ବିଜେଡ଼ି ଉପରୁ ତୁଟୁଛି ଯୁବ ନେତାଙ୍କ ଆସ୍ଥା

ଭୁବନେଶ୍ୱର : ବିଜୁ ଜନତା ଦଳର ଭବିଷ୍ୟତ କେଉଁ ଆଡ଼କୁ ଯାଉଛି ତାହା କେବଳ ମା’ ଗଙ୍ଗେଇଙ୍କୁ ଜଣା । ଏବେ ଦଳ ଭିତରେ ଖାଲି ନୀରବତା ଆଉ ନୀରବତା । ମନଖୋଲା ହସ ବଦଳରେ ପ୍ଳାଷ୍ଟିକ୍ ସ୍ମାଇଲ୍ ଦେଖିବାକୁ ମିଳୁଛି । ତାହାକୁ ଝଡ ପୂର୍ବର ନୀରବତା ବା ପରିବର୍ତ୍ତନର ଆଭାସ କହିଲେ ଭୁଲ୍ ହେବନାହିଁ । ଯେଉଁମାନଙ୍କୁ ନବୀନ ନିବାସ ଗୁରୁତ୍ୱ ଦେଉଛି, ସେମାନେ ଖୁସ୍ । କିନ୍ତୁ ବାକି ସମସ୍ତେ ଆଶଙ୍କିତ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଶଙ୍ଖଭବନରୁ ଆକାଉଣ୍ଟ ଅବା କ୍ୟାସରେ ଆସୁଥିବା ଟଙ୍କା ପାଇଁ କିଛି ଟ୍ରୋଲମାନେ ସୋସିଆଲ ମିଡ଼ିଆରେ ଦଳର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ହୃଦୟତାର ସହ ଆଗଭଳି କିନ୍ତୁ କେହି କାମ କରୁନାହାନ୍ତି ।
ଏସବୁ ଭିତରେ ସବୁଠାରୁ ବଡ଼କଥାଟି ହେଉଛି, ଯୁବନେତାମାନେ ଦଳ ଉପରେ ଖପ୍ପା ହୋଇଯାଇଛନ୍ତି । ଦଳରେ ଆଉ ସେମାନେ ଭବିଷ୍ୟତ ଥିବା ଲକ୍ଷ୍ୟ କରୁନାହାନ୍ତି । ବିଶେଷକରି ଦ୍ୱିତୀୟ ପୀଢ଼ିର ନେତାମାନେ ଦଳ ଉପରେ ଫିଡ଼ିକି ଯାଇଛନ୍ତି । ବିଜୁବାବୁଙ୍କ ଅମଳରୁ ବାପା ଅଣକଂଗ୍ରେସ ରାଜନୀତିରେ ରହି ଢେର ସଫଳତା ସାଉଁଟିଥିଲେ । ପିଲାମାନେ ବି ବାପାଙ୍କ ପଦ ଅନୁସରଣ କରି ବିଜେଡ଼ିକୁ ମଜବୁତ୍ କରିବାକୁ ଦିନରାତି ମେହନତ କରୁଥିଲେ । କିନ୍ତୁ ଏବେ ସେମାନଙ୍କ ମନୋବଳ ଭାଙ୍ଗିଯାଇଛି କହିଲେ ଭୁଲ୍ ହେବନାହିଁ । ନିକଟରେ ଭଦ୍ରକର ଟାଣୁଆ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ବିଜେଡ଼ି ଛାଡ଼ିଦେଲେ । କାହିଁକିନା ବିଜେଡ଼ି ଢାଞ୍ଚାରେ ତାଙ୍କର ରାଜନୀତିକ କ୍ୟାରିୟରର ଗ୍ରୋଥ୍ ହେବାର ସୁଯୋଗ ହିଁ ନଥିଲା । ସେହିପରି ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଭିନ୍ନ ପ୍ରସଙ୍ଗରେ ବିଜେଡ଼ିର ମାମଲତକାରମାନଙ୍କୁ ସିଧାସଳଖ ଟାର୍ଗେଟ୍ କରୁଛନ୍ତି । ପାଣ୍ଡିଆନଙ୍କୁ ବି ବୁଲେଇ ବଙ୍କେଇ ସମାଲୋଚନା କରୁଛନ୍ତି । ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଏବେ ବିଧାୟକ ଅଛନ୍ତି । ବିଜେଡ଼ିର ନୂଆ ଟିମ୍ ଗଠନରୁ ସେ ସ୍ପଷ୍ଟଯେ, ତାଙ୍କୁ ଆଉ ପୂର୍ବଭଳି ଦଳ ଗୁରୁତ୍ୱ ଦେବନାହିଁ । ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ପ୍ରୀତିରଞ୍ଜନ ଘଡେ଼ଇ ଏବେ କୋରେଇ ଭିତରେ ନିଜକୁ ସୀମିତ ରଖିଛନ୍ତି । ସେ ଆଉ ପ୍ରଣବ ପ୍ରକାଶ ଦାସଙ୍କ ଭଳି ରାଜ୍ୟସ୍ତରୀୟ ନେତା ହେବାକୁ ଚାହୁଁନାହାନ୍ତି । କାଳନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ରସାରଥି ବେହେରା ମଧ୍ୟ ମଝିରେ ଦଳର ରଣନୀତିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଦିବଂଗତ ନବ କିଶୋର ଦାସଙ୍କ ଝିଅ ଦୀପାଳି ହୁଅନ୍ତୁ କି ପୁଅ ବିଶାଳ, ସେମାନେ ବି ବିଜେଡ଼ିରେ ଆଉ ଭବିଷ୍ୟତ ଦେଖୁନାହାନ୍ତି । ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବେଶୀ ଯୋଗସୂତ୍ରରେ ରହୁଥିବା ଚର୍ଚ୍ଚା ହେଉଛି । ଏମିତିବି ପ୍ରଭାତ ବିଶ୍ୱାଳଙ୍କର ବି ବିଜେଡ଼ି ସହ ଭଲ ସମ୍ପର୍କ ନାହିଁ । ଖାଲି ପୁଅ ସୌଭିକ ବିଶ୍ୱାଳଙ୍କ ଭବିଷ୍ୟତ ପାଇଁ ସେ ବେଳେବେଳେ ନୀରବ ରହୁଛନ୍ତି । ତେବେ ମଉକା ମିଳିଲେ ଦଳର ଷଡ଼ଯନ୍ତ୍ରକାରୀଙ୍କ ନାଁ ନନେଇ ଦି ପଦ ଶୁଣାଉଛନ୍ତି । ବାପା ଯେତେବେଳେ ଦଳ ଉପରେ ଅସନ୍ତୁଷ୍ଟ, ସୌଭିକଯେ, ସନ୍ତୁଷ୍ଟ ଥିବେ ତାହା ଭାବିବା ଠିକ୍ ହେବନାହିଁ ।