ମନୋବୃତ୍ତି
ଆଜ୍ଞା ନମସ୍କାର,
ବ୍ୟକ୍ତିର ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋଚନା କରିବା ବେଳେ ତାର ମନୋବୃତ୍ତି କଥାଟା ଆଲୋଚନା ପରିସରକୁ ଆସେ । ଏ ମନୋବୃତ୍ତିକୁ କୁହାଯାଏ ମାଇଣ୍ଡସେଟ୍ ।
ପ୍ରକୃତରେ ଦେଖିବାକୁ ଗଲେ କାହାର ବି ଏକ ନିର୍ଦ୍ଦିଷ୍ଟ ମନୋବୃତ୍ତି ବୋଲି କିଛି ନଥାଏ । ମନୋବୃତ୍ତିକୁ ପରିସ୍ଥିତି ଏବଂ ପରିବେଶ ତିଆରି କରେ । ସବୁବେଳେ ମିଛ, ଅସତ୍ୟ, ମିଥ୍ୟା ଆଧାରିତ କଥା, ପ୍ରମାଣ ନଥିବା ଉଡ଼ା କଥା ଶୁଣିଲେ ଯେକୌଣସି ବ୍ୟକ୍ତିର ମନୋବୃତ୍ତି ନକାରାତ୍ମକ ହୋଇଯାଏ । କ୍ରମାଗତ ଭାବରେ ଉଦେ୍ଦଶ୍ୟମୂଳକ ଭାବରେ ଏଭଳି କରୁଥିବା ବ୍ୟକ୍ତିମାନେ ସମାଜରେ ଲୋକମାନଙ୍କର ମନୋବୃତ୍ତିକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରନ୍ତି ।
ମାଇଣ୍ଡ୍ସେଟ୍ ଦି'ପ୍ରକାରର । ଗୋଟେ ସକାରାତ୍ମକ ମାଇଣ୍ଡ୍ସେଟ୍ ଏବଂ ଆଉ ଗୋଟେ ନକାରାତ୍ମକ ମାଇଣ୍ଡ୍ସେଟ୍ । ସବୁବେଳେ ନକାରାତ୍ମକ କଥାରେ ଗୁରୁତ୍ୱ ଦେଉଥିବା ବ୍ୟକ୍ତି ଦେଉଥିବା ମନ୍ତବ୍ୟଗୁଡ଼ିକ ଉପରେ ଲୋକମାନେ ଖୁସି ହୁଅନ୍ତି ନାହିଁ । ଏଭଳି ବ୍ୟକ୍ତିମାନଙ୍କ ପାଇଁ ନିଜ ମାତୃଭାଷା ପରିବର୍ତ୍ତେ ଲୋକଟାର "ମାଇଣ୍ଡସେଟ୍ ଏୟା' ବୋଲି ପଦୁଟିଏ କହି ଦିଅନ୍ତି ।
ଆମ ସାମାଜିକ ଜୀବନରେ କିଛି ଲୋକ ବିନା କାରଣରେ ବ୍ୟକ୍ତିଗତ ଭାବରେ ଅନ୍ୟମାନଙ୍କ ବିରୁଦ୍ଧରେ କୁତ୍ସାରଟନା କରନ୍ତି । ଉପରକୁ ଏହା ବିନାକାରଣ ବୋଲି ଜଣାପଡୁଥିଲେ ମଧ୍ୟ ଏଭଳି କୁତ୍ସାରଟନା ଫଳରେ ସେମାନଙ୍କର ଏକ ଲୁକ୍କାୟିତ ସ୍ୱାର୍ଥ ରହିଥାଏ । ତେଣୁ କୌଣସିି ଏକ ମାଇଣ୍ଡସେଟ୍ ତିଆରୁଥିବା ବ୍ୟକ୍ତି ବିନା କାରଣରେ ଏଭଳି କାମ କରେ ନାହିଁ । ଲୋକମାନଙ୍କ ମନୋବୃତ୍ତିକୁ ବଦଳାଇବାକୁ ଚେଷ୍ଟା କରିବା ପଛରେ ନିଶ୍ଚିତ ରୂପେ କିଛି ନା କିଛି ଉଦେ୍ଦଶ୍ୟ ରହିଥାଏ । ଏହି ଉଦେ୍ଦଶ୍ୟକୁ ବୁଝିପାରୁଥିବା ବ୍ୟକ୍ତି କେବେ ହେଲେ ଠକି ହୁଏ ନାହିଁ । କିନ୍ତୁ ଉଦେ୍ଦଶ୍ୟ ବୁଝିନପାରିଲେ, ସତ ହେଉ କି ମିଛ ହେଉ ଏସବୁ କଥାରେ ବିଶ୍ୱାସ କରିଲେ ଠକି ହୋଇଯିବା ନିଶ୍ଚିତ ।
ସମାଜରେ କିଛି ଲୋକଙ୍କ କାମ ହେଲା ଅନ୍ୟକୁ ଦେଖି ଅହର୍ନିଶ ଅସହିଷ୍ଣୁ ହେବା ଆଉ ସେଇଠୁ ଅନ୍ୟ ବିରୁଦ୍ଧରେ ଗୁଜବ ପ୍ରଚାର କରିବା । ଏହି ଗୁଜବଗୁଡ଼ିକ ମଧ୍ୟ ଏକ ପ୍ରକାରର ମାଇଣ୍ଡ୍ସେଟ୍ ପ୍ରସ୍ତୁତି ବା ସୃଷ୍ଟି । ଏଭଳି ଲୋକମାନେ ମିଛ କଥାକୁ କିମ୍ବା ଉଡ଼ା ଖବରକୁ ଏଭଳି ଭାବରେ ପ୍ରଚାର କରନ୍ତି ଯେ ଏସବୁକୁ ଶୁଣୁଥିବା ଲୋକ ସତ ଆଉ ମିଛ ଭିତରେ ଥିବା ପ୍ରଭେଦକୁ ଜାଣିପାରେ ନାହିଁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।