ସାତଭାୟାର ମା’ପଞ୍ଚୁବରାହୀ, କୈବର୍ତ୍ତ ସଧବା ନାରୀ ମା’ଙ୍କ ପୂଜକ
ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ର ବଙ୍ଗୋପସାଗର କୂଳରେ ରହିଛି ସାତଭାୟା । ସାତଟି ଗାଁକୁ ନେଇ ଅତୀତ ଉକ୍ରଳର ନୌବାଣିଜ୍ୟ ଇତିହାସ ଓ ସାଧବ ଝିଅ ତଅପୋଈର ସ୍ୱାକ୍ଷର ବହନ କରୁଥିବା ସାତଭାୟା ଏବେ ବିଲୁପ୍ତ । ୭ଟି ଗାଁ ସମୁଦ୍ର ଗର୍ଭରେ ଲୀନ ହେବା ପରେ ଧ୍ୱସ୍ତବିଧ୍ୱସ୍ତ ସାତଭାୟାରେ ଇତିହାସର ସ୍ୱାକ୍ଷର କେବଳ ରହିଛି । ସାତଭାୟାରେ ଗଡ଼ଚଣ୍ଡୀ ରୂପେ ପୂଜା ପାଉଥିଲେ ପ୍ରତ୍ୟକ୍ଷ ଦେବୀ ମା’ପଞ୍ଚୁବରାହୀ । ସାତଭାୟା ଅଧିବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯିବା ପରେ ୨୦୧୮ ମସିହାରୁ ମା’ବଗପାଟିଆରେ ଭବ୍ୟ ମନ୍ଦିରରେ ପୂଜା ପାଉଛନ୍ତି । ସାତଭାୟା ଥଇଥାନସ୍ଥଳୀ ବଗପାଟିଆର ପ୍ରବେଶ ପଥରେ ପଡେ଼ ଅଞ୍ଚଳର ପ୍ରତ୍ୟକ୍ଷ ଓ ଆରାଧ୍ୟ ଦେବୀ ‘ପଞ୍ଚୁବରାହୀ’ ମନ୍ଦିର । ଏହି ଶକ୍ତିପୀଠରେ ପୂଜା ପାଉଥିବା ମା’ ପଞ୍ଚୁବରାହୀ ପୂର୍ବମୁଖା ହୋଇ ମନ୍ଦିର ମଧ୍ୟରେ କଳାମୁଗୁନି ପଥରରେ ସ୍ଥାପିତ । ପାଞ୍ଚଗୋଟି ନାରୀ ମୂର୍ତ୍ତି ହିଁ ପଞ୍ଚୁବରାହୀ ଭାବେ ଖ୍ୟାତ ଗଠନ ଶୈଳୀ ଦୃଷ୍ଟିରୁ ପାରମ୍ପାରିକ ଦେବୀ ମୂର୍ତ୍ତିମାନଙ୍କଠାରୁ ଏହା ଭିନ୍ନ ନାରୀ ଶରୀରର କମନୀୟ ଅବୟବ ମାତ୍ର ବରାହ ମୁଖ୍ୟ ହିଁ ଏହି ଦେବୀଙ୍କର ବିଶେଷତ୍ୱ । ବରାହ ମୁଖଯୁକ୍ତା ପଞ୍ଚକନ୍ୟାଙ୍କୁ ହିଁ ପଞ୍ଚୁବରାହୀ କୁହାଯାଏ ।
କଥାରୁ ଜଣାଯାଏ ଯେ ୧୮୪୩ରେ ତତ୍କାଳୀନ କନିକା ରାଜା ବିନାୟକ ଭଞ୍ଜଦେଓ ମା’ଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିର ପ୍ରବେଶ ମାତ୍ରକେ ପ୍ରଥମେ ମା’ ବାଟକୁମାରୀ ପରେ ପଞ୍ଚୁବରାହୀ, କମଳୀ, ବିମଳୀ ଏବଂ ଜଞ୍ଜାଳୀଙ୍କୁ ପୂଜା କରାଯାଉଛି । ସାତଭାୟା ପୀଠରେ ପୂଜା ପାଉଥିବା ବରାହମୁଖୀ ଦେବୀଙ୍କ ସହିତ ଆଳିର ବରାହଜିଉ ଓ ଯାଜପୁରର ବିରଜା ଦେବୀଙ୍କ ସାମଞ୍ଜସ୍ୟ ରହିଛି । ଏହି ତିନିପୀଠକୁ ବାଦ୍ ଦେଲେ ସମଗ୍ର ଭାରତବର୍ଷରେ ଅନ୍ୟତ୍ର କେଉଁଠି ବରାହମୁଖୀ ଦେବୀ ପୂଜା ପାଇବାର ଦେଖିବାକୁ ମିଳେନାହିଁ ।
