ନ୍ୟାୟ ଦେବୀଙ୍କ ଆଖିରୁ ହଟିଲା ପଟ୍ଟି
ଗୋପାଳ ମହାପାତ୍ର : କୁହାଯାଏ ଯେ ଯାହା ହୁଏ ଭଲ ହୁଏ । ନ୍ୟାୟପାଳିକା ନିକଟରେ ନେଇଥିବା ପଦକ୍ଷେପରୁ ଏକଥାର ସ୍ପଷ୍ଟ ସୂଚନା ମିଳୁଛି । ଭାରତରେ ନ୍ୟାୟପାଳିକାର ପ୍ରତୀକ ଚିହ୍ନ (ନ୍ୟାୟଦେବୀ)ଆଖିରେ ପଟ୍ଟି ବନ୍ଧା ଓ ଗୋଟିଏ ହାତରେ ନିକିତି ଓ ଅନ୍ୟ ହାତରେ ଖଣ୍ଡା ଥିବା ଏକ ନାରୀଙ୍କ ଚିତ୍ର ଥିଲା । ଏହି ଚିତ୍ର ବା ପ୍ରତିମୂର୍ତ୍ତିଙ୍କୁ ନ୍ୟାୟର ଦେବୀ ବୋଲି କୁହାଯାଉଥିଲା, ଯଦିଓ ନ୍ୟାୟ ଦେବାର କାମ ବୋଧହୁଏ ଦେବତା କରିପାରୁ ନଥିଲେ । ନ୍ୟାୟର ଦେବୀଙ୍କ ଆଖିରେ ବୋଧହୁଏ ଏଇଥିପାଇଁ ପଟ୍ଟି ବନ୍ଧା ଯାଇଥିଲା ଯେ ସେ ବିବେକ ଅନୁସାରେ ନ୍ୟାୟ ପ୍ରଦାନ କରି ପାରିବେ, ହାତରେ ଖଣ୍ଡା ଏଇଥିପାଇଁ ବୋଧହୁଏ ଥିଲା ଯେ ଦୋଷୀକୁ ନିର୍ମମ ଭାବେ ଦଣ୍ଡ ଦେଇପାରିବେ । କିନ୍ତୁ ଏବେ ଏହି ନ୍ୟାୟଦେବୀଙ୍କ ଚିତ୍ର/ ପ୍ରତିମୂର୍ତ୍ତିଙ୍କ ଆଖିରୁ ପଟ୍ଟି ହଟାଇ ଦିଆଯାଇଛି ଏବଂ ଖଣ୍ଡା ବଦଳରେ ଏବେ ନ୍ୟାୟର ଦେବୀଙ୍କ ହାତରେ ସମ୍ବିଧାନକୁ ଧରାଇ ଦିଆଯାଇଛି ଯେଉଁ ସମ୍ବିଧାନ ବିଗତ ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧି ଓ ଅନ୍ୟ ବିରୋଧୀଦଳର ନେତା ମାନଙ୍କ ହାତରେ ଥିଲା । କୁହାଯାଉଛି ଯେ ନ୍ୟାୟର ପ୍ରତୀକର ପରିବର୍ତ୍ତନ ପଛରେ ରହିଛି ଦେଶର ମୁଖ୍ୟ ବିଚାରପତି ଡି ଓ୍ୟାଇ ଚନ୍ଦ୍ରଚୂଡ଼ଙ୍କ ପରାମର୍ଶ ଓ ମାର୍ଗଦର୍ଶନ । ତାଙ୍କର ନିର୍ଦେଶରେ ନ୍ୟାୟର ଦେବୀଙ୍କ ଚିତ୍ର/ ପ୍ରତିମୂର୍ତ୍ତିରେ ପରିବର୍ତ୍ତନ କରାଯାଇଛି । ନ୍ୟାୟ ଦେବୀଙ୍କ ନୂଆ ପ୍ରତିମା ଦେଶର ସର୍ବୋଚ୍ଚ ଅଦାଲତର ବିଚାରପତିମାନଙ୍କ ଲାଇବ୍ରେରୀରେ ସ୍ଥାପନ କରାଯାଇଛି । ଏହି ପରିବର୍ତ୍ତନ ଐତିହାସିକ ନିଶ୍ଚୟ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ବର୍ତ୍ତମାନର