ମୃତୁ୍ୟଭୋଜି ଓ ମାନବିକତା


ଏପଟେ ହସ୍ପିଟାଲରୁ ବାପାର ଶବ ଆସି ଘର ପିଣ୍ଡାରେ ପଡ଼ିଛି  । ସେପଟେ ପୁଅର ଏକାଦଶାହ ଚିନ୍ତା । ମୁଣ୍ଡ ଉପରୁ ଛାତକୁ ହରେଇ ବସିଥିବା ପୁଅଟି ପାଇଁ ଲୁହ ଗଡ଼ାଇବାକୁ ବି ଆଉ ସମୟ ନାହିଁ । ପୁଅ ଅଣ୍ଡାଳୁଛି ପର୍ସ, ଆଉ ମୋବାଇଲରେ ଚେକ୍ କରୁଛି ବ୍ୟାଙ୍କ ଆକାଉଣ୍ଟରେ ପଡ଼ିଛି କେତେ ଟଙ୍କା । କେଉଁଠି କେତେ ଟଙ୍କା ଜମା ଅଛି ତାକୁ ବି ମନେ ମନେ ହିସାବ କରୁଛି  । କାରଣ ବାପାର ଶବ ଉଠିବା ପରେ ଶୁଦ୍ଧିକ୍ରିୟା କରିବାକୁ ହେବ । ଜ୍ଞାତି କୁଟୁମ୍ବ, ବନ୍ଧୁ, ପରିଜନଙ୍କ ପାଇଁ ନୂଆ ଲୁଗା, ଏକାଦଶାହ ଭୋଜି ଇତ୍ୟାଦି ଇତ୍ୟାଦି...କେତେ ଲକ୍ଷର ଖର୍ଚ୍ଚ । ଏସବୁ ହିସାବ ଭିତରେ ବାପାର ଯିବାର ବେଦନା ହୃଦବୋଧ କରିପାରୁନି ହତଭାଗ୍ୟ ପୁଅ । ଏମିତି ଆମର ପରମ୍ପରା । ହିନ୍ଦୁ ପରମ୍ପରାରେ, ପ୍ରିୟଜନଙ୍କ ମୃତୁ୍ୟ ପରେ ତାଙ୍କ ଆତ୍ମାର ସଦଗତି ହେଉ ବୋଲି ସମସ୍ତେ ଚାହାଁନ୍ତି । ଭଗବାନଙ୍କ ନିକଟରେ ଏହି ପ୍ରାର୍ଥନା କରିବା ପାଇଁ ଏକ ଶୃଙ୍ଖଳିତ ରୀତିନୀତି ଦ୍ୱାରା କ୍ରିୟାକର୍ମ କରାଯାଏ । ଏଭଳି ଏକ ରୀତିନୀତି, ଏକାଦଶାହ ଦିନର ଭୋଜି, ଯାହାକୁ "ଏକାଦଶାହ" କୁହାଯାଏ । ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ ରଖେ । ଏହି କାର୍ଯ୍ୟକ୍ରମରେ ସାଧାରଣତଃ ସମ୍ପର୍କୀୟ, ବନ୍ଧୁ ଏବଂ ସାହିପଡ଼ିଶାଙ୍କୁ ଆପ୍ୟାୟିତ କରଯାଏ । ଏପରି କଲେ ମୃତ ବ୍ୟକ୍ତିର ପରବର୍ତ୍ତୀ ଯାତ୍ରା ସୁଖମୟ ହେବ ବୋଲି ବିଶ୍ୱାସ ରହିଛି । ତେବେ ଆଜିର ସମୟରେ ଏହି ପରମ୍ପରା ସହ ଜଡିତ ବଢୁଥିବା ଖର୍ଚ୍ଚ ସାଧାରଣ ପରିବାର ଉପରେ ଏକ ବିରାଟ ବୋଝ ପକାଇଛି । ଯାହା ଫଳରେ ଅନେକ ଲୋକ ଏହାର ଆବଶ୍ୟକତା ଏବଂ ପ୍ରାସଙ୍ଗିକତା ଉପରେ ବିଚାର କରୁଛନ୍ତିି ।
ପରମ୍ପରା ଅନୁଯାୟୀ, ୧୧ ଦିନରେ ମୃତ ଆତ୍ମା ତା'ର ଅନ୍ତିମ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତି । ଏହି ଦିନ କରାଯାଉଥିବା ପୂଜା ଓ ଭୋଜିର ଉଦେ୍ଦଶ୍ୟ ହେଉଛି ଆତ୍ମାର ଶାନ୍ତି ଓ ମୁକ୍ତି (ମୋକ୍ଷ) ପାଇଁ ପ୍ରାର୍ଥନା କରିବା । ଏକାଦଶାହ ଦିନର ଭୋଜି ମାଧ୍ୟମରେ ପରିବାର ଓ ସମାଜ ଆତ୍ମାକୁ ବିଦାୟ ଦେବା ସହ ତାଙ୍କ ସ୍ମୃତିରେ ଏକାଠି ହୁଅନ୍ତି । ପରିବାର ପାଇଁ ଏହି ଭୋଜି ହେଉଛି ଦୁଃଖ ସମୟରେ ସମର୍ଥନ କରିଥିବା ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାର ଏକ ଉପାୟ । ଏହା ସାମାଜିକ ଦାୟିତ୍ୱ ପୂରଣ କରେ । କୁଟୁମ୍ୱ/ସଂପର୍କୀୟଙ୍କ ମଧ୍ୟରେ ସମ୍ପର୍କ ବଜାୟ ରଖେ । ତେବେ ସମୟ ବଦଳିବା ସହ ଏହି ପରମ୍ପରାକୁ ନେଇ ପରିସ୍ଥିତି ମଧ୍ୟ ବଦଳିବାରେ ଲାଗିଛି । ବିଶେଷକରି ଦୀର୍ଘ ଦିନ ଧରି ଅସୁସ୍ଥତା, ସ୍ୱାସ୍ଥ୍ୟ ସେବାର ବଢ଼ୁଥିବା ଖର୍ଚ୍ଚ ଅନେକ ସମୟରେ ପରିବାରକୁ ଋଣଭାରରେ ପକାଇଥାଏ । ଚିକିସôା ଖର୍ଚ୍ଚ ଏବଂ ମେଡିକାଲ ବିଲର ଆର୍ଥିକ ବୋଝ ବହନ କରିବା ପରେ, ଏକାଦଶାହ ପାଇଁ ବଡ଼ ଭୋଜି ଆୟୋଜନ କରିବା ସମସ୍ତଙ୍କ ପାଇଁ ସହଜ ହୁଏନାହିଁ । ଯାହା ଏକଦା ଗାଁ କିମ୍ବା ପାଡୋÿଶୀ ସମର୍ଥିତ କୁଟୁମ୍ୱର ପ୍ରୟାସ ଥିଲା, ତାହା ଏବେ ମୃତକଙ୍କ ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି ।
ଛୋଟ ସହର ଓ ଗାଁରେ ପାରମ୍ପରିକ ପ୍ରଥାକୁ ମାନିବା ପାଇଁ ପ୍ରତ୍ୟକ୍ଷ ଚାପ ନଥିଲେ ବି ପରୋକ୍ଷରେ ପ୍ରବଳ ରହିଛି । ସାମାଜିକ ବିଚାରରୁ ବର୍ତ୍ତିବା ପାଇଁ ପରିବାରଗୁଡ଼ିକ ବଡ଼ ଆକାରରେ ଭୋଜି ଆୟୋଜନ କରିବାକୁ ବାଧ୍ୟ ହୋଇଥାନ୍ତି । ଯାହା ବେଳେବେଳେ ସେମାନଙ୍କ ସାମର୍ଥ୍ୟ ବାହାରେ ରହିଥାଏ । ସାହି ପଡ଼ିଶାରେ ମୃତ ବ୍ୟକ୍ତିଙ୍କ ଉଦେ୍ଦଶ୍ୟରେ ଭୋଜି ନଦେଲେ ସଂପୃକ୍ତ ପରିବାରକୁ ଅପମାନଜନକ ଭାବେ ଦେଖାଯିବାର ଭୟ ଘାରିଥାଏ । ତେଣୁ ଏହି ବ୍ୟୟବହୁଳ ପରମ୍ପରା ପାଳନ କରିବାକୁ ସେମାନେ ବାଧ୍ୟ ହୁଅନ୍ତି । ନାମ ଗୋପନ ରଖି ଏକ ଛୋଟ ଗାଁର ଘଟଣାଟି ଏଠାରେ ଉପସ୍ଥାପନ କରିବାକୁ ଚାହିଁବି  । ଦୀର୍ଘ ଦିନ ଧରି ବାପାଙ୍କ ଅସୁସ୍ଥତା କାରଣରୁ ଚିକିସôା ପାଇଁ ରାକେଶ ଅନେକ ଖର୍ଚ୍ଚାନ୍ତ ହୋଇଛନ୍ତି । ଏଥିପାଇଁ ଧାର କାରଜ ମଧ୍ୟ କରିଛନ୍ତି । ଆଉ ବାପାର ଶବ ଦେଖିବା ପରେ କ୍ରିୟାକର୍ମ ଖର୍ଚ୍ଚ କଥା ଭାବି ରାକେଶ ବିବ୍ରତ ହୋଇଯାଇଛନ୍ତି । ସେ କିପରି ସମଗ୍ର ଗାଁ, ଆତ୍ମୀୟ ସ୍ୱଜନ ପାଇଁ ଆବଶ୍ୟକ ଦାୟିତ୍ୱ ତୁଲାଇବେ ଚିନ୍ତାରେ ପଡ଼ିଯାଇଛନ୍ତି । ଯେଉଁ ସମୟରେ କି ସେ ନିଜେ ନିଜର ଗୁଜୁରାଣ ମେଣ୍ଟାଇବା ସ୍ଥିତିରେ ନାହାନ୍ତି ।
ଆର୍ଥିକ ଚାପକୁ ନେଇ ଚିନ୍ତା ପ୍ରକଟ କରି ରାକେଶ ତାଙ୍କ ପଡ଼ୋଶୀଙ୍କ ପରାମର୍ଶକୁ ଗ୍ରହଣ କଲେ । ଆଉ ନିଷ୍ପତ୍ତି ନେଲେ ଏକାଦଶାହ ଭୋଜି ଦେବାକୁ । ସେ ଅନେକଙ୍କ ସମର୍ଥନ ପାଇଲେ ଯେଉଁମାନେ ତାଙ୍କ ଦୁଃଖରେ ସାମିଲ ହୋଇଥିଲେ । ଉଭୟ ମିଶି ପରମ୍ପରାରୁ ଟିକିଏ ବାହାରି ଭୋଜି ପରିବର୍ତ୍ତେ ଏକ ଛୋଟିଆ ପ୍ରାର୍ଥନା ସଭାର ଆୟୋଜନ କଲେ  । କିଛି ନିକଟ ସମ୍ପର୍କୀୟ ଏବଂ ପଡ଼ୋଶୀଙ୍କୁ ସାଦା ଭୋଜନ ପ୍ରଦାନ କଲେ ଏବଂ ବାକି ଟଙ୍କା ତାଙ୍କ କିଛି ଋଣ ପରିଶୋଧ କରିବାକୁ ବ୍ୟବହାର କଲେ । ଏହି ନିଷ୍ପତ୍ତି କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ରାକେଶ ଏବଂ ତାଙ୍କ ପରିବାର ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା । ଅନ୍ୟମାନେ ତାଙ୍କର ଏପରି ଏକ ନିଷ୍ପତ୍ତିକୁ ସମର୍ଥନ କଲେ । ଏକାଦଶାହ ଦିନର କିଛି ଜରୁରୀ ଆବଶ୍ୟକତାକୁ ପାଳନ କଲେ । ଆଉ ଭୌତିକ ଦିଗ ପରିବର୍ତ୍ତେ ଆଧ୍ୟାତ୍ମିକ ଦିଗ ଉପରେ ଗୁରୁତ୍ୱ ଦେଲେ ।
ତେବେ ଏହା କେବଳ ରାକେଶଙ୍କର କଥା ନୁହେଁ । ବରଂ ଅନ୍ୟମାନଙ୍କର ଘଟଣାକ୍ରମକୁ ବି ଥରେ ମାନବିକତା ଦୃଷ୍ଟିରୁ ଚିନ୍ତା କରିବା ଉଚିତ । ବାପା ଆଖି ଆଗରେ ପୁଅ ଚାଲିଯିବା ହେଉ ଅବା ପନôୀକୁ ହରାଇବାର କଷ୍ଟ କିମ୍ବା ଗୋଟିଏ ବଡ଼ ଦୁର୍ଘଟଣାରେ ପରିବାରର ଅନେକ ଲୋକଙ୍କୁ ହରାଇବାର ଦାରୁଣ ଦୁଃଖ । ନିଜ ଆତ୍ମୀୟସ୍ୱଜନଙ୍କୁ ହରାଇ ମାନସିକ ଦୁଶ୍ଚିନ୍ତାରେ ଥିବା ପରିବାର ଏକାଦଶାହ ଭୋଜିର ଆୟୋଜନ ବୋଝ ଉପରେ ନଳିତା ବିଡ଼ା ସଦୃଶ ।
ଏକାଦଶାହ ଦିନ ଏକ ଅର୍ଥପୂର୍ଣ୍ଣ ପରମ୍ପରା ଯାହା ସମ୍ମାନ ପାଇବା ଉଚିତ । ଏହା ସ୍ୱୀକାର କରିବା ଜରୁରି ଯେ, ଏହି ପ୍ରଥାର ପ୍ରକୃତ ସାର ହେଉଛି ମୃତବ୍ୟକ୍ତିଙ୍କୁ ସମ୍ମାନ ଦେବା, ତାଙ୍କ ଆତ୍ମାର ସଦଗତି କାମନା କରିବା । ସମୟ ବଦଳିବା ସହିତ ଏହି ରୀତିନୀତି ପ୍ରତି ଆମର ଆଭିମୁଖ୍ୟ ମଧ୍ୟ ବଦଳିବା ଦରକାର । ବିଶେଷ କରି ପରିବାରର ଆର୍ଥିକ ସ୍ଥିତି ବିପଦରେ ଥିଲେ, ଗୋଟିଏ ଛୋଟିଆ ପରିବାର ଦୁଶ୍ଚିନ୍ତାରେ ଥିଲେ ଏହି କର୍ମକ୍ରିୟାକୁ ସରଳ କରିବାରେ କୌଣସି ସଙ୍କୋଚ କରିବା କଥା ନୁହେଁ ।
ଏପରି ସ୍ଥିତିରେ ପରିବାର ଗୁଡ଼ିକୁ ଉଭୟ ମାନସିକ ଏବଂ ଆର୍ଥିକ ଭାବେ ସମର୍ଥନ କରିବା ପାଇଁ ସହୃଦୟ ବ୍ୟକ୍ତିମାନେ ଆଗେଇ ଆସିବା ଉଚିତ । ଯେଉଁଥିରେ ସଂପୃକ୍ତ ପରିବାରକୁ ଆଶ୍ୱସ୍ତି ମିଳିବ । ପ୍ରାର୍ଥନା କରିବା, ସ୍ମୃତି·ରଣ କରିବା ଏବଂ ଭାବନାତ୍ମକ ସମର୍ଥନ ପ୍ରଦାନ କରିବା ଏକ ବଡ଼ ଭୋଜି ଆୟୋଜନ କରିବାଠୁ ଅଧିକ ଅର୍ଥପୂର୍ଣ୍ଣ । ଏହାମନେ ରଖିବା ଜରୁରି ଯେ ସାମାଜିକ ଦାୟିତ୍ୱ ପାଳନ କରିବା ପରିବର୍ତ୍ତେ ଆତ୍ମାର ଶାନ୍ତି ତଥା ପରିବାରର ସ୍ଥିତି ଏବଂ ଭବିଷ୍ୟତର ସଙ୍କଟକୁ ପ୍ରାଥମିକତା ଦେବା ଉଚିତ । ଶେଷରେ, ହିନ୍ଦୁ ପରମ୍ପରାରେ ଏକାଦଶାହ ଭୋଜିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଆଜିର ପରିପ୍ରେକ୍ଷୀରେ ଏହାର ଆଡମ୍ବରପୂର୍ଣ୍ଣ ଆୟୋଜନ ସମ୍ପର୍କରେ ଆଉ ଥରେ ଭାବିବାର ସମୟ ଆସିଛି । ଆର୍ଥିକ ଚାପ ବିନା ସଂପୃକ୍ତ ପରିବାରକୁ ସ୍ୱେଛାକୃତ ଭାବେ ସହଯୋଗ କରିବା ପାଇଁ ଅନ୍ୟମାନେ ଆଗେଇ ଆସିବା ଉଚିତ୍ । ଏପରି କରିବା ଦ୍ୱାରା ଆମେ ପରମ୍ପରାକୁ ବଜାୟ ରଖିବା ସହ ଆଧୁନିକ ଜୀବନର ବାସ୍ତବତା ସହ ଖାପ ଖୁଆଇ ପାରିବା ।
                             ମୋ:୯୬୯୨୦୦୨୯୨୯