ଦେବୀଙ୍କର ପୂଜାପଦ୍ଧତି କେଉଁ ଆବହମାନ କାଳରୁ ଏକ ରହସ୍ୟମୟ ଘଟଣା ପ୍ରବାହ ପ୍ରତି ଦୃଷ୍ଟି ଆକର୍ଷଣ କରିଥାଏ । ସାଧାରଣତଃ ଓଡ଼ିଶାର ଅଧିକାଂଶ ଦେବଦେବୀଙ୍କୁ ବ୍ରାହ୍ମଣ ପୂଜା କରୁଥିବା ବେଳେ ସାତଭାୟାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ପୂର୍ବରୁ ବ୍ରାହ୍ମଣମାନେ ହେଁ ଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ । ଏକଦା ଜଣେ ବ୍ରାହ୍ମଣ ପୂଜକ ନାରୀ ଅବୟବଧାରୀ ବରାହମୁଖୀ ଦେବୀଙ୍କ ପୂଜାର୍ଚ୍ଚନା କଲା ବେଳେ ଦେବୀଙ୍କ ପ୍ରତି ଆସକ୍ତି ପ୍ରକାଶ କରି କାମାତୁର ହୋଇ ଉଠିବାରୁ କ୍ରୋଧାନ୍ୱିତା ଦେବୀଙ୍କ ଅଭିଶାପରେ କାମାତୁର ବ୍ରାହ୍ମଣ ପାଷାଣ ହୋଇଯାଇଥିଲା । ସେହିଦିନଠାରୁ ଏଠାରେ କୈବର୍ତ୍ତ ସମ୍ପ୍ରଦାୟର (ମତ୍ସ୍ୟଜୀବୀ) ସଧବା ନାରୀମାନେ ହିଁ ଦେବୀଙ୍କର ମୁଖ୍ୟ ପୂଜକ । ସେମାନେ ହିଁ ପୂଜାର୍ଚ୍ଚନା କରିଥାନ୍ତି । ବାରମାସରେ ତେର ପର୍ବ ପଞ୍ଚୁବରାହୀ ପୀଠର ଅନ୍ୟତମ ଆକର୍ଷଣ । ଶାରଦୀୟ ଦୁର୍ଗାପୂଜା ଅବସରରେ ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ଚଣ୍ଡୀପାଠ କରାଯାଇଥାଏ । ବର୍ଷରେ ଦୁଇଥର ପଶୁବଳି ପଡ଼ିବା ଭଳି ପରମ୍ପରା ଏଠାରେ ପ୍ରଚଳିତ ପ୍ରଚଳିତ ପ୍ରଥାନୁସାରେ ମହାଦୁର୍ଗାଷ୍ଟମୀ ଓ ଚୈତ୍ର ପୂର୍ଣ୍ଣିମା ପୂର୍ବରୁ ପୋଢ଼ ଓ ବୋଦା ବଳି ଦିଆଯାଇଥାଏ । ସରକାରଙ୍କ ଦ୍ୱାରା ଦେବୀପୀଠରେ ପଶୁପକ୍ଷୀ ବଳି ପଡ଼ିବାର ପ୍ରଥା ଉପରେ ନିଷେଧାଜ୍ଞା ଜାରି କରାଯିବା ପରେ ଏହି ପୀଠରେ ବଳିପ୍ରଥାକୁ ବନ୍ଦ କରାଯାଇ କୁଷ୍ମାଣ୍ଡ ବଳି ଦିଆଯାଉଛି । ପ୍ରତି ମଙ୍ଗଳବାର ଦିନ ମନ୍ଦିରରେ ଦେବୀ ଦର୍ଶନକୁ ନିଷେଧ କରାଯାଇଛି ।