ସୂର୍ଯ୍ୟ ଉପାସନାର ପାବନ ପର୍ବ   

ଡା.ଉମେଶ ଚନ୍ଦ୍ର ପାତ୍ର :ସଂସାରର ସବୁ ସଂସ୍କୃତିରେ ସୂର୍ଯ୍ୟଙ୍କୁ ଆଲୋକ ଓ ଶକ୍ତିର ଦେବତା ଭାବରେ ଗ୍ରହଣ କରାଯାଏ । ଧର୍ମ ଓ ବିଜ୍ଞାନ ଉଭୟ ସୂର୍ଯ୍ୟଙ୍କ ମହତ୍ତ୍ୱକୁ ସ୍ୱୀକାର କରନ୍ତି । ମକର ସଂକ୍ରାନ୍ତିରେ ପ୍ରୟାଗର ତି୍ରବେଣୀ ସଙ୍ଗମ ଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରି ଅନୁଚିତ ଚିନ୍ତା ଛାଡ଼ି ସତ୍ମାର୍ଗରେ ଚାଲିବାର ସଂକଳ୍ପ ନିଅନ୍ତି । ବିଶ୍ୱାସ କରାଯାଏ, ଏହି ଦିନ ଠାରୁ ପୃଥିବୀର ସବୁ ତୀର୍ଥ ପ୍ରୟାଗ ଆସନ୍ତି । ଉତ୍ତରାୟଣ ସୂର୍ଯ୍ୟ ଆମକୁ ଦୃଢ଼ ସଂକଳ୍ପବାନ ଓ କର୍ମଯୋଗୀ ହେବାର ପ୍ରେରଣା ଦିଅନ୍ତି । ଧର୍ମଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଦକ୍ଷିଣାୟନ ହେଲେ ସବୁ ଶୁଭ କାର୍ଯ୍ୟ ବର୍ଜିତ ହୁଏ । ଉତ୍ତରାୟଣ ଠାରୁ ସବୁ ଶୁଭ କାର୍ଯ୍ୟ ଆରମ୍ଭ ହେବ । ଏ ବର୍ଷ ସୂର୍ଯ୍ୟ ଉତ୍ତରାୟଣ ହେବା ପରେ ଦେଶ ଦୁନିଆ ଉପରେ ସୂର୍ଯ୍ୟଙ୍କର ଶୁଭ ପ୍ରଭାବ ପଡ଼ିବ । ସୂର୍ଯ୍ୟଙ୍କର ଶୁଭ ପ୍ରଭାବରେ ଦେଶର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଦେଶର ଅଗ୍ରଗତି ହେବ । ମୂଲ୍ୟବାନ ଧାତୁର ଚାହିଦା ବଢ଼ିବ । ବ୍ୟବସାୟ ବାଣିଜ୍ୟ ବଢ଼ିବ, କେତେକ ଦେଶରେ କ୍ଷମତା ପରିବର୍ତ୍ତନ ହୋଇପାରେ । ଅଧିକାଂଶ ଶୁଭଫଳ ପ୍ରଦାନ କରିବ । ତେବେ ସରକାର, ପ୍ରଶାସନ ଏବଂ ଜନତା ମଧ୍ୟରେ ବିରୋଧ ବଢ଼ିବାରେ ସମ୍ଭାବନା ରହିଛି । ହିନ୍ଦୁ ଧର୍ମର ପ୍ରତ୍ୟେକ ପର୍ବ କୌଣସି ନା କୌଣସି ଦେବତାଙ୍କ ପାଇଁ ଉଦ୍ଦିଷ୍ଟ । ଉତ୍ତରାୟଣ ପର୍ବ ଅର୍ଥାତ୍ ମକର ସଂକ୍ରାନ୍ତି ସୂର୍ଯ୍ୟ ଉପାସନାର ପର୍ବ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି । ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ଯୋଗୁଁ ମନୁଷ୍ୟ ମନରେ ମଧ୍ୟ ପରିବର୍ତ୍ତନ ଆସେ । ସମସ୍ତେ ମିଳିମିଶି ରୁହନ୍ତୁ, ସମସ୍ତଙ୍କ ଜୀବିକା ନିର୍ବିଘ୍ନରେ ଚାଲୁ, ସମସ୍ତେ ଶକ୍ତିମାନ ହୁଅନ୍ତୁ, ସତ୍କର୍ମରୁ ଆମକୁ ଶକ୍ତି ମିଳୁ - ଏହା ମକର ସଂକ୍ରାନ୍ତିର ସନେ୍ଦଶ ।
    ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ବସନ୍ତ ପୂର୍ବର ଉତ୍ସବ ଲୋହଡି ଉତ୍ତର-ଭାରତ ବିଶେଷକରି ପଞ୍ଜାବରେ ପାଳନ କରାଯାଏ । ମକର ସଂକ୍ରାନ୍ତି ଦିନ ତାମିଲ ହିନ୍ଦୁମାନେ ପୋଙ୍ଗଲ ପର୍ବ ମନାନ୍ତି । ସମଗ୍ର ଦକ୍ଷିଣ ଭାରତୀୟଙ୍କ ପାଇଁ ଏହା ସବୁଠାରୁ ବଡ଼ ପର୍ବ । ଆସାମରେ ବିହୁ ଭାବରେ ପାଳନ କରାଯାଏ ମକର ସଂକ୍ରାନ୍ତି । ଭାରତର ବିଭିନ୍ନ ପ୍ରଦେଶରେ ମକର ସଂକ୍ରାନ୍ତି, ଏହାର ପର୍ବ ଓ ପରଦିନରେ ନାନା ପର୍ବ ପାଳନ କରାଯାଏ । ସୂର୍ଯ୍ୟଙ୍କ ଗତି ସହ ସମ୍ପର୍କ ଥିବା ଯୋଗୁଁ ଏହି ପର୍ବ ଋତୁଚକ୍ର ଓ ଫସଲ ସହ ଜଡ଼ିତ । ସାରା ଭାରତରେ ଏହା ବିଭିନ୍ନ ରୂପରେ ମନାଯାଏ । ଦକ୍ଷିଣାୟନକୁ ଦେବତା ମାନଙ୍କ ରାତି ଅର୍ଥାତ୍ ନକାରାତ୍ମକତା ଓ ଉତ୍ତରାୟଣକୁ ଦେବତାମାନଙ୍କ ଦିନ ଅର୍ଥାତ୍ ସକାରାତ୍ମକତାର ପ୍ରତୀକ ଭାବରେ ଗ୍ରହଣ କରାଯାଏ । ଅନ୍ୟ ଅର୍ଥରେ କୁହାଯାଇପାରେ ଦକ୍ଷିଣାୟନରେ ରାତି ସୁଖଦ ହୁଏ, ଉତ୍ତରାୟଣରେ ଦିନ ଭଲ ହୁଏ । ବୈଦିକ ଯୁଗରେ ଉତ୍ତରାୟଣକୁ ଦେବାୟନ ଓ ଦକ୍ଷିଣାୟନକୁ ପିତୃୟାନ କୁହାଯାଉଥିଲା । ବିଶ୍ୱାସ କରାଯାଏ ପୁଣ୍ୟବାନ ଆତ୍ମାମାନେ ସ୍ୱର୍ଗରେ ମଧ୍ୟ ଏହି ଦିନରେ ପ୍ରବେଶ କରନ୍ତି । ତେଣୁ ଏହା ଆଲୋକର ପର୍ବ । ମକର ସଂକ୍ରାନ୍ତି ଦିନ ସାରା ଦେଶରେ ଗୁଡ଼ିଉଡା ଆରମ୍ଭ କରାଯାଏ । ଭାରତୀୟ ସଂସ୍କୃତି ପଞ୍ଚଦେବତାଙ୍କ ପୂଜାକୁ ଗୁରୁତ୍ୱ ଦିଆଯାଏ । ଶିବ, ବିଷ୍ଣୁ, ଗଣପତି, ଆଦ୍ୟାଶକ୍ତି ଓ ସୂର୍ଯ୍ୟ ଏହି ପଞ୍ଚଦେବତା । ପଞ୍ଚଦେବତାଙ୍କ ପୂଜା, ଉପାସନା, ଆରାଧନା ଓ ଜପ ଦ୍ୱାରା ସାଧକଙ୍କୁ ଲୌକିକ - ପରଲୌକିକ, ନୈତିକ - ଆଧ୍ୟାତ୍ମିକ ସମସ୍ତ ପ୍ରକାର ଲାଭ ମିଳେ । ମକର ସଂକ୍ରାନ୍ତିରେ ନୂତନ ସଂକଳ୍ପ ମଧ୍ୟ ନିଆଯାଏ । ମହାଭାରତ ଯୁଦ୍ଧ ପରେ ପିତାମହ ଭୀଷ୍ମ ଶରଶଯ୍ୟାରେ ରହି ୫୮ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଉତ୍ତରାୟଣକୁ ଅପେକ୍ଷା କରିଥିଲେ । ସୂର୍ଯ୍ୟ ଆତ୍ମଦେବର ପ୍ରତୀକ ଅର୍ଥାତ୍ ଆମ ଆତ୍ମାର ଯେଉଁ ଦେବତ୍ୱ ନିହିତ ଅଛି ତାହାର ପ୍ରତୀକ । ସୂର୍ଯ୍ୟ ଜ୍ଞାନଶକ୍ତି ଓ ତେଜର ପ୍ରତୀକ । ସେ ସାରା ସଂସାରକୁ ପ୍ରକାଶିତ କରନ୍ତି । ମକର ସଂକ୍ରାନ୍ତି ନିଜ ଭିତରେ ଏହି ଚେତନାକୁ ବିକଶିତ କରିବାର ପର୍ବ । ଆମ ଭିତରେ, ଆମ ଆତ୍ମାରେ ଯେଉଁ ସୂର୍ଯ୍ୟ ଅଛନ୍ତି, ତାଙ୍କ ତେଜ ପ୍ରଖର କରିବାର ଏହା ପର୍ବ । ସୂର୍ଯ୍ୟ ଯେମିତି ବାଦଲରେ ଢ଼ାଙ୍କି ହୋଇଯାଆନ୍ତି, ସେମିତି ଆମର ଆତ୍ମା ମଧ୍ୟ କାମ, କ୍ରୋଧ ଓ ଅହଂକାରରୂପୀ ବାଦଲରେ ଆଚ୍ଛାଦିତ ହୋଇ ରୁହେ । ସୂର୍ଯ୍ୟ ବାଦଲ ମଧ୍ୟରୁ ପୁନଃ ପ୍ରକାଶିତ ହେବା ପରି ଆମେ ନିଜ ଆତ୍ମାର ତେଜ ବିକାଶ କରିବା ଉଚିତ । ଯେମିତିକି ନିରାଶଜନକଙ୍କ ମନରେ ମଧ୍ୟ ଉତ୍ସାହ ଓ ଆନନ୍ଦ ଭରିଯିବ । ତେଣୁ ମନକୁ ବିକାରମୁକ୍ତ କରିବା ପାଇଁ ଆମେ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିବା ଉଚିତ ।  ଭାରତୀୟ ପରମ୍ପରା ମହାନ ପର୍ବ ହେଉଛି ମକର ସଂକ୍ରାନ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ ଏହି ପର୍ବକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଇଥାଏ । ପୌଷ ମାସର ଏହି ସଂକ୍ରାନ୍ତି ତିଥିରେ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିରେ ପ୍ରବେଶ କରିଥାନ୍ତି । ଏଥି ସହିତ ଦେବତା ମାନଙ୍କ ଦିନ ଏବଂ ପିତୃପୁରୁଷଙ୍କ ରାତ୍ରି ଆରମ୍ଭ ହୋଇଥାଏ । ମକର ସଂକ୍ରାନ୍ତି ପରଠାରୁ ସମସ୍ତ ପ୍ରକାରର ମାଙ୍ଗଳିକ କାର୍ଯ୍ୟ, ଯଜେ୍ଞାପବୀତ, ବିବାହବ୍ରତ, ଗୃହପ୍ରବେଶ ଆଦି ଅନୁଷ୍ଠିତ ହୋଇଥାଏ । ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ପୃଥିବୀବାସୀଙ୍କ ପାଇଁ ବରଦାନ ସଦୃଶ । ସମସ୍ତ ଦେବୀ ଦେବତା, ଯକ୍ଷ, ଗନ୍ଧର୍ବ, ନାଗ, କିନ୍ନର ଆଦି ଏହି ଅବଧିରେ ତୀର୍ଥରାଜ ପ୍ରୟାଗରେ ଏକତ୍ରିତ ହେବା ସହ ସଂଗମ ତଟରେ ସ୍ନାନ କରିଥାନ୍ତି । ଏହି ସମୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ସେମାନଙ୍କୁ ମୁକ୍ତି ମିଳିଥାଏ । ପ୍ରାତଃ କାଳରୁ ଉଠି ସ୍ନାନ କରିବା ସହ ସୂର୍ଯ୍ୟ ଦେବଙ୍କ ପୂଜା କଲେ ମନୁଷ୍ୟର ସମସ୍ତ ଗ୍ରହ ଦୋଷ ଖଣ୍ଡିତ ହୋଇଥାଏ । ମକର ସଂକ୍ରାନ୍ତିର ପର୍ବକୁ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଉଥିଲେ ମଧ୍ୟ ସବୁଆଡ଼େ ଗୋଟିଏ ଉଦେ୍ଦଶ୍ୟ ନେଇ ଏହି ପର୍ବ ପାଳିତ ହୁଏ । ଆସାମରେ ଲୋକମାନେ ଏହି ଦିନକୁ ମାଘ ବିହୁ କୁହନ୍ତି । ପଞ୍ଜାବ, ହରିଆନା, ହିମାଚଳ ପ୍ରଦେଶରେ ମାଘି ନାମରେ ଏହି ପର୍ବ ପାଳିତ ହୁଏ । ସାରା ଦେଶରେ ଏହା ମକର ସଂକ୍ରାନ୍ତି ନାମରେ ପାଳିତ ହେଉଥିବାବେଳେ ଉତ୍ତରାଖଣ୍ଡ, ଗୁଜୁରାଟ ଓ ରାଜସ୍ଥାନ ଏହାକୁ ଉତ୍ତରାୟଣ ନାମରେ ପାଳନ କରାଯାଇଥାଏ । ଦକ୍ଷିଣ ଭାରତରେ ଏହି ପୋଙ୍ଗଲ ନାମରେ ପ୍ରସିଦ୍ଧ । ତାମିଲ ନୂଆ ବର୍ଷ ପୋଙ୍ଗଲ ଠାରୁ ଆରମ୍ଭ ହୋଇଥାଏ । ଦେଶବ୍ୟାପୀ ଗୁଡ଼ି ଉଡା ଉତ୍ସବ ମଧ୍ୟ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଥାଏ । ସେହି ଅନୁଯାୟୀ ଆମ ଦେଶରେ ମକର ସଂକ୍ରାନ୍ତି ଅବସରରେ ପିତା ମାତା ଏବଂ ଗୁରୁଜନଙ୍କ ପୂଜା କରାଯାଇଥାଏ  । ମକର ସଂକ୍ରାନ୍ତିରେ ଧାର୍ମିକ ଏବଂ ସାମାଜିକ କର୍ମର ବିଶେଷ ମହତ୍ତ୍ୱ ରହିଛି  । ସ୍ନାନ, ଦାନ ଆଦି କାର୍ଯ୍ୟ ପାଇଁ ଏହି ତିଥି ପରମ ଲାଭକାରୀ  ।
ମୋ: ୯୪୩୭୦୫୧୯୫୭