ନୂଆ ଜୀବନ ଦେଉଛି ମୃତକଙ୍କ ଅଙ୍ଗ


ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ସତ୍ତ୍ୱେ ମଣିଷର ଅଙ୍ଗ ତିଆରି କରିବାରେ ଚିକିତ୍ସା ବିଜ୍ଞାନ ସଫଳ ହୋଇନାହିଁ । କିନ୍ତୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଅନ୍ୟ ଶରୀରରୁ ଜୀବିତ କିମ୍ବା ମୃତ ଅଙ୍ଗ ସଂଗ୍ରହ ଓ ପ୍ରତିରୋପଣ ଜରିଆରେ ଚିକିତ୍ସା ବିଜ୍ଞାନ ଅନେକ ବାଟ ଆଗେଇ ଯାଇଛି । ଚିକିତ୍ସା ବିଜ୍ଞାନରେ ଅଙ୍ଗଦାନ ଏକ ନୂଆ କ୍ଷେତ୍ର ଯେଉଁଠି ମୃତୁ୍ୟ ପରେ ଗୋଟିଏ ମଣିଷର ହୃତପିଣ୍ଡ, ଫୁସଫୁସ, ବୃକକ୍, ଯକୃତ, ଚକ୍ଷୁ ମୂଲ୍ୟବାନ ଅଙ୍ଗକୁ ଅନ୍ୟ ଲୋକଙ୍କ ଦେହରେ ପ୍ରତିରୋପଣ କରାଯାଉଛି । ଏହାଦ୍ୱାରା ବହୁ ଲୋକ ନୂଆ ଜୀବନ ପାଉଛନ୍ତି । କିନ୍ତୁ ଏ ଦିଗରେ ଅନେକ ପ୍ରତିବନ୍ଧକ ରହିଛି । ସେ ସବୁର ପ୍ରତିକାର କରାଯାଇପାରିଲେ ଅଙ୍ଗଦାନ ମାନବ ସଭ୍ୟତାରେ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିପାରିବ । ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହରାଇ ପ୍ରତିବର୍ଷ ବହୁ ସଂଖ୍ୟାରେ ଲୋକଙ୍କ ମୃତୁ୍ୟ ଘଟୁଛି । ବର୍ଷକୁ ପ୍ରାୟ  ଦୁଇ ଲକ୍ଷ ଲୋକେ ଯକୃତ ହରାଇବାରେ ମୃତୁ୍ୟବରଣ କରୁଥିବାବେଳେ ପ୍ରାୟ  ପଚାଶ ହଜାର ଲୋକେ ହୃଦଘାତରେ ପ୍ରାଣ ହରାଉଛନ୍ତି । ସେହିପରି କିଡ଼ନୀ, ଅଗ୍ନାଶୟ, ଫୁସଫୁସ, ଆମାଶୟ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହରାଇ ଅନେକଙ୍କ ପ୍ରାଣ ଯାଉଛି । କିନ୍ତୁ ଏହିସବୁ ଅଙ୍ଗ ଆବଶ୍ୟକତା ଅନୁସାରେ ପ୍ରତିରୋପଣ ହୋଇପାରୁନାହିଁ । ଅଙ୍ଗଦାନ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା କରାଯାଉଛି । ଏ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ବହୁ ଆଗରେ ରହିଛି । ଓଡ଼ିଶାରେ ଅଙ୍ଗଦାତାଙ୍କ ମର ଶରୀରକୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବା ସହ ଅଙ୍ଗଦାନ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂରଜ ସମ୍ମାନ ପ୍ରଦାନ ଆରମ୍ଭ କରିଥିଲେ । ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କ ମୃତୁ୍ୟ ହେବା ପରେ ଏକ ଗୋଲଡ଼େନ ପିରିୟଡ଼ ରହିଥାଏ । ଏହି ସମୟ ଅବଧି ମଧ୍ୟରେ ମର ଶରୀରରୁ ଅଙ୍ଗ କଢ଼ାଯାଇ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥାଏ । କିନ୍ତୁ ଏହି ସୁବର୍ଣ୍ଣ ସମୟଟି ପ୍ରତି ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ହାତରେ ରହିଥିବାବେଳେ ସେମାନେ ଏହାକୁ ପାଳନ କରୁନଥିବା