ମନର ପରିଭାଷା

ଗୋଟିଏ ସ୍ଥାନରେ ଭଜନ ଚାଲିଥାଏ । ଦିବ୍ୟାତ୍ମା ନାମକ ପିଲାଟିଏ ଭଜନରେ ନ ବସି ଗୋଟିଏ ମୋବାଇଲ ଫୋନ ଧରି ଏ ଘରରୁ ସେ ଘରକୁ ଦୌଡ଼ୁଥାଏ । ମଝିରେ ମଝିରେ ଯେଉଁମାନେ ଭଜନ ଗାଉଥାନ୍ତି ସେମାନଙ୍କ ମୁହଁକୁ ଯାଇ ଦେଖୁଥାଏ । କହିବାକୁ ଗଲେ ସେ ଅସ୍ଥିର । ଭଜନ ସରିଯିବା ପରେ ଧ୍ୟାନ କରିବା ପାଇଁ ଲାଇଟ ଲିଭାଇ ଦେବାରୁ କହି ଉଠିଲା, “ଲାଇନ ଚାଲିଗଲା’ ଓ ମୋବାଇଲ ଫୋନରେ ଟର୍ଚ୍ଚଟିକୁ ଜଳାଇ ସମସ୍ତଙ୍କ ମୁହଁ ଆଡ଼କୁ ପକାଇଲା କେତେକ ବିରକ୍ତ ହେଲେ ଓ କେତେକ ତାର ପିଲାଳିଆମି ଦେଖି ଖୁସି ହେଲେ ।
ଭାଗ୍ୟଲକ୍ଷ୍ମୀ ବୋଲି ଜଣେ ଭଦ୍ର ମହିଳାଙ୍କୁ କେମିତି କେମିତି ଲାଗିଲା । ସେ ମତେ ପଚାରିଲେ, ଏସବୁ ଘଟଣା ଭଜନରେ ଆମକୁ କ’ଣ ସୂଚନା ଦେଉଛି । ମୁଁ କହିଲି “ମନକୁ ନିୟନ୍ତ୍ରଣ କରିହେବ କି? ମନକୁ ଜବରଦସ୍ତି ନିୟନ୍ତ୍ରଣ କଲେ ପିଲାଟିଏ ଅଧିକ ଦୁଷ୍ଟ ହୋଇପାରେ । ପିଲାଙ୍କୁ ମାଡ଼ ଦେଲେ, ଗାଳିଦେଲେ ସେମାନେ ଅଧିକ ସଇତାନ ହୋଇଯାଆନ୍ତି । ଆମର ମନ ଶିଶୁ ଦିବ୍ୟାତ୍ମାର ମନ ପରି । ଏହାକୁ ନିୟନ୍ତ୍ରଣ କରିବାର ଏକମାତ୍ର ଉପାୟ ହେଉଛି ମନକୁ ଅନ୍ୟ ଦିଗରେ ପରିଚାଳିତ କରିବା । ସେ ଭଜନରେ ପାଟିତୁଣ୍ଡ ଓ ଗୋଳମାଳ କରୁଥିବାରୁ ମା’ତାକୁ ଶାନ୍ତ କରିବା ପାଇଁ ମୋବାଇଲଟି ଦେଇଥିଲେ । ମୋବାଇଲକୁ ଧରି କିଛି ସମୟ ଶାନ୍ତ ରହିବା ପରେ ତାର ମନ ପୁଣି ଅସ୍ଥିର ହେଲା ଓ ଏଣେ ତେଣେ ବୁଲିଲା । ଲାଇଟ ବନ୍ଦ କରିଦେବାରୁ ତାର ମନ ପୁଣି ବିଚଳିତ ହେଲା ଓ ସେ ମୋବାଇଲର ଲାଇଟ ଜଳାଇ ସମସ୍ତଙ୍କୁ ଆଲୋକ ପ୍ରଦାନ କରିପାରିବ ବୋଲି ଭାବି ସମସ୍ତଙ୍କୁ ଲାଇଟ ଦେଖାଇଲା । ମୁଁ ଦିବ୍ୟାତ୍ମା ଠାରୁ ଏତିକି ଶିଖିଲି, ମଣିଷର ମନକୁ ନିୟନ୍ତ୍ରିତ କରିବାର ଏକମାତ୍ର ଉପାୟ ହେଉଛି ମନକୁ ଅନ୍ୟ ଏକ ଦିଗରେ ପରିଚାଳିତ କରିବା । ତୁମେ ମନକୁ ଯେତେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବ ସେ ସେତେ ଶକ୍ତିଶାଳୀ ହେବ । ଯେତେ ତା ସହିତ ଯୁଦ୍ଧ କରିବ ସେ ଓଲଟି ପଡ଼ି ତୁମକୁ ଆକ୍ରମଣ କରିବ । ତେଣୁ ମନ ସହିତ ଶତ୍ରୁତା କରିବା ଅପେକ୍ଷା ତାକୁ ଉଚିତ ରାସ୍ତାରେ ପରିଚାଳିତ କରିବା ଉଚିତ । ମନକୁ ପ୍ରଚୁର କାମରେ ନିୟୋଜିତ କରିବା ଉଚିତ । ତାକୁ ଠିକ ରାସ୍ତା ଠିକ ଦିଗ ଓ ଶିକ୍ଷା ଦେବା ଉଚିତ । 
