ଓଡ଼ିଶାର ଜଳବାୟୁ ଓ ସଂକ୍ରମଣ 


ଡା.ଜ୍ୟୋତିରଞ୍ଜନ ଚମ୍ପତ୍ତିରାୟ : ପ୍ରତି ଖରାର ତାତି ଉଦବେଗଜନକ ଭାବେ ବଢ଼ୁଛି । ଏହି ଗ୍ରୀଷ୍ମମଣ୍ଡଳୀୟ ଋତୁରେ ଅନେକ ରୋଗ ବଦଳି ଯାଏ ବୋଲି ଆମ ମାନଙ୍କ ଭିତରୁ ଅନେକ ଏହାକୁ ଭଲ ଭାବେ ଜାଣନ୍ତି । ଯେମିତି ବର୍ଷାଦିନ ଆସିଲେ ତରଳ ଝାଡ଼ା, ଥଣ୍ଡା ଜ୍ୱର, କାଶ ବା ଖରା ଦିନ ଆସିଲେ ଅଂଶୁଘାତ, ମୁଣ୍ଡବୁଲା, ପେଟ ସମସ୍ୟା, ଝାଡ଼ାବାନ୍ତି ଏପରିକି ହଇଜା ଭଳି ସଂକ୍ରାମକ ଭୂତାଣୁ ଓ ଜୀବାଣୁ ଭିତ୍ତିକ ରୋଗ ଦେଖାଯାଏ । ତେବେ ଜଳବାୟୁ ପରିବର୍ତ୍ତନ ସହ ଋତୁଜନିତ ରୋଗ ଆଉ ଭୂତାଣୁ ଜନିତ ଜଟିଳ ସଂକ୍ରାନ୍ତୀ ରୋଗ ସହ କରୋନା ପରେ ପରେ ଅନେକ ନୂଆ ରୋଗ ପୃଥିବୀକୁ ଆସିଲାଣି । ସଂପ୍ରତି ମେଲିଓଇଡ଼ୋସିସ୍ ରୋଗ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ କେବଳ ଆଲୋଡ଼ନ ଓ ଆଲୋଚନା ସୃଷ୍ଟି କରିନାହିଁ ବରଂ ଏକ ଗମ୍ଭୀର ତର୍କବିତର୍କ ସହ ସାଧାରଣରେ ମଧ୍ୟ ଏ ନେଇ ଉତ୍ସୁକତା ଦେଖାଦେଉଛି । ଆସନ୍ତୁ ସର୍ବପ୍ରଥମେ ଜାଣିବା ମେଲିଓଇଡ଼ୋସିସ୍ ରୋଗଟି କ'ଣ? ଗ୍ରୀକ୍ ଶବ୍ଦ ମେଲିସ ଓ ଇଡୋସରୁ ଏହି ରୋଗର ନାମକରଣ ହୋଇଛି । ୧୯୧୧ରେ ସ୍ୱନାମଧନ୍ୟ ପାଥୋଲୋଜିଷ୍ଟ ଆଲଫ୍ରଏଡ଼ ୱିଟମୋର ଓ ତାଙ୍କ ସହଯୋଗୀ ସି.ଏସ୍. କୃଷ୍ଣସ୍ୱାମୀ ଗବେଷଣା ଭିତ୍ତିକ ଭାବେ ଏହାକୁ ଜାଣିବା ପରେ ଏହି ସଂକ୍ରାମକ ଗ୍ରୀଷ୍ମ ମଣ୍ଡଳୀୟ ରୋଗ ବିଷୟରେ ସମଗ୍ର ବିଶ୍ୱବାସୀଙ୍କୁ ଜଣାଇଥିଲେ । ଆଲଫ୍ରଏଡ଼ ୱିଟମୋର କହିବାକୁ ଗଲେ ଏହାର ମୂଳ ତଥ୍ୟ ଉଦ୍ଭାବକ ହୋଇଥିବାରୁ ତକ୍ରାଳୀନ ସମୟରେ ଏହାକୁ ୱିଟମୋର ରୋଗ ଭାବେ ଅନେକ ଜାଣିଲେ । 
    ବିଶ୍ୱସ୍ତରରେ ଏକ ବିରଳ ରୋଗର ମାନ୍ୟତା ପାଇଛି ମେଲିଓଇଡ଼ୋସିସ୍ ରୋଗ । ମୁଖ୍ୟତଃ ଭାରତ ସମେତ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସୀୟ ଅଞ୍ଚଳରେ ଏହାର ଉପସ୍ଥିତି ବା ପ୍ରାଦୁର୍ଭାବ ଦେଖାଦେଇଛି । ଭାରତରେ ଏହାର ପ୍ରଚାର ପ୍ରସାର ହେଉଥିଲେ ବି ଏହା ଏପରି ଏକ ବିଜ୍ଞାପିତ ରୋଗ ଯାହା ଖୁବ କମ ଚିହ୍ନଟ କରାଯାଇଛି । ଏନେଇ ଯେଉଁ ଗବେଷଣା ଓ ଆଲୋଚନା ଜାରି ରହିଛି ସେହି ଗବେଷଣା ନିବନ୍ଧର ତଥ୍ୟ ମୁତାବକ ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଶେଷକରି ଗ୍ରାମାଞ୍ଚଳରେ ଲୋକେ ଏହି ରୋଗରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ଗବେଷଣା କରୁଥିବା ବିଜ୍ଞାନୀ ତଥା ସ୍ୱନାମଧନ୍ୟ ଚିକିତ୍ସା ଗବେଷକଙ୍କ ତଥ୍ୟ ମୁତାବକ ଏହି ରୋଗର ଚିହ୍ନଟ ଓ ଉପଚାର ଢ଼େର କଷ୍ଟ । ଏହାର ଜୀବାଣୁ ଅନ୍ୟ ରୋଗ ମାନଙ୍କ ପରି ତାର ଲକ୍ଷଣ ଦେଖାଇଥାଏ । ରକ୍ତ, ପରିସ୍ରା ଓ ଆମ ଶରୀରର କଣ୍ଠରେ ରହୁଥିବା ଲାଳୁଆ ଅଂଶର କଲଚର ଦ୍ୱାରା ଏହି ମେଲିଓଇଡ଼ୋସିସ୍ ରୋଗର ବ୍ୟାପକ ପରୀକ୍ଷା ନିରୀକ୍ଷା ହୋଇଥାଏ । ଏହାର ପରୀକ୍ଷା ପାଇଁ ଯେପରି ଚାରି ପାଞ୍ଚଦିନ ଲାଗେ । ତେଣୁ ସେତେବେଳକୁ ସଂକ୍ରମିତ ହୋଇଥିବା ରୋଗୀଟି ନିଜ ଚିକିତ୍ସା କରିବାପାଇଁ ଢ଼େର ବିଳମ୍ବ ହୋଇଯାଇଥିବାରୁ ତାଙ୍କ ଜୀବନ ସଂକଟାପନ୍ନ ହେବାର ସମ୍ଭାବନା ଥାଏ । ମେଲିଓଇଡ଼ୋସିସ ରୋଗର ମୁଖ୍ୟ ଲକ୍ଷଣ ହେଉଛି ଜ୍ୱର, ଦେହହାତ ଘୋଳାବିନ୍ଧା, ଛାତିରେ ଅଚାନକ ଯନ୍ତ୍ରଣା, ଲଗାତାର କାଶ ଓ ମୁଣ୍ଡ ବିନ୍ଧା ପ୍ରମୁଖ । ତେବେ ଜଟିଳ ପ୍ରସଙ୍ଗଟି ହେଉଛି କେତେକ କ୍ଷେତ୍ରରେ ଏହାର ସଂକ୍ରମଣ ହଠାତ୍ ତୀବ୍ର ହୋଇଯାଇଥାଏ ଏବଂ ସେମାନଙ୍କ ମଧ୍ୟରୁ କିଛି ରୋଗୀ ସେଫସିସ୍ ଯନ୍ତ୍ରଣାକୁ ସମ୍ମୁଖୀନ ହୋଇଥାନ୍ତି ଯାହାଦ୍ୱାରା ଶରୀରର ଅନେକ ଅଙ୍ଗ ନଷ୍ଟ ହୋଇଯିବାର ମଧ୍ୟ ସମ୍ଭାବନା ଥାଏ । ତେବେ ପ୍ରଥମରୁ ଏହାର ଚିହ୍ନଟ ସହ ଚିକିତ୍ସା ଜାରି ରଖିଲେ ଏହା ଦୀର୍ଘ ଦିନ ସଂକ୍ରମଣକୁ ହ୍ରାସ କରିବା ସହ ଆରୋଗ୍ୟସାଧ୍ୟ ମଧ୍ୟ ହୋଇଥାଏ ।
