ଅତିବଡ଼ୀ ଜଗନ୍ନାଥ ଦାସ

ଅତିବଡ଼ୀ ଜଗନ୍ନାଥ ଦାସ

ବାଦଲ ଭୂୟାଁ: ୧୪୯୨ ମସିହା ଭାଦ୍ରବ ଶୁକ୍ଳପକ୍ଷ ରାଧାଷ୍ଟମୀ ତିଥିରେ ପୁରୀର କପିଳେଶ୍ୱରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଆ ଭାଗବତର ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସ । ଆଜନ୍ମ ବ୍ରହ୍ମଚାରୀ ଜଗନ୍ନାଥ ତାଙ୍କ ମା'ଙ୍କ ଲାଗି ସଂସ୍କୃତ ଭାଗବତକୁ ସରଳ ସାବଲୀଳ ଭାବରେ ଓଡ଼ିଆ ପଦ ଆକାରରେ ରଚନା କରିଥିଲେ ବୋଲି କୁହାଯାଏ । ଶ୍ରଦ୍ଧାବାନ, ସଂଯତେନ୍ଦ୍ରିୟ ଏବଂ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଜଗନ୍ନାଥ ମାତ୍ର ୧୨ ବର୍ଷ ବୟସରେ ନବାକ୍ଷରୀ ଛନ୍ଦରେ ଭାଗବତ କଥାବସ୍ତୁକୁ ପଦ୍ୟରେ ପ୍ରକାଶ କରିଥିଲେ । ଭାଗବତ ଆବୃତ୍ତି ଏବେ ମଧ୍ୟ ମନ୍ତ୍ର ସଦୃଶ ବ୍ୟକ୍ତି ତଥା ପରିବାରର ମଙ୍ଗଳ ସାଧନ କଲେ ଏବଂ ଭାଗବତ ପଠନରେ ଭକ୍ତିଭାବରେ ଭରିଯାଏ ମନ । ଶ୍ରୀମନ୍ଦିରରେ ସୁଲଳିତ ମଧୁର କଣ୍ଠରେ ଭାଗବତ ଦଶମ ସ୍କନ୍ଧର କୃଷ୍ଣସ୍ତୁତି ଆବୃତ୍ତି କରୁଥିବା ବେଳେ ଶ୍ରୀଚୈତନ୍ୟ ଭେଟିଲେ ତରୁଣ ଜଗନ୍ନାଥଙ୍କୁ ଏବଂ ଅଭିଭୂତ ହୋଇଗଲେ । ଦିବ୍ୟଚକ୍ଷୁରେ ସେ ଜାଣିଲେ ଜଗନ୍ନାଥ ହେଉଛନ୍ତି ଜଣେ ସିଦ୍ଧ ପୁରୁଷ ଏବଂ ତାଙ୍କର ପାଣ୍ଡିତ୍ୟ ପାଇଁ ତାଙ୍କୁ ପ୍ରଦାନ କଲେ "ଅତିବଡ଼ୀ' ଉପାଧି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ନିଜକୁ ସମର୍ପଣ କରିଦେଇଥିଲେ ଜଗନ୍ନାଥ ଏବଂ ବଡ଼ି ଭୋରରୁ ପୁଣି ପ୍ରଭୁ ରତ୍ନପଲଙ୍କରେ ବିଜେ ହେବା ପର୍ଯ୍ୟନ୍ତ ରହୁଥିଲେ ଶ୍ରୀମନ୍ଦିର ଭିତରେ । ଓଡ଼ିଆ ଜନଜୀବନରେ ଘରେ ଘରେ ପରିଚିତ ଓଡ଼ିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସ । ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ପୁରୀ ନିକଟବର୍ତ୍ତୀ କପିଳେଶ୍ୱରପୁର ଶାସନରେ ୧୪୯୦ ଖ୍ରୀଷ୍ଟାବ୍ଦ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ବୁଧବାର ମଧ୍ୟାହ୍ନରେ ଅନୁରାଧ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ । ସେଦିନଟି ଥିଲା ପବିତ୍ର ରାଧାଷ୍ଟମୀ  । ପିତା ଭଗବାନ ଦାସ ଓ ମାତା ପଦ୍ମାବତୀଙ୍କ କୋଳମଣ୍ଡନ କରିଥିବା ଜଗନ୍ନାଥ ଦାସଙ୍କ ପିତା ଶ୍ରୀମନ୍ଦିରରେ ପ୍ରତ୍ୟେହ ପୁରାଣ ପାଠ କରୁଥିଲେ । ନିସନ୍ତାନ ଥିବା ତାଙ୍କ ପିତା ଭଗବାନ ଦାସ ପରବର୍ତ୍ତୀ ସମୟରେ ପୁତ୍ର ସନ୍ତାନ ଲାଭ କଲାପରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଚରଣାବିନ୍ଦରେ ସମର୍ପଣ କରି ତାଙ୍କ ନାମ କରଣ କରିଥିଲେ ଜଗନ୍ନାଥ ଦାସ । ୧୫୧୦ ଖ୍ରୀଷ୍ଟାବ୍ଦରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବଙ୍ଗ ଦେଶରୁ ବୈଷ୍ଣବ ଭକ୍ତ ଭଗବାନ ଶ୍ରୀ ଚୈତନ୍ୟ ଜଗନ୍ନାଥ ଦାସଙ୍କ ଭକ୍ତିନିଷ୍ଠାର ଅପୂର୍ବ ପରିଚୟ ପାଇ ତାଙ୍କୁ କୋଳାଗ୍ରତପୂର୍ବକ ସମସ୍ତ ବୈଷ୍ଣବମଣ୍ଡଳୀ ସମ୍ମୁଖରେ ଅତିବଡ଼ୀ ଉପାଧିରେ ଭୂଷିତ କରିଥିଲେ । "ଜଗନ୍ନାଥ ଚରିତ୍ରାମୃତରେ ବିପ୍ର ଦିବାକର ଦାସ ଲେଖଛନ୍ତି - "ଆପଣା ଶ୍ରୀଅଙ୍ଗ ପାଛୋଡି । କସାବସନ ଅଙ୍ଗୁକାଢ଼ି, ଦାସଙ୍କ ଶିରେ ବାନ୍ଧିଦେଲେ, ଅତିବଡ଼ି ବୋଲି ବୋଇଲେ ।''
ପିଲାଟି ଦିନୁ ଜଗନ୍ନାଥ ଦାସ ସଂସାର ପ୍ରତି ବିମୁଖ ଥିଲେ । ମାତ୍ର ୧୮ ବର୍ଷ ବୟସରେ ସେ ଶ୍ରୀଚୈତନ୍ୟଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଭିତରେ ସନ୍ନ୍ୟାସ ଧର୍ମ ଗ୍ରହଣ ପାଇଁ ପ୍ରେରଣା ସୃଷ୍ଟି ହୋଇଥିଲା । ପଞ୍ଚସଖା ଯୁଗର ପ୍ରଥମ ସଖା ସିଦ୍ଧକବି ବଳରାମ ଦାସ ଭଗବାନ ଶ୍ରୀଚୈତନ୍ୟଙ୍କ ଆଜ୍ଞାରେ ଭଗବତ୍କାର ଜଗନ୍ନାଥ ଦାସଙ୍କୁ କର୍ଣ୍ଣମନ୍ତ୍ର ଦେଇ ବୈଷ୍ଣବ ଧର୍ମରେ ଦୀକ୍ଷିତ କରାଇବା ସମ୍ପର୍କରେ ବିପ୍ର ଦିବାକର ଦାସ ଉଲ୍ଲେଖ କରିଛନ୍ତି - "ୟେମନ୍ତେ ଜଗନ୍ନାଥ ଦାସ, କହିଲେ ଶ୍ରୀ ଚୈତନ୍ୟ ପାଶ । ହେ ଦେବଭକତି ସାଗର, ଶ୍ରୀହରି ନାମ ଆଜ୍ଞାକର । ଶୁଣି ହରଷ ପ୍ରଭୁ ହେଲେ, ମଞ୍ଚ ବଳରାମେ ଚାହିଁଲେ । ଏହାଙ୍କୁ ଉପଦେଶ ଦିଅ, ରାମାଦୀ କୀର୍ତ୍ତନ କରାଅ ।' ଅଚୁ୍ୟତାନନ୍ଦଙ୍କ ରାସଗୁରୁ ଥିଲେ ଭଗବତକାର ଜଗନ୍ନାଥ ଦାସ । ଅଭଦୁତ୍ଙ୍କର ଚବିଶ ଗୁରୁ ଭଳି ଜଗନ୍ନାଥ ଦାସ ମଧ୍ୟ ତାହାଙ୍କର ଜଣେ ଗୁରୁ ଥିଲେ । ବରଣ ଗୀତାରେ ଲିପିବଦ୍ଧ ରହିଛି - "ଗୋପାଳ ବାଉତି ଶିଷ୍ୟ ଜଗନ୍ନାଥ ଦାସ, ଭାଗବତ କହି ଜୋତି ତୁହଁ ପରକାଶ । ଅତୀଅ ସୁଗ୍ୟାଂନୀ ଗୁରୁ ଭଗତଙ୍କ ଶ୍ରୀଷ, ଜଗନ୍ନାଥ ଦାସ ଶିଷ୍ୟ ମୁଁ ଅଚୁ୍ୟତ ଦାସ ।' ପିଲାଟି ଦିନରୁ ବାଳକ ଜଗନ୍ନାଥଙ୍କ ଆଧ୍ୟାତ୍ମିକତା ସମସ୍ତଙ୍କ ପାଖରେ ସୁରଭିତ ହୋଇଥିଲା । ଅସାଧାରଣ ବୁଦ୍ଧିସଂପନ୍ନ ଜଗନ୍ନାଥ ପିତାଙ୍କ ନିକଟରୁ ବୈଦିକତା ସଂସ୍କୃତ ସାହିତ୍ୟରେ ବେଦବେଦାନ୍ତ, ଶ୍ରୀମଦ୍ ଭାଗବତ, ରାମାୟଣ, ବ୍ୟାକରଣ ପ୍ରଭୃତି ଅଧ୍ୟୟନ କରି ଶାସ୍ତ୍ରବିଜ୍ଞାନରେ ନିଜର ପାରଦର୍ଶିତା ସମସ୍ତଙ୍କ ପାଖରେ ପ୍ରଶଂସାର ଘଟଣା ଥିଲା । ମାତ୍ର ପନ୍ଦର ବର୍ଷ ବୟସରେ ସେ ପିତୃହରା ହୋଇଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ଅନୁବାଦ କରି ଶ୍ରୀମନ୍ଦିର ନିକଟରେ ଥିବା ଗଣେଶଙ୍କ ନିକଟରେ ନିୟମିତ ପାଠ କରୁଥିଲେ । ତେବେ କିମ୍ବଦନ୍ତୀର ତଥ୍ୟ ଅନୁଯାୟୀ ନିଜର ବୃଦ୍ଧାମାତାଙ୍କ ଅନ୍ତିମ କାମନାପୂର୍ଣ୍ଣ କରିବା ପାଇଁ ଜଗନ୍ନାଥ ଦାସ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ସଂସ୍କୃତ ଭାଗବତକୁ ଅନୁବାଦ କରିଥିଲେ ।  ଓଡ଼ିଆ ଧର୍ମ ସାହିତ୍ୟକୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଅବଦାନ ଅତୁଳନୀୟ । ସେ ଅନେକ ଭକ୍ତିଗୀତ ଭଜନ ସହିତ ଅଣଷଠି ଖଣ୍ଡ ଅପୂର୍ବ ଗ୍ରନ୍ଥ ରଚନା କରିଯାଇଛନ୍ତି ସେଗୁଡ଼ିକ ହେଉଛି ଭାଗବତ, ରାମାୟଣ, ମହାଭାରତ, ଗୁପ୍ତ ଭାଗବତ, ତୁଳାଭିଣା, ଶୂନ୍ୟଭାଗବତ, ଶୈବାଗମ ଭାଗବତ, ଦାରୁବ୍ରହ୍ମ ଗୀତା, ପଞ୍ଚଭୂତ ଗୀତା, ପ୍ରାସାଙ୍ଗଦଳନ, ଅର୍ଥକୋଇଲି, ଗୋପୀଭାଷା ଅର୍ଥ, ମନଶିକ୍ଷା, ରୁକ୍ମିଣୀ ମାଳିକା, ଭବିଷ୍ୟମାଳିକା, କଳି ମାଳିକା, ଇନ୍ଦ୍ର ମାଳିକା, ନିତ୍ୟ ନୀଳାଦ୍ରି ବିଳାସ, ପ୍ରମୋଦ ଚିନ୍ତାମଣି, ହରିଣୀ ସ୍ତୁତି, ଗଜନ ନିସ୍ତାରଣ, ଛାଟ, ପଷାପର୍ବ, କାଳୀୟ ଦଳନ, ଅଳଙ୍କାର ବୋଲି, ଉଦ୍ଧବ ଜଣାଣ, ଅକ୍ରୁର ବୋଲି, ଭକ୍ତି ଚନ୍ଦ୍ରିକା, ବ୍ରହ୍ମଗୀତା, ନିଳଗିରି ଧ୍ୟାନ, ଗୁପ୍ତଗୀତା, ଇତିହାସ ପୁରାଣ, ପ୍ରଭୁପାଦନିଧି, ଉଷା ପରିଣୟ, ଦୀକ୍ଷା ସମ୍ବାଦ, ପାହାନ୍ତି ଅବକାଶ, ମାଳା ନିର୍ଣ୍ଣୟ, ପଦ୍ମକଳ୍ପଟିକା, ଗୁଣ୍ଡିଚା ବିଜେ, କଷନ ସାଗର ଗୀତା, ଶ୍ରୀନିତ୍ୟ ଚୁଡ଼ାମଣି, ଶୁଧାତ୍ରୟମ, ଭୂଗୋଳ ଏକାଦଶ ସ୍କନ୍ଧ, ଅମୀୟ କୁଣ୍ଡଳୀ, ଷୋଳ ଚଉପତି, ପ୍ରଭୁପାଦ ସୁଧାନିଧି, ଦହିଖେଳ, ଧ୍ରୁବସ୍ତୁତି, ଶ୍ରୀନାମ ଚନ୍ଦି୍ରକା, ଚନ୍ଦ୍ରିକା, ରାସକ୍ରୀଡ଼ା, ଜ୍ୱରାବଳୀ, ଏକାଦଶୀ ବ୍ରତ ଗୀତା, ଜ୍ଞାନସାର ଗୀତା, ଫୁଲତୋଳା ଚଉତିଷା, ଦ୍ୱିତୁବୋଧ, ସତ୍ସଙ୍ଗ ଓ ଶରତ ରାସ । ଏହାବ୍ୟତୀତ ସଂସ୍କୃତ ଭାଷାରେ ଏକାଧିକ ମୌଳିକ ଗ୍ରନ୍ଥର ସେ ଜଣେ ସଫଳ ରଚନାକାର । ସେଗୁଡ଼ିକ ହେଉଛି କୃଷ୍ଣଭକ୍ତି କଳ୍ପଲତା, ପ୍ରେମସୁଧା ନିଧି, ନିତ୍ୟ ଚିନ୍ତାମଣି, କୃଷ୍ଣଭକ୍ତିକଳ୍ପଲତା ପଳ, ଉପସନା ସତକମ୍, ନିତ୍ୟାଚାର, ଦୀକ୍ଷା ସଂହିତା ସୋପାନ ବିଧି, ନୀଳାଦ୍ରି ସତକମ୍ ଜଗନ୍ନାଥ ଚରିତୋମ୍ବଧି ଶରଣିଂମ୍ , ବୈଷ୍ଣବ ଆଚରଣ, ଶ୍ରୀନିତ୍ୟଚୁଡ଼ାମଣି । ଭକ୍ତକବି ଜଗନ୍ନାଥ ଦାସଙ୍କ ଅନନ୍ୟ ଭକ୍ତିଭାବ, ଜୀବନ ଦର୍ଶନ ଓ ଧାର୍ମିକ ମତବାଦର ପ୍ରମାଣ ମିଳିଥାଏ ନିମ୍ନ ଲିଖିତ ପଦ୍ୟାବଳୀରୁ - "ମହାରାଟ ବିଶ୍ୱବଟ, ଏ ବିରାଟୁ ସେ ବିରାଟ, ବିରାଟୁ ଅଖିଳ କୋଟି ହୁଏ ପ୍ରକଟ, ସ୍ଥାବର ଜଙ୍ଗମ କୀଟ, ପତଙ୍ଗାଦି ଯେତେ ଘଟ । ତହିଁ ଜୀବ ବଳଦେବ ଶ୍ରେଷ୍ଠ କନିଷ୍ଠ, ଜଗନ୍ନାଥ ପରମ ରୂପୀ, ପ୍ରକୃତି ଅଂଶେ ସୁଭଦ୍ରା ବ୍ୟାପୀ ।  ଓଡ଼ିଆ ଧର୍ମ ସାହିତ୍ୟର ସଫଳ ସ୍ରଷ୍ଟା ତଥା ମହାପ୍ରଭୁ ଜଗନ୍ନାଥଙ୍କ ପରମଭକ୍ତ ଜଗନ୍ନାଥ ଦାସ ମାତ୍ର ଷାଠିଏ ବର୍ଷ ପର୍ଯ୍ୟନ୍ତ ଜୀବନ ଧାରଣ କରିଥିଲେ । ସେ ୧୫୫୦ ଖ୍ରୀଷ୍ଟାବ୍ଦ ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଶ୍ରୀକ୍ଷେତ୍ରସ୍ଥ ସାତଲହଡ଼ି ମଠରେ ବୈକୁଣ୍ଠ ପ୍ରାପ୍ତି ହୋଇଥିଲେ । 
ମୋ : ୭୪୮୮୯୯୮୫୩୨