"ଛାଡ଼ଖାଇ'ର ତାତ୍ପର୍ଯ୍ୟ
ଓଡ଼ିଆ ସଂସ୍କୃତିରେ ମାଘ, ବୈଶାଖ ଓ କାର୍ତ୍ତିକ ହେଉଛନ୍ତି ଧର୍ମ ମାସ । ଏହି ମାସ ଗୁଡ଼ିକରେ ସାରା ମାସ ବ୍ରତ ପାଳନ କରାଯାଏ । ମାଘ ଓ ବୈଶାଖ ହବିଷ ମାସ ହୋଇଥିଲେ ହେଁ ସମସ୍ତେ ପାଳନ କରନ୍ତି ନାହିିଁ । କାର୍ତ୍ତିକ ମାସକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ । ବିଧବାଙ୍କ ପାଇଁ କାର୍ତ୍ତିକ ବ୍ରତ ପାଳନ ବାଧ୍ୟତାମୂଳକ । କାର୍ତ୍ତିକରେ ବିଧବାମାନେ ଦିନରେ ଥରେ ମାତ୍ର ଘୃତ ମିଶି୍ରତ ଅରୁଆ ଅନ୍ନ ସହ ମୁଗ, କଦଳୀ, ଓଉ ଓ ସାରୁ ମିଶା ଡାଲି ଭୋଜନ କରନ୍ତି । ଏହି ସାମଗ୍ରୀଗୁଡ଼ିକ ଛଡ଼ା ଅନ୍ୟ ସମସ୍ତ ଖାଦ୍ୟ ବର୍ଜନୀୟ । ସେମାନେ ପରିତ୍ୟାଗ କରିଥିବା ଖାଦ୍ୟଗୁଡ଼ିକୁ ବ୍ରତ ଶେଷ ହେବାପରେ ଖାଇବାକୁ ଛାଡ଼ଖାଇ କୁହାଯାଏ । ଛାଡ଼ଖାଇରେ ବିଧବାମାନେ ସାଧାରଣତଃ କାଞ୍ଜି ଖାଆନ୍ତି । ମାସ ଆରମ୍ଭରେ ତ୍ୟାଗ କରିଥିବା ଅନ୍ୟ ପରିବାପତ୍ର, ଫଳମୂଳ, ଉଷୁନା, ଭାତ, ଚୁଡ଼ା ଶାଗ ଓ ଖଟା ମଧ୍ୟ ଖାଆନ୍ତି । ଏସବୁ ଛାଡ଼ଖାଇର ଖାଦ୍ୟ । ଛାଡ଼ଖାଇ ସହ ଆମିଷ ଭୋଜନରେ କୌଣସି ପାରମ୍ପରିକ ସଂପର୍କ ନାହିଁ । ତେଣୁ ଏହି ଦିନରେ ଆମିଷ ଖାଇବା ନିହାତି ଆବଶ୍ୟକ ବୋଲି ମନେ କରିବା ଧାରଣା ଭ୍ରମାତ୍ମାକ । ଛାଡ଼ଖାଇର ମର୍ମ ସଂପର୍କରେ ଜ୍ଞାନ ଅଭାବରୁ ଆଜିକାଲି ଆମେ ଏହାକୁ ମାଂସ ଭକ୍ଷଣ ଉତ୍ସବରେ ପରିଣତ କରିଛେ । କାର୍ତ୍ତିକ ମାସ ଶେଷରେ ଆଜି ସାରା ରାଜ୍ୟରେ ଛାଡ଼ଖାଇ ପାଳନ କରାଯାଉଛି । ଛାଡ଼ଖାଇ ହେଉଛି ମାସ ସାରା ଆମିଷ ନଖାଇବାର ଅରୁଚିକୁ ଛଡ଼ାଇବା । ଏଥିପାଇଁ କେତେ ନିରୀହ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଛି । ଲକ୍ଷାଧିକ ଛେଳି, କୁକୁଡ଼ା ବଳି ପଡ଼ିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ମାସ ସାରା ଧର୍ମ ଆଚରଣ କରିବା ପରେ ପଶୁପକ୍ଷୀଙ୍କୁ ହତ୍ୟା କରି ଆମେ କେଉଁ ପ୍ରକାରର ଧର୍ମ ପାଳନ କରୁଛେ । ଆମକୁ ସୁହାଇଲା ପରି କାମକୁ ଆମେ ପରମ୍ପରାର ନାମ ଦେଇଛେ । ନିଜ ମନକୁ ଶାନ୍ତି କରିବା ପାଇଁ ବଳିପ୍ରଥାକୁ ମଧ୍ୟ ପ୍ରୋତ୍ସାହନ ଦେଉଛେ । ଈଶ୍ୱରଙ୍କ ନାମ ନେଇ ଦେବୀ ପୀଠରେ ପଶୁବଳି ଦେବାକୁ ପଛଘୁଞ୍ଚା ଦେଉନାହୁଁ । ପ୍ରଶାସନ ବଳିପ୍ରଥା ବନ୍ଦ କରିବା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ତାହା ସଫଳ ହେଉନାହିଁ । ଆଜିର ଏକବିଂଶ ଶତାବ୍ଦୀରେ ବଳିପ୍ରଥା କେତେ ସମୀଚିନ ତାହା ଆଧୁନିକ ମଣିଷ ବିଚାର କରିବାର କଥା ।