    ଆମ ଭୁବନେଶ୍ୱରସ୍ଥିତ ଏମ୍ସରେ ଅଣୁଜୀବ ବିଜ୍ଞାନ ବିଭାଗରୁ ଏ ନେଇ ବ୍ୟାପକ ଗବେଷଣା ଓ ପରୀକ୍ଷା ନିରୀକ୍ଷା ଜାରି ରହିଛି । ତଥ୍ୟ ମୁତାବକ ଯେଉଁ ଅଞ୍ଚଳରେ ପାଣିପାଗର, ଚରମ ବିଲକ୍ଷଣ ଦେଖାଯାଏ, ତୀବ୍ର ବୃଷ୍ଟିପାତ ହୁଏ, ବାୟୁମଣ୍ଡଳର ଆର୍ଦ୍ରତା ବଢ଼ିଯାଏ ଏବଂ ପବନର ବେଗ ଅନିୟନ୍ତ୍ରିତ ଥାଏ ଏହିପରି ସ୍ଥାନ ସହ ଉପରୋକ୍ତ ରୋଗର ସମ୍ପର୍କ ରହିଛି । ଓଡ଼ିଶାରେ ଜଳବାୟୁର ଯେଉଁ ଉଠାପକା ତାରତମ୍ୟ ରହୁଛି ଏହା ଏହି ରୋଗକୁ ଅନୁକୂଳ ପରିବେଶ ଯୋଗାଉଛି କହିଲେ ଅତୁ୍ୟକ୍ତ ହେବନାହିଁ ବୋଲି ଏହି ରିପୋର୍ଟର ତଥ୍ୟରୁ ଜଣାଯାଇଛି । ଭୁବନେଶ୍ୱର ଏମ୍ସର ଅଧ୍ୟୟନ ରିପୋର୍ଟ ଅନୁଯାୟୀ ଗତ ଜାନୁଆରୀ ୨୦୧୫ରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଆସିଥିବା ୧୪୪ଟି ମେଲିଓଇଡ଼ୋସିସ୍ ମାମଲା ସଂପର୍କର ତଥ୍ୟକୁ ଗବେଷଣା କଲାପରେ ଏହି ରୋଗ ସମ୍ପର୍କରେ ବ୍ୟାପକ ଗବେଷଣା ଜାରି ରହିଛି । ଏହି ରିପୋର୍ଟର ତଥ୍ୟ ସୂଚାଇଛି ଯେ ପରିବେଶ ଦ୍ୱାରା ସୃଷ୍ଟି ହେଉଥିବା ଏହି ସଂକ୍ରାମକ ରୋଗକୁ ବ୍ୟାପକତା କରିବାରେ ସ୍ଥାନୀୟ ଜଳବାୟୁ ଓ ଭୂଖଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ଏହାର ସଂକ୍ରମଣ ମାମଲା ଅଧିକ ଦେଖିବାକୁ ମିଳୁଥିବାବେଳେ ଉତ୍ତର ଓଡ଼ିଶାରେ ମଧ୍ୟ ଏହାର ସଂକ୍ରାମକ ଚେହେରା ଦେଖିବାକୁ ମିଳିଛି । ଏହି ରୋଗର ଚିକିତ୍ସା ବ୍ୟୟବହୁଳ ଓ ଦୀର୍ଘକାଳୀନ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରୋଗ ପାଇଁ କୌଣସି ଟିକା ଏଯାବତ ବାହାରିନାହିଁ । ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ରୋଗ ପାଇଁ ଅନ୍ୟ ଏକ ଜଟିଳତା ହେଉଛି ଭାରତରେ ଏହି ରୋଗ ସମ୍ପର୍କରେ ଏହାର ସେପରି କୌଣସି ପ୍ରାଥମିକ ତଥ୍ୟ ନାହିଁ ଏବଂ ସଚେତନତାର ଅଭାବ ସହିତ ଅତ୍ୟାଧୁନିକ ମାଇକ୍ରୋବାୟୋଲୋଜି ଅଭାବ । ସେହିପରି ରୋଗ ନିରୂପଣ ସକାଶେ ବିଶେଷକରି ଗ୍ରାମାଞ୍ଚଳରେ ତାଲିମ ପ୍ରାପ୍ତ ବ୍ୟକ୍ତି ଓ ଡାକ୍ତରଙ୍କ ଅଭାବ ମଧ୍ୟ ରହିଛି । ତେବେ ଅନେକ କ୍ଷେତ୍ରରେ ଏହି ରୋଗ ସମ୍ପର୍କରେ ଜାଣିବା ଢ଼େର ବିଳମ୍ବ ହୋଇଥାଏ । ସେହିପରି କେବଳ ପାଣିପାଗ ଜନିତ ଜୀବାଣୁ କାରଣ ନୁହଁ ଦୁର୍ବଳ, ପରିମଳ ବ୍ୟବସ୍ଥା, ପାରିବେଶିକ ଅବସ୍ଥିତି, ଜନସଂଖ୍ୟାର ସାନ୍ଧ୍ରତା, ଯୋଜନାବିହୀନ ସହରୀକରଣ, ବାୟୁ ପ୍ରଦୂଷଣ ପରି ଅନେକ କାରଣ ମଧ୍ୟ ରହିଛି । 
