ରେଢ଼ାଖୋଲରେ କିଡ୍ନୀ ରୋଗ
ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଦୂଷିତ ଜଳକୁ ନେଇ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଥିବା ଦେଖାଯାଉଛି । କେତେକ ସ୍ଥାନରେ ଜଳରେ ଫ୍ଲୋରାଇଡ୍ ଅଧିକ ହେଉଥିବା ଯୋଗୁଁ ଫ୍ଲୋରାଇଡ୍ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । ଆଉ କେତେକ ସ୍ଥାନରେ ବିଭିନ୍ନ ପ୍ରକାରର ଖଣିଜ ଏବଂ ଧାତବ ଲବଣ ଜଳ ସହିତ ମିଶି ରହୁଥିବାରୁ ଏଭଳି ଜଳକୁ ବ୍ୟବହାର କରି ଲୋକେ ଅନେକ ପ୍ରକାରର ପେଟ ରୋଗ ଏବଂ କିଡ୍ନୀ ରୋଗରେ ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ଗତ ମାସକ ମଧ୍ୟରେ ରେଢ଼ାଖୋଲ ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକ କିଡ୍ନୀ ରୋଗରେ ପୀଡ଼ିତ ହେଲେଣି ।
ରେଢ଼ାଖୋଲ ଅଞ୍ଚଳରେ ପ୍ରବାହିତ ଏକମାତ୍ର ଚିରସ୍ରୋତା ନାଳ ହେଉଛି ବୁଦ୍ବୁଦା ନାଳ । ରେଢ଼ାଖୋଲ ବ୍ଲକ୍ର ଅଧିକାଂଶ ସ୍ଥାନରେ ଏହି ବୁଦ୍ବୁଦା ନାଳର ଜଳକୁ ଲୋକମାନେ ପିଇବା ଏବଂ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା କ୍ଷେତ୍ରରେ ପ୍ରୟୋଗ କରିଥାନ୍ତି । କେତେକ ସ୍ଥାନରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ପାଇପ୍ ଯୋଗେ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଥିଲେ ମଧ୍ୟ ସେହି ଜଳରେ ବିଭିନ୍ନ ପ୍ରକାରର ଖଣିଜ ଏବଂ ଧାତବ ରାସାୟନିକ ପଦାର୍ଥ ରହୁଛି । ଏହା ଫଳରେ ବହୁ ସଂଖ୍ୟାରେ ଲୋକେ କିଡ୍ନୀ ଜନିତ ସମସ୍ୟା ଭୋଗୁଛନ୍ତି ।
ଇତିମଧ୍ୟରେ ରେଢ଼ାଖୋଲରେ ୮ ଜଣଙ୍କର କିଡ୍ନୀ ରୋଗରେ ଜୀବନ ଗଲାଣି । ଲୁହାପଙ୍କ ଗ୍ରାମ ପଞ୍ଚାୟତର କୁସୁମଖୋଳ ଗାଁରେ ଏବେ ୬ ଜଣ ବ୍ୟକ୍ତି କିଡ୍ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ସହ ସଂଘର୍ଷ କରୁଛନ୍ତି । ଏହି ଗ୍ରାମରେ ରହିଥିବା ୩ଟି ନଳକୂପ ମଧ୍ୟରୁ କୌଣସିଟି ସୁଦ୍ଧା ପାନୀୟଯୋଗ୍ୟ ନୁହେଁ । ଏହି ନଳକୂପରୁ ଲାଲ ପାଣି କିମ୍ବା କଳା ଗୁଣ୍ଡ ମିଶା ପାଣି ବାହାରୁଛି । ଲୋକମାନଙ୍କର ଆର୍ଥôକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେମାନେ ଚିକିତ୍ସା ମଧ୍ୟ କରାଇ ପାରୁନାହାନ୍ତି । ବ୍ଲକ୍ର ତି୍ରବେଣୀପୁର