ମାଟ୍ରିକ ପରୀକ୍ଷା


ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ୧୯୬୭ ମସିହାରେ ମୁଁ ମାଟ୍ରିକ୍ ପରୀକ୍ଷା ଦେଲି । ସେତେବେଳକୁ ମୋତେ ଷୋହଳ ବର୍ଷ କେତେ ମାସ ହୋଇଥାଏ । ଆମ ମାର୍ଥାପୁର ହାଇସ୍କୁଲରୁ ଆମେ ୫୬ ଜଣ ପରୀକ୍ଷା ଦେଇଥିଲୁ । କାମାକ୍ଷାନଗର ହାଇସ୍କୁଲରେ ପରୀକ୍ଷାକେନ୍ଦ୍ର ହୋଇଥାଏ । ସେହି ସମୟରେ ଆମ ହାଇସ୍କୁଲର ପ୍ରଧାନଶିକ୍ଷକ ଥିଲେ ଶ୍ରୀଯୁକ୍ତ ଅଲେଖ ଚରଣ ମହାନ୍ତି । ତାଙ୍କ ଘର ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ପାଟଳଦା ଗ୍ରାମରେ । ସେ ୧୯୫୩ ମସିହାରୁ ୧୯୭୫ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୨ ବର୍ଷ ଆମ ହାଇସ୍କୁଲର ପ୍ରଧାନଶିକ୍ଷକ ଥିଲେ । ଠିକ୍ ସମୟରେ ଆମେ ମାଟ୍ରିକ୍ ପରୀକ୍ଷା ଦେବା ନିମିତ୍ତ ଫର୍ମ ପୂରଣ କଲୁ । ୫୬ ଜଣ ପରୀକ୍ଷାର୍ଥୀଙ୍କୁ ଶିକ୍ଷକ ଚନ୍ଦ୍ରଶେଖର ଦାଶ ଓ ଶିକ୍ଷକ ରନôାକର ପାଣି ନେଇ କାମାକ୍ଷାନଗର  ଯିବାର ସ୍ଥିର ହେଲା । ପୂର୍ବରୁ ଆମ ପ୍ରଧାନଶିକ୍ଷକ ଯାଇ କାମାକ୍ଷାନଗର ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନବଘନ ପ୍ରଧାନଙ୍କ ସହିତ କଥାବାର୍ତ୍ତା କରିଥିଲେ । ହାଇସ୍କୁଲ  ସନ୍ନିକଟ ଗୋଟିଏ ଛାତ୍ରାବାସରେ ଆମେ ରହିବା ସ୍ଥିରୀକୃତ ହେଲା । ତଦାନୁଯାୟୀ ପ୍ରସ୍ତୁତ ଚାଲିଲା । ପରୀକ୍ଷାରେ ପ୍ରାୟ କୋଡିଏ ଦିନ ପୂର୍ବରୁ ମୁଁ ଟାଇଫଏଡ୍ ବା ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇପଡିଲି । ଆମ ଗାଁରେ ଚିକିତ୍ସାର ସୁବିଧା ନଥାଏ । ଗାଁରେ ଥିବା ଜନୈକ କବିରାଜ ମୋତେ ଚିକିତ୍ସା କଲେ, କିନ୍ତୁ ଜ୍ୱର ଉପଶମ ହେଲାନାହିଁ । ବାପା ଓ ମାଆ ମୋତେ ଧରି କଟକ ଚାଲିଆସିଲେ । ମୋର ଜଣେ କକେୟୀ ନନ୍ଦକିଶୋର ମିଶ୍ର ରେଭେନ୍ସା କଲେଜରେ ଇଂରାଜୀ ପ୍ରଫେସର ଥିଲେ । ତାଙ୍କ ବସାରେ ଆମେ ରହିଲୁ । ମୋତେ ଛତ୍ରବଜାରର ଡକ୍ଟର ରଘୁନାଥ ସାହୁ ଚିକିତ୍ସା କଲେ । ବାପା, ମାଆ, କକେୟୀ ଓ ଖୁଡୀ ମୋ ପାଇଁ ଚିନ୍ତିତ ଥିଲେ । ଖୁଡୀ ମଧ୍ୟ ମୋର ମାଉସୀ ଥିଲେ । ତାଙ୍କ ନାଁ ଶ୍ରୀମତୀ ନିରୂପମା ମିଶ୍ର । ସେ ମୋ ମାଆଙ୍କର ମାମୁଁ ଝିଅ ଭଉଣୀ । ବାପା ମୋତେ କଟକ ନେଇଛନ୍ତି ଶୁଣି ଡକ୍ଟର ହରେକୃଷ୍ଣ ମହାତାବ, ଶ୍ରୀମତୀ ସରଳା ଦେବୀ, ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ପ୍ରଭୁତି ମୋତେ ଦେଖିବାକୁ ଆସିଲେ ଏବଂ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଆଶୁ ଆରୋଗ୍ୟ ନିମିତ୍ତ ଅନୁରୋଧ କଲେ । ଶ୍ରୀଜଗନ୍ନାଥଙ୍କ କରୁଣାରୁ ପରୀକ୍ଷାର ତିନିଦିନ ପୂର୍ବରୁ ଜ୍ୱର ଉପଶମ ହେଲା । କିନ୍ତୁ ମୁଁ ଦୁର୍ବଳ ହୋଇଯାଇଥିଲି । ସେତେବେଳକୁ ଗାଁରେ ଓ ବିଦ୍ୟାଳୟରେ ସମସ୍ତେ ଭାବିଥିଲେ ଯେ, ମୁଁ ମାଟ୍ରିକ ପରୀକ୍ଷା ଦେଇପାରିବି ନାହିଁ । ପରୀକ୍ଷାର ଦୁଇ ଦିନ ପୂର୍ବରୁ ମୋର ସାଥୀ ପରୀକ୍ଷାର୍ଥୀ ମାନେ ଶିକ୍ଷକମାନଙ୍କ ସହିତ କାମାକ୍ଷାନଗର ଗଲେ । ସମସ୍ତେ ମୋ ନିମିତ୍ତ ଦୁଃଖ ପ୍ରକାଶ କରୁଥିଲେ । 
ପରୀକ୍ଷା ପୂର୍ବଦିନ ଡାକ୍ତର ରଘୁନାଥ ସାହୁ ମୋତେ ପରୀକ୍ଷା କଲେ ଏବଂ ମାସେ ପର୍ଯ୍ୟନ୍ତ ଔଷଧ ଲେଖିଦେଲେ । ମୁଁ କେଉଁ କେଉଁ ଖାଦ୍ୟ ଖାଇବି ତା ମଧ୍ୟ ଲେଖିଦେଲେ । ଡାକ୍ତରଙ୍କ ପାଖରୁ ଫେରି ଆମେ କକେୟୀଙ୍କ ଘରକୁ ଆସିଲୁ । ନୀରୂ ମାଉସୀ ମୋ ଖାଇବା ନିମିତ୍ତ ଦୋରନ୍ଧା ଭାତ ଓ ସନ୍ତୁଳା କରିଥିଲେ । ପ୍ରାୟ ଅଠରଦିନ ପରେ ମୁଁ ପ୍ରଥମେ ଭାତ ଖାଇଲି । ବାପା ଗୋଟିଏ କାର ଭଡା କଲେ । ଆମେ ବାହାରିବା ବେଳକୁ ରାତି ଆଠଟା ହୋଇଯାଇଥାଏ । ପରୀକ୍ଷାର୍ଥୀ ମାନେ ଯେଉଁ ଛାତ୍ରାବାସରେ ରହୁଥିଲେ ବାପା ମୋତେ ସେଠିକି ନେଲେ ନାହିଁ । ମୋ ମାଆଙ୍କର