ସଙ୍କଟରେ ପଥର କାରିଗର
ରାଜ୍ୟରେ କୋଣାର୍କ, ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ପର୍ଶୁରାମେଶ୍ୱର ମନ୍ଦିର, ବୌଦ୍ଦ ସହରର ବିଭିନ୍ନ ମନ୍ଦିର ଆଦି ଅନେକ ମନ୍ଦିରରେ ଅତି ନିଖୁଣ ଭାବରେ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳେ । କେବଳ ମନ୍ଦିର ନୁହେଁ ବିଭିନ୍ନ ସ୍ଥାନରେ ରହିଥିବା ଗୁମ୍ଫା ଆଦିରେ ମଧ୍ୟ ପ୍ରସ୍ତରର କାରୂକାର୍ଯ୍ୟ ଦର୍ଶକଙ୍କୁ ବିସ୍ମିତ କରେ । କୋଣାର୍କର ପ୍ରସ୍ତର କାରୁକାର୍ଯ୍ୟ ମାଧ୍ୟମରେ ନିର୍ଭୁଲ୍ ସମୟ ମାପକ ଯନ୍ତ୍ର ଭଳି ପ୍ରସ୍ତର କାରୁକାର୍ଯ୍ୟ ଦେଖିବାକୁ ମିଳେ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ଠାରୁ ଏ ପର୍ଯ୍ୟନ୍ତ ପଥର ଶିଳ୍ପୀମାନଙ୍କର ନିଖୁଣ କାରିଗରୀ କୌଶଳ ପାଇଁ ଓଡ଼ିଶା ପ୍ରସିଦ୍ଧ । ଏପରିକି ବିଦେଶର କେତେକ ମନ୍ଦିର ଏବଂ ଧର୍ମପୀଠ ପାଇଁ ଯାଜପୁର ଜିଲ୍ଲାର କେତେକ ଅଞ୍ଚଳର ଶିଳ୍ପୀମାନଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ କରାଯାଇଛି । ମୂର୍ତ୍ତି ନିର୍ମାଣ କଳାକୁ ଏବେ ବି ହଜାର ହଜାର ପଥର ଶିଳ୍ପୀ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଏ କ୍ଷେତ୍ରରେ ପଥର କାରିଗରମାନଙ୍କୁ ପଥର ମିଳିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଆଜିର ଦିନରେ ପ୍ରଶାସନିକ ବ୍ୟବସ୍ଥାରେ କୌଣସି ପାହାଡ଼ରୁ ମନଇଚ୍ଛା ପଥର ନିଆଯାଇପାରିବ ନାହିଁ । ଏଥିପାଇଁ ସରକାରୀ ଅନୁମତି ଆବଶ୍ୟକ ପଡୁଛି । ମୂର୍ତ୍ତି କାରିଗରମାନଙ୍କ ପାଇଁ ବର୍ଷକୁ ବଡ଼ ବଡ଼ ମୂର୍ତ୍ତି ନିର୍ମାଣ ଉଦେ୍ଦଶ୍ୟରେ ୪/୫ ଖଣ୍ଡ ପଥରର ଆବଶ୍ୟକତା ହୁଏ । କିନ୍ତୁ ବର୍ତ୍ତମାନ ସମୁଦାୟ ପାହାଡ଼କୁ ଲିଜ୍ ଦିଆଯାଉଥିବାରୁ କାରିଗରମାନେ ଆର୍ଥôକ ଦୃଷ୍ଟିରୁ ଏଭଳି ଲିଜ୍ ନେବା ସମ୍ଭବ ନୁହେଁ । ଛୋଟ ଛୋଟ ପଥର ମଧ୍ୟ ଶୀଳ, ଚକି, ଛୋଟ ଛୋଟ ମୂର୍ତ୍ତି ପାଇଁ ଆବଶ୍ୟକ ପଡୁଛି । ମୁଗୁନି ପଥର, ଖଡ଼ି ପଥର, ସ୍ୟାଣ୍ଡ୍ ଷ୍ଟୋନ୍ ଆଦି ବିଭିନ୍ନ ପ୍ରକାରର ପଥର କାରିଗରମାନେ ଆବଶ୍ୟକ କରୁଥିବା ବେଳେ ସେସବୁ ଆଉ ସହଜରେ ମିଳୁନାହିଁ । ଏପରିକି ଏହି ଅଳ୍ପଦିନ ତଳେ ଶ୍ରୀମନ୍ଦିରରେ ମୂର୍ତ୍ତି ନିର୍ମାଣ ଜନିତ ପଥର ଖଣ୍ଡର ଆବଶ୍ୟକତା ପଡିଥିଲା । ଏହି ପଥର ଖଣ୍ଡଟି ବହୁ ଖୋଜାଖୋଜି ପରେ ଜଣେ ପଥରଶିଳ୍ପୀଙ୍କ ଘରେ ମିଳିଥିଲା । ଏ କ୍ଷେତ୍ରରେ ଉଲ୍ଲେଖନୀୟ କଥା