ଗ୍ରାମ ପଞ୍ଚାୟତ, ବଂଶାଜାଲ ଗ୍ରାମ ପଞ୍ଚାୟତ, କଦଳୀଗଡ଼ ଗ୍ରାମ ପଞ୍ଚାୟତ, ରେଢ଼ାଖୋଲ ଏନ୍ଏସି ଅଞ୍ଚଳ ଆଦି ବିଭିନ୍ନ ସ୍ଥାନରେ କିଡ୍ନୀ ରୋଗୀଙ୍କର ସଂଖ୍ୟା ବଢୁଛି । ଗତ ୨/୩ ବର୍ଷ ହେଲା ଏହିଭଳି ଏକ ସମସ୍ୟା ବଢୁଥିବା ଲକ୍ଷ୍ୟ କରାଗଲାଣି । ଗୋଟିଏ ପକ୍ଷରେ ଦୂଷିତ ଜଳ ଏବଂ ଅନ୍ୟପକ୍ଷରେ ଚିକିତ୍ସାର ସୁବିଧା ନଥିବାରୁ ଅକାଳରେ ଲୋକଙ୍କ ଜୀବନ ଝଡ଼ିପଡୁଛି । ଏ ଦିଗରେ ସ୍ଥାନୀୟ ସ୍ୱାୟତ୍ତଶାସନ ବ୍ୟବସ୍ଥା କିମ୍ବା ପଞ୍ଚାୟତ ବ୍ୟବସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇପାରୁନାହିଁ । ଲୋକମାନଙ୍କର ଆର୍ଥôକ ଅବସ୍ଥା ଦୁର୍ବଳ ଥିବାରୁ ସେମାନେ ନିକଟସ୍ଥ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ୍କୁ ମଧ୍ୟ ଯାଇପାରୁନାହାନ୍ତି । ଅନ୍ତତଃପକ୍ଷେ ଗ୍ରାମାଞ୍ଚଳରେ କିଡ୍ନୀ ଜନିତ ସମସ୍ୟା ଭୋଗୁଥିବା ଲୋକଙ୍କୁ ଚିହ୍ନଟ କରି ସେହି ଗ୍ରାମ ଭିତରେ ସେମାନଙ୍କୁ ଔଷଧ ବିତରଣ କରାଯିବା ଆବଶ୍ୟକ । ଏ ପ୍ରକାରର ସ୍ୱାସ୍ଥ୍ୟଗତ ପଦକ୍ଷେପ ତୁରନ୍ତ ନିଆନଗଲେ ଆସନ୍ତା ଅଳ୍ପ କିଛିମାସ ଭିତରେ ଅନେକ ଲୋକ କିଡ୍ନୀ ରୋଗ ଜନିତ ସମସ୍ୟାରେ ଚିକିତ୍ସା ଏବଂ ଔଷଧ ଅଭାବରେ ମୃତୁ୍ୟବରଣ କରିବେ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଏ ନେଇ ଡାକ୍ତରୀ ଦଳ ଗଠନ କରାଯାଇ ଗ୍ରାମାଞ୍ଚଳରେ ଔଷଧ ଏବଂ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ପଞ୍ଚାୟତବାସୀ ଦାବି କରିଲେଣି । ଏବେ ସରକାର ବଦଳିଥିବାରୁ ନୂଆ ସରକାର ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଦୃଢ଼ ପଦକ୍ଷେପ ନେବେ ବୋଲି ରେଢ଼ାଖୋଲ ଅଞ୍ଚଳବାସୀ ଆଶା କରିଛନ୍ତି । ପ୍ରାକୃତିକ ଜଳଉତ୍ସ ଗୁଡ଼ିକ ବର୍ତ୍ତମାନ ଖରାଦିନେ ଲୋକମାନଙ୍କର ମୁଖ୍ୟ ଭରସା ଭାବରେ ଦେଖା ଦେଇଛି । କୂଅ, ପୋଖରୀ ଆଦି ପାରମ୍ପରିକ ଜଳଉତ୍ସ ଆଦି ସବୁ ଶୁଖିଯାଉଥିବାରୁ ସରକାରଙ୍କ ଦ୍ୱାରା ବସାଯାଇଥିବା ନଳକୂପ ଉପରେ ନିର୍ଭର କରିବାକୁ ଲୋକେ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ନଳକୂପ ଗୁଡ଼ିକ ବ୍ୟବହାର ଉପଯୋଗୀ ନୁହେଁ । ତେଣୁ ଅନ୍ତତଃପକ୍ଷେ ନଳକୂପ ଗୁଡ଼ିକର ଓଝାଳିବା କାମ ଏବଂ ବିଶୁଦ୍ଧିକରଣ କାମ ତୁରନ୍ତ କରାଯିବା ଉଚିତ୍ ।