ଶବ୍ଦ ପ୍ରଦୂଷଣର ବିପଦ
ପରିବେଶ ପ୍ରଦୂଷଣ ପରେ ଶବ୍ଦ ପ୍ରଦୂଷଣ ଆଉ ଏକ ଗୁରୁତର ସମସ୍ୟା ଭାବେ ଆଧୁନିକ ସଭ୍ୟତାରେ ମୁଣ୍ଡ ଟେକିଛି । ଏଥିଯୋଗୁ ଆଜିର ମଣିଷ, ମୁଖ୍ୟତଃ ସହରର ମଣିଷ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ରୋଗରେ ଆକ୍ରାନ୍ତ ହୋଇଛି । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବ୍ୟକ୍ତି ସ୍ୱାଧୀନତା ମିଳୁଥିବା ଯୋଗୁ ବାକ୍ ସ୍ୱାଧୀନତା ତାର ହକ୍ ବୋଲି ସମସ୍ତେ ଧରି ନିଅନ୍ତି । କିନ୍ତୁ ବାକ୍ ସ୍ୱାଧୀନତାର ଅର୍ଥ ନୁହେଁ ଚିକ୍ରାର କରିବା ଓ ଅନ୍ୟର ସ୍ୱାଧୀନତାକୁ ଅପହରଣ କରିବା । ଆମର ଅଜ୍ଞାତସାରରେ ଶବ୍ଦ ପ୍ରଦୂଷଣ ଆମର କେତେ କ୍ଷତିକରେ ଆମେ ଜାଣୁନା । ଫଳରେ ସାମାନ୍ୟ ସାମାନ୍ୟ କଥାରେ ଆମେ ଉଚ୍ଚ ଶବ୍ଦରେ ବିଭିନ୍ନ କାରବାର କରିବାରେ ଗର୍ବକରୁ ଓ ଆନନ୍ଦ ଅନୁଭବ କରୁ । ଶବ୍ଦ ପରିବେଷଣରେ ଆମେ ସିନା କ୍ଷଣିକ ଆନନ୍ଦ ଅନୁଭବ କରୁଛେ, କେବେ ଚେଷ୍ଟା କରିଛେ କି ନିରବତାର ସ୍ୱର ଶୁଣିବା ପାଇଁ? କୁହାଯାଏ ନିରବତାର ଗଭୀରତାରେ ଲୁଚିରହିଥାଏ ଈଶ୍ୱରଙ୍କ ସ୍ୱର । ତାକୁ ଶୁଣିବା ପାଇଁ କେବେ ଚେଷ୍ଟା କରିଛେ କି? ସେଥିପାଇଁ ତ ମୁନି ଋଷିମାନେ ସହରର ଚାକଚକ୍ୟ ଓ ଶବ୍ଦ ଆଡ଼ମ୍ବର ଛାଡ଼ି ସୁଦୂର ବଣ ଜଙ୍ଗଲ ଓ ପାହାଡ଼ ପର୍ବତର ଗହ୍ୱର ଭିତରେ ବସି ଈଶ୍ୱର ପ୍ରାପ୍ତି ପାଇଁ ଧ୍ୟାନସ୍ଥ ହୁଅନ୍ତି । ସେଥିପାଇଁ ପ୍ରଦୂଷଣମୁକ୍ତ ହୋଇ ସୁସ୍ଥ ଶରୀର ରଖିବା ସହିତ ଦୀର୍ଘଜୀବୀ ହୁଅନ୍ତି, ପ୍ରଜ୍ଞା ପ୍ରାପ୍ତ ହୁଅନ୍ତି ।
ସହର ଓ ସହରତଳିଗୁଡ଼ିକରେ ଯନ୍ତ୍ରପାତି ମାଧ୍ୟମରେ ଉଚ୍ଚ ଶବ୍ଦ ସୃଷ୍ଟି କରିବା ଏକ ଆଭିଜାତ୍ୟ ବୋଲି ମନେକରନ୍ତି । ଏହା ମୁଖ୍ୟତଃ ମଧ୍ୟବିତ୍ତ, ଉଚ୍ଚମଧ୍ୟବିତ୍ତ ଓ ଧନିକ ଶ୍ରେଣୀ ବ୍ୟକ୍ତିମାନଙ୍କ ପାଖରେ ଦେଖାଯାଏ । ଆମର ବାହାଘର ଓ ଭୋଜିଘରେ ବାଣ ଓ ବାଜାର ରୋଶଣୀ ହୁଏ । ତାହା ପୁଣି ସାଧାରଣ ଭାବେ ନୁହେଁ, କାନକୁ ତାବ୍ଦା କଲା ଭଳି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଡିଜେ ସାଉଣ୍ଡରେ ଓ ବୋମା ଫୁଟିବା ଭଳି ବାଣରେ । ଦେଖାଯାଇଛି ଯଦି କୌଣସି ଗଛ ମୂଳେ ବିସ୍ଫୋରଣ କଲା ଭଳି ବାଣ ଫୁଟାଯାଏ ତେବେ ସେ ଗଛର ପତ୍ରଗୁଡ଼ିକ ଝାଉଁଳି ପଡ଼ନ୍ତି । କାରଣ ସେମାନେ ମଧ୍ୟ ଉଚ୍ଚ ଶବ୍ଦର ସହିବାର ଶକ୍ତିକୁ ହରାଇ ବସିଥାନ୍ତି । ଶବ୍ଦକୁ ଭଲ ପାଉ ନଥିବା ଲୋକମାନଙ୍କ କଥା ସେତେବେଳେ ସମସ୍ତେ ଭୁଲି ଯାଇଥାନ୍ତି । ସଂଗୀତ ପ୍ରତି ସାଧାରଣତଃ ଲୋକମାନଙ୍କ ଆଗ୍ରହ ନଥାଏ । କିନ୍ତୁ ଯେଭଳି ଭାବେ ଉଚ୍ଚ ଶବ୍ଦ ପ୍ରଦୂଷଣ କରୁଥିବା ଯନ୍ତ୍ରପାତି ମାଧ୍ୟମରେ ସଂଗୀତ ପରିବେଷଣ କରାଯାଉଛି ତାହା ଆନନ୍ଦ ଅପେକ୍ଷା ବିରକ୍ତି ଭାବ ଉଦ୍ରେକ କରୁଛି ଏବଂ କାନକୁ ଅସୁଖକର ଲାଗୁଛି ।
କାର, ଟ୍ରକ, ଟ୍ରାକ୍ଟର, ବସ୍, ମିନି ବସ୍, ମଟର ସାଇକେଲ, ସ୍କୁଟର ଇତ୍ୟାଦି ଯାନବାହନଗୁଡ଼ିକ ହର୍ଣ୍ଣ ବଜେଇବା ଠାରୁ ଆରମ୍ଭ କରି ଯାନବାହନ ଚାଲିବାର ଶବ୍ଦ, ଆକାଶରେ ଅତି ପାଖରେ ଉଡୁଥିବା ଜେଟ ପ୍ଲେନ, ହେଲିକ୍ୟାପ୍ଟର, ମନ୍ଦିର ଓ ମସ୍ଜିଦ୍ରେ ବାଜୁଥିôବା ଲାଉଡ ସ୍ପିକର ଇତ୍ୟାଦି ପରିବେଶକୁ ଆହୁରି ଉକ୍ରଟ କରୁଛି । ଶିଳ୍ପାଞ୍ଚଳଗୁଡ଼ିକରେ ଶବ୍ଦ ନିୟନ୍ତ୍ରଣ ସୀମା ୭୫ ଡେସିବେଲ ରହିଥିବା ବେଳେ ଏହା ୧୧୫ ଠାରୁ ଅଧିକ ରହୁଛି । ଫଳରେ ସେ ଅଞ୍ଚଳରେ ବସବାସ କରୁଥିବା ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ରୋଗରେ ପୀଡ଼ିତ ହୁଅନ୍ତି । ଘରେ ମଧ୍ୟ ଫୁଡ୍ ମିକ୍ସର, ଗ୍ରାଇଣ୍ଡର, ଭାକୁ୍ୟମ୍କୁଲର, ୱାସିଙ୍ଗମେସିନ୍, ଏସି, ଟିଭି, ଆଇପଡ୍ସ, ଇୟରଫୋନ, ଦୀର୍ଘ ସମୟ ଧରି କୁକୁର ଭୋକିବା ଆଦିରୁ ସୃଷ୍ଟି ଶବ୍ଦ ମଧ୍ୟ ପ୍ରଦୂଷଣର ଅନ୍ୟତମ କାରଣ । ସେହିପରି ସହରଗୁଡ଼ିକରେ ଦିନରାତି ଲାଗି ବହୁତଳ ପ୍ରାସାଦ ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତିରୁ ଯେଉଁ ଶବ୍ଦ ସୃଷ୍ଟି ହୁଏ ତାହା ମଧ୍ୟ ଅତ୍ୟନ୍ତ ଅସହ୍ୟକର । ଏପରିକି ଅସହ୍ୟ ଶବ୍ଦ ଯୋଗୁଁ ତିମି ଭଳି ବିରାଟକାୟ ମାଛମାନେ ମଧ୍ୟ ମରିଯାଉଥିବା ନଜିର ରହିଛି । ଶବ୍ଦ ପ୍ରଦୂଷଣ ଶରୀର ଉପରେ ଅନେକ କୁପ୍ରଭାବ ପକେଇଥାଏ । ଏହା ମାନସିକ ସ୍ତରରେ ଚାପ ସୃଷ୍ଟି କରିବା ସହ ଉଦ୍ବେଗ ଓ ନିଦ୍ରାହୀନତାର କାରଣ ହୋଇଥାଏ । କାନକୁ ଶୁଣା ନଯିବା, ଭଲ କଥା ନକହିପାରିବା, ଉଚ୍ଚତମ ପ୍ରଯୋଜନ ଶକ୍ତି ହରାଇବା, ଉଚ୍ଚରକ୍ତଚାପ ବଢ଼ାଇବା ଓ ହୃଦ୍ରୋଗର ମଧ୍ୟ କାରଣ ହୋଇଥାଏ । ସେଥିପାଇଁ ଚିକିତ୍ସାଳୟ, ବିଚାରାଳୟ, ଛୋଟ ପିଲାଙ୍କ ସ୍କୁଲ, ବାସୋପଯୋଗୀ ଅଞ୍ଚଳରେ ଉଚ୍ଚ ଶବ୍ଦ ବ୍ୟବହାରର ବାରଣ ଅଛି । ସେଥିପାଇଁ ମଧ୍ୟ ଭାରତ ସରକାର ପରିବେଶ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି । ଏହାକୁ ଯେଉଁମାନେ ଭଙ୍ଗ କରିବେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିବା ସହ ଜାମିନ୍ବିହୀନ ଗିରଫ କରିବା ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ରହିଛି । ଭାରତୀୟ ନାଗରିକମାନେ ଆଇନକାନୁନ୍କୁ ଡରନ୍ତି ସିନା କିନ୍ତୁ ତାକୁ ସମ୍ମାନ ଦେଇ ନିଜକୁ ପରିବର୍ତ୍ତନ କରନ୍ତି ନାହିଁ । ଫଳରେ ଦେଖାଯାଇଛି ବଡ଼ ବଡ଼ ସହରମାନଙ୍କରେ ମାନସିକ ରୋଗୀ ବଢିବା ସହ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି । ଏଥିରୁ ଦିଲ୍ଲୀ, ବମ୍ବେ, ଲକ୍ଷ୍ନୌ, କଲିକତା, ବେଙ୍ଗୁଲୁର ପ୍ରଭୃତି ସହର ବାଦ୍ ପଡ଼ିନାହାନ୍ତି । ଏବେ ସମୟ ଆସିଛି ଶବ୍ଦ ପ୍ରଦୂଷଣ ପ୍ରତି ଆମେ ଜନ ସଚେତନତା ବଢ଼ାଇବା ଓ ଅଯଥା ଉଚ୍ଚ ଶବ୍ଦ ସୃଷ୍ଟି କରିବାରୁ ନିଜେ ନିବୃତ୍ତ ରହିବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ।
ଋ-ଜ୍ଞବସକ୍ଷ : ଶଙ୍କକ୍ସଙ୍କକ୍ଟ୍ରବୟବଜ୍ଞସଗ୍ଦଷକ୍ସବ୬୧୪ଅଶଜ୍ଞବସକ୍ଷ.ମକ୍ଟଜ୍ଞ