ଭବିଷ୍ୟତରେ ମେଲିଓଇଡ଼ୋସିସ୍ ରୋଗ କିପରି ନିୟନ୍ତ୍ରଣ ହେବା ସହ ଜନସ୍ୱାସ୍ଥ୍ୟ ସେବାକୁ ପ୍ରଭାବୀ କରାଯିବ ସେ କ୍ଷେତ୍ରରେ ସରକାରୀ ସ୍ତରରେ ପୂର୍ବାନୁମାନ, ନିଦାନ ବା ପରୀକ୍ଷା ଓ ଚିକିତ୍ସା ସମ୍ବନ୍ଧୀୟ ବ୍ୟାପକତା ମଧ୍ୟ ଆରମ୍ଭ ହୋଇଗଲାଣି । କାରଣ ଏହାଦ୍ୱାରା ପାଣିପାଗ ଓ ପରିବେଶ କାରଣ ନେଇ ଯେଉଁ ରୋଗ ଆସନ୍ତା ସମୟରେ ଆହ୍ୱାନ ସୃଷ୍ଟି କରିବ ସେ କ୍ଷେତ୍ରରେ ସରକାରୀ ଭାବେ ଏହାର ମୁକାବିଲା ମଧ୍ୟ ସମ୍ଭବ ହୋଇପାରିବ । ଓଡ଼ିଶାରେ ସେପରି ଭୟାନକ ଚେହେରା ନ ଦେଖାଇଥିଲେ ମଧ୍ୟ ଏହି ଗ୍ରୀଷ୍ମମଣ୍ଡଳୀୟ ସଂକ୍ରାମକ ରୋଗଟି ଏପରି ଏକ ବିରଳ ଖ୍ୟାତି ସୃଷ୍ଟି କରିଛି ତାହା ହେଉଛି ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଯେଉଁଠି ଏହି ରୋଗର ପରିବ୍ୟାପ୍ତି ଚିହ୍ନଟ କ୍ଷେତ୍ରରେ ଗବେଷଣା ଓ ଅଧ୍ୟୟନ ଆରମ୍ଭ ହୋଇ ସରକାରୀ ଭାବେ ଏହାର ମୁକାବିଲା ପାଇଁ କାର୍ଯ୍ୟ ପ୍ରସ୍ତୁତ କରାଯାଉଛି ।  ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ପରିଷ୍କାର ପରିଚ୍ଛନ୍ନ ରହିବା ସହ ଏକ ସର୍ବୋତ୍ତମ ଜୀବନଶୈଳୀ ପାଇଁ ସମସ୍ତଙ୍କ ଭିତରେ ଏକ ପରିବର୍ତ୍ତନର ଧାରା ସୃଷ୍ଟି ହେଉ । ନିଜ ଘର, ଆଖପାଖ ପରିବେଶ ଓ ସମାଜର ସବୁ ସ୍ଥାନର ପରିମଳ ଓ ସହରୀକରଣ ଯେପରି ସ୍ୱାସ୍ଥ୍ୟବାନ ଓ ସୌନ୍ଦର୍ଯ୍ୟବାନ ହୋଇପାରିବ ତାହା ମଧ୍ୟ ଗୁରୁଦାୟିତ୍ୱ । କୌଣସି ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାକୁ ଗୁଜବ ନଖେଳାଇ ବରଂ ସ୍ୱାସ୍ଥ୍ୟ ବିଭାଗ ଓ ସରକାରଙ୍କୁ ଏକ ସଚେତନଧର୍ମୀ ତଥ୍ୟ ପ୍ରଦାନ କରି ଜଣେ ଉତ୍ତମ ନାଗରିକାର ଦାୟିତ୍ୱ ନିର୍ବାହ କରନ୍ତୁ । ଏହା ହିଁ ମେଲିଓଇଡ଼ୋସିସ୍ ପରି ଭୟାନକ ଚେହେରା ଦେଖାଇବାକୁ ଯାଉଥିବା ସଂକ୍ରାମକ ଜଟିଳ ରୋଗ ପାଇଁ ହେବ ମୁହଁତୋଡ଼ ଜବାବ । 
ବାଲେଶ୍ୱର