ବିଶ୍ୱଗୁରୁ ଭାରତ : ସଶକ୍ତ ହେବ କୂଟନୀତି
କେନ୍ଦ୍ରରେ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନରେ ଦୃଢ଼ ଏନଡିଏ ସରକାର ଗଠନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦୁଇଟି ପାଳିରେ ଭାରତ କୂଟନୀତିରେ ଅନେକ ସଫଳତା ପାଇଛି ଯାହାକି ଦେଶବାସୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କୋଭିଡ଼ ମହାମାରୀ ବେଳେ ୟୁକ୍ରେନ ରୁୁଷ ଯୁଦ୍ଧ ସମୟରେ ଓ ହମାସ-ଇସ୍ରାଏଲ ଯୁଦ୍ଧ ସମୟରେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫଶିଥିବା ଭାରତୀୟ ମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାରେ ମୋଦିଜୀଙ୍କ କୂଟନୀତି ସଫଳ ହୋଇଥିଲା । ଏପରିକି ଆମେରିକା ପରି ବିଶ୍ୱର ଶକ୍ତିଶାଳୀ ଓ ବିକଶିତ ଦେଶ ଭାରତକୁ ଅନେକ କ୍ଷେତ୍ରରେ ମଧ୍ୟ ବନ୍ଧୁତାର ହାତ ବଢ଼ାଇଛି । ମୋଦିଜୀଙ୍କ ନେତୃତ୍ୱରେ ଜାତିସଂଘରେ ଭାରତର ସ୍ୱର ଆହୁରି ଶାଣିତ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତରେ କ୍ରମବର୍ଦ୍ଧିଷ୍ଣୁ ବୈଷୟିକ ଉପସ୍ଥିତିର ଉପଯୋଗ କରି ନିଜ ଘରୋଇସ୍ଥିତିକୁ ମଜଭୁତ କରିପାରିଛି । ଭାରତ ଦ୍ୱାରା ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଗତ ବର୍ଷ ବେଶ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ତମାମ ଶକ୍ତିଶାଳୀ ଦେଶର ଶୀର୍ଷ ନେତୃବୃନ୍ଦ ଏଥିରେ ସାମିଲ ହୋଇଥିବାବେଳେ ପୂର୍ବରୁ ଏପରି ବିଶାଳ ଓ ଅଭୂତପୂର୍ବ ଆୟୋଜନ ଭାରତରେ କେବେ ହେଲେ ହୋଇପାରିନଥିଲା । ଏହା ବ୍ୟତୀତ ଚୀନ ତୁଳନାରେ ଭାରତକୁ କେବଳ ଆମେରିକା ନୁହେଁ ୟୁରୋପୀୟ ଦେଶମାନେ ମଧ୍ୟ ଅଧିକ ସମର୍ଥନ ଦେବା ସହ ଭାରତ ଏକ ଭରସା ଯୋଗ୍ୟ ବନ୍ଧୁ ହୋଇପାରିଛି । ଭାରତ ଯୁକ୍ତରାଷ୍ଟ୍ରର ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସହ ଗଠନ ହୋଇଥିବା କ୍ୱାର୍ଡ଼ ସମୂହର ଅଂଶବିଶେଷ । ଚୀନର କ୍ରମବର୍ଦ୍ଧିଷ୍ଣୁ ଆକ୍ରମଣାତ୍ମକ ଆଗଚଲା ଓ ଏକଚାଟିଆ ଭାବେ ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଆଗକୁ ବଢ଼ୁଥିବାବେଳେ ଏହା ତା