ଆଧ୍ୟାତ୍ମିକ ପରମ୍ପରା ଓ କୁମ୍ଭମେଳା


ତ୍ରିନାଥ ଓଝା : ଆମେ ସମସ୍ତେ ମହାନ ଆର୍ଯ୍ୟ ସନାତନ ଧର୍ମ ଓ ହିନ୍ଦୁ ସଂସ୍କୃତିର ବିଶ୍ୱାସୀ । ବର୍ତ୍ତମାନ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ଆମ ଧର୍ମ ବିଶ୍ୱାସର ବଡ଼ ପର୍ବ ଯାହାକୁ ସମସ୍ତେ କୁମ୍ଭମେଳା ଭାବେ ଜାଣନ୍ତି । ଆମ ହିନ୍ଦୁ ବିଶ୍ୱାସ ଓ ଆଧ୍ୟାତ୍ମିକ ଭାବଧାରାରେ ଏହା ସମ୍ପୂର୍ଣ୍ଣ ଭାବେ ଜଡ଼ିତ । ପବିତ୍ର ତି୍ରବେଣୀ ସଙ୍ଗମରେ ୨୦୨୫ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେଇ ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ·ଲିବ ଏହି ବିଶ୍ୱ ପ୍ରସିଦ୍ଧ ତଥା ବିଶ୍ୱର ସବୁଠାରୁ ବଡ଼ ମେଳା । ଏହି ମହାକୁମ୍ଭ ମେଳାରେ ୪୫ କୋଟିରୁ ଊଦ୍ଧ୍ୱର୍ ସାଧୁସନ୍ଥ, ଯୋଗୀଋଷି, ତପସ୍ୱୀ ଭକ୍ତମଣ୍ଡଳୀ ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନର ସିଦ୍ଧ ସାଧକ ଯୋଗ ଦେଇସାରିଛନ୍ତି । ପବିତ୍ର ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ବିଶ୍ୱାସ ଅନୁଯାୟୀ ବୁଡ଼ ପକାଇବା ସହ ନିଜକୁ ଆଧ୍ୟାତ୍ମିକ ଭାବଧାରାରେ କିଛି କ୍ଷଣ ପାଇଁ ଅତିବାହିତ କରିବାକୁ ଏହି ସ୍ଥାନକୁ ଭିଡ଼ ଛୁଟୁଛି । ତେବେ ଏହି କୁମ୍ଭମେଳା ବା ଏତେ ବଡ଼ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା ମଧ୍ୟ ବହୁତ ବଡ଼ । ଏହି କୁମ୍ଭମେଳାର ଆଧ୍ୟାତ୍ମିକ ଓ ଐତିହାସିକ ଗୁରୁତ୍ୱ ରହିଛି ଏବଂ ସଙ୍ଗମ ନଗରୀ ପ୍ରୟାଗରାଜରେ ମହାକୁମ୍ଭ ସ୍ନାନ ପାଇଁ କୋଟି କୋଟି ଭକ୍ତ ଆଧ୍ୟାତ୍ମିକ ଧର୍ମ ବିଶ୍ୱାସୀ ନିଜର ମନସ୍କାମନା ବା ଆଧ୍ୟାତ୍ମିକ ବିଶ୍ୱାସ ପାଇଁ ଏହି ସ୍ଥାନକୁ ଆସୁଛନ୍ତି । ଆମ ମାନଙ୍କର ଜୀବନରେ ସୁଖ ସହିତ ଦୁଃଖ, ଆନନ୍ଦ ସହିତ ଯନ୍ତ୍ରଣା, ପାପ ସହିତ ପୁଣ୍ୟ ଓ ଜୀବନ ଚକ୍ରରୁ ମୁକ୍ତି ପାଇବା ପାଇଁ ଅନେକଙ୍କ ଭିତରେ ଉତ୍ସୁକତା