ସବୁଜ ଶକ୍ତିର ଲକ୍ଷ୍ୟ ହାସଲ କରିବ ଓଡ଼ିଶା
ଭୁବନେଶ୍ୱର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆପୋଲ ଗ୍ରୀନ ଏନର୍ଜି ଲିମିଟେଡ଼ କମ୍ପାନୀ ଦ୍ୱାରା ଓଡ଼ିଶାରେ ସୌର ବିଦୁ୍ୟତ ପ୍ରକଳ୍ପ ସ୍ଥାପନ ନିମନ୍ତେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ । ଓଡ଼ିଶାର ସବୁଜ ଶକ୍ତି ଲକ୍ଷ୍ୟ ହାସଲ କରିବା ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ଆପୋଲ ଗ୍ରୀନ ଏନର୍ଜି ସମ୍ପ୍ରତି ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ୫୪ମେଗାୱାଟ ବିଶିଷ୍ଟ ୧୫୧ କୋଟି ଟଙ୍କାର ସୌର ବିଦୁ୍ୟତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ସେହିପରି ଓଡ଼ିଶାର ଅନ୍ୟ ଜାଗାରେ ମଧ୍ୟ ଗ୍ରୀନ ଏନର୍ଜି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆଗ୍ରହୀ । ସମୁଦାୟ ୧ ହଜାର ମେଗାୱାଟର ଗ୍ରୀନ ଏନର୍ଜି ପ୍ରକଳ୍ପ ନିମନ୍ତେ ୪ ହଜାର ୫ ଶହ କୋଟି ଟଙ୍କା ପୁଞ୍ଜି ନିବେଶ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ସୌରବିଦୁ୍ୟତ ଉତ୍ପାଦନ ହେବା ସଙ୍ଗେ ସଙ୍ଗେ ୩ ହଜାର ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇବେ । ଆବଶ୍ୟକ ଅନୁଯାୟୀ ବିଦୁ୍ୟତ ବ୍ୟବହାର ପରେ ବଳକା ବିଦୁ୍ୟତ ବ୍ୟାଟେରୀ ଦ୍ୱାରା ଷ୍ଟୋର କରି ରଖିବା ସୁବିଧା ମଧ୍ୟ ଏହି ପ୍ରକଳ୍ପରେ ଉପଲବ୍ଧ ହେବ । ଏଥିପାଇଁ ସରକାରଙ୍କ ଠାରୁ ଆବଶ୍ୟକ ସହଯୋଗ କାମନା କରିଥିଲେ ।
ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ ସିଏମ୍ଡି ଭାସ୍କର ଜ୍ୟୋତି ଶର୍ମା, ଗ୍ରୀଡକୋ ଏମଡି ତ୍ରିଲୋଚନ ପଣ୍ଡା, ଆପୋଲ ଗ୍ରୀନ ଏନର୍ଜି ଲିମିଟେଡ଼ ସିଇଓ ସଞ୍ଜୟ ଗୁପ୍ତା, ପ୍ରେସିଡେଣ୍ଟ ରାକେଶ ଗୁପ୍ତାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।