ସମସ୍ୟାରେ ବିଧାୟକଙ୍କ ହାତପାଣ୍ଠି

ସମସ୍ୟାରେ ବିଧାୟକଙ୍କ ହାତପାଣ୍ଠି


ଗତ ଜୁନ୍ ୪ ତାରିଖରେ ଓଡ଼ିଶାରେ ସରକାର ବଦଳି ନୂଆ ସରକାର ଦାୟିତ୍ୱ ନେଇଛନ୍ତି । ନୂଆ ସରକାର କ୍ଷମତାକୁ ଆସିବା ପୂର୍ବରୁ ଗତ ସରକାରରେ ଥିବା ବିଧାୟକମାନେ ବିଭିନ୍ନ ସମୟରେ ନେଇଥିଲେ । ତେବେ ଏହି ଅର୍ଥ ଠିକ୍ ସମୟରେ ଏବଂ ଉପଯୁକ୍ତ ଭାବରେ ଖର୍ଚ୍ଚ ହୋଇପାରିନଥିଲା । ଏହି ପ୍ରସଙ୍ଗରେ ବିଭିନ୍ନ ସମୟରେ ବିଧାନସଭାରେ ଆଲୋଚନା ମଧ୍ୟ ହୋଇଥିଲା । ତେବେ ସେସବୁ ଆଲୋଚନା ପରେ ମଧ୍ୟ ପରିସ୍ଥିତିରେ କୌଣସି ପ୍ରକାରର ପରିବର୍ତ୍ତନ କିମ୍ବା ଉନ୍ନତି ଘଟିନାହିଁ । ବର୍ତ୍ତମାନ ନୂଆ ସରକାର କାର୍ଯ୍ୟଭାର ଗ୍ରହଣ କରିବାର ଶହେ ଦିନ ପୂରଣ ହେଲାଣି । ଏହି ପରିପ୍ରେକ୍ଷୀରେ ବିଗତ ଦିନମାନଙ୍କରେ ଯେଭଳି ସମସ୍ୟା ଉପୁଜିଥିଲା ସେ ପ୍ରକାରର ସମସ୍ୟା ଯେଭଳି ନଉପୁଜେ ସେ ଦିଗରେ ଏତିକି ବେଳୁ ଯତ୍ନବାନ୍ ହେବାର ଆବଶ୍ୟକତା ଅଛି । 
୨୦୧୪-୧୫ ମସିହାରୁ ୨୦୧୯-୨୦ ମସିହା ପର୍ଯ୍ୟନ୍ତ ବିଧାୟକମାନେ ହାତପାଣ୍ଠି ବାବଦରେ ବାର୍ଷିକ ଏକ କୋଟି ଟଙ୍କା ପାଉଥିଲେ । ୨୦୨୧ ମସିହାରୁ ଏହା ୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବର୍ଷକୁ ୧୪ କୋଟି ଟଙ୍କା ମଞ୍ଚୁର ହେଉଥିଲା । ତେବେ ୨୦୧୪-୧୫ ଠାରୁ ୨୦୧୯ ମଧ୍ୟରେ କୋଟି କୋଟ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଲା । ଏହା ବାଦ୍ ଏକ କୋଟିରୁ ୩ କୋଟି ଟଙ୍କାରୁ ଏହି ହାତପାଣ୍ଠିର ପରିମାଣ ବୃଦ୍ଧି ପାଇବା ପରେ ୩୫ ଶତାଂଶରୁ ଆରମ୍ଭ କରି ୬୫ ଶତାଂଶ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିନଥିଲା । ବର୍ଷ ବର୍ଷ ଧରି ଏହି ଅର୍ଥ ଖର୍ଚ୍ଚ ହୋଇନପାରିବା ଫଳରେ ଅନେକ ଅର୍ଥନୀତିକ ସମସ୍ୟା ମାନ ଉପୁଜିଛି । ବିଧାୟକମାନେ କେଉଁ ପ୍ରକଳ୍ପରେ କେତେ ଟଙ୍କା ଖର୍ଚ୍ଚ କରିବେ ତାହା ଦର୍ଶାଇ ଏହି ପାଣ୍ଠି ନେଇଥାନ୍ତି । କିନ୍ତୁ ପ୍ରକଳ୍ପ ଗୁଡ଼ିକ ସୁପାରିଶ୍ କ୍ଷେତ୍ରରେ ବିଳମ୍ବ ହେଉଥିବାରୁ ଏବଂ ଗୋଟିଏ ପ୍ରକଳ୍ପର ଅର୍ଥକୁ ଅନ୍ୟ କୌଣସି ପ୍ରକଳ୍ପରେ ବିନିଯୋଗ କରିବା ପାଇଁ ପ୍ରସ୍ତାବ ଦେଉଥିବାରୁ ଅର୍ଥ ଖର୍ଚ୍ଚ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବା ସହିତ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଆଉ କେତେକ କ୍ଷେତ୍ରରେ ପ୍ରସ୍ତାବିତ ପ୍ରକଳ୍ପ ନିମିତ୍ତ ସରକାରୀ ଜମିର ଅଭାବ, ପ୍ରସ୍ତାବ ଦିଆଯାଇଥିବା ପ୍ରକଳ୍ପ ବିବାଦୀୟ ଜମି, ଜମିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିତରେ ମତଭେଦ, ନିର୍ଦ୍ଧାରିତ ଅବଧିରେ ପ୍ରକଳ୍ପ ଶେଷ ନ ହେବା ଆଦି ବିଭିନ୍ନ କାରଣରୁ ହାତପାଣ୍ଠିର ଖର୍ଚ୍ଚ ହୋଇପାରୁନାହିଁ । ନୂଆ ସରକାର ଏହିଭଳି ସମସ୍ୟା ସବୁ ସମ୍ପର୍କରେ ଆଗତୁରା କିଛି ଧାରଣା ରଖି ଆସନ୍ତା ୫ ବର୍ଷ ପାଇଁ ନକ୍ସା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ପ୍ରଶାସନିକ ବ୍ୟବସ୍ଥା ଭିତରେ ଅତୀତର ଅଭିଜ୍ଞତା ଗୁଡ଼ିକ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ବିଧାୟକମାନଙ୍କ ହାତପାଣ୍ଠି ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ସମାନ ଧରଣର ପରିସ୍ଥିତି ରହିଛି । ତେଣୁ ଅତୀତର ଏହିସବୁ ସମସ୍ୟା ଗୁଡ଼ିକୁ ଦୃଷ୍ଟିରେ ରଖି ନୂଆ ସରକାର ବିଧାୟକମାନଙ୍କ ହାତପାଣ୍ଠିର ବିନିଯୋଗ କ୍ଷେତ୍ରରେ ଆଗତୁରା ଯୋଜନା ପ୍ରଣୟନ କରିବାର ଆବଶ୍ୟକତା ଅଛି । ଲୋକମାନଙ୍କର ଆଶା, ଆକାଂକ୍ଷା ପୂରଣ କରିବା କ୍ଷେତ୍ରରେ ସରକାରଙ୍କ ପ୍ରତିଶ୍ରୁତି ସହିତ ବିଧାୟକ ହାତପାଣ୍ଠିର ସଦ୍ବିନିଯୋଗ ଏବଂ ସମୟୋଚିତ ବିନିଯୋଗର ମଧ୍ୟ ଭୂମିକା ରହିଛି । ବିଭିନ୍ନ ସମୟରେ ସିଏଜି ତାଙ୍କ ରିପୋର୍ଟ୍ରେ ଏ ପ୍ରସଙ୍ଗ ନେଇ ବିଭିନ୍ନ ଆପତ୍ତି ଉଠାଉଥିଲେ ମଧ୍ୟ ସେହି ଆପତ୍ତି ଗୁଡ଼ିକର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଅନେକ କ୍ଷେତ୍ରରେ ନିଆଯାଇପାରେ ନାହିଁ । ରାଜ୍ୟ ସରକାରଙ୍କୁ ଅତୀତରେ ସିଏଜି ବାରମ୍ବାର ତାଗିଦ୍ କରିବା ପରେ ମଧ୍ୟ ସିଏଜିଙ୍କର ଆପତ୍ତି ଉପରେ ପଦକ୍ଷେପ ନେବା ପାଇଁ ସରକାର ବର୍ଷ ବର୍ଷ ସମୟ ନେଇଯାନ୍ତି । ଏପରିକି ଅର୍ଥ ଖର୍ଚ୍ଚ ହୋଇ ସମ୍ପୃକ୍ତ ଠିକାଦାର ବିଲ୍ ଦେଇଥିଲେ ମଧ୍ୟ ସେସବୁର ବିନିଯୋଗ ପ୍ରମାଣପତ୍ର ବର୍ଷ ବର୍ଷ ଧରି ପଡ଼ିରହୁଛି । ତେଣୁ ନୂଆ ସରକାର ଲୋକମାନଙ୍କର ଆଶା, ଆକାଂକ୍ଷା ପୂରଣ କରିବା ଦିଗରେ ଏବଂ ସରକାରୀ ଅର୍ଥର ସଦ୍ବିନିଯୋଗ କରାଯାଇ ସର୍ବସାଧାରଣ ଉପକୃତ ହେବା ଭଳି ପରିସ୍ଥିତି ସୃଷ୍ଟି ଦଗିରେ ଏତିକି ବେଳୁ ହିଁ ଦୃଷ୍ଟି ଦେବା ଆବଶ୍ୟକ ।