ବଦଳିଯିବ ଭଦ୍ରକ ବିଜେଡ଼ି ଗଣିତ


 ଭଦ୍ରକ/ଭୁବନେଶ୍ୱର: ଭଦ୍ରକ ବିଜେଡ଼ିକୁ ଜୋରଦାର ଝଟକା ଲାଗିଛି  । ଟାଣୁଆ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି  । ଏକଦା ପ୍ରୟାସକାନ୍ତି ପୌରପାଳ ଥିବାବେଳେ ବିଧାୟକ ଟିକେଟ୍ ରେସରେ ବି ଥିଲେ  । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି ବୋଲି କହୁଥିଲେବି ଦଳରେ ଚାଲିଥିବା ମନମାନିକୁ ନେଇ ସେ କ୍ଷୁବ୍ଧ ଥିବା କୁହାଯାଉଛି  । ଦଳରେ ନିର୍ଦ୍ଦିଷ୍ଟ କୋଟରୀ ରାଜ୍ ଜାରି ରହିଥିବାରୁ ସେ ଫିଡ଼ିକି ଯାଇଛନ୍ତି  । ଆଗାମୀ ଦିନରେ ପ୍ରୟାସଙ୍କ ରାସ୍ତାରେ ଅନେକ ଯୁବ ନେତା ଯିବେ ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି  । 
ଏକ ବିଶେଷସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୨୦୨୪ ନିର୍ବାଚନ ବେଳେ ପ୍ରୟାସକାନ୍ତି ସାମଲଙ୍କୁ ବିଜେଡ଼ିର ନମ୍ବର-ଟୁ ଭିକେ ପାଣ୍ଡିଆନ୍ ଧମକାଇଥିଲେ  । ଯଦି ଭଣ୍ଡାରିପୋଖରୀରୁ ସଂଜୀବ ମଲ୍ଲିକ ହାରନ୍ତି ସେଥିପାଇଁ ବାପ-ପୁଅ ଦାୟୀ ରହିବେ  । ତମ ରାଜନୀତିକୁ ଶେଷ କରିଦେବି ବୋଲି ପାଣ୍ଡିଆନ୍ ଧମକାଇବାକୁ ପଛାଇନଥିଲେ  । ଏମିତିକି ପ୍ରୟାସକାନ୍ତିଙ୍କୁ ଦମନ କରିବା ପାଇଁ ନାନାଦି ପ୍ରକାର ହଇରାଣ ହରକତ ବି କରିଥିଲେ  । ତାଙ୍କର ସଂସ୍ଥା ଉପରେ ବି ଘନଘନ ଚଢ଼ାଉ କରାଯାଇଥିଲା  । ଯାହାକି ଲୁଲୁ ସାମଲଙ୍କୁ ବେଶ୍ ବାଧିଥିଲା  ।
ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ପ୍ରୟାସକାନ୍ତି ସାମଲ । ଆଜି ଭଦ୍ରକ ଟାଉନ ନୂଆ ବଜାର ସ୍ଥିତ ତାଙ୍କ ବାସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଶ୍ରୀ ସାମଲ ଦେଇଛନ୍ତି  । ପ୍ରୟାସକାନ୍ତି ହେଉଛନ୍ତି ଭଦ୍ରକର ପୂର୍ବତନ ପୌରପାଳ  । ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟନାୟକଙ୍କ ପାଖକୁ ପଠାଇ ତାଙ୍କ ନାମ ଦଳରୁ କାଟିବା ପାଇଁ ଅନୁରୋଧ କରିଛନ୍ତି  । ୨୦୦୩ରୁ  ୨୦୦୮ ମସିହା ପର୍ଯ୍ୟନ୍ତ ଭଦ୍ରକ ପୌରପାଳିକାର ସେ ପୌରାଧକ୍ଷ ରହିଥିଲେ  । ରାଜ୍ୟ ଯୁବ ସମ୍ପାଦକ ଭଳି ବହୁ ଗୁରୁ ଦାୟିତ୍ୱ ବି ମୁଣ୍ଡାଇଥିଲେ  । ତାଙ୍କ ପରିବାରରେ ଏବେ ବି ବାପା ଓ ସାନ ଭାଇ ବିଜେଡିରେ ରହିଛନ୍ତି ବୋଲି ସେ କହିଛନ୍ତି  । ବ୍ୟକ୍ତିଗତ କାରଣରୁ ସେ ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ବୋଲି କହିଛନ୍ତି । ଏବେ ସାଧାରଣ ଲୋକମାନଙ୍କ ପାଇଁ କାମ କରିବାର ସୁବିଧା ହେବ  । କାହା ଚାପରେ ଦଳରୁ ଇସ୍ତଫା ଦେଇନାହିଁ ବୋଲି କହିବା ସହିତ ସେ ଏବେ କୌଣସି ଦଳକୁ ଯିବେ ନାହିଁ  । ଭବିଷ୍ୟତରେ କଣ ହେବ ଜାଣିନାହିଁ ବୋଲି ସେ କହିଛନ୍ତି  । ସେହିପରି ବରପଦା କଲେଜକୁ ସରକାର ହାତକୁ ନେଇ ଚଳାଇବାକୁ ସେ ଅନୁରୋଧ କରିଛନ୍ତି  । ଭଦ୍ରକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାଜନୈତିକ ବାତାବରଣ ମଧ୍ୟରେ ଲୁଲୁଙ୍କ ଇସ୍ତଫା ଅନ୍ୟ ଦଳ ପାଇଁ ବି ଖୋରାକ ଯୋଗାଉଥିବା କୁହାଯାଉଛି  । ତେବେ ସାଧାରଣ ଲୋକଟିଏ ହୋଇ ଲୋକଙ୍କୁ ସେବା କରି ଚାଲିଥିବି ବୋଲି ମଧ୍ୟ କହିଛନ୍ତି  ।
ବିଜେଡ଼ି ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ପ୍ରଫୁଲ୍ଲଙ୍କ ଭଳି ପ୍ରୟାସ ବି ଭଦ୍ରକ ରାଜନୀତିରେ ବେଶ୍ ସକ୍ରିୟ ଥିଲେ  । ଏମିତିକି ୨୦୧୯ରେ ପ୍ରଫୁଲ୍ଲ ନିଜ ପୁଅଙ୍କ ପାଇଁ ଟିକେଟ ଲବି କରିଥିଲେ  । କିନ୍ତୁ ଦଳ ପ୍ରୟାସକାନ୍ତିଙ୍କୁ ଟିକେଟ୍ ଦେଇନଥିଲା  । ସେହିପରି ଭଣ୍ଡାରୀପୋଖରୀରେ ନିରଞ୍ଜନ ପଟ୍ଟନାୟକଙ୍କ ଭଳି ହେଭିୱେଟଙ୍କୁ ହରାଇ ପ୍ରଫୁଲ୍ଲ ବିଜେଡ଼ିକୁ ସେଠାରେ ମଜବୁତ୍ କରିଥିଲେ  । ଏଥିରେ ଲୁଲୁ ସାମଲଙ୍କର ବଡ଼ ଯୋଗଦାନ ରହିଥିଲା  । କିନ୍ତୁ ଗତ ନିର୍ବାଚନରେ ସଂଜୀବ ମଲ୍ଲିକଙ୍କୁ ଦଳ ଭଣ୍ଡାରିପୋଖରୀ ଟିକେଟ୍ ଦେଇଥିଲା  । ଭଦ୍ରକରେ ସଂଜୀବଙ୍କ ପ୍ରତି ଜନ ଅସନ୍ତୋଷ ତୀବ୍ର ପରିଲକ୍ଷିତ ହୋଇଥିଲା  । ସେଠାରେ ବିଜେଡ଼ି ହାରିଯିବ ବୋଲି ସଂଜୀବ ଜାଣିଥିଲେ  । ପାୱାରଫୁଲ କୋଟରୀ ସହ ଥିବାରୁ ସେ ପ୍ରଫୁଲ୍ଳଙ୍କୁ ବଳିବୋଦା ସଜାଇ ଭଦ୍ରକ ପଠାଇ ଦେଇଥିଲେ  । ପ୍ରୟାସକାନ୍ତିଙ୍କ ପ୍ରୟାସରେ ଭଣ୍ଡାରିପୋଖରୀରେ ବିଜେଡ଼ି ମଜବୁତ୍ ଥିବାରୁ ସେଠାରେ ଲଢ଼ି ସଂଜୀବ ବାଜିମାତ୍ କରିଛନ୍ତି  । କିନ୍ତୁ ବିଧାୟକ ହେବା ପରେ ସେ ପ୍ରୟାସଙ୍କର ଅବଦାନକୁ ଭୁଲି ଯାଇଥିଲେ  । ଦଳର ନିର୍ଦ୍ଦିଷ୍ଟ କୋଟରୀ ପ୍ରୟାସଙ୍କୁ ବି ଗୁରୁତ୍ୱ ଦେବାକୁ ଉଚିତ୍ ମନେ କରିନଥିଲା  । ଯେଉଁଥିପାଇଁ ପ୍ରୟାସ ଦୀର୍ଘଦିନ ଧରି କ୍ଷୁବ୍ଧ ଥିଲେ  । ସମ୍ପ୍ରତି ବିଜେଡ଼ି ଟିମ୍ ଗଢ଼ିଥିଲେବି ତାଙ୍କୁ ସେଭଳି ଗୁରୁତ୍ୱ ନଦେବାରୁ ସେ ଦଳ ଛାଡ଼ିଥିବା କୁହାଯାଉଛି  । ଦଳରେ ଥିଲେ ଭଣ୍ଡାରିପୋଖରୀରେ ସଂଗଠନ କରିହେବନାହିଁ  । ତେଣୁ ସେ ବିଜେଡ଼ି ଛାଡ଼ି ଭଣ୍ଡାରିପୋଖରୀରେ ବ୍ୟକ୍ତିଗତ ସଂଗଠନ ଉପରେ ଧ୍ୟାନ ଦେବେବୋଲି କୁହାଯାଉଛି  ।