ଅଜଣା ଜଗତର ଡାକ


ଅସୀମ, ଅସଂଖ୍ୟ ମଣି । ଅସୀମ ଅଗଣିତ ଭଳି ଉଜ୍ଜ୍ୱଳ ତାରକା, କେବଳ ଜଳି ଲିଭିଯାଉଛନ୍ତି ।”
“ସେମାନେ ପ୍ଲାଙ୍କଟନ । ସେମାନଙ୍କ ପାଖରେ ଅଛି ବାୟୋଲୁମିନେନସ । ଆଉ ଏହି କଚ୍ଛପମାନେ ଢେଉର ଶିଖରକୁ ଛୁଇଁଯିବେ । ସେମାନଙ୍କୁ ସମ୍ମାନିତ କରାଯିବ । ସେମାନଙ୍କ ଶରୀର ଶୋଭିତ ହୋଇଯିବ ମଣି ମାଣିକ୍ୟରେ । ଆକାଶର ତାରା ଆଲୋକ ସେମାନଙ୍କ ଦେହରୁ ପ୍ରତିଫଳିତ ହେବ ।”
“ଅସୀମ ତାହାହେଲେ ଏକ ମହାନ ଘଟଣା ସଂଘଟିତ ହେବାକୁ ଯାଉଛି ।”
“ଅନେକ ସନ୍ଧ୍ୟାରେ, ଅନେକ ନିର୍ଜ୍ଜନ ପ୍ରହରରେ ଏସବୁ ଘଟଣା ସଂଘଟିତ ହୁଏ, ପ୍ରାୟ ଲୋକଲୋଚନର ଅଗୋଚରରେ ।”
ଅସୀମ ଆଉ ଶୋଭନାଙ୍କ ପାଦଚାଲି ଧୀର ଥିଲା । ସେମାନେ ଶୀତଳ ସମୀରଣକୁ ନିଜ ଭିତରେ ବୋହିଯିବାକୁ ଦେଉଥିଲେ । ସେମାନେ ତାରା ଆଲୋକକୁ ଢେଉର ଭିତରେ ଖୋଜିବାକୁ ଚାହୁଁଥିଲେ । ସେମାନଙ୍କ କାନରେ ପହଁଞ୍ଚୁଥିଲା ତରଙ୍ଗର ମୃଦୁ ଶବ୍ଦ । କେହି ଜୀବନର ଆଗମନ ପାଇଁ ସେମିତି ସାହାନାଇ ବଜାଇ ଚାଲିଛି । ଟିକିଏ ବନ୍ଦ ହେବନାହିଁ । ସେଇ ଶବ୍ଦ ହେଉଛି ଆଗମନ ପାଇଁ ମଙ୍ଗଳ ଧ୍ୱନି । ବାଦକ ସେଇଠି ଥକି ବସିବନି । କ୍ଷଣେ ସେ ଶବ୍ଦ ବନ୍ଦ ହେବନାହିଁ ।
“କେତେ ସମୟ ଆଉ ଅପେକ୍ଷା କରିବା?”– ଶୋଭନା ପଚାରିଲେ ।
ଆଉ ଅପେକ୍ଷିତ ସମୟ ନିଜ ପଦଧ୍ୱନି ସହ ଆବିର୍ଭୂତ ହେଲା । ଶୋଭନାଙ୍କ କଥା ପରେ ଆଉ ବିଳମ୍ବ କରାଯାଇ ପାରେନା ।
“ସମୟ ହୋଇଗଲାଣି । ଦବି ଯାଇଥିବା ମାଉଣ୍ଡ ଭିତରେ କିଛି ଶବ୍ଦ ଶୁଭିଲାଣି ଆଉ ବାଲି ଆଡେଇ ହୋଇଯାଉଛି ।”- ରାମଦାସ ଆସି ଖବର ଦେଲେ । 
