ବଢୁଛି ଲିଭ୍-ଇନ୍ ସମ୍ପର୍କ

ଏବେ କିଛି ବର୍ଷ ହେଲା ସାମାଜିକ ସମ୍ପର୍କ କ୍ଷେତ୍ରରେ ଏକ ନୂଆ କଥା ଦେଖିବାକୁ ମିଳୁଛି । ବୈବାହିକ ସମ୍ପର୍କ କ୍ଷେତ୍ରରେ ଆଉ ନୁଆ ଯୁବପୀଢ଼ି ପାରମ୍ପରିକ ବିବାହକୁ ପସନ୍ଦ କରୁନାହାନ୍ତି । ପୂର୍ବରୁ ପାରମ୍ପରିକ ଭାବରେ ଯେଭଳି କନିଆ ଦେଖା, ବରଘର ଦେଖା, ଗୁଆଗଡ଼ା, ନିର୍ବନ୍ଧ ଭଳି କାର୍ଯ୍ୟ ଗୁଡ଼ିକ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ଟିଭି ସିରିଏଲ୍ ଆଉ ସିନେମାର ପ୍ରଭାବରେ ରିଙ୍ଗ୍ ସେରିମୋନି ଆସି ପହଞ୍ଚିଗଲାଣି । ଯୁବକଯୁବତୀ ମାନେ ପରସ୍ପରକୁ ଭଲ ପାଇ ଭଲପାଇବା ସମ୍ପର୍କ ଭିତରେ ରହି ସେହି ସମ୍ପର୍କକୁ ବଜାୟ ରଖୁଛନ୍ତି । ବର୍ତ୍ତମାନ ଏହି ସର୍ମ୍ପକର ନୂଆ ନାଁ ହେଲା ଲିଭ୍ ଇନ୍ । ଏହି ଲିଭ୍ ଇନ୍କୁ ନେଇ ନେଇ ଆଇନ୍ ଅଦାଲତରେ ମଧ୍ୟ ଅନେକ ମାମଲା ରୁଜୁ ହୋଇ ସାରିଲାଣି । ସ୍ୱାମୀ-ସ୍ତ୍ରୀ ଭାବରେ ଗୋଟିଏ ଘରେ ରହୁଥିଲେ ମଧ୍ୟ ସମ୍ପର୍କକୁ ବୈବାହିକ ସମ୍ପର୍କ ନକହି ଲିଭ୍-ଇନ୍ ସମ୍ପର୍କ ବୋଲି କୁହାଯାଉଛି । ଏଥିରେ ଉଭୟ ଯୁବକ ଯୁବତୀ ବାପାମାଆ ଆଉ ହେବାକୁ ଚାହୁଁନାହାନ୍ତି । କେବଳ ଏକ ଶାରୀରିକ ସମ୍ପର୍କକୁ ନିଜ ଭିତରେ ବାଣ୍ଟି ନେଉଛନ୍ତି । ସାମାଜିକ ସ୍ୱୀକୃତି କିମ୍ବା ସାମାଜିକ ସମ୍ପର୍କର ରୀତିନୀତିକୁ ଆଉ ମାନିବାକୁ କେହି ପ୍ରସ୍ତୁତ ନାହାନ୍ତି । ଏହି ଲିଭ୍-ଇନ୍ରେ ରହୁଥିବା ଯୁବକ ଯୁବତୀ ଗାଁରେ ନରହି ଦୂର ସହରକୁ ଚାଲି ଆସୁଛନ୍ତି । ସେମାନେ କାହାରି ଭଲ ମନ୍ଦରେ ନାହାନ୍ତି କିମ୍ବା ତାଙ୍କ ଭଲ ମନ୍ଦରେ କେହି ନାହାନ୍ତି । ଯେତେଦିନ ଯାଏଁ ମନ ମିଶିଲା ସାଥୀ ହୋଇ ରହିଲେ, ଆଉ ମନ ଫାଟି ଗଲେ ପୁଣି ଅଲଗା ହୋଇ ନିଜ ନିଜ ବାଟରେ ।
ଏଇ ଅଳ୍ପ କେତେ ବର୍ଷ ତଳେ ଲିଭ୍-ଇନ୍ ସମ୍ପର୍କକୁ ଆଇନଗତ ମାନ୍ୟତା ଦେବା ପାଇଁ ଚେଷ୍ଟା କରାଯାଇଥିଲା ଏବଂ ବିବାହ ନକରିଲେ ମଧ୍ୟ ଦୀର୍ଘ ଦିନ ଧରି ଯୁବକଯୁବତୀ ଏକତ୍ର ରହିଲେ ତାକୁ ବୈବାହିକ ସମ୍ପର୍କ ଭାବରେ ଗ୍ରହଣ କରାଯିବ ବୋଲି କେତୋଟି ନ୍ୟାୟଳୟରେ ମତ ପ୍ରକାଶ ପାଇଥିଲା । ଏବେ ଲିଭ୍-ଇନ୍ ସମ୍ପର୍କକୁ ନେଇ ପରସ୍ପର