ଓୟୁଏଟିର ଶୈକ୍ଷିକ ସଂଗ୍ରହାଳୟ ପରିଦର୍ଶନ କଲେ ରାଜ୍ୟପାଳ

 ଭୁବନେଶ୍ୱର : ଆଜି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଓୟୁଏଟିର ବିଭିନ୍ନ କାର୍ଯ୍ୟଧାରା ସଂପର୍କରେ ସମୀକ୍ଷା କରିଛନ୍ତି । ରାଜ୍ୟପାଳଙ୍କ ଏହି ପରିଦର୍ଶନ ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ । ପ୍ରାରମ୍ଭରେ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବିଶ୍ୱବିଦ୍ୟାଳୟର ଶିକ୍ଷା, ଗବେଷଣା, ସଂପ୍ରସାରଣର ପ୍ରଗତି ଏବଂ ଦେଶ ବିଦେଶରେ ବିଭିନ୍ନ ଶିକ୍ଷା ଏବଂ ଗବେଷଣା ଅନୁଷ୍ଠାନ ସହିତ ଓୟୁଏଟିର ସଂପର୍କ, ସମନ୍ୱୟ ଓ ଭାଗିଦାରୀ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଉନ୍ନତି ତଥା ରାଜ୍ୟରେ କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ ନିଆ ଯାଉଥିବା ପଦକ୍ଷେପ ସଂପର୍କରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ । 
ବିଭିନ୍ନ ପ୍ରସଂଙ୍ଗରେ ରାଜ୍ୟପାଳ ସମୀକ୍ଷା କରିବା ଅବସରରେ ଓୟୁଏଟି ବୈଜ୍ଞାନିକମାନଙ୍କର ସାମାଜିକ ଦାୟିତ୍ୱବୋଧ ସଂପର୍କରେ ଗୁରୁତ୍ୱାରୋପ କରିବା ସହ ବିକଶିତ ଭାରତ ନିର୍ମାଣରେ ବିକଶିତ ଓଡିଶାର ଭୂମିକା ଉପରେ ଆଲୋକପାତ କରିଥିଲେ । ଓୟୁଏଟିର ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ କାର୍ଯ୍ୟର ଅଗ୍ରଗତି ତଥା ବିଭିନ୍ନ କ୍ଷେତ୍ରରେ ଏହି ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କର ସଫଳତାରେ ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଥିଲେ ।