ନିର୍ବାଚନରେ ମହିଳାଙ୍କ ପ୍ରତିନିଧିତ୍ୱ
ଆମ ଭାରତ ହେଉଛି ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର । ଆଉ ନିର୍ବାଚନ ହେଉଛି ସବୁଠାରୁ ବଡ଼ ଗଣପର୍ବ କହିଲେ ଅତୁ୍ୟକ୍ତି ହେବନାହିଁ । ସାଧାରଣରେ ଦେଖାଯାଏ ଅନେକ ମହିଳା ଭୋଟ ଦେବା କ୍ଷେତ୍ରରେ ନିଜ ଦାୟିତ୍ୱରୁ ଟିକିଏ କୁଣ୍ଠାବୋଧ କରିଥାନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଆମ ଭାରତର ଭୋଟରଙ୍କ ପ୍ରାୟ ଅଧା ସଂଖ୍ୟା ହେଉଛନ୍ତି ମହିଳା ବର୍ଗ । ତେବେ ପଞ୍ଚାୟତ ଓ ଜିଲ୍ଲା ପରିଷଦ ସ୍ତରରେ ମହିଳାଙ୍କ ପାଇଁ ୩୩ ଭାଗ ଆସନ ସଂରକ୍ଷଣ ରହିବା ପରେ ଏହା ମହିଳାଙ୍କ ଭିତରେ ପ୍ରତିନିଧିତ୍ୱ ବଢ଼ାଇଛି ଓ ସେମାନେ ରାଜନୈତିକ ଦୃଷ୍ଟିରୁ ମଧ୍ୟ ବେଶ ସଶକ୍ତ ହୋଇଛନ୍ତି । ଖୁସିର କଥା ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତରାଜ ତଥା ସ୍ୱାୟତ୍ତ ଶାସନ ଅନୁଷ୍ଠାନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ସେହିପରି ନିକଟରେ ସଂସଦରେ ମହିଳା ସଂରକ୍ଷଣ ବିଲ ଗୃହୀତ ହୋଇ ଏହା ଆଇନରେ ପରିଣତ ହୋଇଛି । ଯାହାଫଳରେ ଲୋକସଭା ଓ ସମସ୍ତ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ଭାଗ ଆସନ ବ୍ୟବସ୍ଥା ପ୍ରଥମେ ୧୦ ବର୍ଷ ପାଇଁ ସଂରକ୍ଷିତ ରହିବ । ପରବର୍ତ୍ତୀ ସମୟରେ ଏହି ବ୍ୟବସ୍ଥା ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରିତ ହେବା ପରେ ଅର୍ଥାତ ୨୦୨୯ରୁ ଏହା ବସ୍ତୁତଃ କାର୍ଯ୍ୟକାରୀ ହେବ । ତେବେ ଯାହାହେଉ ଏଥର ସାଧାରଣ ନିର୍ବାଚନରେ ଅନେକ ରାଜନୈତିକ ଦଳ ମହିଳା ବର୍ଗଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ଓ ସେମାନେ ବିଧାନସଭା, ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରୁଛନ୍ତି । ଏଥର ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ବ୍ୟବସ୍ଥାରେ ଅନେକ ମହିଳା ମାନଙ୍କ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ମହିଳା ସଶକ୍ତିକରଣର ବଡ଼ କ୍ରାନ୍ତିକାରୀ ଦିଗକୁ ଦର୍ଶାଇଛି ।
ପବ୍ଲିକ ପଲିସି ରିସର୍ଚ୍ଚ କନସଲଟାଣ୍ଟ ସଂସ୍ଥାର ରିପୋର୍ଟ ଅନୁଯାୟୀ ଚଳିତ ନିର୍ବାଚନରେ ଦେଶର ମହିଳା ଭୋଟରଙ୍କ ସଂଖ୍ୟା ସମୁଦାୟ ମୋଟ ଭୋଟଦାତାଙ୍କ ଭିତରୁ ଗତ ୨୦ ବର୍ଷ ଭିତରେ ବୃଦ୍ଧି ପାଇ ସର୍ବାଧିକ ୪୮.