ଦିନେ ରାସ୍ତାରେ ଯାଉଥିବା ସମୟରେ ଦେଖିଲି ଜଣେ ବ୍ୟକ୍ତି ସାଇକେଲ ଚଲାଉଛନ୍ତି । ସାଇକେଲର ହ୍ୟାଣ୍ଡେଲ ଉପରେ ଗୋଟିଏ ମାଙ୍କଡ଼ ବସିଥାଏ ଓ ତାର ମାଲିକ ଆରାମରେ ସାଇକେଲ ଚଲାଉଥାଏ । ମୋ ପୁଅ ଶୁଭଙ୍କର ଏହା ଦେଖି ଖୁସି ହେଲା । ମତେ କହିଲା, “ମା ଆମେ ଗତକାଲି ସର୍କସ ଦେଖିବାକୁ ଯାଇଥିଲେ । ଗୋଟିଏ ହାତୀ ତିନି ଗୋଡ଼ିଆ ଟେବୁଲ ଉପରେ ଠିଆ ହେଲା । କାହାଳୀ ବଜାଇବାରୁ ସାପଟିଏ ନାଚିଲା । ସିଂହା ବାଘକୁ ତାର ପ୍ରଶିକ୍ଷକ ଯାହା କରିବାକୁ କହିଥାନ୍ତି ତାହା ସେମାନେ ସୁଚାରୁରୂପେ ପାଳନ କଲେ । ଏ ସବୁ କ’ଣ? ବାପା ଏ ସବୁ ମତେ କାହିଁକି ଦେଖାଇଲେ । ମୁଁ ତାକୁ କହିଲି ତୋର ମନ ବିଷାକ୍ତ ସାପଠାରୁ ଆହୁରି ବିଷାକ୍ତ । ମନକୁ ଶିକ୍ଷା ନଦେଲେ ଅଶିକ୍ଷିତ ପଶୁପରି ମନଟି ବ୍ୟବହାର କରିବ । ମନ ଆମର ଖୁବ କୋମଳ, ସ୍ପର୍ଶ କାତର ଓ ସବୁ ଜିନିଷକୁ ଗ୍ରହଣ କରିନିଏ ଏହା ଭଗବାନଙ୍କର ଏକ ବରଦାନ । ଏହା କାରଖାନାର କୌଣସି ବସ୍ତୁ ନୁହେଁ, ମନକୁ ମାରି ଦେବା ଉଚିତ ନୁହେଁ । ବରଂ ତାକୁ ଉଚିତ ମାର୍ଗରେ ପରିଚାଳିତ କରାଇ ଶିକ୍ଷା ଦେବା ଉଚିତ । ତୋର ମନ ଉଚିତ ଶିକ୍ଷା ପାଇଗଲେ ତୋର ବନ୍ଧୁ ହୋଇଯିବ । ତେଣୁ ମନକୁ ବନ୍ଧୁତାର ସହ ବ୍ୟବହାର କରିବା ଉଚିତ ଓ କୌଣସି କଥାରେ ହତୋତ୍ସାହ କିମ୍ବ ବିଷାଦଗ୍ରସ୍ତ ହେବା ଉଚିତ ନୁହେଁ । ଏହା ମନର ପାଗଳାମୀର ଫଳ । ସ୍କୁଲ ପରିଚାଳନା, ବେପାର ପରିଚାଳନା, ସ୍ୱାସ୍ଥ୍ୟ ପରିଚାଳନା ଉପରେ ଶିକ୍ଷା ଦିଆଯାଉଛି । କିନ୍ତୁ ମନର ନିୟନ୍ତ୍ରଣ ଶିକ୍ଷା ଖସଡ଼ା ତିଆରି ହୋଇ ପାରିନାହିଁ । ଗୋଟିଏ ଶାଢ଼ି କେତୋଟି ସୂତାର ସମଷ୍ଟି । ସୂତା ଗୋଟି ଗୋଟି କରି କାଢ଼ି ଦେଲେ ଶାଢ଼ି ରୁହେ ନାହିଁ । ସେହିପରି ମନରୁ ସାଂସାରିକ, କାମନା, ବାସନା କାଢ଼ି ଦେଲେ ମନ ତାର ଅସ୍ତିତ୍ୱ ହରାଏ । ମନ କେତେକ ଚିନ୍ତାର ସମଷ୍ଟି ଓ ଚିନ୍ତା ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଉଦ୍ରେକ ହୁଏ । ଶୁଭଙ୍କର କହିଲା ଆମ ସାର ତାଙ୍କ ଘରେ ଥିବା ଏକ ପୁରୁଣା ତାଲାକୁ ଚାବିରେ ଖୋଲିପାରୁ ନଥିଲେ । ମୁଁ ଚାବିଟିକୁ ଡାହାଣ ପଟକୁ ବୁଲାଇ ଖୋଲି ଦେଲି । କହିଲି ସାର ବାମ ପଟକୁ ବୁଲାଗଲେ ତାଲା ବନ୍ଦ ହୋଇଯାଉଛି । ମୁଁ କହିଲି ହଁରେ ପୁଅ ଆମ ଶରୀର ଏକ ତାଲା ପରି ମନ ହେଉଛି ତାର ଚାବି । ମନକୁ ସସଂସାର (ବାମ) ଆଡ଼କୁ ମୋଡ଼ିଲେ ଶରୀର ବନ୍ଧନଯୁକ୍ତ ହୁଏ ଓ ସଂସାରିକ କାମନା ବାସନା ଶୂନ୍ୟ ହୋଇ ଚାବିଟିକୁ ଡାହାଣ ପଟକୁ ମୋଡ଼ିଲେ ମୁକ୍ତିର ପଥ ସୁଗମ ହୁଏ । 
ଅନୀତା ପଟ୍ଟନାୟକ,ମୋ : ୯୬୯୨୯୮୦୦୨୬