ଭରି ରହିଛି । ଏହି କୁମ୍ଭମେଳା ଆମ୍ଭ ମାନଙ୍କୁ ଶିକ୍ଷା ଦେଉଛି ଯେ ଏହା କେବଳ ଏକ ଧର୍ମୀୟ କାର୍ଯ୍ୟକ୍ରମ ବା ସଙ୍ଗମ ସ୍ଥଳୀରେ ବୁଡ଼ ପକାଇବା ପାଇଁ ନୁହଁ ଏଥିରେ ଆମ ପୁରୁଣା ସମୟର ବିଶ୍ୱାସ ରହିଛି, ଦୃଢ଼ ଆସ୍ଥା ରହିଛି ଏଥିରେ ପରମ୍ପରା ରହିଛି ଏବଂ ସଂସ୍କୃତି ସହିତ ବିଜ୍ଞାନ ଏବଂ ନକ୍ଷତ୍ର ବିଜ୍ଞାନ ବା ଜ୍ୟୋତିଷ୍କ ବିଜ୍ଞାନ ମଧ୍ୟ ରହିଛି । 
କୁମ୍ଭମେଳାର ଆୟୋଜନ ଓ ଏ ନେଇ ଅନେକ କଥା ସୋସିଆଲ ମିଡ଼ିଆ, ଖବରକାଗଜ ଓ ପୁସ୍ତକ ଆଦିରେ ଆମେ ସବୁ ଦେଖିବାକୁ ପାଉଛୁ । ପୁରାଣର କାହାଣୀକୁ ଦେଖିଲେ ସ୍ପଷ୍ଟ ହୁଏଯେ ଜଗତର କଲ୍ୟାଣ ପାଇଁ ଯେଉଁ ସମୁଦ୍ର ମନ୍ଥନ ହୋଇଥିଲା ଏବଂ ସେଥି ମଧ୍ୟରୁ ଯେଉଁ ଅମୃତର ସୃଷ୍ଟି ହୋଇଥିଲା ତାହା କୁମ୍ଭମେଳାକୁ ଏକ ପ୍ରକାର ଜନ୍ମ ଦେଇଛି କହିଲେ ଅତୁ୍ୟକ୍ତି ହେବନାହିଁ ଏବଂ ସେହି ପବିତ୍ର କୁମ୍ଭରୁ ଯେଉଁ ଦିବ୍ୟ ଅମୃତର ଧାର ଉତ୍ପନ୍ନ ହୋଇଥିଲା ଏହା କୁମ୍ଭମେଳା ପାଇଁ ଦିଗଦର୍ଶନ ଦେଇଛି । ଏହା ଆମ ଜୀବନରେ ଶିକ୍ଷା ଦେଉଛି ଯେ ମଣିଷ ଭିତରେ ଭଗବାନଙ୍କ ପ୍ରତି ଦୃଢ଼ ବିଶ୍ୱାସ ଓ ବିଜ୍ଞାନ ଏ ଦୁଇଟି ଭିତରେ କୌଣସି ତଫାତ ନାହିଁ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଗତ ପୌଷ ପୂର୍ଣ୍ଣିମାରୁ ଏହି କୁମ୍ଭମେଳା ଆରମ୍ଭ ହୋଇ ଆଗାମୀ ମହାଶିବରାତ୍ରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ବିଶାଳକାୟ ମେଳା ଆମ ଭାରତୀୟ ସଂସ୍କୃତି, ଜନଜୀବନ ଓ ଆଧ୍ୟାତ୍ମିକତାକୁ ଶିକ୍ଷା ଦିଏ ଯେ ଗ୍ରହ ନକ୍ଷତ୍ର ଅଧୀନରେ ପୃଥିବୀ ଆତଯାତ । ଆମ ପୂର୍ବ ପୁରୁଷମାନେ ମଧ୍ୟ ଏହାର ବିଶ୍ୱାସ କରୁଥିଲେ । ଆମ୍ଭମାନଙ୍କର ସାଧାରଣ ଜୀବନରେ ନଦୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଠିକ ନଦୀ ମାନଙ୍କର ସଙ୍ଗମ ସ୍ଥଳ ହେଉଛି ଏପରି ଏକ ପବିତ୍ର ଓ ଗ୍ରହ ନକ୍ଷତ୍ର ଦୃଷ୍ଟିକୋଣରୁ ଚୁମ୍ବକୀୟ କ୍ଷେତ୍ରର ସଂଯୋଗ ଯେଉଁଠି ସ୍ନାନ କରିବା ଦ୍ୱାରା ଆମ ଶରୀର ଭିତରେ ଏକ ଶକ୍ତି ଯାହାକୁ ଉର୍ଜ୍ଜା କହୁଛନ୍ତି ପ୍ରବାହିତ ହୋଇ ଏହା ଆମ ମାନଙ୍କୁ ସତକର୍ମ, ସତକାର୍ଯ୍ୟ ଓ ସତଚିନ୍ତା ପାଇଁ ପ୍ରେରଣା ଶକ୍ତି ଦେଇଥାଏ । 