୬ ଶତାଂଶରେ ପହଞ୍ଚôଛି । ତା ଛଡ଼ା ଭାରତର ୧୧ଟି ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କ ତୁଳନାରେ ଢ଼େର ଅଧିକ । ସେ ସବୁ ରାଜ୍ୟ ଭିତରେ ତାମିଲନାଡୁ, କେରଳ, ଗୋଆ, ମିଜୋରାମ ଓ ମଣିପୁର ପ୍ରମୁଖ । ତେବେ ଏହି ସର୍ଭେର ବଡ଼ ଉପଲବ୍ଧିର ତଥ୍ୟ ହେଲା ଦେଶର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରଖୁଥିବା ଓ ରାଜନୈତିକ ଦୃଷ୍ଟିରୁ ପ୍ରଭାବଶାଳୀ ରାଜ୍ୟ ଯଥା ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଗୁଜୁରାଟ ପରି ବଡ଼ ବଡ଼ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ଗତ ୨୦୧୯ ନିର୍ବାଚନ ତୁଳନାରେ ଉଲ୍ଲେଖନୀୟ ଭାବେ ବଢ଼ିଛି । ଅଧିକରୁ ଅଧିକ ସଂଖ୍ୟକ ମହିଳା ଭୋଟର ନିର୍ବାଚନ ସାବ୍ୟସ୍ତ କରିବା ପାଇଁ ତାଲିକାଭୁକ୍ତ ହେବା ଆମ ଗଣତନ୍ତ୍ର ପାଇଁ ଓ ମହିଳା ସଶକ୍ତିକରଣ ପାଇଁ ଏକ ଉତ୍ସାହ ଜନକ ଓ ପ୍ରେରଣାଦାୟକ ବାର୍ତ୍ତା । ଗତ ଲୋକସଭା ନିର୍ବାଚନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲୋକସଭା କ୍ଷେତ୍ରରେ ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ ଦେଇ ଏକ ବିରଳ ରେକର୍ଡ଼ ଅନ୍ୟ ରାଜନୈତିକ ଦଳ ପାଇଁ ସୃଷ୍ଟି କରିଥିଲେ । କେବଳ ରାଜନୀତି ନୁହେଁ ଆମ ପ୍ରତିରକ୍ଷା ବାହିନୀ କ୍ଷେତ୍ରରେ ଆରମ୍ଭ କରି ଅର୍ଦ୍ଧସାମରିକ ବଳରେ ଭାରତରେ ମହିଳା ପ୍ରତିନିଧିତ୍ୱ ମାତ୍ର ୩.୫ ଶତାଂଶ ଅନ୍ୟାନ୍ୟ ବୃତ୍ତିରେ ମହିଳା ମାନଙ୍କର ହାର ମାତ୍ର ୧୧ ଶତାଂଶ । ଯେତେବେଳେ ନିଯୁକ୍ତି ଓ ଦାନାପାଣି କ୍ଷେତ୍ରରେ ମହିଳା ମାନେ ଉପଯୁକ୍ତ ପ୍ରେରଣା, ସହଯୋଗ ଓ ପ୍ରତିନିଧିତ୍ୱର ସୁଯୋଗ ପାଇପାରୁନାହାଁନ୍ତି ସେତେବେଳେ ରାଜନୀତିକୁ ଆସି ସଫଳତା ପାଇବା ଏକ ମସ୍ତବଡ଼ ଆହ୍ୱାନ କହିଲେ ଅତୁ୍ୟକ୍ତି ହେବନାହିଁ । ମହିଳାଙ୍କ ବିକାଶ ପ୍ରକ୍ରିୟାରେ ସେମାନଙ୍କୁ ରାଜନୀତିରେ ଭାଗ ନେବାର ସୁଯୋଗ ଦେବା ସହ ନିର୍ବାଚିତ କରିବାର ବ୍ୟବସ୍ଥା କରିବା ଅନେକ ଗୁରୁତ୍ୱପୂର୍ଣ୍ଣ ମହତ୍ୱ ରଖିଥାଏ । ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ମହିଳା ମାନେ ଆନୁପାତିକ ବ୍ୟବସ୍ଥାରେ ପ୍ରତିନିଧିତ୍ୱ ନରହିଲେ ମହିଳା ସଶକ୍ତିକରଣ ଏକ ପ୍ରକାର ଦିଗହରା ହୋଇ ଅସଫଳ ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଭାରତରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି ପାଉ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା କ୍ରାନ୍ତିକାରୀ ଭୂମିକା ନିର୍ବାହ କରି ସମାଜର ବିକାଶରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗୀକାରବଦ୍ଧତାର ମୂଲ୍ୟାୟନ ହେଉ ।
ଯଶସ୍ୱିନୀ ପଟ୍ଟନାୟକ
ଇ-ମେଲ : ହବଗ୍ଦବଗ୍ଦଙ୍ଗସଦ୍ଭସକ୍ଟ୍ରବଗ୍ଧଗ୍ଧବଦ୍ଭବସଳ୭୮ଅଶଜ୍ଞବସକ୍ଷ.ମକ୍ଟଜ୍ଞ