ବିରୁଦ୍ଧରେ ଏକ ଶକ୍ତିଶାଳୀ ମେଣ୍ଟ । ବିଶ୍ୱରେ ବଡ଼ ଭାଇର ଦାୟିତ୍ୱ ନିର୍ବାହ କରୁଥିବା ଓ ସବୁକ୍ଷେତ୍ରରେ ବିକଶିତ ଓ ଶକ୍ତିଶାଳୀ ହୋଇଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପାଇଁ ସରକାରୀ ରାତ୍ରି ଭୋଜନ ଆୟୋଜନ କରିବା ସହ ୱାଶିଂଟନ ସହ ନୂଆଦିଲ୍ଲୀର ସମ୍ପର୍କକୁ ଏକ ବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଅନେକ ଦିନ ଧରି ଭାରତ ଇଛା କରିଥିବା ଅତ୍ୟାଧୁନିକ ଡ୍ରୋନ ବିକ୍ରିକୁ ୱାଶିଂଟନ ମଞ୍ଜୁରି ଦେଇଛି ।
ସେହିପରି ଭାରତ-ଚୀନ-ରୁଷ ଓ ଅନ୍ୟ ଦେଶମାନଙ୍କ ସହ ଗୋଟିଏ ମଞ୍ଚରେ ସାମିଲ ହୋଇ ସାଙ୍ଘାର ସହଯୋଗ ସଂଗଠନ ଫୋରମ ଗଠନ କରିଛି । ଏ ସବୁ ସତ୍ତ୍ୱେ ଚୀନ ଭାରତର ଶକ୍ତି ଓ ସାମର୍ଥ୍ୟକୁ ଏକ ପ୍ରକାର ଅବଜ୍ଞା କରି ଭାରତ ସହ ବିବାଦକୁ ଜାରି ରଖିଛି । ୨୦୨୦ରେ ଚୀନର ସୈନ୍ୟମାନେ ଭାରତୀୟ ସେନା ଉପରେ ଘାତକ ଆକ୍ରମଣ କରିବା ପରେ ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭିତରେ ସମ୍ପର୍କ ପ୍ରତିକୂଳ ରହିଥିବା ନେଇ କେତେକ କୂଟନୀତିଜ୍ଞ ମତବ୍ୟକ୍ତ କରିଛନ୍ତି । ସେମାନେ ଏହି ଆଶା ରଖିଛନ୍ତି ଯେ ଭାରତ ନିଜେ ମିତ୍ର ରାଷ୍ଟ୍ର ଗୁଡ଼ିକର ସହଯୋଗ, ସମର୍ଥନ ଓ ସାମର୍ଥ୍ୟକୁ ଭରଷା କରି ଚୀନର ଦାଦାଗିରି ଉପରେ ଲଗାମ କଷିବା ପାଇଁ ଉଦ୍ୟମ ରଖିବ । ମୋଦିଜୀଙ୍କ ନେତୃତ୍ୱାଧୀନ ସରକାର ଭାରତର ସୀମା ଅଞ୍ଚଳର ଭିତ୍ତିଭୂମିକୁ ବଢ଼ାଇବା ସହ ବିଭିନ୍ନ ସାମରିକ ନିର୍ମାଣାଧୀନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛନ୍ତି । ଗତବର୍ଷ ଭାରତ ତାର ପ୍ରତିରକ୍ଷା ଖର୍ଚ୍ଚରେ ୧୩% ବୃଦ୍ଧି କରିଛି କିନ୍ତୁ ଏଯାବତ୍ ଏହା ଚୀନର ଖର୍ଚ୍ଚ ତୁଳନାରେ ଚାରି ଭାଗରୁ ଭାଗେ । ମୋଦିଜୀ ଚଳିତ ସପ୍ତାହରେ ନୂଆଦିଲ୍ଲୀକୁ ଗ୍ଲୋବାଲ ସାଉଥର ମଜଭୁତ ତଥା ମହତ୍ୱପୂର୍ଣ୍ଣ ସ୍ୱର ବୋଲି କହିଥିଲେ । ଏହାପଛରେ କାରଣଟି ମଧ୍ୟ ଭିନ୍ନ । ଭାରତ ଗତ ବର୍ଷ ଗ୍ଲୋବାଲ ସାଉଥ ସଂକ୍ରାନ୍ତ ଦୁଇଟି ଶିଖର ସମ୍ମିଳନୀ ଅଧ୍ୟକ୍ଷତାକରି ବିଶ୍ୱ ଦରବାରରେ ତାହା ବଡ଼ଭାଇ ପଣିଆର ଗୁରୁତ୍ୱ ଓ ଓଜନର ସାମର୍ଥ୍ୟ ପ୍ରମାଣିତ କରିପାରିଛି । ଏସିଆ, ଦକ୍ଷିଣ ଆମେରିକା ଓ ଆଫ୍ରିକ ଦେଶ ଗୁଡ଼ିକର ପ୍ରତିନିଧି ଭାବରେ ନିଜ ଭୂମିକାକୁ ମଜଭୁତ କରିବା ପାଇଁ ଭାରତ ନିରବଚ୍ଛିନ୍ନ ଉଦ୍ୟମରେ ଆଗେଇଛି । ମୋଦିଙ୍କ ନେତୃତ୍ୱରେ ହିଁ ଆଫ୍ରିକୀୟ ସଂଘ ସମୂହ ଜି-୨୦ର ସ୍ଥାୟୀ ସଦସ୍ୟ ହୋଇପାରିଥିଲା ଏବଂ ସେ ସମୟରେ ଭାରତର ବଡ଼ ଯୁକ୍ତି ରହିଥିଲା ଯେ ସାମ୍ପ୍ରତିକ ବିକାଶଶୀଳ ଦେଶ ଗୁଡ଼ିକୁ ବୈଷିୟକ ନିର୍ଣ୍ଣୟ ନେବାରେ ଅଧିକ ଯୋଗଦାନ ଓ ଭାଗିଦାରୀର ଆବଶ୍ୟକତା ରହିଛି । ଏଠାରେ ସୂଚନାଥାଉକି ବିକାଶଶୀଳ ଅର୍ଥ ବ୍ୟବସ୍ଥାକୁ ନେଇ ଗଠନ ହୋଇଥିବା ବ୍ରିକ୍ସ କ୍ଲବର ଭାରତ ହେଉଛି ଅନ୍ୟତମ ଗୁୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାତା ସଦସ୍ୟ ।
ଭାରତ ହେଉଛି ବିଶ୍ୱରେ ଏପରି ଏକ ସ୍ୱତନ୍ତ୍ର ଦେଶ ଯିଏ କି ଆମେରିକା ଓ ଋଷ ଭିତରେ ଅହିନକୁଳ ସମ୍ପର୍କ ଥିଲେ ମଧ୍ୟ ବିଶ୍ୱର ଏହି ଦୁଇ ଶକ୍ତିଶାଳୀ ଦେଶ ସହ ଭାରତର ନିବିଡ଼ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ନୂଆଦିଲ୍ଲୀ ୱାଶିଂଟନ ସହ ସମ୍ପର୍କ ଭଲ ସେହିପରି ନୂଆ ଦିଲ୍ଲୀ ସହ ମସ୍କୋର ମଧ୍ୟ ଅନେକ ଆଗରୁ ଗୁରୁତ୍ୱପୂର୍ଣ୍ଣ ସୁସମ୍ପର୍କ ରହିଛି । ଆଗକୁ ମଧ୍ୟ ଋଷ ସହିତ ମୋଦିଜୀ ଭଲ ସମ୍ପର୍କ ଆଗେଇ ନେବେ । ଆମେରିକା ଚାପରେ ମୋଦିଜୀ ଆଦୌ ନଇଁବେ ନାହିଁ । ୟୁକ୍ରେନ ଯୁଦ୍ଧ ସମୟରେ ରୁଷ ବିରୁଦ୍ଧରେ ହୋଇଥିବା ଜାତିସଂଘର ଭୋଟିଂ ବେଳେ ଭାରତ ଏଥିରୁ ନିଜକୁ ଦୂରେଇଥିଲା । ଅତୀତରେ ଯୁଦ୍ଧ ସମୟରେ ଭାରତକୁ ଋଷ ଯେଉଁଭଳି ତକ୍ରାଳ ସହାୟତା ଦେଇଛି ଏ କଥାକୁ ଭାରତ କେବେ ମଧ୍ୟ ଭୁଲିପାରିବ ନାହିଁ । ଭାରତ ସହ ଋଷର ସୁସମ୍ପର୍କ ରହିଥିବାରୁ ଭାରତର ଅନ୍ୟତମ ପଡ଼ୋଶୀ ତଥା ପ୍ରତିକୂଳ ସମ୍ପର୍କ ରଖୁଥିବା ଚୀନ ପାଇଁ ଏକ କଡ଼ା ବାର୍ତ୍ତା ଯାଉଛି । କାରଣ ଚୀନ ସହିତ ଋଷର ସମ୍ପର୍କ ବେଶ ଘନିଷ୍ଠ । ତେଣୁ ସାମରିକ ସହଯୋଗ କ୍ଷେତ୍ରରେ ଋଷ ଭାରତର ଘନିଷ୍ଠ ହୋଇଥିବାରୁ ଚୀନ ଆକ୍ରମଣାତ୍ମକ ହେବା ଅର୍ଥ ଋଷ ସହିତ ସମ୍ପର୍କ ବିଗିଡ଼ିବାର ଲକ୍ଷଣ ପ୍ରକାଶ କରିବା । ମୋଦିଜୀ ପଡ଼ୋଶୀ ପାକିସ୍ତାନ ପ୍ରତି ନକରାତ୍ମକ ଓ କଠୋର ଆଭିମୁଖ୍ୟ ପୋଷଣ କରିବାର ସମ୍ଭାବନା ରହିଛି । କାଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନାହିଁ । ପାକିସ୍ତାନ ଅଧିକୃତ କାଶ୍ମୀରକୁ ଫେରାଇ ଆଣି ଅଖଣ୍ଡ ଭାରତରେ ସାମିଲ କରିବାକୁ ବଦ୍ଧ ପରିକର । ୨୦୧୫ରେ ମୋଦିଜୀ ଅଚାନକ ଲାହୋର ଗସ୍ତ କରିଥିଲେ ମଧ୍ୟ ୨୦୧୯ରେ ସମ୍ପର୍କ ପୁଣି ବିଗିଡ଼ି ଯାଇଥିଲା । ପରମାଣୁ ଶକ୍ତିସମ୍ପନ୍ନ ଦୁଇ ପଡ଼ୋଶୀଙ୍କ ଭିତରେ ସମ୍ପର୍କ ଯାହାହେଉନା କାହିଁକି ଭାରତ କିନ୍ତୁ ସାମରିକ ଓ ଅଭିବୃଦ୍ଧି କ୍ଷେତ୍ରରେ ତାହା ବିଶ୍ୱଗୁରୁର ଦାୟିତ୍ୱ ନିର୍ବାହ କରୁଛି । ଆଜି ଭାରତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି । ନିକଟରେ ମୋଦିଜୀ ଭାରତର ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର ଶପଥ ଉତ୍ସବ ସମୟରେ ପଡ଼ୋଶୀ ଦେଶ ସମେତ ସାତଟି ଦେଶର ନେତା ଉପସ୍ଥିତ ଥିଲେ । ଏପରିକି ଚୀନ ଚାପରେ ଭାରତ ଜଣେ ପୂର୍ବରୁ ମିତ୍ର ଥିବା ଓ ବର୍ତ୍ତମାନ ଶତ୍ରୁ ପାଲଟିଥିବା ମାଳଦ୍ୱୀପକୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭାରତ ନିମନ୍ତ୍ରଣ କରି ତା ସହୃଦୟତାର ପ୍ରମାଣ ଦେଇଛି । ମୋଦିଜୀଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ମାଳଦ୍ୱୀପ, ବାଙ୍ଗଲାଦେଶ, ଶ୍ରୀଲଙ୍କା, ମରିସସ, ନେପାଳ, ଭୁଟାନ, ସିଚେଲର ରାଷ୍ଟ୍ରନେତାମାନେ ଯୋଗ ଦେଇଥିଲେ । ଋଷ -ୟୁକ୍ରେନ ଦୀର୍ଘ ଯୁଦ୍ଧର ଅବସାନ ପାଇଁ ୟୁରୋପୀୟ ନେତାମାନେ ମୋଦିଜୀଙ୍କ ଭୂମିକାକୁ ଚାତକ ପରି ଚାହିଁ ବସିଛନ୍ତି । ଭାରତର ଉଭୟ ଋଷ ଓ ୟୁକ୍ରେନ ସହ ସମ୍ପର୍କ ଖୁବ ଭଲ ଏବଂ ରୁଷର ରାଷ୍ଟ୍ରପତି ପୁଟିନଙ୍କ ସହ ମୋଦିଜୀଙ୍କ ଘନିଷ୍ଠ ସମ୍ପର୍କ ଥିବାରୁ ଭାରତ ହସ୍ତକ୍ଷେପ କରିବା ଦ୍ୱାରା ଏ ଯୁଦ୍ଧର ଅବସାନ ହୋଇପାରିବ ବୋଲି ୟୁରୋପିଆନ ରାଷ୍ଟ୍ରର ନେତା ମାନଙ୍କର ବଡ଼ ଆଶା ରହିଛି । ମୋଦିଜୀଙ୍କ ନେତୃତ୍ୱରେ ଭାରତ ଦିନକୁ ଦିନ ଶକ୍ତିଶାଳୀ ହେଉଛି ଓ ନିଜ କୂଟନୀତିରେ ମଧ୍ୟ ସଶକ୍ତ ହେବା ସହ କେବଳ ପଡ଼ୋଶୀ ଦେଶ ନୁହେଁ ବିଶ୍ୱର ତମାମ ସମସ୍ତ ଦେଶ ସହ ତାର ସମ୍ପର୍କ ଘନିଷ୍ଠ ଓ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ।
ମୋ : ୯୪୩୭୦୦୪୪୬୬