ଉପନିଷଦର ସ୍ୱରୂପ

ଦର ଅନ୍ତିମ ଭାଗ ହେଉଛି ଉପନିଷଦ । ଭାରତୀୟ ଦର୍ଶନମାନଙ୍କର ମୂଳ ସିଦ୍ଧାନ୍ତ ଏହି ଉପନିଷଦମାନଙ୍କରେ ପ୍ରତିପାଦିତ କରାଯାଇଛି । ଭାରତୀୟ ଦର୍ଶନରେ ତିନିଗୋଟି ପ୍ରଧାନଗନ୍ଥ ଅଛି ଯାହାକି ବୈଦିକ ଧର୍ମାନୁସାରେ ଜୀବନର ଗନ୍ତବ୍ୟମାର୍ଗ ଓ ତହିଁର ସାଧନମାନଙ୍କର ପ୍ରତିପାଦକ ପ୍ରସ୍ଥାନତ୍ରୟୀ । ଭାରତୀୟ ବିଚାର ଶାସ୍ତ୍ର ନିମିତ୍ତ ସର୍ବଶ୍ରେଷ୍ଠ ଉପଜୀବ୍ୟ ଗ୍ରନ୍ଥ ହୋଇଥିବା ହେତୁ ଉପନିଷଦ ପ୍ରସ୍ଥାନତ୍ରୟୀ ଅନ୍ତର୍ଗତ ‘ପ୍ରଥମ ପ୍ରସ୍ଥାନ’ ରୂପେ ଗୃହୀତ ହୋଇଛି । ଦ୍ୱିତୀୟ ପ୍ରସ୍ଥାନ ‘ଶ୍ରୀମଦ୍ ଭଗବତ ଗୀତା’ ଯାହାକି ସମସ୍ତ ଉପନିଷଦ ରୂପୀ ଧେନୁମାନଙ୍କର ବତ୍ସ ରୂପୀ ପାର୍ଥଙ୍କ ନିମିତ୍ତ ଶ୍ରୀକୃଷ୍ଣଙ୍କ ଦ୍ୱାରା ଦୋହନ କରାଯାଇଥିବା ସୁଧାସହୋଦର ସାରଭୂତ ଦୁଗ୍ଧ । ତୃତୀୟ ପ୍ରସ୍ଥାନ, ମହର୍ଷି କୃଷ୍ଣ ଦ୍ୱୈପାୟନ ବାଦରାୟଣ ବ୍ୟାସଦେବଙ୍କ ରଚିତ ‘ବ୍ରହ୍ମସୂତ୍ର’ ଯହିଁରେ ଆପାତତଃ ବିରୋଧୀ ଉପନିଷଦ ବାକ୍ୟମାନଙ୍କର ସମନ୍ୱୟ ତଥା ଏକମାତ୍ର ବ୍ରହ୍ମଦ୍ୱାରା ଅନ୍ୟ ତାର୍କିକ ଯୁକ୍ତିମାନଙ୍କର ଖଣ୍ଡନ କରାଯାଇଛି । ଏହି ପ୍ରସ୍ଥାନତ୍ରୟୀ, ଯଥା: ଉପନିଷଦ, ଗୀତା ଓ ବ୍ରହ୍ମସୂତ୍ର ଉପରେ ଭାରତୀୟ ବୈଦିକ ଧର୍ମ ତଥା ଦର୍ଶନଶାସ୍ତ୍ର ଅବଲମ୍ବିତ ହୋଇ ରହିଛି । କିନ୍ତୁ ଗୀତା ଓ ବ୍ରହ୍ମସୂତ୍ର ଉପନିଷଦମାନଙ୍କ ଉପରେ ଆଶ୍ରିତ ହୋଇଥିବା ହେତୁ ଉପନିଷଦମାନଙ୍କର ମହତ୍ତ୍ୱ ସବୁଠାରୁ ଅଧିକ ।
