‘ସିନ୍ଦୂର’ ସବୁଠୁ ବଡ଼ ସଫଳତା: ମୋଦି

‘ସିନ୍ଦୂର’ ସବୁଠୁ ବଡ଼ ସଫଳତା: ମୋଦି

ନୂଆଦିଲ୍ଲୀ : “ପହେଲଗାମରେ ଆତଙ୍କୀମାନେ କେବଳ ରକ୍ତ ବୁହାଇନାହାନ୍ତି; ସେମାନେ ଭାରତୀୟ ସଂସ୍କୃତି ଉପରେ ଆକ୍ରମଣ କରିଛନ୍ତି । ଆଉ ଆମ ସଂଗଠିତ ସମାଜକୁ ଭାଗ ଭାଗ କରିବାକୁ ପ୍ରୟାସ କରିଛନ୍ତି । ଭାରତର ନାରୀଶକ୍ତିକୁ ଚ୍ୟାଲେଞ୍ଜ କରି ପାକିସ୍ତାନ୍ ଆଜି ନିଜ ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଛି । ପହେଲଗାମରେ ନିଜ ଆଖିଆଗରେ ସ୍ୱାମୀମାନଙ୍କୁ ହତ୍ୟା କରିଥିବା ଆତଙ୍କୀ ଏବେ ନିପାତ ହୋଇଛନ୍ତି ଏବଂ ପାକିସ୍ତାନ୍ରେ ଥିବା ଆତଙ୍କୀ ଆଡ୍ଡା ମଧ୍ୟ ଧ୍ୱଂସ ହୋଇଛି । ଏହାସହ ପହେଲଗାମ ଆକ୍ରମଣକୁ ନେଇ ଭାରତୀୟ ସେନା କରିଥିବା ଅପରେସନ୍ ‘ସିନ୍ଦୂର’ ଆଜି ପର୍ଯ୍ୟନ୍ତ ଭାରତ କରିଥିବା ଆତଙ୍କବାଦୀ ବିରୋଧୀ ଇତିହାସରେ ସବୁଠାରୁ ବଡ଼ ସଫଳତା ।” ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ରାଣୀ ଅହଲ୍ୟା ହୋଲକାରଙ୍କ ୩୦୦ତମ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବା ମହିଳା ସଶକ୍ତିକରଣ ମହାସମ୍ମେଳନରେ ଯୋଗ ଦେଇ ଏହା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦୀଙ୍କୁ ନେଇ ଦୀର୍ଘଦିନ ଧରି ଛାୟାଯୁଦ୍ଧ ଚଳାଇଥିବା ପାକିସ୍ତାନକୁ ଆଦୌ ବରଦାସ୍ତ କରାଯିବ ନାହିଁ; ଯଦି ପାକ୍ ପୁଣି କିଛି ଏଭଳି କାରନାମା କରେ ତେବେ ଘରେ ପଶି ମାରିବାର କ୍ଷମତା ରଖିଛି ଭାରତ । ଯଦି କେହି ବି ଏହି ଆତଙ୍କୀ ସଂଗଠନକୁ ସହାୟତା କରେ ତେବେ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ମୋଦି ଆଜି ପାକ୍କୁ ଚେତାବନୀ ଦେଇଛନ୍ତି । ପହେଲଗାମ ଆକ୍ରମଣକୁ ନେଇ ମୋଦି କହିଛନ୍ତି, ଏପ୍ରିଲ ୨୨ରେ ପହେଲଗାମରେ ପ୍ରାଣ ହରାଇଥିବା ୨୬ ପର୍ଯ୍ୟଟକମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ପତ୍ନୀଙ୍କ ସମ୍ମାନାର୍ଥେ ତଥା ଭାରତୀୟ ନାରୀଙ୍କ ସିନ୍ଦୂର ଉଜାଡ଼ିଥିବା ଆତଙ୍କୀଙ୍କ ବିରୁଦ୍ଧରେ ଭାରତ ପକ୍ଷରୁ ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଥିଲା । ଏହି ଅପରେସନ୍ ସିନ୍ଦୂର ଦ୍ୱାରା ପାକିସ୍ତାନ୍ରେ ବୃଦ୍ଧି ପାଇଥିବା ଆତଙ୍କୀ ଶିବିର ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତବିଧ୍ୱସ୍ତ ହେବା ସହ ୧୦୦ରୁ ଊଦ୍ଧ୍ୱର୍ ଆତଙ୍କବାଦୀଙ୍କ ମୃତୁ୍ୟ ହୋଇଛି । ପାକିସ୍ତାନ୍ ସୀମାର ୧୦୦ କିମି ଭିତରେ ପଶି ଭାରତୀୟ ସେନା ନିଜର ପରାକ୍ରମ ଦେଖାଇଥିଲା ବୋଲି ମୋଦି କହିଛନ୍ତି । ଏହାସହ ମୋଦି ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ପୁଣିଥରେ ଯଦି ଭାରତ ଆକ୍ରମଣ କରେ ତେବେ ପାକିସ୍ତାନ୍ରେ ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନକୁ ପାଣ୍ଠି ଯୋଗାଡ଼ କରୁଥିବା ସଂସ୍ଥାଗୁଡ଼ିକ ବହୁମୂଲ୍ୟ ଆର୍ଥିକ ସଙ୍କଟ ଭୋଗିବେ ।  ସେହିପରି ଭାରତୀୟ ସେନାରେ ନାରୀଶକ୍ତିର ଉଦାହରଣ ଦେଇ ମୋଦି କହିଛନ୍ତି, ଏବେ ଭାରତର ଝିଅମାନେ ବିଏସ୍ଏଫ୍ରେ ସାମିଲ ହୋଇ ସୀମା ଜଗୁଛନ୍ତି । ସେହିପରି ଅପରେସନ୍ ସିନ୍ଦୂରରେ ସେନାରେ ଥିବା ନାରୀଶକ୍ତିର ଅଦମ୍ୟ ସାହସ ସହିତ ଆଜି ବିଶ୍ୱ ଭଲଭାବେ ପରିଚିତ ହୋଇଛି ।