ହେଲା ସବୁ ପାହାଡ଼ର ପଥରରେ ମୂର୍ତ୍ତି ତିଆରି ହୋଇପାରେ ନାହିଁ । ବିଶେଷ କରି ଯେଉଁ ପାହାଡ଼ରୁ ଝରଣା ଶୁଖିଯାଇଛି ସେଠାକାର ପଥରରେ ମୂର୍ତ୍ତି ହୋଇପାରେ ନାହିଁ । ମୂର୍ତ୍ତି ପାଇଁ ଆବଶ୍ୟକ ହେଉଥିବା ପଥର ରାଜ୍ୟର ନିର୍ଦ୍ଧିଷ୍ଟ କେତୋଟି ପାହାଡ଼ରେ ମିଳୁଛି । ପଥର କାରିଗରମାନେ ଏସବୁ ଆଣିବାକୁ ଆର୍ଥôକ ଦୃଷ୍ଟିରୁ ସକ୍ଷମ ହୋଇପାରୁନାହାନ୍ତି । ପାହାଡ଼ ସବୁ ଦେଶୀ, ବିଦେଶୀ କମ୍ପାନୀଙ୍କ ହାତକୁ ଚାଲିଯାଉଛି । ଚାହିଦା ମୂତାବକ ପଥର ଶିଳ୍ପୀମାନଙ୍କୁ ନମିଳିଲେ ସମଗ୍ର ବିଶ୍ୱରେ ପଥର ଶିଳ୍ପ ପାଇଁ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ଶିଳ୍ପୀ କୂଳ କୌଳିକ ବ୍ୟବସାୟ ହରାଇ ଏହି କଳାକୁ ରାଜ୍ୟରୁ ସବୁଦିନ ପାଇଁ ବିଲୁପ୍ତ ହୋଇଯିବା ଅବସ୍ଥାକୁ ଆସିଗଲାଣି । ରାଜ୍ୟରେ ହଜାର ହଜାର ପଥର ଶିଳ୍ପୀ ଏଭଳି ସଙ୍କଟରେ ଦିନ କାଟୁଥିବା ବେଳେ ଓଡ଼ିଶାର କଳା, ଭାସ୍କର୍ଯ୍ୟର ସୁରକ୍ଷା ନିମିତ୍ତ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବରେ ପଥର ଶିଳ୍ପୀମାନଙ୍କୁ ବିଭିନ୍ନ ପର୍ବତରୁ ପଥର ସଂଗ୍ରହ ପାଇଁ ଅନୁମତି ଦିଆଯିବାର ଏକ ନୀତି ନିର୍ଦ୍ଧାରଣ କରିବା ଉଚିତ୍ । ପଥର ମାଫିଆମାନେ ଶହ ଶହ କୋଟି ଟଙ୍କାର ପଥର ଚୋରି କରି ସେସବୁକୁ ନିଶ୍ଚିହ୍ନ କରି ଦେଉଛନ୍ତି । ବିନା ଅନୁମତିରେ କ୍ରସର୍ ବସାଇ ଗୋଟିଏ ଗୋଟିଏ ପାହାଡ଼କୁ ୨/୪ ବର୍ଷ ଭିତରେ ସଂପୂର୍ଣ୍ଣ ଭାବରେ ନିଶ୍ଚିହ୍ନ କରି ଦେଉଛନ୍ତି । ଅନ୍ୟପକ୍ଷରେ କୌଳିକ ବୃତ୍ତି ଭାବରେ ପଥର କାରିଗରମାନଙ୍କ ନିକଟରେ ଛୋଟ ପଥର ଖଣ୍ଡିଏ ପହଞ୍ଚିପାରୁନାହିଁ ।
ଓଡ଼ିଶାର ସମ୍ମାନ, କଳା, ଭାସ୍କର୍ଯ୍ୟ ଆଦି ଦୃଷ୍ଟିରୁ ଏଭଳି ଏକ ବିଦ୍ୟାର ବିଲୁପ୍ତି ହେବାକୁ ଯାଉଥିବା ସମୟରେ ଏହାର ସୁରକ୍ଷା ନିମିତ୍ତ ଏକ ନିର୍ଦ୍ଦିଷ୍ଟ ସରକାରୀ ନୀତିର ଆବଶ୍ୟକତା ପଡ଼ିଲାଣି । ବର୍ତ୍ତମାନ ବିଭିନ୍ନ ଡ଼ିଜାଇନ୍ର ନୂଆ ନୂଆ ଘର ନିର୍ମାଣ, ହୋଟେଲ୍ ଆଦିର ସାଜସଜା ଏପରିକି ସାଧାରଣ ଲୋକଙ୍କ ଘରେ ମଧ୍ୟ ପଥରର ମୂର୍ତ୍ତି ରଖିବାକୁ ଚାହୁଁଛନ୍ତି । ଏପରି ସ୍ଥଳେ ଓଡ଼ିଶାର ପଥର କାରିଗରଙ୍କ କୌଳିକ ବୃତ୍ତି ବିଲୁପ୍ତ ହେବା ପୂର୍ବରୁ ସେମାନଙ୍କ ସମସ୍ୟାକୁ ବୁଝିବା ଆବଶ୍ୟକ । ଅନ୍ୟଥା ଉକ୍ରୃଷ୍ଟ କଳାର ରାଜ୍ୟରେ ଭବିଷ୍ୟତରେ କେବଳ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ର ମୂର୍ତ୍ତି ହିଁ ଦେଖିବାକୁ ମିଳିବ ।