ମୋର ବେଦ ପ୍ରତି ଅନୁରାଗ ଲକ୍ଷ୍ୟ କରି ବାପା ମୋତେ ଉପନିଷଦ ପଢିବାକୁ ଉପଦେଶ ଦେଲେ । ଆମ ଘରେ ସେତେବେଳେ ୧୧ ଖଣ୍ଡ ଉପନିଷଦ ଥିଲା । ପ୍ରତ୍ୟେକ ଉପନିଷଦରେ ମୂଳ ମନ୍ତ୍ର, ଅନ୍ୱୟ ଓ ଭାବାର୍ଥ ରହିଥିଲା । ତେଣୁ ବୁଝିବାକୁ ଅସୁବିଧା ହେଲା ନାହିିଁ । ତଥାପି ଯେଉଁଠି ବୁଝିନପାରେ ବାପାଙ୍କୁ ପଚାରି ବୁଝିଥାଏ । ଉପନିଷଦରେ ଗଦ୍ୟ ଓ ପଦ୍ୟ ଉଭୟଧାରା ରହିଛି । ବୈଦିକ ଋଷିଗଣ ଉପନିଷଦରେ ଆଧ୍ୟାତ୍ମିକ ବିଦ୍ୟାର ଗୂଢତମ ରହସ୍ୟମାନଙ୍କର ବିଶଦ ବିବେଚନ କରିଛନ୍ତି । ଉପନିଷଦ ଶବ୍ଦ ଉପ ଓ ଉପସର୍ଗ ସଦ୍ଧାତୁରୁ କ୍ୱିପ୍ ପ୍ରତ୍ୟୟ ହୋଇ ନିଷ୍ପନ୍ନ ହୋଇଅଛି । ସଦ୍ ଧାତୁର ତିନି ପ୍ରକାର ଅର୍ଥ ଅଛି, ଯଥା ‘ବିଶରଣ’ ବା ‘ନାଶ ହେବା’ ଗତି ବା ‘ପ୍ରାପ୍ତହେବା’ ଓ ‘ଅସାଦନ’ ଅର୍ଥାତ୍ ଶିଥିଳ କରିବା । ବେଦ ରଚନା କାଳରେ ପ୍ରତ୍ୟେକ ବୈଦିକ ଶାଖାର ନିଜର ବିଶିଷ୍ଟ ଉପନିଷଦ ଥିଲା । କିନ୍ତୁ ସଂପ୍ରତି ଉପନିଷଦ ସେତେ ଉପଲବଧି ହେଉନାହିଁ । ମୁକ୍ତିକୋପନିଷଦରେ ଉପଲବ୍ଧ ଉପନିଷଦ ଥିଲା । କିନ୍ତୁ ସଂପ୍ରତି ଉପନିଷଦ ସେତେ ଉପଲବଧି ହେଉନାହିଁ । ମୁକ୍ତିକୋପନିଷଦରେ ଉପଲବ୍ଧ ଉପନିଷଦମାନଙ୍କର ସୂଚୀ ପ୍ରଦତ୍ତ । ତଦନୁସାରେ ଉପନିଷଦର ସଂଖ୍ୟା ୧୦୮, ଯହିଁରୁ ଦଶଗୋଟି ଉପନିଷଦ ଋକବେଦ ସହିତ ସଂପୃକ୍ତ, ଉଣେଇଶି ଗୋଟି ଶୁକ୍ଳ ଯଜୁର୍ବେଦ ସହିତ, ବତିଶଗୋଟି କୃଷ୍ଣ ଯଜୁର୍ବେଦ ସହିତ, ଷୋହଳଗୋଟି ସାମବେଦ ସହିତ ଏବଂ ଏକତିରିଶି ଗୋଟି ଅଥର୍ବବେଦ ସହିତ ସଂପୃକ୍ତ । ପରନ୍ତୁ ମୁକ୍ତିକୋପନିଷଦର ଅଧ୍ୟୟନରୁ ଜଣାଯାଏ ଯେ, ଉପନିଷଦ ସଂଖ୍ୟା ଏହାଠାରୁ ଅଧିକ ଥିଲା । ମୁକ୍ତିକୋଉପନିଷଦରେ କୁହାଯାଇଛି
ସର୍ବୋପନିଷଦାଂ ମଧ୍ୟେ ସାରକାଷ୍ଟୋତ୍ତରଂ ଶତଂ,
ସକୃକ୍ତବଣ ମାତ୍ରେଣ ସର୍ବୋଘୋ÷ନିକୃନ୍ତନମ୍ ।
କେତେକ ବର୍ଷ ପୂର୍ବରେ ଚେନ୍ନାଇ ଆଡ୍ୟାରର ଥିଓସୋଫିକାଲ ସୋସାଇଟି ଅପ୍ରକାଶିତ ଉପନିଷଦମାନଙ୍କୁ ପ୍ରକାଶ କରିଥିଲେ । ଯାହାର ସଂଖ୍ୟା ଆନୁମାନିକ ଷାଠିଏ ହେବ । ତହିଁରୁ କତିପୟ ଶାହାଜାହାନଙ୍କ ଜ୍ୟେଷ୍ଠପୁତ୍ର ପାରସୀ ଭାଷାରେ ସପ୍ତଦଶ ଶତାବ୍ଦୀରେ ଅନୁବାଦ କରିଥିଲେ । ବର୍ତ୍ତମାନ ୧୦୮ଟି ଉପନିଷଦ ମୁଦ୍ରିତ ଆକାରରେ ମିଳୁଛି ।
ଅଷ୍ଟୋତ୍ତରଶତ ଉପନିଷଦ ମଧ୍ୟରୁ ୧୨ ବା ୧୩ଟି ଉପନିଷଦ ବିଷୟ ପ୍ରତିପାଦନର ବିଷଦତା ତଥା ପ୍ରାଚୀନତାର ବିଚାର ଦୃଷ୍ଟିରୁ ନିତାନ୍ତ ପ୍ରାମାଣିକ ବୋଲି ସ୍ୱୀକୃତ । ଋକ୍ବେଦୀୟ ଉପନିଷଦମାନଙ୍କରେ ଐତରେୟ ଓ କୋ÷ଷତକୀ, ସାମବେଦୀୟ ଉପନିଷଦମାନଙ୍କ ମଧ୍ୟରେ ଛାନେ୍ଦାଗ୍ୟ ଓ କେନ, କୃଷ୍ଣ ଯଜୁର୍ବେଦୀୟ ଉପନିଷଦମାନଙ୍କରେ ତୈତ୍ତରୀୟ, ମହାନାରାୟଣ, କଠ, ଶ୍ୱେତାଶ୍ୱତର ଓ ମୈତ୍ରାୟଣୀ, ଶୁକ୍ଳ ଯଜୁର୍ବେଦର ବିରଃଇଶା ତଥା ବୃହଦାରଣ୍ୟକ, ଅଥର୍ବ ବେଦର ମୁଣ୍ଡକ, ମାଣ୍ଡୁକ୍ୟ, ନୃସିଂହ ପୂର୍ବ ତାପିନୀ ପ୍ରଭୃତି ବିଶେଷ ଲୋକ ପ୍ରସିଦ୍ଧି ଲାଭ କରିଛି । ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟ ୧୧ଗୋଟି ଉପନିଷଦର ଭାଷ୍ୟ ରଚନା କରିଥିଲେ । ଯାହା ଅତ୍ୟନ୍ତ ମହତ୍ତ୍ୱଶାଳୀ । ବର୍ତ୍ତମାନ ପ୍ରାୟ ସମସ୍ତ ଉପନିଷଦର ଭାଷ୍ୟ ମିଳୁଅଛି । ଉପନିଷଦମାନଙ୍କର ରଚନାକାଳ ଆଲୋଚକମାନଙ୍କର ପର୍ଯ୍ୟାପ୍ତ ମତଭେଦ ରହିଛି । ଏହା ନିଶ୍ଚିତ ଯେ, ଉପନିଷଦ ସମୂହର ରଚନା ମହାବୀର ଜୈନ ଓ ଗୋ÷ତମ ବୁଦ୍ଧଙ୍କ ଆବିର୍ଭାବର ବହୁପୂର୍ବରୁ ହୋଇଥିଲା ଅର୍ଥାତ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ପୂର୍ବରୁ ହୋଇଥିଲା । ତଥାପି କେତେକ ଉପନିଷଦ ଅର୍ବାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରନ୍ତି । ଏହା ସତ୍ୟ ଯେ, ଭାରତୀୟ ଧର୍ମରେ ଯେଉଁ ଜୀବନୀଶକ୍ତି ଦୃଷ୍ଟିଗୋଚର ହୁଏ, ତାର ମୂଳ କାରଣ ବେଦ ଓ ଉପନିଷଦ । ଉପନିଷଦରେ ଜ୍ଞାନର ବିବେଚନ ହୋଇଥିବାରୁ ଏଗୁଡିକ ବେଦର ‘ଜ୍ଞାନକାଣ୍ଡ’ କୁହାଯାଏ ।
ଉପନିଷଦମାନଙ୍କର ପ୍ରତିପାଦ୍ୟ ସିଦ୍ଧାନ୍ତମାନଙ୍କୁ ନେଇ ଭାରତୀୟ ଦାର୍ଶନିକବୃନ୍ଦ ଅନେକ ବିଚାର କରିଛନ୍ତି । ଭାରତୀୟ ଟୀକାକାରମାନେ ଉପନିଷଦମାନଙ୍କର ଗୋଟିଏ ପ୍ରକାର ସିଦ୍ଧାନ୍ତ ସତ୍ତା ସ୍ୱୀକାର କରିଛନ୍ତି । ଉପନିଷଦମାନଙ୍କରେ ଅଦ୍ୱୈତ, ବିଶିଷ୍ଟ ଦ୍ୱେତ ଓ ଦ୍ୱେତ ଶ୍ରୁତିମାନଙ୍କର ସଦ୍ଭାବ ରହିଛି । ଏ ବିଷୟରେ କୋ÷ଣସି ବିଦ୍ୱାନଙ୍କର ଅସ୍ୱୀକୃତି ନାହିଁ । ସେହି ସମସ୍ତ ଶ୍ରୁତି ଯୁକ୍ତିଯୁକ୍ତ । କେବଳ ଦୃଷ୍ଟିକୋଣରେ ହିଁ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଆଦି ଶଙ୍କରାଚାର୍ଯ୍ୟ ଉପନିଷଦମାନଙ୍କ ଉପରେ ଭାଷ୍ୟ ରଚନା କରି ଅଦ୍ୱୈତବାଦ ହିଁ ପ୍ରତିପାଦନ କରିଛନ୍ତି । ଶ୍ରୀ ରାମାନୁଚାଚାର୍ଯ୍ୟଙ୍କ ଉପନିଷଦମାନଙ୍କ ଉପରେ ଭାଷ୍ୟ ରଚନା କରିନଥିଲେ ହେଁ ତଦୀୟ ଶିଷ୍ୟମାନେ ବିଶିଷ୍ଟଦ୍ୱେତ ମତାନୁସାରେ ବୃତ୍ତିମାନ ଲେଖିଛନ୍ତି । ରାମାନୁଜଙ୍କ ବ୍ୟାଖ୍ୟା ଅନୁସାରେ ଉପନିଷଦ ବିଶିଷ୍ଟଦ୍ୱେତ ସିଦ୍ଧାନ୍ତର ପ୍ରତିପାଦକ । ଶ୍ରୀ ମଧ୍ୱାଚାର୍ଯ୍ୟ କେତେକ ପ୍ରଧାନ ଉପନିଷଦ ଉପରେ ଭାଷ୍ୟ ରଚନା କରିଛନ୍ତି । ତାଙ୍କ ଦୃଷ୍ଟିରେ ଏହି ଗ୍ରନ୍ଥରତ୍ନର ମୁଖ୍ୟତାତ୍ପର୍ଯ୍ୟ ବ୍ରହ୍ମ ଓ ଆତ୍ମାର ଭିନ୍ନତା ବା ଦ୍ୱେତ ସ୍ଥାପନ କରିବା । ପରବର୍ତ୍ତୀ ଆଲୋଚକମାନେ ଉପନିଷଦମାନଙ୍କରେ ସମସ୍ତ ଦର୍ଶନଶାସ୍ତ୍ର ସମୂହର ବୀଜ ନିହିତ ଥିବା ସ୍ୱୀକାର କରିଅଛନ୍ତି । ଏହି ସୂକ୍ଷ୍ମ ସୂଚନାମାନଙ୍କୁ ଗ୍ରହଣ କରି ପରବର୍ତ୍ତୀ ଦାର୍ଶନିକବୃନ୍ଦ ସ୍ୱ ସ୍ୱ ସିଦ୍ଧାନ୍ତମାନ ପଲ୍ଲବିତ କରି ସ୍ୱତନ୍ତ୍ର ରୂପରେ ପ୍ରତିଷ୍ଠିତ କରିଛନ୍ତି । କେବଳ ଆସ୍ତିକ ଦର୍ଶନ ନୁହେଁ, ଜୈନ ଓ ବୋ÷ଦ୍ଧ ପ୍ରଭୃତ ନାସ୍ତିକ ଦର୍ଶନମାନଙ୍କର ମୂଳସିଦ୍ଧାନ୍ତ ମଧ୍ୟ ଉପନିଷଦରେ ଉପଲବ୍ଧ ହୋଇଥାଏ । ବୈଦିକ କାଳରେ ଭିନ୍ନ ଭିନ୍ନ ଋଷି ଉପନିଷଦ ରଚନା କରିଥିଲେ ହେଁ ସେମାନଙ୍କର ବିଦ୍ୟାନୁଭବ ସୂତ୍ର ରୂପରେ ଏହି ଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ତଥ୍ୟ ପରିବେଷଣର ତାରତମ୍ୟ ମୋ÷ଳିକ ସିଦ୍ଧାନ୍ତ ଦ୍ୱାରା ପରୀକ୍ଷିତ ଏବଂ ସର୍ବଜନାହୃତ ସିଦ୍ଧାନ୍ତ ଭାବେ ଗୃହୀତ ।
ଆତ୍ମତତ୍ତ୍ୱ ବିବଚେନ ଉପନିଷଦ ସମୂହର ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ । ସାଧାରଣ ପ୍ରଶ୍ନ ହେଉଛି ଆତ୍ମାର ସତ୍ତା ଏହି ଜୀବନକାଳ ପର୍ଯ୍ୟନ୍ତ ବିଦ୍ୟମାନ ଥାଏ ଅଥବା ଜୀବନର ସମାପ୍ତି ପରେ ଆତ୍ମାର ସତ୍ତା ରହିଥାଏ । ଏହାର ସୂକ୍ଷ୍ମ ବିବେଚନ କଠୋପନିଷଦରେ ଅତି ସୁନ୍ଦର ରୀତିରେ କରାଯାଇଛି । ଋଷି କୁମାର ନଚିକେତାଙ୍କର ପ୍ରଶ୍ନର ଉତ୍ତର ପ୍ରଦାନ ପୂର୍ବକ ମୃତୁ୍ୟ ଦେବତା ଯମରାଜ କହିଛନ୍ତି, ମୃତୁ୍ୟ ସକଳ ରହସ୍ୟମାନଙ୍କ ମଧ୍ୟରେ ପ୍ରଧାନ । ଆତ୍ମା ଅନିତ୍ୟ ନୁହେଁ ନିତ୍ୟ । ଆତ୍ମାର କେବେ ମୃତୁ୍ୟ ହୁଏ ନାହିଁ, କେବଳ ଶରୀରର ବିନାଶ ଘଟିଲେ ଆମେ ତାକୁ ମୃତୁ୍ୟ କହିଥାଉ । ଶରୀର ବିନାଶରେ ଆତ୍ମାର ବିନାଶ ଘଟେ ନାହିଁ । ଆତ୍ମା ବିଷୟାସକ୍ତ ଇନ୍ଦି୍ରୟ, ସଙ୍କଳ୍ପବିକଳାତ୍ମକ ମନ, ବିବେଚନାତ୍ମକ ବୁଦ୍ଧି ଓ ପ୍ରାଣାଦି ବାୟୁମାନଙ୍କ ଠାରୁ ପୃଥକ ।
ଆତ୍ମାନଂ ରଥିନଂ ବିଷି ଶରୀରଂ ରଥମେବତୁ,
ବୁଦ୍ଧିଂତୁ ସାରଥୀ ବିଦ୍ଧି ମନଃ ପ୍ରଗହମେବ ଚ
ଇନ୍ଦି୍ରୟାଣି ହୟନାହୁର୍ବିଷୟାନ ତେଣୁ ଗୋଚରାନ୍,
ଆତ୍ମେନ୍ଦି୍ରୟ ମନୋଯୁକ୍ତଂ ଭୋକ୍ତେତ୍ୟାହୁର୍ମନୀଷିଣଃ (କଠ ଉପନିଷଦ ୨ ।୩ ।୪) ଅର୍ଥାତ ଏହି ଶରୀର ରଥ, ବୁଦ୍ଧି ସାରଥି, ମନ ପ୍ରଗହ (ପଘା), ଇନ୍ଦ୍ରିୟମାନେ ଘୋଟକ ଯେଉଁମାନେ କି ବିଷୟ ରୂପୀ ମାର୍ଗ ଉପରେ ଚାଲୁଛନ୍ତି ଓ ଆତ୍ମା ରଥସ୍ୱାମୀ ଅଟେ । ଆତ୍ମା ଜଗତର ସକଳ ପଦାର୍ଥରେ ବ୍ୟାପ୍ତ । ସକଳ ବସ୍ତୁକୁ ନିଜ ସ୍ୱରୂପରେ ଗ୍ରହଣ କରିନିଏ, ସ୍ଥିତିକାଳରେ ବିଷୟମାନଙ୍କୁ ଖାଏ ଅର୍ଥାତ୍ ଅନୁଭବ କରେ, ଏହାର ସତ୍ତା ନିରନ୍ତର ରହିଥାଏ । ଏହିସବୁ କାରଣ ଆତ୍ମାର ଆତ୍ମତ୍ୱ ଅଟେ । ଆଦି ଶଙ୍କରାଚାର୍ଯ୍ୟଙ୍କ ଭାଷାରେ :-
ଯଦାପ୍ନୋତି ଯଦାଦତ୍ତେ ଯଚ୍ଚାହି ବିଷୟାନ ହି
ଯଚ୍ଚାସ୍ୟ ସନ୍ତତୋ ଭାବସ୍ତସ୍ନାଦାମ୍ଭେତି କୀର୍ତ୍ତ୍ୟତେ । (କଠ, ଶଙ୍କର ଭାଷ୍ୟ ୨ ।୧ ।୧)
ଉପନିଷଦରେ ବ୍ରହ୍ମର ଦୁଇ ପ୍ରକାର ସ୍ୱରୂପର ବିଗତ ବର୍ଣ୍ଣନା କରାଯାଇଛି, ଯଥା : ସବିଶେଷ ବା ସଗୁଣ ରୂପ, ନିର୍ବିଶେଷ ବା ନିର୍ଗୁଣ ରୂପ । ବ୍ରହ୍ମକୁ କେଉଁ ସ୍ଥଳରେ ପରଂବ୍ରହ୍ମ କୁହାଯାଇଛି । ନିର୍ବିଶେଷ ଭାବକୁ କେଉଁ ସ୍ଥଳରେ ଅପରବ୍ରହ୍ମ , କେଉଁଠାରେ ଶବ୍ଦବ୍ରହ୍ମ କୁହାଯାଇଛି । ଉପନିଷଦରେ ସରାଗ ବ୍ରହ୍ମଙ୍କ ତଟସ୍ଥ ଲକ୍ଷଣ ଓ ନିର୍ଗୁଣ ବ୍ରହ୍ମଙ୍କ ସ୍ୱରୂପର ସୁନ୍ଦର ବିବେଚନ କରାଯାଇଛି । ବିଶେଷତଃ, କେନୋପନିଷଦର ଉମାହୈମବତୀ ପ୍ରସଙ୍ଗ, ତୈତ୍ତିରୀୟର ‘ସତ୍ୟଜ୍ଞାନ ମନନ୍ତ ବ୍ରହ୍ମ’ ଛାନେ୍ଦାଗ୍ୟର ‘ତଜ୍ୱଲାନ’, ବୃହଦାରଣ୍ୟକର ‘ବିଜ୍ଞାନମାନଙ୍କର ବ୍ରହ୍ମ’ ଓ ଯାଜ୍ଞବଲ୍କ୍ୟ ଗାର୍ଗୀ ସମ୍ବାଦ ପ୍ରଭୃତିରେ ଏହି ଆଲୋଚନା ସାରଗର୍ଭକ । ବୃହଦାରଣ୍ୟର ଯାଜ୍ଞବଲକ୍ୟ ଗାର୍ଗୀ ସମ୍ବାଦ ଭାରତୀୟ ଦର୍ଶନର ଆରମ୍ଭ ବୋଲି ବିଜ୍ଞମାନଙ୍କ ମତ । ସଂକ୍ଷେପରେ ଉଲ୍ଲେଖ କଲେ, ଉପନିଷଦମାନଙ୍କର ସିଦ୍ଧାନ୍ତକୁ ନେଇ ଭାରତୀୟ ଦର୍ଶନ ପଲ୍ଲବିତ, ପୁଷ୍ପିତ ଓ ସୁରଭିତ ।
ଉପନିଷଦମାନଙ୍କର ବ୍ୟବହାର ପକ୍ଷ ଅତି ସୁନ୍ଦର । ଉପନିଷଦମାନଙ୍କର ଆଚାର ମୀମାଂସା ଅତ୍ୟନ୍ତ ଉପଯୋଗୀ ଓ ମନୋରମ । ଉପନିଷଦମାନଙ୍କର ଦାର୍ଶନିକ ତତ୍ତ୍ୱମାନଙ୍କୁ ବ୍ୟବହାରରେ ଆଣି ଉନ୍ନତ ଆଧ୍ୟାତ୍ମ ପଥରେ ଆରୁଢ ହେବା ଭାରତୀୟ ଦର୍ଶନର ପରମଲକ୍ଷ୍ୟ । ଉପନିଷଦୀୟ ଶିକ୍ଷାରେ ମାତା, ପିତା ତଥା ଗୁରୁଙ୍କର ସେବା, ସ୍ୱଧ୍ୟାୟ ଚିନ୍ତନ ଓ ଧର୍ମାଚରଣର ମହତ୍ତ୍ୱ ରହିଛି ଏବଂ ଦାନ, ଦୟା, ଆର୍ଜବ, ଅହିଂସା ଓ ସତ୍ୟ ବଚନକୁ ଆଧ୍ୟାତ୍ମିକ ଉନ୍ନତିର ସାଧନ ବୋଲି କୁହାଯାଇଛି । ଉପନିଷଦରେ ସ୍ପଷ୍ଟ ଭାବରେ କୁହାଯାଇଛି, ‘କର୍ମ କରିବାରେ ଆତ୍ମା ସ୍ୱତନ୍ତ୍ର’ । କର୍ମ ନିଷ୍ପାଦନରେ ଆତ୍ମ ସ୍ୱାତନ୍ତ୍ର୍ୟର ଉପପାଦନ ନିଷ୍ପାଦନ ହିଁ ଉପନିଷଦ ଶିକ୍ଷାର ସାର । ଆତ୍ମାର ଅପରୋକ୍ଷାନୁଭୂତି ହିଁ ଉପନିଷଦର ଚରମ ଲକ୍ଷ୍ୟ । ଛାନେ୍ଦାଗ୍ୟରେ କୁହାଯାଇଛି :-
ଯୋ ବୈ ଭୂମା ତତ୍ ସୁଖଂ, ନାଳ୍ପେ ସୁଖମସ୍ତି, ଯତ୍ର ନାନ୍ୟତ ପଶନ୍ତି, ନାଯଚ୍ଛୃଣୋତି,
ନାନ୍ୟଦ୍ ବିଜାନୀତି ସତ୍ତ୍ୱମା । ଯୋ ବୈ ଭୂମା ତଦମୃତଂ ଅଥ ଯଦଳ୍ପଂ ତନ୍ମତ୍ତ୍ୟଂ (ଛାନେ୍ଦାଗ୍ୟ ୮/୨୨)
ଆତ୍ମସୁଖର ଉପଲବଧି ବା ସ୍ୱରାଜ୍ୟ ପ୍ରାପ୍ତିକୁ ଅମୃତ ବା ଭୂମା ନାମରେ ଉପନିଷଦରେ ବ୍ୟକ୍ତ କରାଯାଇଛି । ଉପନିଷଦୀୟ ମାର୍ଗ ଅନୁସରଣ ପୂର୍ବକ ଅମୃତ ପ୍ରାପ୍ତି ହିଁ ବୈଦିକ ଦର୍ଶନର ରହସ୍ୟବାଦ ।
ମୋତେ କମ୍ ବୟସରୁ ବେଦ ଓ ଉପନିଷଦ ଶିକ୍ଷା କରିବାକୁ କେତେକ ବ୍ୟକ୍ତି ମନା କରିବା ସତ୍ତ୍ୱେ ବାପା ଶିକ୍ଷା ଦେଲେ । ପିତାମାତା ସର୍ବଦା ସନ୍ତାନର କୁଶଳ କାମନା କରନ୍ତି । ବାପା ସେମାନଙ୍କ କଥା ନମାନି ମୋତେ ପ୍ରାୟ ବାରବର୍ଷ ବୟସରୁ ବେଦ ଓ ଉପନିଷଦ ଶିକ୍ଷା ଦେଲେ । ଏହାଦ୍ୱାରା ମୋର ପ୍ରଭୁତ କଲ୍ୟାଣ ହୋଇଛି । ସଂପ୍ରତି ଆଭ୍ୟନ୍ତରୀଣ ସତ୍ୟତା ଆଧ୍ୟାତ୍ମିକ ଶିକ୍ଷା ପ୍ରତିବଦଳରେ ଜୀବନର ଭୋ÷ତିକ ଆବଶ୍ୟକତାକୁ ଆଧାର କରି ଏକ ଭିନ୍ନ ସ୍ୱାଦର ଶିକ୍ଷା ପ୍ରଚଳିତ । ପରମସତ୍ୟର ଦିବ୍ୟାନୁଭୂତିରେ ଜୀବନକୁ ମଧୁମୟ କରିବା ନିମିତ୍ତ ପ୍ରଚଳିତ ଶିକ୍ଷା ସହିତ ଆଧ୍ୟାତ୍ମିକ ଶିକ୍ଷାର ଉପାଦେୟତା ରହିଛି । ଏହା ବାପା ମର୍ମେ ମର୍ମେ ଅନୁଭବ କରିଥିଲେ । ଆଜି ମୁଁ ଅଗଣିତ ପାଠକଙ୍କ ନିକଟରେ ଜୀବନାନୁଭୂତି ପରିବେଷଣ ମାଧ୍ୟମରେ ଅମୃତତ୍ୱ ପରିବେଷଣ କରୁଛି । ଆତ୍ମଜୀବନୀ ମୁଁ ପରିବେଷଣ କରୁନାହିଁ । ଆତ୍ମ ଜୀବନରେ କେବଳ ନିଛକ ଭୋ÷ତିକ ପ୍ରସଙ୍ଗ ପରିବେଷଣ କରାଯାଏ ଅର୍ଥାତ ମୁଁ କେଉଁଠାରେ ପଢିଲି, କଣ ପଢିଲି ଇତ୍ୟାଦି ଇତ୍ୟାଦି । ମୁଁ କିପରି ମଣିଷ ପରି ମଣିଷଟିଏ ହେବାକୁ ମୋ ଜୀବନରେ ସାଧନା କରିଛି ତାହା ହିଁ ପରିବେଷଣ କରୁଛି । କେତେକ ପାଠକ ମୋତେ ଆତ୍ମ ଜୀବନୀ ଲେଖିବାକୁ ଦୂରଭାଷ ମାଧ୍ୟମରେ ଅନୁରୋଧ କରିଛନ୍ତି । ସେମାନଙ୍କୁ ବିନମ୍ର ଭାବରେ ଜଣାଉଅଛି ଯେ ମୁଁ ଜୀବନାନୁଭୂତି ମାଧ୍ୟମରେ ମୋର ଦୀନହୀନ ଜୀବନର ଅନୁଭୂତି ହିଁ ପରିବେଷଣ କରୁଛି, ଆତ୍ମଜୀବନୀ ନୁହେଁ ।
ଆନନ୍ଦନଗର
କାଠଗଡା, ଢେଙ୍କାନାଳ-୭୫୯୦୦୧
ମୋ-୮୮୯୫୨୩୦୭୨୨