ସ୍ୱାର୍ଥ ଓ ସାର୍ଥକତା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନର ସ୍ୱାର୍ଥ ଓ ସାର୍ଥକତାକୁ ନେଇ କିଛି ମାର୍ମିକ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ଜୀବନବ୍ୟାପୀ ସମୟ ମଧ୍ୟରେ କେବଳ ନିଜ ପାଇଁ ହିଁ ଶ୍ରମ କରି ଚାଲେ । ଅନ୍ୟକୁ ସାହାଯ୍ୟ, ସହଯୋଗ କରିବା ଏକ ବିରଳ ଘଟଣା । ହେଲେ ମନୁଷ୍ୟର ଶ୍ରମ ସେତେବେଳେ ସାର୍ଥକ ହୁଏ ଯେତେବେଳେ ସେ ଅନ୍ୟ ପାଇଁ କିଛି କରେ । ତେଣୁ କେବଳ ନିଜ ଜୀବନ କଥା ଚିନ୍ତା ନକରି ଅନ୍ୟମାନଙ୍କ ଜୀବନ କଥା ମଧ୍ୟ ଚିନ୍ତା କରିବା ଆବଶ୍ୟକ । ଜୀବନକୁ ସାର୍ଥକ କରିବା ପାଇଁ ଆମେ ଚେଷ୍ଟା କରିବା ଆବଶ୍ୟକ । ନିଜ ଦେଇ ଯେତିକି ସମ୍ଭବ ସେତିକି ଚେଷ୍ଟା କରିବା ଆବଶ୍ୟକ । କେବଳ ନିଜର ଆବଶ୍ୟକତା, ନିଜର ପରିବାର, ନିଜ ସ୍ୱାର୍ଥ ଆଦିକୁ ଆଖି ଆଗରେ ରଖି ସମସ୍ତ କାର୍ଯ୍ୟ କରିବା ଅନୁଚିତ୍ ।
ପୋଖରୀଟା ଯାକ ପାଣି ଭଳି ଗପଟିଏ ମଣିଷର ସ୍ୱାର୍ଥପରତାକୁ ନେଇ ସୃଷ୍ଟି କରାଯାଇଛି । କୌଣସି ଏକ ସ୍ଥାନରେ ରାଜାଙ୍କ ଆଦେଶରେ ସମସ୍ତ ରାଜ୍ୟବାସୀ ରାଜା ନୂଆ କରି ଖୋଳେଇ ଥିବା ପୋଖରୀରେ କେବଳ ଦୁଗ୍ଧ ଢ଼ାଳିବା ପାଇଁ ଏବଂ ତାହା ପୁଣି ମଧ୍ୟରାତ୍ରରେ କେହି ନଦେଖିବା ଭଳି ଢ଼ାଳିବା ପାଇଁ ନିଦେ୍ର୍ଦଶ ଦେଲେ । ମାତ୍ର ପ୍ରତ୍ୟେକ ସ୍ୱାର୍ଥପର ମନୁଷ୍ୟ ଭାବିଲେ ଯେ "ସମସ୍ତେ ତ ଦୁଗ୍ଧ ଢ଼ାଳିବେ, ମୁଁ ପାଣି ଢାଳିଦେଲେ କେହି ଜାଣିପାରିବେ ନାହିଁ ।' ରାତି ପାହିଲା ବେଳକୁ ଦେଖାଗଲା ଯେ ପୋଖରୀଟା ଯାକ ପାଣିରେ ଭର୍ତ୍ତି । ଦୁଗ୍ଧର ଚିହ୍ନବର୍ଣ୍ଣ ନାହିଁ!
କହିବାର ଅର୍ଥ ମନୁଷ୍ୟ ଅତ୍ୟନ୍ତ ସ୍ୱାର୍ଥପର ଏବଂ ସୁଯୋଗ ପାଇଲେ ଅନ୍ୟକୁ ଠକିବା ପାଇଁ, ଶୋଷଣ କରିବା ପାଇଁ ପଛଘୁଞ୍ଚା ଦିଏନାହିଁ । ତେଣୁ ନିଜର ଜନ୍ମକୁ ସାର୍ଥକ କରିବା, ନିଜର ଶ୍ରମକୁ ସାର୍ଥକ କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ । ଏହା ହେଉଛି ମାନବିକତା । ନିଜ ଜନ୍ମକୁ ସାର୍ଥକ କରିବା ପାଇଁ ଭଲ କାମ କରିବାର ଆବଶ୍ୟକତା ରହିଛି । ପରର ହିତ କରିଲେ ସ୍ୱର୍ଗଃ ଲାଭ ହୁଏ ବୋଲି ହିତୋପଦେଶରେ ବର୍ଣ୍ଣନା କରାଯାଇଛି । ତେଣୁ ନିଜ ଜୀବନକୁ ସମାଜ ପାଇଁ ଉତ୍ସର୍ଗ କରି ଅନ୍ୟ ପାଇଁ ଆମେ ବଞ୍ଚିଛୁ ବୋଲି ଭାବନା ସୃଷ୍ଟି ହେଲେ ସମସ୍ତ ଶ୍ରମ ଏବଂ ଜୀବନ ସାର୍ଥକ ହୋଇ ଉଠେ । ମୃତୁ୍ୟ ପରେ ମଧ୍ୟ ମନୁଷ୍ୟ ଅମର ହୁଏ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।