ଜଣେ ପିଉସୀ ପୁଅ ଭାଇ ଶ୍ରୀଯୁକ୍ତ ବେଣୁଧର ନନ୍ଦ କାମାକ୍ଷାନଗରରେ ମୁଖ୍ୟ କିରାଣି ଥିଲେ ତଥା ଗୋଟିଏ ସରକାରୀ ବାସଗୃହ ପାଇଥିଲେ । ସେହି କ୍ୱାଟର୍ସରେ ସେ ଏକା ରହୁଥିଲେ । ତାଙ୍କ ପିଲାମାନେ ଗାଁରେ ରହୁଥିଲେ । ଆମେ ବେଣୁଧର ମାମୁଁଙ୍କ କ୍ୱାଟର୍ସରେ  ରହିଲୁ । ରାତିରେ ମୁଁ ପାଉଁରୁଟି ଓ କ୍ଷୀର ଖାଇବାପରେ ଔଷଧ ଖାଇ ଶୋଇଲି । ବାପା ଓ ମାଆ ମୋ ନିକଟରେ ଶୋଇଲେ ଏବଂ ବେଣୁଧର ମାମୁଁ ଦାଣ୍ଡଘରେ ରହିଲେ । ରାତିରେ ମୋର ବିଶେଷ କିଛି ଅସୁବିଧା ହୋଇନାହିଁ । ପରୀକ୍ଷା ଦିନ ସକାଳୁ ବାପା କାମାକ୍ଷାନଗର ଡାକ୍ତରଖାନାକୁ ନେଲେ ଏବଂ ସାଙ୍ଗରେ ଡାକ୍ତର ଧନେଶ୍ୱର ନାୟକଙ୍କୁ ଧରି ଆସିଲେ । ଡାକ୍ଟର ନାୟକ ଢେଙ୍କାନାଳ ନିକଟ କାଣ୍ଡବିନ୍ଧା ଗ୍ରାମର ବାସିନ୍ଦା ଏବଂ ଜଣେ ସୁନାମଧନ୍ୟ ଭେଷଜ ବିଶେଷଜ୍ଞ । ସେ ମୋତେ ପୁନର୍ବାର ପରୀକ୍ଷା କଲେ ଏବଂ ଡକ୍ଟର ରଘୁନାଥ ସାହୁ ବ୍ୟବସ୍ଥା ପତ୍ରରେ ଲେଖିଥିବା ଔଷଧ ଖାଇବାକୁ କହିଲେ । ପ୍ରତିଦିନ ସେ ଆସି ମୋର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଲେ । ସକାଳ ୯ଟାରେ ମୁଁ ପାଉଁରୁଟି, କ୍ଷୀର ଖାଇ କାମାକ୍ଷାନଗର ହାଇସ୍କୁଲକୁ ପରୀକ୍ଷା ଦେବାକୁ ଗଲି । ମୋତେ ପରୀକ୍ଷାକେନ୍ଦ୍ରରେ ଦେଖି ମୋର ସାଙ୍ଗମାନେ ଓ ଶିକ୍ଷକ ଖୁସି ହୋଇଥିଲେ । ପ୍ରଥମ ଦିନ ଇଂରାଜୀ ପ୍ରଥମ ପତ୍ର ଓ ଦ୍ୱିତୀୟ ପତ୍ର ଥିଲା । ମଧ୍ୟାନ୍ତରରେ ବାପା ମୋତେ ଦୁଇ ଗ୍ଲାସ ଫଳ ରସ ଖାଇବାକୁ ଦେଲେ । ଜ୍ୱରରୁ ଉଠିଥିବାରୁ ଦୁଇଟି ଯାକ ଇଂରାଜୀ ପତ୍ରରେ ଭଲ ଉତ୍ତର ଲେଖି ପାରିଲି ନାହିଁ । ତା ପରବର୍ତ୍ତୀ ଦିନ ମାନଙ୍କରେ ଗଣିତ, ବିଜ୍ଞାନ, ସାହିତ୍ୟ, ଇତିହାସ, ଭୂଗୋଳ, ସାମାଜିକ ଶକ୍ଷା , ଗଣିତ (ଇଚ୍ଛାଧୀନ) ପ୍ରଭୃତିରେ ଭଲ ଭାବରେ ଉତ୍ତର ଲେଖିଲି । ପ୍ରତିଦିନ ସକାଳୁ ଡକ୍ଟର ଧନେଶ୍ୱର ନାୟକ ଆସି ମୋ ସ୍ୱାସ୍ଥ୍ୟ ପରୀକ୍ଷା କରୁଥାନ୍ତି । ଏହିପରି ଭାବରେ କାମାକ୍ଷାନଗର ହାଇସ୍କୁଲରେ ମୁଁ ମାଟ୍ରିକ୍ ପରୀକ୍ଷା ଦେଲି । ଇଂରାଜୀ ପ୍ରଥମ ଓ ଦ୍ୱିତୀୟ ପତ୍ର ବ୍ୟତୀତ ଅନ୍ୟ ବିଷୟମାନଙ୍କରେ ମୁଁ ଭଲ ଉତ୍ତର ଲେଖିଥିଲି । ମୁଁ କାମାକ୍ଷାନଗରରେ ପରୀକ୍ଷା ଦେଉଥିବା ସମୟରେ ମୋ ବଡ଼ ମାମୁଁ ଶ୍ରୀଯୁକ୍ତ କେଶବଚନ୍ଦ୍ର ମିଶ୍ର ଓ ବଡ଼ମାଇଁ ଶ୍ରୀମତୀ ମାଳତୀ ମିଶ୍ର ମୋ ପାଖରେ ଦୁଇଦିନ ରହିଥିଲେ । ମଝିରେ ଆଉ ଜଣେ ମାମୁଁ କଙ୍କଡାହାଡ ବ୍ଲକର ଚେୟାରମ୍ୟାନ ଶ୍ରୀଯୁକ୍ତ ରାମଚନ୍ଦ୍ର ମିଶ୍ର, ଗାଁରୁ ମଉସା ଶ୍ରୀଯୁକ୍ତ ଗୟାଧର ମିଶ୍ର, ବାପାଙ୍କର ଶିଷ୍ୟ ଜମୁନାକୋଟ ଗ୍ରାମର ଶ୍ରୀଯୁକ୍ତ ଦୁର୍ଯେ୍ୟାଧନ ବେହେରା, ବେଢାପାଳ ଗ୍ରାମର ଶ୍ରୀଯୁକ୍ତ ଅର୍ଜୁନ ଜେନା, ମଠକରଗୋଳା ଗ୍ରାମର ଶ୍ରୀଯୁକ୍ତ କାହ୍ନୁ ଚରଣ ନାୟକ ଓ ଶ୍ରୀଯୁକ୍ତ ଦିଗମ୍ବର ନାୟକ, ଓଡ଼ିଶା ଗ୍ରାମର ଶ୍ରୀଯୁକ୍ତ ସତ୍ୟବାଦୀ ଷଣ୍ଢ ପ୍ରଭୁତି ମୋତେ ଦେଖିବାକୁ ଆସିଥିଲେ । ତତ୍କାଳୀନ ଭୁବନ ଥାନାଧିକାରୀ ଶ୍ରୀଯୁକ୍ତ ଦିବାକର ସାହୁ ପ୍ରତ୍ୟହ ଯାଜପୁର ରୋଡ୍ରୁ ଫଳ ମଗାଇ ମୋ ନିିମିତ୍ତ ପଠାଉଥିଲେ । ଦିବାକର ସାହୁଙ୍କ ଘର ଅନୁଗୁଳ କୋଶଳା ଗ୍ରାମ । ତାଙ୍କ ବାପା ବୃନ୍ଦାବନ ସାହୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ବାପାଙ୍କର ସାଙ୍ଗ । ତେଣୁ ଦିବାକର ଭାଇ ମୋର ପିଲାଦିନରୁ ଚିହ୍ନା । କାମାକ୍ଷାନଗର ବିଧାୟକ ଶ୍ରୀଯୁକ୍ତ  ବୃନ୍ଦାବନ ତ୍ରିପାଠୀ ସେତେବେଳେ ତାଙ୍କ ବଗିଚା ଘରେ ରହୁଥାନ୍ତି । ସେ ପ୍ରତିଦିନ ବେଣୁମାମୁଁଙ୍କ କ୍ୱାଟର୍ସକୁ ଆସି ମୋର ସ୍ୱାସ୍ଥ୍ୟାବସ୍ଥା ବୁଝୁଥିଲେ । ଏମାନଙ୍କ ବ୍ୟତୀତ ସାନ୍ଦାର ହାଇସ୍କୁଲ ଶିକ୍ଷକ ଶ୍ରୀଯୁକ୍ତ ଇଶ୍ୱରଚନ୍ଦ୍ର ମହାପାତ୍ର, ପରଜଙ୍ଗର ହାଇସ୍କୁଲ ଶିକ୍ଷକ ଇଶ୍ୱର ଚନ୍ଦ୍ର ତ୍ରୀପାଠୀ, ମୋର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଲେଖ ଚରଣ ମହାନ୍ତି, ଶିକ୍ଷକ ଶ୍ରୀଯୁକ୍ତ ଭୀମସେନ ବେହେରା ଓ ମୂରଲୀଧର ସାହୁ ମଧ୍ୟ ମୋତେ ଦେଖିବାକୁ କାମାକ୍ଷାନଗର ଆସିଥିଲେ । ଶ୍ରୀଜଗନ୍ନାଥଙ୍କ କରୁଣା ଓ ସମସ୍ତଙ୍କର ଆଶୀର୍ବାଦରୁ ମୁଁ ରୋଗରେ ପୀଡିତ ଥାଇ ମଧ୍ୟ ମାଟ୍ରିକ ପରୀକ୍ଷା ଦେଇପାରିଲି । ଆଜି ସଭିଁଏ ମୋର ମନେ ପଡୁଛନ୍ତି । ସେମାନଙ୍କ ସ୍ନେହ ଓ ଶ୍ରଦ୍ଧା ମୁଁ ଭୁଲିନାହିଁ ।
ପରୀକ୍ଷା ସରିବା ପରେ ମୋ ସାଥୀମାନେ ଓ ଶିକ୍ଷକ ଗାଁକୁ ଫେରିଲେ । କିନ୍ତୁ ଡକ୍ଟର ଧନେଶ୍ୱର ନାୟକଙ୍କ ପରାମର୍ଶ କ୍ରମେ ମୋତେ ଦଶଦିନ କାମାକ୍ଷାନଗରରେ ରହିବାକୁ ହେଲା । ଡକ୍ଟର ନାୟକ ପ୍ରତିଦିନ ମୋ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ ଏବଂ ନୂଆ ବଟିକା ଓ ଭିଟାମିନ୍ େଔଷଧ ମଧ୍ୟ ଦେଲେ । ଆମ ଗାଁରେ ଡାକ୍ତର ନଥିବାରୁ ବାପା ମୋତେ ଦଶଦିନ ତାଙ୍କ ଚିିକିତ୍ସାରେ କାମାକ୍ଷନଗରରେ ରଖିଥିଲେ । କାମାକ୍ଷାନଗରରେ ରହି ମୁଁ ସମ୍ପୂର୍ଣ୍ଣ ରୋଗମୁକ୍ତ ହେଲି ଏବଂ ସକାଳୁ ବାପାଙ୍କ ସାଥୀରେ ଚାଲିଚାଲି ଡାକ୍ତରଙ୍କ ପାଖକୁ ଯାଇଥିଲି । ତାପରେ ଆମେ ଗାଁକୁ ଫେରିଲୁ । ଆସିଲା ଦିନ ରାମ ମାମୁଁ ଗୋଟିଏ ଜିପ୍ରେ ଆଣି ଆମକୁ ଗାଁରେ ଛାଡିଦେଲେ । ଗାଁରେ ମଧ୍ୟ ମୋତେ କେତେକ ନିୟମ ମାନି ଚଳିବାକୁ ପଡୁଥିଳା । ଘରେ ଗରମ ଓ ଥଣ୍ଡା ପାଣି ମିଶାଇ ମୁଁ ଗାଧୋଇଥିଲି । ଗାଧୋଇବା ପରେ ସ୍ୱଳ୍ପକାଳ ପ୍ରାର୍ଥନା ପରେ ଜଳଖିଆ ଖାଉଥିଲି । ଜଳଖିଆ ଥିଲା ଲଘୁପାକ ଖାଦ । ଦ୍ୱିପ୍ରହରରେ ଭାତ,ଡାଲି, ସନ୍ତୁଳା, ଶାଗ ପ୍ରଭୃତି ଖାଉଥିଲି । ପାଞ୍ଚଟା ବେଳେ ମୁଢି ବା ଚୁଡା ଭଜା ଅଳ୍ପ ଖାଉଥିଲି ଏବଂ ରାତିରେ ଦୁଇଖଣ୍ଡ ରୁଟି ଓ କ୍ଷୀର ଖାଉଥିଲି । କୌଣସି ରାଗ ବା ମସଲାଯୁକ୍ତ ଖାଦ୍ୟ ମୋ ପାଇଁ ନିଷେଧ ଥିଲା । ଖାଦ୍ୟ ସହିତ ଡକ୍ଟର ନାୟକ ଦେଇଥିବା ଔଷଧ ମଧ୍ୟ ନିୟମିତ ଖାଉଥିଲି । ଟାଇଫଏଡ୍ରୁ ମୁକ୍ତ ହେବାପରେ  ମୁଁ ନବଜୀବନ ପାଇବାପରି ଅନୁଭବ କରୁଥିଲି । ପରୀକ୍ଷାରେ ଦୁଇମାସ ପରେ ଫଳ ପ୍ରକାଶିତ ହେଲା । ମୋ ଅନୁମାନ ସତ୍ୟ ହେଲା । ପ୍ରଥମ ଦିନ ମୁଁ ଭଲ ଉତ୍ତର ଦେଇପାରିନଥିଲି । ତେଣୁ ପ୍ରଥମ ପରୀକ୍ଷା ଦେଇଥିବା ଇଂରାଜୀ ପ୍ରଥମ ପତ୍ରରେ ମୋ ୩୫, ଇଂରାଜୀ ଦ୍ୱିତୀୟ ପତ୍ରରେ ୩୭ ରହିଥିଲା । ଅନ୍ୟାନ୍ୟ ପତ୍ର ମଧ୍ୟରେ ଗଣିତ (ବାଧ୍ୟତାମୂଳକ) ୯୪, ଗଣିତ (ଅତିରିକ୍ତ) ୯୬, ସାହିତ୍ୟ ୬୧, ସଂସ୍କୃତ ୬୦, ବିଜ୍ଞାନ ୪୮ ଓ ସାମାଜିକ ଶିକ୍ଷାରେ ୪୭ ଏରୂପ ମୋଟ ୪୭୮ ରହିଥିଲା । ମାତ୍ର ୨ ନମ୍ବର ଯୋଗୁ ମୁଁ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇନପାରି ଦ୍ୱିତୀୟ ଶ୍ରେଣୀରେ ଉତ୍ତରୀର୍ଣ୍ଣ ହେଲି । ମନ ଦୁଃଖ ହେଲା ଏବଂ ମୁଁ କାନ୍ଦି ପକାଇଲି । ମାତ୍ର ଦୁଇନମ୍ବର ଯୋଗୁ ମୁଁ ପ୍ରଥମଶ୍ରେଣୀରୁ ବଞ୍ଚôତ ହେବା ମୋତେ ବହୁତ ବାଧିଥିଲା । ବାପା, ମାଆ, ବଡମଉସା, ବଡ ମାଉସୀ ମୋତେ ବହୁ ବୁଝାଇଲେ । ଯେତେ ବୁଝାଇଲେ ମନ ବୁଝୁନଥାଏ । ନିମ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବୃତ୍ତି ପାଇ ମଧ୍ୟ ମୁଁ ମାଟ୍ରିକ୍ରେ ପ୍ରଥମଶ୍ରେଣୀ ପାଇପାରିଲି ନାହିଁ । ମୋର ବାଧକ ଥିଲା ରୋଗ । ରୋଗ ଯୋଗୁଁ ମୁଁ ପରୀକ୍ଷା ଦେଇପାରିବି କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଶ୍ରୀଜଗନ୍ନାଥଙ୍କ କରୁଣାରୁ ରୋଗରୁ ସଂପୂର୍ଣ୍ଣ ଆରୋଗ୍ୟ ନହୋଇ ମଧ୍ୟ ମୁଁ ପରୀକ୍ଷା ଦେଲି । କେବଳ ପ୍ରଥମ ଦିନ ଇଂରାଜୀରେ ଆଉ ଦୁଇନମ୍ବର ରହିଥିଲେ ମୁଁ ପ୍ରଥମଶ୍ରେଣୀ ପାଇଥାନ୍ତି । ଶେଷରେ ଭାଗ୍ୟକୁ ଆଦରି ମନକୁ ବୁଝାଇଲି ।