କୁହାଯାଉଛି । ପ୍ରତି ହସ୍ପିଟାଲରେ ଆଇସିୟୁରେ ବ୍ରେନ ଡେଡ ଚିହ୍ନଟ ପାଇଁ ଚାରି ଜଣିଆ କମିଟି ରହିଥାନ୍ତି । ସେମାନେ ଏ ସମ୍ପର୍କରେ ଘୋଷଣା କରିଥାନ୍ତି । ପରେ ମୃତକଙ୍କ ପରିବାରଲୋକଙ୍କୁ ଅଙ୍ଗଦାନ ପାଇଁ ପ୍ରସ୍ତାବ ଦିଆଯାଇ ଏକ ଫର୍ମ ପୂରଣ କରାଯାଇଥାଏ । ବ୍ରେଡ଼ ଡେଡ ସମୟକୁ ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଘୋଷଣା କରୁନଥିବାରୁ ଏହି ପ୍ରକ୍ରିୟା ବିଳମ୍ବ ହୋଇ ମୃତ ବ୍ୟକ୍ତିଙ୍କ ଅଙ୍ଗ ପ୍ରତିରୋପଣ ହୋଇପାରୁନଥିବା କୁହାଯାଉଛି ।
ପ୍ରତିବର୍ଷ ପ୍ରାୟ ଅଶୀ ଜଣ ଲୋକେ ଅଙ୍ଗ ପ୍ରତିରୋପଣ କରୁଥିବା ବେଳେ ଏ ପର୍ଯ୍ୟନ୍ତ ସତର ଜଣ ଅଙ୍ଗଦାନ କରିଥିବା ଜଣାପଡ଼ିଛି । କେବଳ ୨୦୨୪ ମସିହା ଅଗଷ୍ଟ ମାସ ସୁଦ୍ଧା ୯ଜଣ ଅଙ୍ଗ ଦାନ କରିଛନ୍ତି । ସେଥିମଧ୍ୟରେ ଚାରି ଜଣ ଶିଶୁ ମଧ୍ୟ ରହିଥିବା ବେଳେ ଚଳିତ ବର୍ଷ ୧୦ଜଣଙ୍କୁ ସୂରଜ ସମ୍ମାନ ପ୍ରଦାନ କରାଯିବ ବୋଲି ସୋଟୋ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ଭାରତ ଶରୀର ଓ ଅଙ୍ଗଦାନ ସମିତି, ଅଧ୍ୟକ୍ଷ କହିଛନ୍ତି ଯେ ସେ ପ୍ରଥମେ ଓଡ଼ିଶାରେ ୨୦୧୨ ମସିହାରୁ ଭାରତ ଶରୀର ଅଙ୍ଗଦାନ ସମିତି ମାଧ୍ୟମରେ ସଚେତନତା ଆରମ୍ଭ କରିଥିଲେ । ଏ ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ଲୋକେ ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିସାରିଛନ୍ତି । ଏହାସହ ଅନଲାଇନ  (ବଦ୍ଭଶବୟବଦ୍ଭଦ୍ଭବ.ମକ୍ଟଜ୍ଞ) ମାଧ୍ୟମରେ ମଧ୍ୟ ପଞ୍ଜୀକରଣ ସୁବିଧା ରହିଛି । କିନ୍ତୁ ସରକାର କେବଳ ମେଟ୍ରୋ ସିଟି କଟକ ଏବଂ ଭୁବନେଶ୍ୱର ମଧ୍ୟରେ ଅଙ୍ଗ ପ୍ରତିରୋପଣ ସୁବିଧା କରିଥିବା ବେଳେ ସମସ୍ତ ଅଙ୍ଗ ପ୍ରତିରୋପଣ ସୁବିଧା ଏ ପର୍ଯ୍ୟନ୍ତ ହୋଇପାରି ନଥିବାରୁ ବାହାର ରାଜ୍ୟର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏହାସହ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସୁବିଧା ଯୋଗାଇଦେବା ଉଚିତ । କାରଣ ବିଭିନ୍ନ ଜିଲ୍ଲାରେ ପ୍ରତିଦିନ ଅନେକ ଲୋକ ବିଭିନ୍ନ ଦୁର୍ଘଟଣାରେ ମୃତୁ୍ୟବରଣ କରୁଥିଲେ ବି ସେମାନଙ୍କ ଅଙ୍ଗଦାନ କିମ୍ବା ପ୍ରତିରୋପଣ କରାଯାଇପାରୁନାହିଁ । ଏଥିପାଇଁ ସରକାରୀ ଭିତ୍ତିଭୂମିର ଆବଶ୍ୟକତା ଅତ୍ୟନ୍ତ ଜରୁରି । ସେହିପରି ଆମ୍ଭ ମାନଙ୍କ ଭିତରେ ସଚେତନତା ମଧ୍ୟ ବଢ଼ିବା ଜରୁରି ଯାହାଦ୍ୱାରା ମୃତୁ୍ୟପରେ ମଧ୍ୟ ଜଣେ ଅନ୍ୟ ମାନଙ୍କ ଶରୀରରେ ପୁନର୍ଜନ୍ମ ପାଇପାରିବ ଏବଂ ଏହା ଜୀବନର ଏକ ଶ୍ରେଷ୍ଠ ଦାନ ଓ ଜୀବନ ସାଧନା କହିଲେ ଅତୁ୍ୟକ୍ତି ହେବନାହିଁ । 
 ନାରାୟଣ ଚନ୍ଦ୍ର ବିଶ୍ୱାଳ
କଟକ