ଉତ୍ତରପୂର୍ବ ଓ ଦକ୍ଷିଣ ଭାରତରେ ଭୂସ୍ଖଳନ, ବନ୍ୟା ୧୭ ମୃତ, ୧୦ ହଜାର ଜଳବନ୍ଦୀ


ନୂଆଦିଲ୍ଲୀ:   ପ୍ରବଳ ବର୍ଷାଯୋଗୁ ଉତ୍ତରପୂର୍ବ ଓ ଦକ୍ଷିଣ ଭାରତରେ ଭୂସ୍ଖଳନ, ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନାନା କ୍ଷୟକ୍ଷତି ଘଟିଛି । ଏହି ପ୍ରାକୃତିକ ବିର୍ଯ୍ୟୟ ଯୋଗୁ ପ୍ରତି ହଜାରରେ ୧୦ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏହିକ୍ରମରେ ବିଭିନ୍ନ ରାଜ୍ୟରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୧୭ଜଣଙ୍କ ମୃତୁ୍ୟ ହୋଇଛି । ଗତ ୪୮ ଘଣ୍ଟା ମଧ୍ୟରେ ଉତ୍ତରପୂର୍ବ ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ ଏବଂ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ଓ କେରଳରେ ଭୀଷଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାସହ ଭୂସ୍ଖଳନ ମଧ୍ୟ ହୋଇଛି । ଆସାମର କାମରୁମ ମେଟ୍ରୋପଲିଟାନ୍ ଜିଲ୍ଲାରେ ଭୂସ୍ଖଳନ ଯୋଗୁ ୫ଜଣଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଥିବା ବେଳେ ଗୌହାଟୀର ବୋଣ୍ଡା ଅଞ୍ଚଳରେ ଏହି ଭୂସ୍ଖଳନ ଘଟି ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଥିବା ନଗର ଉନ୍ନୟନ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁହା ପ୍ରକାଶ କରିଛନ୍ତି । ଆସାମର ୬ଟି ଜିଲ୍ଲାରେ ୧୦ହଜାରରୁ ଊଦ୍ଧ୍ୱର୍ ଲୋକ ଗୁରୁତର ଭାବେ ପ୍ରଭାବିତ ହେବା ସହ ଜଳବନ୍ଦୀ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଭୂସ୍ଖଳନ ପୂର୍ବରୁ ରାଜ୍ୟର ୧୮ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା ।  ଘଟଣା ପରେ ରାଜ୍ୟରେ ସ୍କୁଲ୍ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଏବଂ ଅନ୍ୟ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯାଇଛି । 
ସେପଟେ ଅରୁଣାଚଳ ପ୍ରଦେଶର ସିଗିନ ନଦୀରେ ବନ୍ୟା ପାଣି ଆସି ସୁବାନସିରି ଜିଲ୍ଲାକୁ ଛାରଖାର କରିପକାଇଛି । ଏ ଅଞ୍ଚଳରେ ୧୧୭ରୁ ଊଦ୍ଧ୍ୱର୍ ଘର ଭାଙ୍ଗିରୁଜି ମାଟିରେ ମିଶିଛି । ଶୁକ୍ରବାର ବିଳମ୍ବିତ ରାତିରେ ଇଷ୍ଟ କାମେଙ୍ଗ ଜିଲ୍ଲାରେ ବନ-ସେପା ରୋଡ୍ରେ ଦୁଇଟି ପରିବାର ଏକ କାର୍ଯୋଗେ ଯାଉଥିବା ଭୂସ୍ଖଳନ ଘଟି ଏଥିରେ ୭ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।  ଗତ କିଛିଦିନ ଧରି ଏ ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁ ରାସ୍ତା ସମେତ ବିଭିନ୍ନ ଅଞ୍ଚଳ ବେହାଲ ହୋଇଛି । ସେହିପରି ମିଜୋରାମରେ ପ୍ରବଳ ତୁଷାରପାତ ଓ ଭୂସ୍ଖଳନ ଘଟି ୫ଟି ଘର ସମେତ ହୋଟେଲ୍ ମାଟିରେ ମିଶିଯାଇଛି ।  ମେଘାଳୟରେ ମଧ୍ୟ ଲଗାତାର ବର୍ଷା ଅଘଟଣ ଯୋଗୁ ଇଷ୍ଟ ଖାସି ହିଲ୍ସ ଜିଲ୍ଲାରେ ୩ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ନାଗାଲାଣ୍ଡ ଓ ତ୍ରିପୁରାରେ ବର୍ଷା ଅଘଟଣ ଯୋଗୁ ଜଣେ ଲେଖାଏଁ ମୃତୁ୍ୟ ଖବର ସୂଚନା ମିଳିଛି ।  ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ୫ଜଣଙ୍କ ମୃତୁ୍ୟ ହୋଇଛି । ଏହାସହ ବିଭିନ୍ନ ଅଞ୍ଚଳରେ ଘରର ଛାତ ଉଡ଼ିଯିବା ସହ ବହୁ ଘର ଭୁଶୁଡ଼ି ମାଟିରେ ମିଶିଛି । ସେହିପରି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଜଣେ ୩୮ ବର୍ଷୀୟ ଯୁବକଙ୍କ ମୃତୁ୍ୟ ହୋଇଛି । ସେପଟେ କେରଳର କାଶରଗୋଡ଼ ଜିଲ୍ଲା ସ୍ଥିତ ମଧୁବାହିନୀ ନଦୀରେ ବନ୍ୟାପାଣି ପଶି ଅଞ୍ଚଳକୁ ବୁଡ଼ାଇ ଦେଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ୪୬ଟି ରିଲିଫ୍ କ୍ୟାମ୍ପ୍ କରାଯାଇ ପ୍ରଭାବିତ ହୋଇଥିବା ୧୧୦୦ ଲୋକଙ୍କୁ ରିଲିଫ୍ ବଣ୍ଟନ କରାଯାଇଛି ।