ଠାରୁ ଅଲଗା ହେବା କ୍ଷେତ୍ରରେ ଛାଡ଼ପତ୍ର ଭଳି ଆଇନ୍ ଲାଗୁ ହେବ ଏବଂ ଆନୁଷ୍ଠାନିକ ବିବାହ କିମ୍ବା ରେଜିଷ୍ଟ୍ରି କରି ନଥିଲେ ମଧ୍ୟ ଭରଣପୋଷଣ ଖର୍ଚ୍ଚ ଦେବାକୁ ପଡ଼ିବ ବୋଲି ନ୍ୟାୟଳୟ ମତ ଦେଲେଣି । ପୁରୁଷ ଓ ନାରୀର ଏକତ୍ର ବସବାସକୁ ଦାମ୍ପତ୍ୟ ଜୀବନ ଭାବରେ ଗ୍ରହଣ କରାଯିବା ଉଚିତ୍ ମଧ୍ୟ । କାରଣ ଏଭଳି ସମ୍ପର୍କରେ ମହିଳାଟି ମାତୃତ୍ୱ ଚାହୁଁନାହିଁ । ପୁରୁଷଟି ମଧ୍ୟ ପରିବାର ବୋଲି ଭାବି ସନ୍ତାନଟିଏ ବି ଚାହୁଁ ନାହିଁ । ତେବେ ଏଭଳି ପରସ୍ପରର ସହମତି ନଥିଲେ ମଧ୍ୟ ଯଦି ସନ୍ତାନଟିଏ ଜନ୍ମ ହେବ ତାକୁ କି ପ୍ରକାରର ସ୍ୱୀକୃତି ଦିଆଯିବ ସେନେଇ ଏ ପର୍ଯ୍ୟନ୍ତ ବିବାଦ ଲାଗି ରହିଛି । କେବଳ ନିଜ ଜୀବନକୁ ଉପଭୋଗ କରିବା ଏବଂ ଅନ୍ୟ କାହାରିକୁ ତାହା ଭିତରେ ସ୍ଥାନ ନ ଦେବା ବର୍ତ୍ତମାନ ଯୁବପୀଢିର ଲକ୍ଷ୍ୟ । ଏ ପ୍ରକାରର ଏକ ମନୋବୃତ୍ତି ଯୁବଗୋଷ୍ଠୀ ଭିତରେ ବଢ଼ିବାରେ ଲାଗିବା ମଧ୍ୟ ଅତ୍ୟନ୍ତ ଉଦ୍ବେଗଜନକ ବିଷୟ ।
ଦେଖିବାକୁ ଗଲେ କରୋନା ପରବର୍ତ୍ତୀ ସମୟରେ ଯୁବଗୋଷ୍ଠୀଙ୍କର ଆୟ ବହୁ ପରିମାଣରେ କମିଯାଇଛି । ତେଣୁ ଯୁବଗୋଷ୍ଠୀ ବିବାହ କରି ଘରସଂସାର କରିବା ଚିନ୍ତା ମଧ୍ୟ କରୁନାହାନ୍ତି । କେବଳ ପରିବାରର ସମର୍ଥନ ରହିଥିଲେ ଯୁବଗୋଷ୍ଠୀ ବିବାହ ପାଇଁ ସମ୍ମତି ଦେଉଛନ୍ତି । ଅଧିକାଂଶ ଯୁବଦମ୍ପତ୍ତି ବିବାହ ପରେ ମଧ୍ୟ ସନ୍ତାନ ଚାହୁଁନାହାନ୍ତି । ବର୍ତ୍ତମାନ ସମୟରେ ସ୍ୱଳ୍ପ ରୋଜଗାରରେ ସନ୍ତାନଟିଏର ଦାୟିତ୍ୱ ତୁଲାଇବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି । ପିଲାଟିଏକୁ ପ୍ରଥମ ଶ୍ରେଣୀରେ ପାଠ ପଢ଼େଇବା ପାଇଁ ମଧ୍ୟ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ବିପୁଳ ପରିମାଣର ଚାନ୍ଦା ଡ଼ୋନେସନ୍ ନାଁରେ ନେଉଛନ୍ତି । ଏ ପ୍ରକାରର ପରିସ୍ଥିତି ମଧ୍ୟ ଯୁବଗୋଷ୍ଠୀଙ୍କୁ ବିବାହ ନ କରି କେବଳ ଲିଭ୍-ଇନ୍ରେ ରହିବା ପାଇଁ ବାଧ୍ୟ କରୁଛି । ତେଣୁ ସାମଗ୍ରିକ ଭାବେ ପରିସ୍ଥିତିକୁ ବିଚାର ନକରି ଲିଭ୍-ଇନ୍ ଭଳି ଏକ ନୁଆ ସାମାଜିକ ସମ୍ପର୍କକୁ ସମାଲୋଚନା କରିବା ମଧ୍ୟ ଠିକ୍ ନୁହେଁ ।