ପଶୁହତ୍ୟାକୁ ବନ୍ଦ କରିବା ପାଇଁ କେତେ ବେସରକାରୀ ସଂଗଠନ କାମ କରୁଛନ୍ତି । ଜାତୀୟ ସ୍ତରରେ ମେନକା ଗାନ୍ଧି ଏଥିପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଆନ୍ତର୍ଜାତିକ ସ୍ତରରେ ପେଟା ଭଳି ସଂସ୍ଥା ପଶୁ କ୍ରୁରତା ବିରୋଧରେ କାର୍ଯ୍ୟ କରୁଛନ୍ତି । ତଥାପି ଆମେ ପଶୁପକ୍ଷୀଙ୍କ ପ୍ରତି ଆମ ମନୋଭାବରେ ପରିବର୍ତ୍ତନ ଆଣିପାରୁନାହୁଁ । ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ, ଆମିଷାଶୀଙ୍କ ଠାରୁ ନିରାମିଶାଷୀ ଦୀର୍ଘ ନିରାମୟ ଜୀବନଯାପନ କରିଥାନ୍ତି । ଆମିଷ ଭକ୍ଷଣ କରୁଥିବା ଲୋକେ ହଠାତ୍ ଉତ୍ତେଜନାର ବଶବର୍ତ୍ତୀ ହୋଇଉଠନ୍ତି । ସେମାନଙ୍କର ରକ୍ତଚାପ ବୃଦ୍ଧି ଘଟେ । କୌଣସି ଅପରାଧରେ ମଦ ଓ ମାଂସ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତଥାପି ଆମିଷ ଅଧିକାଂଶ ଲୋକଙ୍କର ପ୍ରିୟ ଖାଦ୍ୟ । ବିଭିନ୍ନ ବାର ଓ ପର୍ବର ନାମ ନେଇ ଆମେ ପଶୁ ମାଂସ ଭକ୍ଷଣକୁ ଆମର ନିତ୍ୟନୈମିତିକ ଜୀବନରେ ଭର୍ତ୍ତି କରିଦେଇଛୁ ।
ତେବେ ୨୦୨୧ରେ ଜାତିସଂଘ ରିପୋର୍ଟ ଅନୁଯାୟୀ ଭାରତରେ ନିରାମିଷାଶୀଙ୍କ ସଂଖ୍ୟା ଅଧିକ । ସିଏନ୍ଏନ୍-ଆଇବିଏନ୍ ଓ ହିନ୍ଦୁର ସର୍ବେକ୍ଷଣ ଅନୁଯାୟୀ, ଭାରତରେ ୩୧ ପ୍ରତିଶତ ହେଉଛନ୍ତି ନିରାମିଷାଶୀ । ଜୈନ ସଂପ୍ରଦାୟ ସଂପୂର୍ଣ୍ଣ ନିରାମିଷାଶୀ ହୋଇଥିଲା ବେଳେ ହିନ୍ଦୁ ଧର୍ମର ବ୍ରାହ୍ମଣ ସଂପ୍ରଦାୟର ୫୫ ପ୍ରତିଶତ ଆମିଷ ଖାଆନ୍ତି ନାହିଁ । ମୁସଲମାନଙ୍କ ମଧ୍ୟରେ ମାତ୍ର ୩ ପ୍ରତିଶତ ଆମିଷକୁ ପସନ୍ଦ କରନ୍ତି ନାହିଁ । ତେବେ ବିଶ୍ୱର ଅନ୍ୟ ଦେଶମାନଙ୍କ ଭଳି ଭାରତରେ ମାଂସ ଭକ୍ଷଣ କମ୍ । ମାତ୍ର ଏହି ଧାରା ଧୀରେ ଧୀରେ କମିବାକୁ ଲାଗିଛି । ୨୦୨୧ ଜୁନରେ ବିଶ୍ୱର ପ୍ରମୁଖ ପତ୍ରିକା ଭେଜିଟେରିଆନ୍ସ ନୁ୍ୟଜିଲାଣ୍ଡ ତରଫରୁ କରାଯାଇଥିବା ସର୍ଭେ ଅନୁଯାୟୀ ଭାରତ ସମୁଦାୟ ଲୋକଙ୍କ ମଧ୍ୟରୁ ଆମିଷ ଖାଉଥିବା ଲୋକଙ୍କ ସଂଖ୍ୟା ୫୦ କୋଟି । ଯାହାକି ୨୦୧୭ ଜାତିସଂଘ ସର୍ଭେ ଅନୁଯାୟୀ ଆମିଷାଶୀଙ୍କ ସଂଖ୍ୟାରେ ୩ ପ୍ରତିଶତ ବୃଦ୍ଧି ଘଟିଛି । ଭାରତ ମୁଖ୍ୟତଃ ନିରାମିଷାଶୀଙ୍କ ଏକ ଦେଶ ହୋଇଥିଲେ ମଧ୍ୟ ଏହି ଧାରାରେ ପରିବର୍ତ୍ତନ ଘଟୁଛି । ନିରାମିଷାଶୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଫଳରେ ପଶୁହତ୍ୟା ବଢ଼ିବାରେ ଲାଗିଛି । ଯାହାକି ଉଦ୍ବେଗର ବିଷୟ । ବାସ୍ତବ କଥା ହେଉଛି ଛାଡ଼ଖାଇର ଅନ୍ତର୍ନିହିତ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ କଥାକୁ ଭୁଲି ଯାଇ ଜିଭ ଲାଳସାର ଆଗ୍ରହକୁ ପ୍ରାଧାନ୍ୟ ଦେଉଛୁ ।
ଡ.ଅରୁନ୍ଧତୀ ଦେବୀ, ମୋ: ୯୯୩୭୧୭୨୮୧୦