ଅସୀମ ଆଉ ଶୋଭନା ଏଇ ଖବରକୁ ତ ଏତେ ସମୟ ପ୍ରତୀକ୍ଷା କରି ରହିଥିଲେ । ସେମାନେ ତ୍ୱରିତ ସେହି ଛୋଟ ବାଲିକୁଦ ପାଖରେ ପହଞ୍ଚôଲେ । ପାଖରେ କିଛି ରକ୍ଷୀ । ସେମାନେ ଜଗି ରହିଛନ୍ତି । ଏ ବାଲିକୁଦ ଅନ୍ୟ ଛୋଟ ବାଲିକୁଦ ଠାରୁ କିଛି ଭିନ୍ନ ଥିଲା । କିଛି ବାଲି ମନକୁ ମନ ଆଡେଇ ହୋଇଯାଉଥିଲା । ଅଣ୍ଡାରୁ ଛୁଆ ଫୁଟିଗଲାପରେ ଯାଗାଟା ଟିକିଏ ଦବିଯାଇଛି । ଯାହା କାଲି କୁଦ ବା ପ୍ରାୟ ସମତଳ ଥିଲା ଆଜି ସାମାନ୍ୟ ଖାଲ । ଆଉ ସେହି ଖାଲର ପ୍ରାୟ ମଝିରେ ଏକ କଳାବିନ୍ଦୁ ଦେଖାଦେଲା ।
“ଏକ କଳା ବିନ୍ଦୁରୁ ତାହାହେଲେ ଆରମ୍ଭ । ସୁନେଲି ବାଲିର ଭିତରୁ ଏକ କଳା ବିନ୍ଦୁର ପ୍ରକାଶ ।”-ଶୋଭନା କହିଲେ ।
ଅସୀମ ଶୋଭନଙ୍କ କଥା ଭିତରୁ ଏକ ବଡ ଆବିଷ୍କାରର ସୂତ୍ର ଖୋଜୁଥିଲେ । ପାତଳ ଅନ୍ଧାରରେ ଭିତରେ ଏକ ଗାଢ କଳା ବିନ୍ଦୁରୁ ଜୀବନ ଆରମ୍ଭ ହେଉଛି । ଏକ ପୋକ ଯେମିତି ନିଜ ଉପରୁ ଗୋଟିଏ ଗୋଟିଏ ବାଲିକଣା ଆଡେଇ ଦେଇଉଛି । ଶରୀର ଉପରେ କେତେ ଲକ୍ଷ ବାଲିକଣା ଥିବ । କେତେ ହୋଇଥିବ ଓଜନ । କିନ୍ତୁ ସବୁ ଆଡେଇ ହୋଇଯାଉଛି । ମଣିଷର ହାତ ପାଦକୁ ପୋତିଦେଲେ ମଣିଷ ଏକ କାଠଗର ଭଳି ପଡିରହିବ । କିନ୍ତୁ ଏଠି କିଛି ଠେଲି ହୋଇ ବାହାରି ଆସୁଛି । ଏତେ ଓଜନକୁ ଏକ କ୍ଷୁଦ୍ର ଶରୀର ଆଡେଇ ଦେଉଛି ।
“ଏକ ଏକ ପୁଷ୍ପର କଳିକା ।”
“ହଁ, ଶୋଭନା, କଳିକାରେ ଏକ ପ୍ରସ୍ଫୁଟିତ ପୁଷ୍ପର ପ୍ରକାଶ ସାମାନ୍ୟ ବିକାଶ ଥାଏ । ଏକ କଳିକାରୁ ଆରମ୍ଭ ।”
ଆଉ ଶୋଭନା ସେଇଠି ଘଟିଯାଉଥିବା ପ୍ରତିଟି ମୁହୁର୍ତ୍ତକୁ ନିଜ ଭିତରେ ତୋଳି ଧରୁଥିଲେ । କାବ୍ୟର ଧାଡି ଭଳି ତାଙ୍କ ଆଗରେ ଖୋଲୁଥିଲା ପ୍ରକୃତିର ମହାକାବ୍ୟର ପଂକ୍ତିମାନ । ସବୁ ପଂକ୍ତିରେ ଥିଲା ସାରସ୍ୱତ ବାଖ୍ୟା । ପ୍ରକୃତିର ଅନୁଚ୍ଛେଦମାନ ଧରିଆଣିଥିଲା ପ୍ରଥମ ଦିନର ସ୍ପନ୍ଦନମାନଙ୍କୁ ।
ଶୋଭାନା ଦେଖିଲେ ବାଲିର କୁଦ ଧୀରେ ଆଡେଇ ହୋଇଯାଉଛି ଆଉ ସେ ଭିତରେ କେତେ କେତେ କଳା ବିନ୍ଦୁ ମୁଣ୍ଡ ଟେକୁଛନ୍ତି । କଳିକାର ପ୍ରତିଟି ଅଂଶ ମୁକ୍ତ ପାଖୁଡାରେ ପରିବର୍ତ୍ତିତ ହେବା ଆଗରୁ ଏକ ବଡ ବିନ୍ଦୁରେ ମିଳିଯାଏ ଆଉ ତା’ପରେ ଧୀରେ ଖୋଲିଯାଏ, ନିଜକୁ ପୂର୍ଣ ପ୍ରକାଶ କରେ । ସେଇମିତି ଏଇଠି ପାଖୁଡାମାନ ଖୋଲିଯାଉଥିଲା । ଶୋଭନା ପ୍ରତଟି ବିନ୍ଦୁ ଖୋଲବା ସହ ଏହା ପଛରେ ବିରାଟ ପ୍ରଚେଷ୍ଟାମାନଙ୍କୁ ଦେଖୁଥିଲେ । ବାଲି ସାମାନ୍ୟ ଆଡେଇ ହୋଇଯାଉଥିଲା, ମନକୁ ମନ ଝଡି ପଡୁଥିଲା ଆଉ ଶରୀର ଆଉ ଟିକେ ଫୁଟି ଉଠୁଥିଲା । 
“ବାଲି ଏକ ଆଶ୍ଚର୍ଯ୍ୟ ପଦାର୍ଥ ଶୋଭନା ।”
“ଅସୀମ, ମୁଁ ତା’ ତ ଭାବୁଛି ।”
“ଏକ ଓଜନ । କିନ୍ତୁ କାହା ସହ ବାଲି କଣା ବାନ୍ଧି ହୋଇନି । ନିଜକୁ ନିଜେ ଝଡି ପଡୁଛି ।”
“ମାଟିରେ କେମିତି ଏକ ଅଠା ଥାଏ, ଏକ ମାଟିର କଣିକା ଆଉ କାହା ସହିତ ବନ୍ଧନରେ ବାନ୍ଧି ହୋଇଥାଏ । କିନ୍ତୁ ବାଲିର କଣିକା କାହା ସହ ବନ୍ଧନରେ ଆବଦ୍ଧ ନୁହେଁ । ଆପେ ଝଡିପଡେ । ସୂର୍ଯ୍ୟ କିରଣରେ ଚମକୁଥାଏ ।”
“ଅସୀମ, ଦେଖ, ଜୀବନର ଧୀର ପ୍ରକାଶ ।” ଅସୀମ ଦେଖିଲେ ଗୋଟିକ ପରେ ଗୋଟିଏ ହୋଇ ଅନେକ ଅନେକ ମୁଣ୍ଡ ଉପରକୁ ଦେଖାଦେଲାଣି । ସେମାନଙ୍କ ଦେହ ସାମାନ୍ୟ ହଲି ଯାଉଛି । ଆଉ ମୁଣ୍ଡ ଟିକେ ବଙ୍କି ଦୋହଲି ଯାଉଛି । ତା’ପରେ ଟିକେ ଅଧିକ ମୁଣ୍ଡ ଦେଖାଯାଉଛି । ନାକର ଅଗ, ଚଞ୍ଚୁ ସ୍ପଷ୍ଟ ଦେଖାଗଲାଣି । 
“କାହାର ସାହାଯ୍ୟ ଆବଶ୍ୟକତା ନାହିଁ ।”- ଅସୀମ କହିଦେଲେ । ଶୋଭନା ହୁଏତ ଭାବିଥାଇପାରନ୍ତି ବାଲି ଆଡେଇ ଦେଲେ କଚ୍ଛପର ଶିଶୁମାନେ ସହଜରେ ବାଲିରୁ ବାହାରି ଆସିବେ । ତାହାହଲେ ସେମାନେ ଜଲଦି ନିଜ ଗର୍ତ୍ତରୁ ବାହରି ପାରିବେ ।
“କିନ୍ତୁ ତା’ର ଆବଶ୍ୟକତା କ’ଣ?”- ଅସୀମ ପୁଣି କହିଲେ । ସେ ଶୋଭନାଙ୍କ ମନକଥା ଯେମିତି ପଢିନେଉଥିଲେ ।
“ବୁଝିପାରୁଛି, କିଛି ଆବଶ୍ୟକ ନାହିଁ । ସତରେ ଏକ ଲମ୍ବା ଯାତ୍ରାରେ ଏକ କ୍ଷଣର ବିଳମ୍ବ ବା ତ୍ୱରିତ ହେବା କିଛି ପ୍ରଭେଦ ରଖୁନି ଅସୀମ ।”(କ୍ରମଶଃ)
                                                        ଭୁବନେଶ୍ୱର