ସୋନପୁରର ମା’ସୁରେଶ୍ୱରୀ
ସୋନପୁର: ସୋନପୁରରେ ରହିଛନ୍ତି ଶିଳାଲେଖରେ ବର୍ଣ୍ଣିତ ଅଷ୍ଟଚଣ୍ଡୀ ହେଲେ ଖମ୍ବେଶ୍ୱରୀ, ସୁରେଶ୍ୱରୀ, ସମଲେଶ୍ୱରୀ, ଭଗବତୀ, ଦଶମତୀ, ନାରାୟଣୀ, ରାମଚଣ୍ଡୀ ଓ ବିମଳାକ୍ଷୀ ମା’ ସୁରେଶ୍ୱରୀ ହେଉଛନ୍ତି ସୋନପୁରର ଅଧିଷ୍ଠାତ୍ରୀ ଦେବୀ । ସାରଳା ଦାସ ପଞ୍ଚଦଶ ଶତାବ୍ଦୀରେ ସ୍ୱରଚିତ ଚଣ୍ଡୀପୁରାଣରେ ଦେବୀ ସୁରେଶ୍ୱରୀଙ୍କୁ ୬୪ ଯୋଗିନୀ ମଧ୍ୟରୁ ଅନ୍ୟତମ ଯୋଗିନୀ ଭାବରେ ବର୍ଣ୍ଣନା କରିଛନ୍ତି । କିଂବଦନ୍ତି ଅଛି, ପର୍ଶୁରାମ ପୃଥିବୀରୁ ବହୁବାର ପରିକ୍ରମା କରି ଅଧିକାଂଶ କ୍ଷତ୍ରିୟ ବୀରଙ୍କୁ ନିପାତ କରିବା ପରେ ସୋନପୁରରେ ଏକ ଯଜ୍ଞାନୁଷ୍ଠାନ ସଂପାଦନ କରିଥିଲେ ଏବଂ ମାତା ରେଣୁକାଙ୍କ ନିର୍ଦ୍ଦେଶକ୍ରମେ ଦେବୀ ସୁରେଶ୍ୱରୀଙ୍କୁ ସ୍ଥାପନ କରିଥିଲେ । ଯଦିଓ ରାମେଶ୍ୱର ସଙ୍ଗମସ୍ଥଳରେ ଏକ ଯଜ୍ଞକୁଣ୍ଡର ଭଗ୍ନାବଶେଷ ଆବିଷ୍କୃତ ହୋଇଛି ତାହା ଯେ ମହର୍ଷି ପର୍ଶୁରାମଙ୍କ ଯଜ୍ଞକୁଣ୍ଡ, ସେ ସମ୍ବନ୍ଧରେ କୌଣସି ଐତିହାସିକ ପ୍ରମାଣ ନାହିଁ । କିନ୍ତୁ ଏହାକୁ ଲୋକେ ପର୍ଶୁରାମଙ୍କ ଯଜ୍ଞକୁଣ୍ଡ ହୋଇଥିବାର ବିଶ୍ୱାସ କରନ୍ତି ।
ସୋମବଂଶୀ ଶାସନ କାଳରେ ସୁରେଶ୍ୱରୀ ଦୁର୍ଗର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଉଥିଲେ । ସେତେବେଳେ ଦଶମତୀ, ଏହି ମନ୍ଦିର ନିକଟସ୍ଥ ସାତବନ୍ଧ ଥିଲା ସୋମବଂଶୀମାନଙ୍କର ଦୁର୍ଗ । ଏଣୁ ସୋମବଂଶୀ ଶାସକ ଧର୍ମରଥ ଦେବୀ ସୁରେଶ୍ୱରୀଙ୍କୁ ସ୍ଥାପନ କରିଥିବା ମଧ୍ୟ ବିଶ୍ୱାସ କରାଯାଏ । ବହୁ ବର୍ଷ ପରେ ଚୌହାଣ ରାଜା ଅଚଳ ସିଂହଦେବ (ଖ୍ରୀ.