କୁମ୍ଭମେଳା ଆଲୋଚନା ସମ୍ପର୍କରେ ଭାରତୀୟ ପୌରାଣିକ କାହାଣୀର ବିଷୟବସ୍ତୁକୁ ଆମ୍ଭେମାନେ ଧ୍ୟାନ ପୂର୍ବକ ସ୍ମରଣ କରିବା କଥା କାରଣ ଏହି ଅମୃତ କୁମ୍ଭ ସହିତ ସମୁଦ୍ର ମନ୍ଥନର ଘଟଣା ଆମ ମାନଙ୍କ ନିତିଦିନିଆ ଧର୍ମ ପୁସ୍ତକରେ ଲେଖା ହୋଇଅଛି । ଧର୍ମ ପୁସ୍ତକର ତଥ୍ୟ ଅନୁଯାୟୀ ଯେଉଁ କୁଣ୍ଡରୁ ଅମୃତ ବାହାରି ପୃଥିବୀର ଯେଉଁ ଯେଉଁ ପବିତ୍ର ସ୍ଥାନରେ ପଡ଼ିଥିଲା ସେହି ସ୍ଥାନରେ ପ୍ରତି ବାର ବର୍ଷରେ ଥରେ ପୂର୍ଣ୍ଣ କୁମ୍ଭମେଳା ଆୟୋଜିତ ହୋଇ ଆସୁଛି । ପୁରାଣ ପୁସ୍ତକ ଯଥା ଅଗ୍ନି ପୁରାଣ ଓ ମତ୍ସ୍ୟ ପୁରାଣରେ ସଙ୍ଗମ ସ୍ଥଳ ବିଶେଷକରି ପ୍ରୟାଗରାଜ ପରି ବଡ଼ ଆଧ୍ୟାତ୍ମିକ କ୍ଷେତ୍ରକୁ ତୀର୍ଥରାଜ ଭାବେ କୁହାଯାଇଛି । ଇତିହାସ ପୃଷ୍ଠାରେ ଏହା ମଧ୍ୟ ଲେଖା ଅଛି ଯେ ସମଗ୍ର ବିଶ୍ୱ ପରିଭ୍ରମଣ କରି ଜ୍ଞାନ ବାଣ୍ଟୁଥିବା ଚୀନର ପରିବ୍ରାଜକ ହୁଏନସାଂ ପ୍ରୟାଗରାଜର ଏହି କୁମ୍ଭମେଳା ସମ୍ପର୍କରେ ସପ୍ତମ ଶତାବ୍ଦୀରେ ଏ ସମ୍ପର୍କରେ ଲେଖି ଯାଇଛନ୍ତି । ଆମର ଇତିହାସର କଥାବସ୍ତୁ ଅନୁଯାୟୀ ଯୁଗ ଯୁଗ ଧରି ରହି ଆସିଥିବା ଅନେକ ପ୍ରାଚୀନ ଶିଳା ଲେଖାରେ ବିଶେଷ ଭାବେ ଲେଖା ହୋଇଛି ଯେ ଗୁପ୍ତ ଯୁଗ ଓ ବିଶେଷକରି ମୌର୍ଯ୍ୟ ଶାସନ ସମୟରେ ମଧ୍ୟ ଏହି କୁମ୍ଭମେଳା ଥିଲା । ଜଣେ ମୁସଲମାନ ହୋଇ ମଧ୍ୟ ମୋଗଲ ସମ୍ରାଟ ଆକବର ପ୍ରୟାଗରାଜର କୁମ୍ଭମେଳାକୁ କେବଳ ଅନୁମତି ପ୍ରଦାନ କରିନଥିଲେ ବରଂ ହିନ୍ଦୁ ସଂସ୍କୃତିର ଏପରି କାର୍ଯ୍ୟକ୍ରମକୁ ପରିଚାଳନା ପାଇଁ ସହାୟତା କରିଥିଲେ । 
ଆମ ହିନ୍ଦୁ ବିଶ୍ୱାସର ବଡ଼ ତଥା ବିଶ୍ୱ ପ୍ରସିଦ୍ଧ ଏହି କୁମ୍ଭମେଳା ସର୍ବପ୍ରଥମେ କେବେ ଆୟୋଜନ ହୋଇଥିଲା ସେ ସମ୍ପର୍କରେ ଗଣମାଧ୍ୟମର ତଥ୍ୟ ଅନୁଯାୟୀ ଆମ ଭାରତ ୧୯୪୭ରେ ସ୍ୱାଧୀନ ହୋଇଥିଲେ ମଧ୍ୟ ସର୍ବପ୍ରଥମେ ୧୮୫୮ ମସିହାରେ ତକ୍ରାଳୀନ ଗୋରା ଇଂରେଜ ସରକାର ଏହି ମେଳା ପାଇଁ ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ଭାରତ ସ୍ୱାଧୀନ ଲାଭ କରିବା ପରେ ଅର୍ଥାତ୍ ୧୯୫୪ ମସିହାରେ ଏହା ପ୍ରସିଦ୍ଧ ଲାଭ କରି ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା । ଅନେକ ହୁଏତ ଜାଣି ନଥିବେ ୨୦୧୭ ମସିହାରେ ବିଶ୍ୱର ଅନ୍ୟତମ ବଡ଼ ସଂଗଠନ ୟୁନେସ୍କୋ ଏହି ବିଶ୍ୱାସ ଓ ଆନନ୍ଦ ତଥା ଆସ୍ଥାର ମେଳା କୁମ୍ଭମେଳାକୁ ଏକ ଐତିହ୍ୟପୂର୍ଣ୍ଣ ଅନନ୍ୟ ମାନବତାର ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ମାନ୍ୟତା ଓ ସ୍ୱୀକୃତି ପ୍ରଦାନ କରିଥିଲା । 
କୁମ୍ଭମେଳାରେ ସାମିଲ ହେବା, କୁମ୍ଭମେଳା ବିଷୟରେ ଜାଣିବା ପାଇଁ ଅନେକଙ୍କ ଭିତରେ ଉତ୍ସୁକତା ଓ ଆଗ୍ରହ ପ୍ରକାଶ ପାଉଛି । ଦୈନନ୍ଦିନ ଛପା ଖବରକାଗଜରେ ସ୍ୱତନ୍ତ୍ର ପୃଷ୍ଠାରେ ଫଟୋ ସହ ଖବର ପ୍ରକାଶ ପାଉଛି ସେହିପରି ବିିଭିନ୍ନ ଟିଭି ଚ୍ୟାନେଲ ଓ ସୋସିଆଲ ମିଡ଼ିଆରେ କୁମ୍ଭମେଳାରେ ଘଟୁଥିବା ସମସ୍ତ ଘଟଣା ତତ୍କ୍ଷଣାତ ଲୋକମାନଙ୍କ ଜ୍ଞାତ ହେବା ନିମିତ୍ତ ଉଲ୍ଲେଖ ରହୁଛି । ଆସନ୍ତୁ କୁମ୍ଭମେଳାର ପ୍ରକାର ଭେଦ ଓ ବିଭିନ୍ନ ତଥ୍ୟ ସମ୍ପର୍କରେ ଜାଣିବା । ପ୍ରୟାଗରାଜର ଯେଉଁ ଭବ୍ୟ ଓ ବିଶ୍ୱସ୍ତରୀୟ କୁମ୍ଭମେଳା ଆୟୋଜନ ହେଉଛି ଏହା ଜାନୁଆରୀ ୧୩ (ପୌଷ ପୂର୍ଣ୍ଣିମା)ରୁ ଆରମ୍ଭ ହୋଇଛି । ମକର ସଂକ୍ରାନ୍ତିରେ ପ୍ରଥମ ଶାହୀ ସ୍ନାନ, ଜାନୁଆରୀ ୨୯ରେ ମୌନ ଅମାବାସ୍ୟା, ଫେବ୍ରୁଆରୀ ୨ରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜାରେ ଶେଷ ଶାହୀ ସ୍ନାନ ଅନୁଷ୍ଠିତ ହୋଇଯାଇଥିବାବେଳେ ଫେବ୍ରୁଆରୀ ୧୨ତାରିଖ ଅର୍ଥାତ୍ ମାଘ ପୂର୍ଣ୍ଣିମା ଓ ଫେବ୍ରୁଆରୀ ୨୬ ତାରିଖ ମହାଶିବରାତ୍ରୀରେ ଶେଷ ଶାହୀ ସ୍ନାନ ସହ ମହାକୁମ୍ଭମେଳା ଆନୁଷ୍ଠାନିକ ଭାବେ ଶେଷ ହେବ । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଚଳିତ କୁମ୍ଭମେଳାରେ ଚାଳିଶ କୋଟି ଶ୍ରଦ୍ଧାଳୁ ଏଥିରେ ଯୋଗଦାନ କରିବା ସହ ଖର୍ଚ୍ଚ ବଜେଟ ରହିଛି ୬୩୮୨ କୋଟି ଟଙ୍କା । କୁମ୍ଭମେଳା ସମ୍ପର୍କିତ ସମସ୍ତ ଖର୍ଚ୍ଚବାର୍ଚ୍ଚକୁ ମିଶାଇଲେ ଉତ୍ତରପ୍ରଦେଶ ସରକାର ପାଖାପାଖି ୨ ଲକ୍ଷ କୋଟି ଟଙ୍କାର ବଜେଟ ରଖିଛନ୍ତି । କୁମ୍ଭମେଳା ଯେଉଁଠି ଆୟୋଜନ ହେଉଛି ଏହାର ସ୍ଥାନଟି ପାଖାପାଖି ୪ ହଜାର ହେକ୍ଟରରେ ରହିଛି ଏବଂ କୁମ୍ଭସ୍ନାନ ପାଇଁ ୧୭ କିଲୋମିଟର ବ୍ୟାପୀ ଘାଟ ତିଆରି ହେବା ସହ ସୁରକ୍ଷା ପାଇଁ ସ୍ଥାନୀୟ ଉତ୍ତରପ୍ରଦେଶ ପୋଲିସ ଓ କେନ୍ଦ୍ର ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି । 
କୁମ୍ଭମେଳାକୁ ନେଇ ଏବେ ଭାରତର ଚାରିଆଡ଼େ ଓଡ଼ିଶାର ସବୁଠି ଏପରିକି ଚା’ଖଟିରୁ ଠାକୁରଘର, ନିଜ କାର୍ଯ୍ୟାଳୟ ଠାରୁ ସର୍ବସାଧାରଣ କ୍ଷେତ୍ର ସବୁଠି କୁମ୍ଭମେଳାର ହିଁ ଆଲୋଚନା । ଏ ସବୁ ଭିତରେ କୁମ୍ଭମେଳାକୁ ନେଇ ଅନେକ ତର୍କବିତର୍କ, ବିଶ୍ୱାସ-ଅବିଶ୍ୱାସ ମଧ୍ୟ ରହିଛି । ଦଳାଚକଟା ଘଟଣା ହେଉ ବା ଡଙ୍ଗାବୁଡ଼ି, ଅଗ୍ନି କାଣ୍ଡ ହେଉ ବା ରାସ୍ତାରେ ହଇରାଣ । କୁମ୍ଭମେଳାର ବିଭିନ୍ନ ଦିଗକୁ ଦେଖିଲେ ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ ବାସ୍ତବରେ କୁମ୍ଭମେଳା ଆମ ମାନଙ୍କୁ କେଉଁ ଶିକ୍ଷା ଦେଉଛି? ଏ ସମ୍ପର୍କରେ ଆଜିର ଆଲୋଚନାଟି ଶେଷ କଲାବେଳକୁ ଏହା ଉଲ୍ଲେଖ କରୁଛି ଯେ ଧର୍ମ, ଆସ୍ଥା, ବିଶ୍ୱାସ ଓ ହୃଦୟ ଚେତନାର ଏହି ମେଳାରେ ଅନେକ ସାମିଲ ହୋଇ ନିଜକୁ କେବଳ ଧର୍ମ ଭିତରେ ସୀମିତ ରଖିଲେ ଠିକ ହେବନାହିଁ । ଜୀବନକୁ ଏକ ଆନନ୍ଦମୟ ଏବଂ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ କରିବାର ଭାବନା ଆମ ମାନଙ୍କୁ କୁମ୍ଭମେଳା ଶିକ୍ଷା ଦେଉ । 
ମୋ :୯୨୩୮୬୦୨୮୨୫