ରୁକୁଣା ରଥଯାତ୍ରା ଓ ଶ୍ରୀରାମ ନବମୀ

ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ଅଶୋକାଷ୍ଟମୀ କୁହାଯାଇଥାଏ । ଇତିହାସରୁ ଜଣାଯାଏ ମଗଧ ସମ୍ରାଟ ଅଶୋକଙ୍କ କଳିଙ୍ଗ ଆକ୍ରମଣ ଓ ଭୟଙ୍କର କଳିଙ୍ଗ ଯୁଦ୍ଧ ହେତୁ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରିତ ହେବାର ଦିନଟି ଥିଲା ଏହି ଚୈତ୍ରମାସର ଅଷ୍ଟମୀ ତିଥି । ଶୋକ ନଥିବା ଅଷ୍ଟମୀ ତିଥି ବା ଅଶୋକ ଅଷ୍ଟମୀକୁ ଅଶୋକାଷ୍ଟମୀ ଭାବେ ପାଳନ କରାଯାଏ । ମାତ୍ର ମହାଭାରତୀୟ ଆଦ୍ୟଗ୍ରନ୍ଥ ରାମାୟଣରେ ଲିଖିତ ତଥ୍ୟନୁସାରେ ଏହି ଦିନ ପ୍ରଭୁ ଶ୍ରୀରାମଙ୍କ ପ୍ରିୟ ଭକ୍ତ ବୀର ହନୁମାନ ଅଶୋକ ବନରେ ସୀତାଙ୍କୁ ଠାବ କରିଥିବାରୁ ଏହାକୁ ଅଶୋକାଷ୍ଟମୀ ବୋଲି ମଧ୍ୟ କହୁହାଯାଏ ।ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା । କପିଳ ସଂହିତା, ଶିବପୁରାଣ ଓ ମତ୍ସ୍ୟ ପୁରାଣରେ ଏହି ରୁକୁଣା ରଥ ଯାତ୍ରା ସଂପର୍କରେ ଉଲ୍ଲେଖ ଅଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଦିନ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ରଥରେ ବସାଇ ମାଉସୀମା ମନ୍ଦିରକୁ ଟାଣି ନିଅନ୍ତି । ମାଉସୀମା ମନ୍ଦିରରେ ପ୍ରଭୁ ଶ୍ରୀଲିଙ୍ଗରାଜ ଚାରିଦିନ ରହି ପୁନଶ୍ଚ ମନ୍ଦିରକୁ ଫେରି ଆସନ୍ତି ।
ରୁକୁଣା ରଥଯାତ୍ରା ଦିନ ପ୍ରଭୁ ଶ୍ରୀଲିଙ୍ଗରାଜ କେଦାର ଗୌରୀ ମନ୍ଦିରରେ ଥିବା ମରିଚୀକୁଣ୍ଡ ଜଳରେ ସ୍ନାନ କରିବାର ପରମ୍ପରା ରହିଆସିଛି । ମରିଚୀ କୁଣ୍ଡର ପ୍ରଥମ ଉଠାଣ ଜଳକୁ ପୂର୍ଣ୍ଣ କଳସରେ ବୈଦିକ କର୍ମକାଣ୍ଡ ସହ ଉତ୍ତୋଳନ କରାଯାଏ ଏବଂ କପିଳେଶ୍ୱରଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ସଂପାଦିତ ହୋଇଥାଏ । ଏହି ଜଳ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନାରୀ ସନ୍ତାନ କାମନା କରି ଏଠାରେ ସମବେତ ହୋଇଥାନ୍ତି । ରଥ ପ୍ରତିଷ୍ଠା ପାଇଁ ଜଳ ଉତ୍ତୋଳନ ପରେ ଏହି ଜଳ ନିଲାମ କରାଯାଇଥାଏ ।