୧୭୨୫- ୧୭୫୦)ଙ୍କ ଶାସନ କାଳରେ ସୁରେଶ୍ୱରୀ ମନ୍ଦିର ନିର୍ମିତ ହେଲା ଏବଂ ମହାରାଜା ବୀରମିତ୍ର ସିଂହଦେବ (୧୯୦୨-୧୯୩୭) ଙ୍କ ବେଳକୁ ଏହା ସଂପ୍ରସାରିତ ହେଲା । ମନ୍ଦିର ସ୍ଥାପିତ ଅଷ୍ଟଭୁଜା ମହିଷାମର୍ଦ୍ଦିନୀ ଦୁର୍ଗା ବିଗ୍ରହ ସୁରେଶ୍ୱରୀ ନାମରେ ପୂଜିତା ହେଉଛନ୍ତି । ମନ୍ଦିରର ପୂର୍ବ ଭାଗରେ ଅଷ୍ଟଭୁଜ ଗଣେଶ, ପଶ୍ଚିମରେ ଚତୁର୍ଭୁଜା ବଗଳା, ଉତ୍ତରରେ ଶିବମୂର୍ତ୍ତି ଓ ଦକ୍ଷିଣରେ ଦଶଭୁଜା ଦୁର୍ଗା ପାର୍ଶ୍ୱ ଦେବତା ରୂପରେ ପୂଜା ପାଉଛନ୍ତି । ଏହାଛଡ଼ା ମୁଖଶାଳା ମଣ୍ଡପ ଗାତ୍ରରେ ଦଶମହାବିଦ୍ୟା ଶୋଭା ପାଉଛନ୍ତି । ମନ୍ଦିର ପରିସରରେ ଅବସ୍ଥିତ ଯମଜ ଲିଙ୍ଗ ଓ ଭୈରବ ମନ୍ଦିର ମହାରାଜା ବୀରମତ୍ରଙ୍କ ସମୟରେ ନିର୍ମିତ । ଯମଜଲିଙ୍ଗ ଶୈବ ପୀଠରେ ଅମେଶ୍ୱର ଓ ଜମ୍ବେଶ୍ୱର ନାମକ ଶକ୍ତିଦ୍ୱୟ ସ୍ଥାପିତ ହୋଇଥିବା ବେଳେ ମନ୍ଦିର ଚାରିପାଖରେ ଷଡ଼ଭୁଜ କାର୍ତ୍ତିକ, ଚତୁର୍ଭୁଜ ସଂଯୋଜିତ ହୋଇଛନ୍ତି । ଶିମୁଳି ଗଛମୂଳରେ ଗଣେଶ ଓ ଚତୁର୍ଭୁଜା ପାର୍ବତୀ ବିଗ୍ରହ ଖଉଳେଶ୍ୱରୀ ପ୍ରତିଷ୍ଠିତ ହୋଇଥିବା ବେଳେ ସାହାଡ଼ା ଗଛ ମୂଳେ ତାରା, ନୃସିଂହ ଆଦି ପ୍ରାଚୀନ ମୂର୍ତ୍ତି ଅବସ୍ଥାନ କରିଛନ୍ତି । ଏହି ମୌଳଗାଡ଼ ବୀରମୂର୍ଚ୍ଛା ନାମରେ ଅଭିହିତ । ପ୍ରସିଦ୍ଧ ବଳିଯାତ୍ରା ଉପଲକ୍ଷେ ବରୁଆ ଦେହରେ ଦୈବୀଶକ୍ତି ଆବିର୍ଭାବ ନିମନ୍ତେ ଏହି ଖଉଳମାଟି ବ୍ୟବହାର କରାଯାଏ । ପ୍ରତିଦିନ ପଞ୍ଚମାକାରରେ ଚାମୁଣ୍ଡା ମନ୍ତ୍ରରେ ଦେବୀ ସୁରେଶ୍ୱରୀଙ୍କୁ ପୂଜା କରାଯାଏ । ଦଶହରା ଦିନ ଏହି ମନ୍ଦିରରେ ମହବଳିର ଚୂଳ ବନ୍ଧନ କରାଯାଏ । ଚୈତ୍ର ରାମନବମୀରେ ବାସନ୍ତିକ ପୂଜା ଅନୁଷ୍ଠିତ ହୁଏ । ପ୍ରତି ମଙ୍ଗଳବାର, ଅମାବାସ୍ୟା ଓ ସଂକ୍ରାନ୍ତି ଦିନ ୧୦୮ ବତିରେ ଦେବୀଙ୍କୁ ସଞ୍ଜ ଆଳତି କରାଯାଏ । ଏଥିସହିତ ନବରାତ୍ର ପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ ।