଓ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି  । ଗତକାଲି ବିଳମ୍ବିତ ରାତ୍ରିରେ ନଡ୍ଡା, ଶାହ ଓ ରାଜନାଥଙ୍କ ମଧ୍ୟରେ ବେଶ୍ କେଇ ଘଣ୍ଟା ଧରି ଆଲୋଚନା ହୋଇଛି । ଅପରପକ୍ଷରେ ମୋଦି ୧୯ରେ ଥିବା ଜାମ୍ମୁଗସ୍ତକୁ ବାତିଲ୍ କରିଛନ୍ତି  । ସେହିଦିନ ବିଜେପି ବଡ଼ ଘୋଷଣା କରିପାରେ ବୋଲି କୁହାଯାଉଛି  । 
ନୂଆ ସଭାପତି ନିର୍ବାଚନ ପରେ ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରାଯିବ । ଯାହାକୁ ନେଇ ଜାତୀୟ ବିଜେପି ରାଜନୀତି ସରଗରମ ହୋଇଯାଇଛି  । ତେବେ ଲବିରେ ପଦ ମିଳୁନଥିବାରୁ ନେତାମାନଙ୍କ ଶିବିର ଚଳଚଞ୍ଚଳ ନାହିଁ  । କିନ୍ତୁ ସମ୍ପ୍ରସାରଣ ବେଳେ ମନ୍ତ୍ରୀ ପଦ ଚାଲିଯିବାର ଆଶଙ୍କା ଥିବାରୁ ଅନେକ କେନ୍ଦ୍ରମନ୍ତ୍ରୀ ଚିନ୍ତାରେ ପଡ଼ିଯାଇଛନ୍ତି  । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗପୁର ଯାଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତଙ୍କ ସହ ଆଲୋଚନା କରିଛନ୍ତି । ସଂଗଠନରେ ସଂଘ ସହ ଜଡ଼ିତ ବ୍ୟକ୍ତିଙ୍କୁ ଗୁରୁତ୍ୱ ମିଳିବ ବୋଲି ଜାଣିବାକୁ ମିଳିଛି ।
ରାଷ୍ଟ୍ରୀୟ ସଭାପତିଙ୍କ ଭଳି ରାଜ୍ୟ ସଭାପତି ପଦ ମଧ୍ୟ ଲଟକି ରହିଛି  । ଓଡ଼ିଶାରେ ବିଜେପିର ମଙ୍ଗ କିଏ ଧରିବେ ତାହା ସ୍ଥିର ହୋଇପାରୁନାହିଁ । ରାଜ୍ୟ ନେତାମାନେ ସଭାପତି ବାଛିବେ ବୋଲି ଦଳ କହୁଥିଲେ ମଧ୍ୟ ପ୍ରକୃତରେ ନୂଆଦିଲ୍ଲୀରେ ହିଁ ପ୍ରକୃତ ନିଷ୍ପତ୍ତି ହେବ  । ରାଜ୍ୟ ବିଜେପିରେ ଏନେଇ ଛକାପଞ୍ଝା ଜାରି ରହିଥିବାରୁ ଜଣଙ୍କ ନାମ ନେଇ ଏକମତ ପ୍ରକାଶ ପାଇପାରୁନାହିଁ  । ଖାଲି ରାଜ୍ୟ ସଭାପତି ପଦ ନୁହେଁ ମନ୍ତ୍ରୀମଣ୍ଡଳ ମଧ୍ୟ ସମ୍ପ୍ରସାରଣ ହୋଇନାହିଁ । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ମନ୍ତ୍ରୀ ରହିପାରିବେ  । କିନ୍ତୁ ଏବେ ମାତ୍ର ୧୬ ଜଣ ହିଁ ରହିଛନ୍ତି  । ସେହିପରି ନିଗମ ଅଧ୍ୟକ୍ଷ, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଓ କମିଶନମାନ ବି ଗଠନ କରାଯାଇପାରିନାହିଁ  । ଯାହାକୁ ନେଇ ଦଳରେ ତୀବ୍ର ଅସନ୍ତୋଷ ବି ପ୍ରକାଶ ପାଉଛି । ନିକଟରେ ନଡ୍ଡା ଓଡ଼ିଶା ଗସ୍ତରେ ଆସି ବିଜେପି ସାଂସଦ ଓ ବିଧାୟକଙ୍କୁ ଗୋଷ୍ଠୀ ନକରିବାକୁ ପରାମର୍ଶ ଦେଇଛନ୍ତି  । ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ଉପରେ ବି ଗୁରୁତ୍ୱାରୋପ କରିଛନ୍ତି  । ପୂର୍ବରୁ ରାଜ୍ୟ ବିଜେପିରେ ଏନେଇ ଉଚ୍ଚସ୍ତରୀୟ ବୈଠକ ବି ଅନୁଷ୍ଠିତ ହୋଇଛି  । ରାଷ୍ଟ୍ରୀୟ ସଭାପତି ଚୟନ ପରେ ରାଜ୍ୟ ବିଜେପି ସଭାପତି ଚୟନ କରାଯିବ ବୋଲି ଚର୍ଚ୍ଚା ହେଉଛି  । ସେହିପରି ଅପ୍ରେଲ ଶେଷ ସପ୍ତାହ ଅବା ମେ’ ପ୍ରଥମ ସପ୍ତାହରେ ମୋହନ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ ହେବାର ସମ୍ଭାବନା ରହିଛି  ।