ଅଶୋକାଷ୍ଟମୀ ପରଦିନ ଅର୍ଥାତ୍ ଚୈତ୍ରମାସର ନବମୀ ତିଥିକୁ ରାମ ନବମୀ ଭାବେ ହିନ୍ଦୁମାନେ ପାଳନ କରିଥାଆନ୍ତି । ପୌରାଣିକ କଥାବସ୍ତୁ ଅନୁଯାୟୀ, ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଏହି ଚୈତ୍ରମାସ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ । ଅଯୋଧ୍ୟାର ରଘୁବଂଶୀୟ ରାଜା ଦଶରଥଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା ମନ୍ତ୍ରିତ ଚରୁଅନ୍ନ (ଖିରି) ଭକ୍ଷଣ କରିବା ପରେ ସେମାନଙ୍କ ଗର୍ଭରୁ ଚାରିପୁତ୍ର ଜନ୍ମ ଗ୍ରହଣ କଲେ । ସେମାନଙ୍କ ମଧ୍ୟରୁ ଜ୍ୟେଷ୍ଠପୁତ୍ର ରାମ ମାତା କୌଶଲ୍ୟାଙ୍କ ଗର୍ଭରୁ, ମାତା କୈକେୟୀଙ୍କ ଗର୍ଭରୁ ଭରତ ଓ ମାତା ସୁମିତ୍ରାଙ୍କ ଗର୍ଭରୁ ଲକ୍ଷ୍ମଣ, ଶତ୍ରୁଘ୍ନ ଜନ୍ମଗ୍ରହଣ କରିଥିଲେ । ରାଜା ଦଶରଥ ମଧ୍ୟମା ରାଣୀ କୈକେୟୀଙ୍କୁ ଅଧିକ ଭଲ ପାଉଥିଲେ ଓ ଏହି ଭଲପାଇବା ବଦଳରେ ରାଣୀ କୈକେୟୀ ରାଜା ଦଶରଥଙ୍କ ଠାରୁ ତିନୋଟି ବର ପ୍ରଦାନ କରିବାକୁ ଶପଥ କରାଇ ନେଇଥିଲେ ।
ଅଯୋଧ୍ୟାର ପ୍ରଥା ଓ ପରମ୍ପରା ଅନୁସାରେ, ଯେଉଁଦିନ ଦଶରଥ ନିଜର ଜ୍ୟେଷ୍ଠପୁତ୍ର ରାମଙ୍କୁ ଅଯୋଧ୍ୟାର ରାଜା ହେବା ପାଇଁ ଚାହିଁଲେ ସେତେବେଳେ ଦାସୀ ମନ୍ଥରା କଥାରେ ପଡ଼ି କୈକେୟୀ ଦଶରଥଙ୍କୁ ତାଙ୍କର ପୂର୍ବ ବର ମାଗିଥିଲେ । ପ୍ରଥମ ବର ଅନୁସାରେ ଅଯୋଧ୍ୟାର ରାଜା ତାଙ୍କ ପୁତ୍ର ଭରତ ହେବ, ଦ୍ୱିତୀୟ ବର ଥିଲା ରାମ ଚଉଦ ବର୍ଷ ବନବାସ ଯିବେ ଓ ତୃତୀୟ ବର ମାଗିଥିଲେ ଏହି ସମୟ ଅବଧିରେ ରାମ ରାଜପୋଷାକ ପରିତ୍ୟାଗ ପୂର୍ବକ ଗୈରିକ ବସନ ପିନ୍ଧି କାଳାତିପାତ କରିବେ । ପିତୃସତ୍ୟ ପାଳନ କରି ରାଜା ରାମ ପତ୍ନୀ ସୀତା, ଭ୍ରାତା ଲକ୍ଷ୍ମଣଙ୍କ ସହ ବନବାସ ଗଲେ । ଲଙ୍କାର ରାଜା ରାବଣ ସୀତାଙ୍କୁ ଅପହରଣ କରି ନେବା ପରେ ରାମ ରାବଣ ଯୁଦ୍ଧ ହେଲା । ଯୁଦ୍ଧରେ ଅସୁର ଶକ୍ତିର ନିଧନ ପାଇଁ ପ୍ରଭୁ ଶ୍ରୀରାମ ମାତା ଦୁର୍ଗାଙ୍କର ଶରଣାପନ୍ନ ହେଲେ । ନୀଳକମଳ ପ୍ରିୟା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରଭୁ ଶ୍ରୀରାମଙ୍କୁ ନୀଳପଦ୍ମର ଆବଶ୍ୟକତା ପଡ଼ିଲା । ମାତ୍ର ଶରତ କାଳରେ ପ୍ରସ୍ଫୁଟିତ ହେଉଥିବା ନୀଳପଦ୍ମ ଚୈତ୍ରମାସରେ ମିଳିବା ମଧ୍ୟ ଅସମ୍ଭବ । ତେବେ ରାମଙ୍କର ନୟନ ଦେଖିବାକୁ ନୀଳ । ତେଣୁ ତାଙ୍କୁ ରାଜୀବଲୋଚନ ବୋଲି ମଧ୍ୟ କୁହାଯାଏ । ମାତାଙ୍କ ପୂଜାରେ ବିଘ୍ନ ନଘଟାଇବା ପାଇଁ ରାମ ତାଙ୍କର ଗୋଟିଏ ଆଖିକୁ ତାଡ଼ିବାକୁ ଉଦ୍ୟତ ହୁଅନ୍ତେ ମାତା ଦୁର୍ଗା ଆବିର୍ଭୁତା ହୋଇ ତାଙ୍କୁ ଏଥିରେ ବାଧା ଦେଲେ ଓ ସେ ତାଙ୍କ ନିଷ୍ଠା ଭକ୍ତିରେ ସନ୍ତୁଷ୍ଟ ହୋଇ ରାବଣ ନିଧନର ଶସ୍ତ୍ର ପ୍ରଦାନ କଲେ । ରାବଣ ବଧ ହେଲା, ସୀତାଙ୍କୁ ରାବଣ କବଳରୁ ଉଦ୍ଧାର କରି ପ୍ରଭୁ ଶ୍ରୀରାମ ଅଯୋଧ୍ୟା ଫେରିଲେ । ତେଣୁ ଚୈତ୍ରମାସ ବା ବସନ୍ତ ସମୟରେ ମାତା ଦୁର୍ଗାଙ୍କର ଏହି ଆବିର୍ଭାବକୁ ବାସନ୍ତିକ ଦୁର୍ଗାପୂଜା ବା ବାସନ୍ତି ପୂଜା ନାମରେ ମହାସମାରୋହରେ ହିନ୍ଦୁମାନେ ପାଳନ କରିଥାଆନ୍ତି । ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷସମାନଙ୍କୁ ସଂହାର କରିବାକୁ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲେ । ଶ୍ରୀରାମ ତାଙ୍କ ଅବତାରରେ ସମ୍ପୂର୍ଣ୍ଣ ମାନବ ଜୀବନଯାପନ କରିଥିଲେ । ତେଣୁ ରାମନବମୀ ଉପଲକ୍ଷେ ନଅଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଆଦି କାର୍ଯ୍ୟକ୍ରମ ଜାରି ରହେ । ଏଥିସହ ରାମଚରିତ ମାନସ ଏବଂ ରାମଲୀଳା କାର୍ଯ୍ୟକ୍ରମ ମଧ୍ୟ ଗ୍ରାମାଞ୍ଚଳରେ ଦେଖିବାକୁ ମିଳେ ।
ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ଦୁଇଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିଥାନ୍ତି । ଏହି ଗୁପ୍ତ ନୀତିକୁ କେହି ଯେପରି ଦେଖି ନପାରିବେ ସେଥିପାଇଁ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ । ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରିଥାଆନ୍ତି । ଏହାପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାର ଠାରେ ବରୁଭାତ ମଣୋହୀ କରାଇଥାଆନ୍ତି ।
ତପନ କୁମାର ପାଲ,କଟକ
ମୋ: ୯୯୩୭୬୫୮୩୬୨