ମାର୍ଥାପୁର ହାଇସ୍କୁଲର ପ୍ରଥମ ବ୍ୟାଚ୍ ୧୯୫୨ରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ଆମେ ୧୯୬୭ ମସିହାରେ ୧୫ତମ ବ୍ୟାଚ୍ ଥିଲୁ । ମୋଟ ୫୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯ ଜଣ ପ୍ରଥମ ଶ୍ରେଣୀ ପାଇଥିଲେ । ତନ୍ମଧ୍ୟରେ ପ୍ରେମାନନ୍ଦ ନାୟକ ପ୍ରଥମ ଦଶଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ଦ୍ୱିତୀୟ ଶ୍ରେଣୀରେ ୨୯ଜଣ ଓ ତୃତୀୟ ଶ୍ରେଣୀରେ ୧୮ଜଣ ପାସ୍ କରିଥିଲେ । କେହି ଅକୃତକାର୍ଯ୍ୟ ହୋଇନଥିଲେ । ଆମ ବ୍ୟାଚ୍ ଯେଉଁପରି କୃତକାର୍ଯ୍ୟ ହୋଇଥିଲା, ମାର୍ଥାପୁର ହାଇସ୍କୁଲରେ ଅନ୍ୟ କୌଣସି ବ୍ୟାଚ୍ ସେପରି କୃତିତ୍ୱ ପ୍ରଦର୍ଶନ କରିପାରିନଥିଲେ । ଆମେ ପଢୁଥିବା ସମୟରେ ବିଦ୍ୟାଳୟ ଚାଳଘର ଥିଲା, ବିଦୁ୍ୟତ୍ ଆମ ଗ୍ରାମକୁ ଯାଇନଥିଲା ବା ବିଦ୍ୟାଳୟରେ ଶୌଚାଳୟଟିଏ ମଧ୍ୟ ନଥିଲା । ଆମର ସୌଭାଗ୍ୟ ସେହି ସମୟରେ ବିଦ୍ୟାଳୟରେ ଉଚ୍ଚକୋଟୀର ଶିକ୍ଷକ ଥିଲେ । ସେମାନଙ୍କ ଶିକ୍ଷାଦାନ ପ୍ରଣାଳୀ ଉଚ୍ଚକୋଟୀର ଥିଲା । ନାନାଦି ଅସୁବିଧା ସତ୍ତ୍ୱେ ମଧ୍ୟ ଆମେ ଭଲ ପଢୁଥିଲୁ ଓ କୃତିତ୍ୱ ପ୍ରଦର୍ଶନ କରୁଥିଲୁ । ଆଜି ମାର୍ଥାପୁର ଉଚ୍ଚ ବିଦ୍ୟାଳୟରେ ସବୁ ସୁବିଧା ସୁଯୋଗ ଥାଇ ମଧ୍ୟ ପିଲାମାନେ ଆଶାନୁରୂପ କୃତିତ୍ୱ ପ୍ରଦର୍ଶନ କରିପାରୁନାହାଁନ୍ତି । ଆମ ବ୍ୟାଚ୍ରେ ୫୬ ଜଣ ପାସ୍ କରିଥିଲେ ହେଁ ମାତ୍ର ୩୩ ଜଣ କଲେଜରେ ପଢିଲେ । ଅନ୍ୟ ୨୩ ଜଣ ଅର୍ଥାଭାବରୁ ପଢିପାରିଲେ ନାହିଁ । ଆମ ବ୍ୟାଚ୍ର ୧୦ ଜଣ ରେଭେନ୍ସା କଲେଜ୍, ୧୬ ଜଣ ଢେଙ୍କାନାଳ କଲେଜ, ୩ଜଣ ଅନୁଗୁଳ କଲେଜ, ୨ ଜଣ ଭଦ୍ରକ କଲେଜ, ଜଣେ ବିଜେବି କଲେଜ, ଜଣେ ପୁରୀ କଲେଜରେ ପଢିଲେ । ଅବଶିଷ୍ଟ ୨୩ ଜଣଙ୍କ ମଧ୍ୟରୁ କେତେଜଣ ବୈଷୟିକ ଶିକ୍ଷା ପାଇଲେ ଏବଂ କେତେକ ଚାକିରି ଅନ୍ୱେଷଣରେ ରହିଲେ ।
ଆନନ୍ଦନଗର, କାଠଗଡା
ଢେଙ୍କାନାଳ, ୭୫୯୦୦୧
ମୋ- ୮୮୯୫୨୩୦୭୨୨