ସୁନ୍ଦର ପୃଥିବୀର ଅନ୍ଧ ମଣିଷ


ନିତିଦିନିଆ ଜୀବନରେ ଆମ୍ଭେମାନେ ଅନେକ ସମୟରେ ଭଗବାନଙ୍କ କରୁଣା, କୃପା ଓ ତାଙ୍କ ଦିବ୍ୟ ଇଛାକୁ ବୁଝିବାକୁ ସମର୍ଥ ହୋଇନଥାଉ । ଆମ ମାନଙ୍କ ଭିତରେ ଭଗବାନଙ୍କ ସୃଷ୍ଟିର ସଂକଳ୍ପକୁ ମଧ୍ୟ ବୁଝିପାରିବା ସମ୍ଭବ ହୋଇନଥାଏ । ଭଗବାନ ଏ ସୁନ୍ଦର ସୃଷ୍ଟିରେ ସବୁ କିଛି ତାଙ୍କରି ଇଛାରେ ସର୍ଜନା କରିଥିଲେ ମଧ୍ୟ ସେ ସବୁ ପଛରେ ଥାଏ । ଆମ୍ଭମାନଙ୍କ ପ୍ରତି ତାଙ୍କର ଦିବ୍ୟ କୃପା ଓ ଆଶୀର୍ବାଦ ତଥାପି ଆମ୍ଭେମାନେ ଅନ୍ଧ ମଣିଷ ଭାବେ ତାଙ୍କ କୃପାକୁ ବୁଝିବାକୁ ସମର୍ଥ ହୋଇନଥାଉ । ଅନେକଙ୍କ ଜୀବନରେ ପ୍ରାୟତଃ ଦେଖାଯାଇଥାଏ ଜୀବନ ଯନ୍ତ୍ରଣାର ଅନେକ କୋହ । ରକ୍ତଜ ସମ୍ପର୍କୀୟମାନେ ମଧ୍ୟ ସ୍ୱାର୍ଥଲିପ୍ସୁ ପାଲଟି ଯାଆନ୍ତି । ଅନେକ କ୍ଷେତ୍ରରେ ଆମେ ଭଗବାନଙ୍କ ଇଛା ଭାବି କିଛିକୁ ଗ୍ରହଣ କରୁଥିଲେ ମଧ୍ୟ ଆଉ କିଛିକୁ ଆମ୍ଭେମାନେ ଗ୍ରହଣ କରିବାକୁ ସମର୍ଥ ହୋଇନଥାଉ । ଏହି ପ୍ରସଙ୍ଗ ମୋ ମନ ଭିତରେ ଆନେ୍ଦାଳିତ ହେଉଥିବାବେଳେ ଅନେକ ଦିନ ତଳେ ପଡ଼ିଥିବା ଏକ ପତ୍ରିକାର ଛୋଟିଆ ଅଥଚ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ କଥାଟି ଆପଣଙ୍କ ସାମ୍ନାରେ ଉଲ୍ଲେଖ କରୁଛି । 
ଯୁବତୀଟିଏ ଥିଲା ଦୃଷ୍ଟିହୀନା । ଏ ଭଳି ଅବସ୍ଥା ପାଇଁ ମନେ ମନେ ଧିକ୍କାରୁ ଥିଲା ନିଜକୁ । ଈଶ୍ୱରଙ୍କ ଉପରେ ଅଭିମାନ ବି କରୁଥିଲା । ବାପାମାଙ୍କ ଠାରୁ ଆରମ୍ଭ କରି ସାହି ପଡ଼ିଶା, ସାଙ୍ଗ ସାଥୀ ସମେସ୍ତ ଯେମିତି ତାର ପର, କେବଳ ଜଣକୁ ଛାଡ଼ି । ସେ ଜଣକ ଥିଲା ତା'ର ପୁରୁଷ ବନ୍ଧୁ । ବନ୍ଧୁ ଜଣକ ଥିଲା ଖୁବ୍ ସ୍ନେହୀ ଆଉ ଦରଦୀ । ଏମିତି କଥା ପ୍ରସଙ୍ଗରେ ଥରେ ବାନ୍ଧବୀ କହିଲା, ସତରେ ତୁମେ କେତେ ଭାଗ୍ୟବାନ । ସବୁକିଛି ଦେଖିପାରୁଛ, ଚିହ୍ନିପାରୁଛ, ଜାଣିପାରୁଛ । ମୁଁ ତ ହତଭାଗିନୀଟିଏ । ତୁମ ପରି ମୋର ଆଖି ଯୋଡ଼ିଏ ଥିଲେ, ସତ କହୁଛି, ତୁମକୁ ମୁଁ ବିବାହ କରନ୍ତି । ଖୁସିର କଥା, କିଛି ଦିନ ପରେ କେହି ଜଣେ ଯୁବତୀକୁ ଚକ୍ଷୁଦାନ କଲେ । ସେ ଏବେ ସବୁ କିଛି ଦେଖିପାରିଲା, ନିଜ ପୁରୁଷ ବନ୍ଧୁକୁ ବି । ମାତ୍ର ପୁରୁଷ ବନ୍ଧୁ ଜଣକ ଅନ୍ଧ ବୋଲି ଜାଣି ସେ ଯେତିକି ଆଶ୍ଚର୍ଯ୍ୟ ହେଲା, ଦୁଃଖିତ ହେଲା ଅଧିକ । ଏବେ ବନ୍ଧୁଟି ବିବାହ ପ୍ରସ୍ତାବ ଦେଲା । ଜଣେ ଅନ୍ଧର ହାତ ଧରିବାକୁ ବାନ୍ଧବୀ ରାଜି ହେଲାନାହିଁ । ସେ କେବେ ଭାବି ନଥିଲା ଯେ ତାର ସ୍ୱପ୍ନର ପୁରୁଷ ଜଣେ ଅନ୍ଧ ହୋଇଥିବ । ଏତେ ସୁନ୍ଦର ପୃଥିବୀରେ ଜଣେ ଅନ୍ଧକୁ ନେଇ ସଂସାର ବାନ୍ଧିବା ଅସମ୍ଭବ ଭାବି ବାନ୍ଧବୀ ତାର ଶେଷ ନିଷ୍ପତ୍ତି ଜଣାଇଦେଲା । ଲୁହ ଆଉ କୋହକୁ ସାଥୀ କରି ଫେରି ଆସିଲା ପୁରୁଷ ବନ୍ଧୁ । ଅନେକ ଦିନ ପରେ ବାନ୍ଧବୀ ଏକ ଚିଠି ପାଇଲେ । ସେଥିରେ କେବଳ ଏତିକି ଲେଖାଥିଲା, ନିଜ ଆଖିର ଯତ୍ନ ନେବ । ଏବେ ଯେଉଁ ଆଖିରେ ତୁମେ ଏ ସୁନ୍ଦର ପୃଥିବୀକୁ ଦେଖିପାରୁଛ, ସେ ଆଖିରେ ଦିନେ ମୁଁ ତୁମକୁ ଦେଖୁଥିଲି ।
ନିରୁପମା ଭୂୟାଁ,ମୋ : ୯୯୩୭୪୭୦୯୮୦