ନୋବେଲ ଶାନ୍ତି ପୁରସ୍କାରରେ ଅସହାୟ ଜାତିସଂଘ
ଡକ୍ଟର ଲକ୍ଷ୍ମଣ ସାହୁ : ଶିଷ୍ଟ କବି ନାଭାରୁନ୍ ଭଟ୍ଟାଚାର୍ଯ୍ୟ ତାଙ୍କ କବିତାରେ ଲେଖିଛନ୍ତି- "ସମଗ୍ର ସହର କେତେବେଳେ ଯନ୍ତ୍ରଣାରେ ଛଟପଟ ହେବ ଓ ରକ୍ତ ଶୋଷକ ମାଛିମାନେ ଭରପୁର ହେବେ, କେବେ ରକ୍ତର ସ୍ରୋତ ପ୍ରବାହିତ ହେବା ସହିତ ଯୁଦ୍ଧ ହେବ ?" ସାରଳା ଦାସ ତାଙ୍କ ମହାଭାରତ ପର୍ବରେ ରକ୍ତ ନଦୀ ସନ୍ତରଣ ଉଲ୍ଲେଖ କରିବା କାହାକୁ ଅଛପା ନାହିଁ । କୁହାଯାଇପାରେ ସାରଳା ଦାସ ଓ ନାଭାରୁନ୍ ଭଟ୍ଟାଚାର୍ଯ୍ୟଙ୍କ କବିତାର ଲେଖାର ଏହି ଅଂଶ ଏହି ନୂତନ ଦଶନ୍ଧିର କୋଭିଡ୍ ପରବର୍ତ୍ତୀ ଜଗତର ପ୍ରତୀକ ଅଟେ । ନୂତନ ସୀମା ଅକ୍ତିଆରରେ ଭୟ ନାହିଁ, ପୁଣି ଯାହାର ଶକ୍ତି ଅଛି, ଯାହାର ଅଗଣିତ ସୈନ୍ୟ ଅଛି, ସେ ପରାଭବ ଦେଇ ବିଜ୍ରୟୀ ହେଇପାରୁଛନ୍ତି । ସେମାନଙ୍କ ଦ୍ୱାରା ପ୍ରଭାବିତ ଲୋକମାନେ କେବଳ ଅସହାୟ ହୋଇ ପରାଜୟର ଦଶା ଭୋଗ କରୁଛନ୍ତି । । ସମଗ୍ର ବିଶ୍ୱ ସାମ୍ନାରେ ଅସଂଖ୍ୟ ଯୁଦ୍ଧ ଚାଲିଛି, କେବେ ଦୁଇ ଦେଶ ମଧ୍ୟରେ, କେବେ ଚାରି ଦେଶ ମଧ୍ୟରେ, କେବେ ଗୃହଯୁଦ୍ଧରେ ଏବଂ କେବେ ସନ୍ତ୍ରାସବାଦୀ ଗୋଷ୍ଠୀ ସହିତ । ବିଶ୍ୱର ଆର୍ଥିକ ଅସମାନତାରୁ ବଞ୍ଚିବା ପାଇଁ ଏହାକୁ ଆଉ ଏକ ନିରନ୍ତର ଯୁଦ୍ଧ କୁହାଯାଇପାରେ । ଏହି ଭୂମିକାରେ ଜାପାନର ସଂଗଠନ ‘ନିହୋନ୍ ହିଡାନକିଓ’କୁୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ବାସ୍ତବରେ ହିରୋସିମା ଏବଂ ନାଗାସାକି ପୀଡିତଙ୍କ ସହ କାର୍ଯ୍ୟ କରୁଥିବା ସଂସ୍ଥାମାନଙ୍କୁ ୨୦୨୪ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରି ନରୱେ ନୋବେଲ ଶାନ୍ତି କମିଟି ଏହି ନିରବଦ୍ରଷ୍ଟା ଜାତିସଙ୍ଘର ଅସହାୟତାକୁ ପ୍ରକାଶ କରିଛି । ମନେହୁଏ ମିଳିତ ଜାତିସଂଘ ନିଜର ବିଫଳତା ପାଇଁ ପରୋକ୍ଷରେ ସାରା ବିଶ୍ୱରେ ପ୍ରଭାବିତ ଲକ୍ଷ ଲକ୍ଷ ଲୋକଙ୍କୁ ଏହି ପୁରଷ୍କାର ମାଧ୍ୟମରେ କ୍ଷମା ମାଗିଛନ୍ତି ।
ଯେଉଁମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିରୋସିମା ଓ ନାଗାସାକିର ପରମାଣୁ ବିସ୍ଫୋରଣରୁ କୌଣସି ପ୍ରକାରେ ବଞ୍ଚିଥିଲେ ଓ ପରମାଣୁ ବୋମାର ଭୟାବହତାକୁ ଜୀବନସାରା ଅଙ୍ଗେ ନିଭାଉଛନ୍ତି, ସେମାନେ ଜାପାନରେ ‘ହିବାକୁଶା' ଭାବରେ ଜଣାଶୁଣା । ପରମାଣୁ ବିଭୀଷିକାର ପ୍ରାୟ ଏକ ଲକ୍ଷ ପୀଡ଼ିତ ବ୍ୟକ୍ତି ଏହି ‘ନିହୋନ୍ ହିଡାନକିଓ' ସଂଗଠନ ମାଧ୍ୟମରେ ପୁନଃ ମୁଖ୍ୟ ସ୍ରୋତରେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି ଓ ବଞ୍ଚୁଛନ୍ତି । ଜାପାନରେ ଆଣବିକ ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତିଙ୍କ ସହ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ମଧ୍ୟରୁ ଏହି ସଂଗଠନ ସର୍ବ ବୃହତ ଅଟେ । ପରମାଣୁ ବୋମା ପ୍ରୟୋଗ ହେବା ପରେ ଜାତିସଂଘ ଏହି ଘଟଣାର ପ୍ରାୟ ତିରିଶ ବର୍ଷ ପର ପର୍ଯ୍ୟନ୍ତ ଜାପାନ ଉପରେ ହୋଇଥିବା ଏହି ପରମାଣୁ ବୋମା ଦ୍ୱାରା ହୋଇଥିବା ପ୍ରକୃତ କ୍ଷୟକ୍ଷତି ଉପରେ ନୀରବ ରହିଲା କାରଣ ଆମେରିକା ପ୍ରଥମେ ଏହି ଭୟାନକ ଅତ୍ୟାଚାର ବିଷୟରେ ପ୍ରକାଶ କରିବାକୁ ମନା କରିଦେଇଥିଲା । ଜାପାନର ହିରୋସିମା ଓ ନାଗାସାକିରେ ବଞ୍ଚିଥିବା ଲୋକଙ୍କ ଦୁର୍ବିସହ ଯାତନା ବିଷୟକୁ ଜାପାନର ଅନ୍ୟ ଅଞ୍ଚଳର ବାସିନ୍ଦା ମଧ୍ୟ ଅନୁଭବ କରିଥିଲେ । ସେମାନେ ଆଣବିକ ବିକିରଣର ଦୀର୍ଘକାଳୀନ ପ୍ରତିକ୍ରିୟା ଓ ପୀଡ଼ିତଙ୍କ ଭବିଷ୍ୟତ ବିଷୟରେ ଚିନ୍ତିତ ଥିଲେ ।୧୯୫୬ ମସିହାରେ ଏହି ସଂଗଠନଟି ଗଠିତ ହୋଇ ହଜାର ହଜାର ପ୍ରତ୍ୟକ୍ଷଦର୍ଶୀ ଓ ପୀଡ଼ିତଙ୍କ ବୟାନ ରେକର୍ଡ଼ କରିଥିଲା ।୨୦୧୬ ମସିହାରେ ‘ନିହୋନ୍ ହିଡାନକିଓ' ସଂଗଠନର ଅଧ୍ୟକ୍ଷ ସୁନାଓ ସୁବୋଇ ମଧ୍ୟ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ସାକ୍ଷାତ କରିଥିଲେ । ୨୦୧୧ ମସିହାରେ ଏହି କ୍ଷୁଦ୍ର ତଥାପି ବିକଶିତ ଦେଶ ଆଉ ଏକ ଆଣବିକ ଶକ୍ତି ଉତ୍ପାଦନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଯାହା ଫଳରେ ପରେ ଅଧିକାଂଶ ଆଣବିକ ଶକ୍ତି କେନ୍ଦ୍ର ବନ୍ଦ ହୋଇଗଲା । ସଂଗଠନର ମୂଳ ଉଦେ୍ଦଶ୍ୟ ଥିଲା ଅନ୍ୟ ଦେଶମାନଙ୍କୁ ଆଣବିକ ଶକ୍ତି ହଟାଇବା ସକାଶେ ସଚେତନ କରିବା ।
ସେମାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ସହିତ ନୋବେଲ କମିଟି ପୁଣିଥରେ ବିଶ୍ୱବାସୀଙ୍କୁ ଯୁଦ୍ଧ ଓ ଆଣବିକ ଶକ୍ତିର ବିପଦ ବିଷୟରେ ମନେ ପକାଇ ଦେଇଛି । ସମଗ୍ର ୟୁରୋପରେ ଆମେ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାରରେ ସାମ୍ପ୍ରତିକ ଅଭିବୃଦ୍ଧି ଦେଖୁ । ରୁଷର ନେତା ପୁଟିନ ୟୁକ୍ରେନରେ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ବାରମ୍ବାର ଧମକ ଦେଇଛନ୍ତି । ଯଦିଓ ଏହି ଯୁଦ୍ଧରେ ସିଧାସଳଖ ଜଡିତ ନୁହଁନ୍ତି, ୟୁରୋପର ନାଟୋ ଏବଂ ଆମେରିକାର ଅସ୍ତ୍ରଶସ୍ତ୍ର ଏହି ଯୁଦ୍ଧକୁ ଦୁଇ ବର୍ଷରୁ ଅଧିକ ସମୟ ଧରି ବଜାୟ ରଖିଛି । ମଧ୍ୟ ପୂର୍ବ ଏସିଆରେ ମଧ୍ୟ ଏକ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇସ୍ରାଏଲ ଏକ ଇହୁଦୀ ରାଷ୍ଟ୍ର ଭାବରେ ପ୍ରତିଷ୍ଠା ହେଲା । ସେବେଠାରୁ ପଡୋଶୀ ଆରବ ଦେଶମାନଙ୍କ ସହିତ କ୍ରମାଗତ ଯୁଦ୍ଧ, ସନ୍ତ୍ରାସବାଦୀ ଗତିବିଧି ଚାଲିଆସୁଛି । ଇସ୍ରାଏଲ୍ ଆତ୍ମରକ୍ଷାର ଦ୍ୱାହି ଦେଇ ଗାଜା ଉପରେ ଆକ୍ରମଣ କରି ଏକ ବର୍ଷ ମଧ୍ୟରେ ପ୍ରାୟ ଏକ ଲକ୍ଷ ନିରୀହ ଲୋକଙ୍କୁ ହତ୍ୟା କରିଛି । ପାଲେଷ୍ଟାଇନ ପରେ ଇସ୍ରାଏଲ୍ ଲେବାନନ୍, ସିରିଆ ଏବଂ ଇରାନର ପ୍ରତ୍ୟେକ ଦେଶ ଉପରେ ଆକ୍ରମଣ କରି ମଧ୍ୟ ପୂର୍ବ ଏସିଆରେ ଏକ ବର୍ଷ ଧରି ଯୁଦ୍ଧ କରିଆସୁଛି । ଆଫଗାନିସ୍ତାନ ଏବଂ ଇରାକରେ ଆମେରିକାର ବିଫଳ ଆକ୍ରମଣ ଏବଂ ଶାସନ ପରେ ଦେଶମାନେ ସ୍ୱାଧୀନତାକୁ ସୀମିତ କରି ଧାର୍ମିକ ଶାସକମାନଙ୍କ ନିକଟକୁ ଫେରିଗଲେ । ଆମର ପଡୋଶୀ ଦେଶ ବାଂଲାଦେଶ ଗୃହଯୁଦ୍ଧରେ ପୀଡିତ ଏବଂ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି । ବିଶ୍ୱର ବିଭିନ୍ନ ଛୋଟ ଛୋଟ ଦେଶରେ ଚୀନର ଆର୍ଥିକ ଶୋଷଣର ବିସ୍ତାରବାଦୀ ପ୍ରୟାସ ଦୁର୍ଭାଗ୍ୟଜନକ । ଅବଶ୍ୟ କିଛି ଦେଶଙ୍କ ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି । ଆଫ୍ରିକାରେ ବିଭିନ୍ନ ସନ୍ତ୍ରାସବାଦୀ ଗୋଷ୍ଠୀର ବିସ୍ତାର ଇତିମଧ୍ୟରେ ଘଟିସାରିଲାଣି । ପ୍ରକୃତରେ କହିବାକୁ ଗଲେ ବିଶ୍ୱ ଶାନ୍ତି ରକ୍ଷା ପାଇଁ ଜାତିସଂଘର ଅସହାୟ ସ୍ଥିତି ବିଶ୍ୱ ପାଇଁ ସବୁଠାରୁ ଏକ ବଡ ଆହ୍ୱାନ ।
