ଅଠା ବୋଳି କେତେ ବାଟ ?
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ଅନ୍ୟ ଠେଇଁ ଅଠା ବୋଳି ଆମର ପ୍ରାପ୍ତି ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଆମ ନିଜ ଦୋଷ ଆମ ନିଜକୁ କେବେ ଦୁଶେନି । ଅନ୍ୟକୁ କହିବାର ଏକ ମାନସିକତା ଆମ ପାଖରେ ପ୍ରବଳ । ସବୁବେଳେ ଆମେ ସମସ୍ତେ ଛୋଟମୋଟ କଥାରୁ ଆରମ୍ଭ କରି ବଡବଡ ଘଟଣାରେ ଅନ୍ୟ ମୁଣ୍ଡରେ ଦୋଷ ଠେଲି ଦେବା ପାଇଁ ସତେ ଯେମିତି ଚାହିଁ ବସିଛନ୍ତି । ସାମାନ୍ୟ ଟିକିଏ ସୁଯୋଗ ମିଳିଲେ ଗୋଟେ ଘଟଣାଟେ ବା କଥାଟେ ଯାହା ବି ହେଉନା କାହିଁକି, ଭୁଲ୍ଗୁଡିକୁ ଅନ୍ୟ ମୁଣ୍ଡରେ ଲଦି ଦେବାଟା ମଣିଷର ଏକ ପ୍ରକୃତି, ଏକ ସ୍ୱଭାବ । କୌଣସି ଏକ ସମସ୍ୟା ନ ହେବା ଯାଏଁ ସାଧାରଣତଃ ଆମେ ସମସ୍ତେ ପ୍ରତ୍ୟେକ କାମର ବାହାଦୂରି ନେଉ । କିନ୍ତୁ ସମସ୍ୟା ଉପୁଜିଲେ ବା ଅସୁବିଧା ହୋଇଗଲେ ଅନ୍ୟ ମୁଣ୍ଡକୁ ଦୋଷ ଠେଲିବାରେ ଆମେ କାହାଠାରୁ କିଏ କମ୍ ନୋହୁଁ ।
ସମସ୍ତେ ନିଜ ନିଜର ସୀମା ଭିତରେ ନିଜ କାମଟି ସାରି ଦେଲେ ଆର କୋଉ ଲୋକଟିଏର କଥାକୁ କେହି ଚିନ୍ତା କରନ୍ତି ନାହିଁ । ପରସ୍ପରକୁ ଦୋଷ ଠେଲିବାର ପ୍ରବୃତ୍ତିଟି ଆମ ଭଳି ମଣିଷଙ୍କ ପାଖରେ ପ୍ରବଳ ମାତ୍ରାରେ ଅଛି । ସାଧାରଣତଃ ଆମ ୈନନ୍ଦିନ ଜୀବନରେ ଏହିଭଳି ଘଟଣା ସବୁ ଛୋଟ ହେଉ କି ବଡ ହେଉ ପ୍ରତିଦିନ ଆମେ ଦେଖୁ । ଆମ ନିତିଦିନିଆ ଜୀବନରେ ଏମିତି ଅନେକ ଘଟଣା ଘଟେ ।
ଆଜ୍ଞା, ଏଇଠି ପ୍ରକୃତ କଥାଟି ହେଉଛି ମଣିଷ ନିଜ ସ୍ୱାର୍ଥର ପାଇଟିଟି ସାରି ଦେଲା ପରେ ତାର ଫଳାଫଳ ନିର୍ଦ୍ଦିଷ୍ଟ ଉଦେ୍ଦଶ୍ୟକୁ ପୂରଣ କରୁଛି କି ନାହିଁ, ସେତକ ହିଁ ଦେଖେ । ଅନ୍ୟର ସ୍ୱାର୍ଥ ପଛେ ଚୁଲିକି ଯାଉ ! ନିଜକୁ ଦେଖିବାକୁ ଚ କାହା ପାଖରେ ବେଳ ନାହିଁ । ଆମ ସମାଜ ଭିତରେ ସମସ୍ତେ ଏପରି ବ୍ୟସ୍ତ ଯେ କାହା ପାଖରେ ସାମାନ୍ୟ ଟିକେ ଆଉ ବେଳ ନାହିଁ । ଏଇ ‘ବେଳ ନାହିଁ’ କଥାଟିରୁ ନିଜ ଦୋଷ ନିଜ ମୁଣ୍ଡରୁ ଖସାଇବାର ପ୍ରବୃତ୍ତି ଜନ୍ମ ନିଏ । ମୋ କାମଟି ସରିଗଲା ପରେ ଅନ୍ୟର କାମଟିକୁ ଯଦି ମୋ ମୁଣ୍ଡକୁ ନେବି ସେଥିପାଇଁ ମୋତେ କିଛି ସମୟ ଦେବାକୁ ପଡିବ । ଏହି ସମୟ ଆମର ପଛେ ଅନ୍ୟ କାମରେ ଅପବ୍ୟୟ ହେଉ, କିନ୍ତୁ ସାମୂହିକ ଦାୟିତ୍ୱ ବା ଅନ୍ୟ କାହା କ୍ଷେତ୍ରରେ ନିଜ ମୁଣ୍ଡ ପୁରାଉନେ । କିନ୍ତୁ ଅନ୍ୟର ଭୁଲ୍ ଦେଖାଇବା ପାଇଁ କେତେ ସମୟ ଆବଶ୍ୟକ ପଡିବ ଆମେ ସେତକ ଦେଇ ପକଉଛେ, ପରର ଖୁଣ ଖୋଜିବାରେ ଆଗତୁରା ବାହାରି ପଡୁଛେ । ଏଭଳି ପ୍ରବୃତ୍ତି ଆମ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଥିବାରୁ ଆମ ପାଖରୁ ମଣିଷପଣିଆ ତକ ମରିଯାଉଛି । ପର ମୁଣ୍ଡରେ ଅଠା ବୋଳି ବୋଳି କିଏ କେତେ ବାଟ ବା ଯାଇଛି ? ଏତକ କଥାକୁ ଆମେ ଟିକେ ବୁଝିଲେ ସିନା !
ପଢିଥିବା ହେତୁ ଆପଣଙ୍କ ନିକଟରେ କ୍ଷ ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।