ସୂଚେଇ ଦେବାକୁ ଚାହେଁ ପ୍ରଥମ ବିଶ୍ୱଯୁଦ୍ଧ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପ୍ରାୟ କୋଡ଼ିଏ ବର୍ଷ ସମୟ ନେଇଥିଲା । ପ୍ରଥମ ବିଶ୍ୱଯୁଦ୍ଧ ପରେ ପ୍ରତିଷ୍ଠିତ ଲିଗ୍ ଅଫ୍ ନେସନ୍ସ ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ବିଶ୍ୱକୁ ରକ୍ଷା କରିବାରେ ବିଫଳ ହୋଇଥିଲା । ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ବିଶ୍ୱର ପ୍ରମୁଖ ଶକ୍ତି ନେତାମାନେ ମିଳିତ ଜାତିସଂଘ କିମ୍ବା ମିଳିତ ଜାତିସଂଘ ପ୍ରତିଷ୍ଠା କରି ସାରା ବିଶ୍ୱରେ ଶାନ୍ତି ସ୍ଥାପନର ପ୍ରୟାସ କରିଆସୁଛନ୍ତି । ସେବେଠାରୁ ଅଶୀ ବର୍ଷରୁ ଅଧିକ ସମୟ ବିତିଗଲାଣି, ବିଶ୍ୱକୁ ବାରମ୍ବାର ରକ୍ତାକ୍ତ କରାଯାଇଛି, କିନ୍ତୁ କୌଣସି ବିଶ୍ୱଯୁଦ୍ଧ ହୋଇନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବହୁ ଆଶା ସହିତ ପ୍ରତିଷ୍ଠିତ ମିଳିତ ଜାତିସଂଘକୁ ଅଶୀ ବର୍ଷ ପୁରୁଣା । ଆଜି୧୯୫ ସାର୍ବଭୌମ ଦେଶ ମିଳିତ ଜାତିସଂଘର ସଦସ୍ୟ, କିନ୍ତୁ ସଂଗଠନ ନିଜର ଶକ୍ତି ହରାଇଛି । କେବଳ ମାତ୍ର ରିଲିଫ କାର୍ଯ୍ୟରେ ସୀମିତ ଅଛି । ନୂତନ ଶତାବ୍ଦୀରେ ବା ଏହି ଦଶନ୍ଧିରେ ମିଳିତ ଜାତିସଂଘ କେବଳ କୋଭିଡ ପରବର୍ତ୍ତୀ ନୂତନ ଜଗତର ଏକ ପ୍ରଭାବୀ ଶକ୍ତିକେନ୍ଦ୍ର ରୂପେ ନିଜର ଅସ୍ତିତ୍ୱ ହରାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରୁଷ ଆମେରିକାକୁ ଏକକ ଶକ୍ତି ଭାବରେ କିଛି ଗତି ଦେଇଥିଲା । କିନ୍ତୁ ବିଶ୍ୱ ନେତୃତ୍ୱର ପ୍ରତ୍ୟକ୍ଷ ଦାୟିତ୍ୱ ଆମେରିକା ହାତରେ ରହିଅଛି । ତା’ପରେ ରୁଷର ପତନ ସମଗ୍ର ବିଶ୍ୱରେ ଆମେରିକାର ପ୍ରଭାବକୁ ଦୃଢ କଲା, କିନ୍ତୁ ଉଦାର ଅର୍ଥନୀତି ଯୋଗୁଁ ଚୀନ୍ର ବିକାଶ ଓ କୋଭିଡ ପରବର୍ତ୍ତୀ ଯୁଗରେ ଚୀନକୁ ଏକ ଶକ୍ତିଶାଳୀ କେନ୍ଦ୍ର ରୂପେ ଉଭା କରାଇଛି । ଚୀନକୁ କେନ୍ଦ୍ର କରି ଏକ ନୂତନ ଆକ୍ସିସ୍ ଶକ୍ତି ଉତ୍ପନ୍ନ ହେଲା । ଏହା ଏପରି ଏକ ଶକ୍ତି ଯାହା କୌଣସି ପ୍ରତ୍ୟକ୍ଷ ଯୁଦ୍ଧରେ ସିଧାସଳଖ ଜଡିତ ନ ହୋଇ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ସହଯୋଗୀ ଦେଶ ପ୍ରତି ନିଜର ବିରୋଧୀ ମନୋଭାବକୁ ସ୍ପଷ୍ଟ କରିଥିଲା ।
ଏହି ପରିସ୍ଥିତିରେ ମିଳିତ ଜାତିସଂଘ ନିଜକୁ ବଡ଼ ଅସହାୟ ମନେ କରିଛି । ଅବଶ୍ୟ ନୋବେଲ କମିଟି ବିଶ୍ୱର ବୃହତ୍ତମ ସଂଗଠନ ଏହା ସପକ୍ଷରେ ଆଗେଇ ଆସିଛି । ୨୦୨୪ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପୁଣି ଥରେ ପୃଥିବୀର ଶକ୍ତିଶାଳୀ ଦେଶମାନଙ୍କୁ ପରମାଣୁ ବୋମାର ଭୟାବହତାକୁ ମନେ ପକାଇ ଦେଇଛି । ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ବିଶ୍ୱକୁ ପୁଣିଥରେ ଚେତେଇ ଦିଏ ଯେ ପରମାଣୁ ଅସ୍ତ୍ର ହେଉଛି ବିଶ୍ୱର ସବୁଠାରୁ ବିନାଶକାରୀ ଅସ୍ତ୍ର ଏବଂ ସମଗ୍ର ବିଶ୍ୱରେ ଶାନ୍ତି ବଜାୟ ରଖିବା ଓ ଅନ୍ୟ ଏକ ପରମାଣୁ ଆକ୍ରମଣକୁ ରୋକିବା ବର୍ତ୍ତମାନର ସବୁଠାରୁ ଜରୁରୀ ଆବଶ୍ୟକତା । ‘ହିବାକୁସା’ଙ୍କ ଦୁର୍ଦ୍ଦଶା ଓ କଷ୍ଟ କଳ୍ପନାତୀତ ହେଇଥିବା ସତ୍ତ୍ୱେ ସମାଜକୁ ଏଥିରୁ ଦୂରେଇ ରଖିବା ପାଇଁ ଦୁନିଆକୁ ସେମାନଙ୍କର କ୍ଷତି ଏବଂ ଯନ୍ତ୍ରଣା ବିଷୟରେ ଅବଗତ କରାଇବା ପାଇଁ ନିଜ ଜୀବନକୁ ସେମାନେ ଉସôର୍ଗ କରିଛନ୍ତି । ଏହା ଦ୍ୱାରା କ୍ଷମତାର ଶୀର୍ଷରେ ଥିବା ସାଧାରଣ ଲୋକ ତଥା ରାଜନେତାମାନେ ବୁଝିବେ ଯେ ଆଣବିକ ଯୁଦ୍ଧ ଏକ ବିନାଶକାରୀ ମନୁଷ୍ୟକୃତ ପ୍ରଳୟ ଯାହା ଏଡ଼େଇ ଦିଆଯାଇପାରିବା ସମ୍ଭବ । ଏହି ସଂଗଠନ ସତୁରି ବର୍ଷ ଧରି ସାରା ବିଶ୍ୱରେ ଏହି ଅଭିଯାନ ଚଳେଇ ଆସୁଥିଲା । ଫଳସ୍ୱରୂପ ନିହୋନ୍ ହିଡାନକିଓ ସଂଗଠନ ନୋବେଲ ଶାନ୍ତି ପୁରସ୍କାର ପାଇଲା ।
କବିଙ୍କ ଭାଷାରେ ଉପସଂହାରରେ କେବଳ ଏତିକି କହିବାକୁ ପଡିବ ଯେ “ଦୁନିଆର ସମସ୍ତ ଦୁଃଖ, ସମସ୍ତ ପାପ, ସମସ୍ତ ମନ୍ଦ ଆଚରଣ , ସମସ୍ତ ଲୁହ, ସମସ୍ତ ହିଂସା ...କୁ ପ୍ରଣାମ କରି ଏହା ମୋର ପାପ, ଏହା ତୁମର ପାପ ବୋଲି ସ୍ୱୀକାର କରି କୁହ ଆମେ ଯୁଦ୍ଧ ନୁହେଁ ଶାନ୍ତି, ଆମେ ଧ୍ୱଂସ ନୁହେଁ ସୃଷ୍ଟି ଓ ଆମେ ମରଣ ନୁହେଁ, ଜନ୍ମ ଚାହୁଁ.. ।” ଆମ ଉକ୍ରଳର କବି ଭୀମଭୋଇଙ୍କ ଭାଷାରେ - " ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ..!!!"
ଅଧ୍ୟକ୍ଷ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ
କଟକ -୪ , ସଂପର୍କ: ୯୦୪୦୧୫୧୪୭୫