ସରକାରଙ୍କ ମାନସିକତା ସହ ସମାନ ବୋଲି ପରିଲକ୍ଷିତ ହେଉଛି । କାରଣ ବର୍ତ୍ତମାନର ସରକାର ଏବେ ସବୁ କିଛିର ପରିବର୍ତ୍ତନ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସହର, ରେଳଷ୍ଟସନ, ବିମାନ ବନ୍ଦରର ନାମ ନୁହେଁ ବରଂ ଇଂରେଜ ଅମଳର ସବୁ ଆଇନକୁ ପରିବର୍ତ୍ତନ କରାଯାଇଛି । ଏପରିସ୍ଥଳେ ନ୍ୟାୟପାଳିକା ମଧ୍ୟ ପଛରେ ରହିବ ବା କାହିଁକି? ଏଇଥିପାଇଁ ଭାରତୀୟ ନ୍ୟାୟପାଳିକା ମଧ୍ୟ ବ୍ରିଟିଶ ଅମଳକୁ ପଛରେ ପକାଇ ନୂଆ କଥାକୁ ଆପଣେଇବା ଆରମ୍ଭ କରିଛି । ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟର ଦେବୀଙ୍କ ଆଖିରୁ ପଟ୍ଟି ହଟାଇ ସନେ୍ଦଶ ଦେବା ପାଇଁ ଚାହିଁଛନ୍ତି ଯେ ଏବେ ଆଇନ୍ ଅନ୍ଧ ନୁହେଁ । ଆଇନ୍ ମଧ୍ୟ ଅନ୍ଧ ହେବା ଠିକ୍ ନୁହେଁ । ଏବେ ଯେଉଁ ସବୁ ବ୍ୟବସ୍ଥାର ଆଖିରେ ପଟ୍ଟିବନ୍ଧା ଯାଇଛି ସେଥିରୁ ମଧ୍ୟ ପଟ୍ଟି ହଟାଇବା ଜରୁରି । ଆଖିରେ ପଟ୍ଟିବନ୍ଧା ହେବା ବିବେକର ପ୍ରତୀକ ବୋଲି କୁହାଯାଏ କିନ୍ତୁ ଅନ୍ୟ ପକ୍ଷରେ ଜାଣିଶୁଣି ଆଖି ବନ୍ଦ କରିବାର ପ୍ରତୀକ ବୋଲି ମଧ୍ୟ କୁହାଯାଇପାରେ । ଦ୍ୱାପରଯୁଗରେ ଗାନ୍ଧାରୀ ତାଙ୍କ ସ୍ୱାମୀଙ୍କ ପ୍ରେମ କାରଣରୁ ଆଖିରେ ପଟ୍ଟି ବାନ୍ଧିଥିଲେ କିନ୍ତୁ ତାର ପରିଣାମ କ’ଣ ହୋଇଥିଲା ସେ କଥା ପୁରାଣରେ ଉଲ୍ଲେଖ ରହିଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପଦକ୍ଷେପ ବା ନବା·ର ସ୍ୱାଗତ ଯୋଗ୍ୟ ଏବଂ ଆଶା କରାଯିବା ଉଚିତ୍ ଯେ ନ୍ୟାୟାପ୍ରଣାଳୀ ଅଧିକ ଭାବେ ଆଦୃତ ହେବ । ଭାରତର ନ୍ୟାୟପାଳିକା ଉପରେ ଲୋକଙ୍କର ଅଗାଧ ବିଶ୍ୱାସ ରହିଛି ଯଦିଓ ଅନେକ ସମୟରେ କେତେକ ନିର୍ଣ୍ଣୟ ପାଇଁ ବିବାଦ ଉପୁଜିଛି । କିନ୍ତୁ ଅନେକ ଐତିହାସିକ ନିଷ୍ପତ୍ତି କାରଣରୁ ନ୍ୟାୟପାଳିକା ତାର ସମ୍ମାନକୁ ବଜାୟ ରଖିପାରିଛି । କିନ୍ତୁ ଦୁର୍ଭାଗ୍ୟ ଯେ ଏବେ ଦେଶର କାର୍ଯ୍ୟପାଳିକା ହେଉ ବା ବିଧାୟିକା ସମସ୍ତଙ୍କ ଆଖିରେ ପଟ୍ଟି ଏବଂ ହାତରେ ଖଣ୍ଡା ରହିଥିବା ପରି ଜଣାପଡୁଛି । ସରକାରଙ୍କ ନିୟନ୍ତ୍ରଣରେ ସବୁକିଛି ରହିଛି । ନ୍ୟାୟପାଳିକା ମଧ୍ୟ । କାରଣ ନ୍ୟାୟପାଳିକାର ନିଯୁକ୍ତି, ବେତନ,ଭତ୍ତା ପର୍ଯ୍ୟନ୍ତର ବ୍ୟବସ୍ଥା ସରକାର କରିଥାନ୍ତି । ସରକାର ମଧ୍ୟ ତାଙ୍କ ଆଖିରେ ପଟ୍ଟି ବାନ୍ଧି କାମ କରିଥାନ୍ତି ଯେଉଁଠି ଖଣ୍ଡାର ଆବଶ୍ୟକତା ନଥାଏ ସେଠି ଖଣ୍ଡା ଚଲାନ୍ତି ଏବଂ ଯେଉଁଠି ଆବଶ୍ୟକତା ଥାଏ ସେଠି ଖଣ୍ଡାକୁ ଛୁଅଁନ୍ତି ନାହିଁ ଏପରିକି ଖଣ୍ଡା ଚଳାଇବା ବେଳେ ଆଖିରୁ ପଟ୍ଟିକୁ ହଟାଇ ଦିଅନ୍ତି । ଏ ବାବଦରେ ଉଦାହରଣ ଦେବାର ଆବଶ୍ୟକତା ନାହିଁ, ପାଠକେ ଏହାର ବିଶ୍ଲେଷଣ କରିବେ ।
ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ମତ ହେଉଛି ଇଂରେଜ ଅମଳର କଥାକୁ ଆମେ ଗ୍ରହଣ କରିବା କାହିଁକି । ଆଇନ୍ କେବେ ଅନ୍ଧ ନୁହେଁ । ଆଇନ ସମସ୍ତଙ୍କୁ ସମାନ ରୂପରେ ଦେଖିଥାଏ । ଏଣୁ ନ୍ୟାୟର ଦେବୀଙ୍କ ସ୍ୱରୂପ ପରିବର୍ତ୍ତନ ହେବା ଆବଶ୍ୟକ । ଦେବୀଙ୍କ ହାତରେ ଖଣ୍ଡା ପରିବର୍ତ୍ତେ ସମ୍ବିଧାନ ରହିବା ଆବଶ୍ୟକ ଓ ସମ୍ବିଧାନ ରହିଲେ ଲୋକଙ୍କ ପାଖକୁ ସନେ୍ଦଶ ଯାଇପାରିବ ଯେ ନ୍ୟାୟପାଳିକା ସମ୍ବିଧାନ ଅନୁସାରେ ହିଁ ନ୍ୟାୟ କରିଥାନ୍ତି । ଅନ୍ୟପକ୍ଷରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ୍ଙ୍କ ମତରେ ଖଣ୍ଡା ହିଁସାର ପ୍ରତୀକ । ନ୍ୟାୟାଳୟ ହିଂସା ନୁହେଁ ବରଂ ସାମ୍ବିଧାନିକ ବିଧି ଆଇନ୍ ଅନୁସାରେ ନ୍ୟାୟ ପ୍ରଦାନ କରିଥାନ୍ତି । ଦେବୀଙ୍କ ଦ୍ୱିତୀୟ ହାତରେ ନିକିତି ଠିକ୍ ଅଟେ ଯାହା ସମସ୍ତଙ୍କୁ ସମାନ ଭାବେ ନ୍ୟାୟ ଦେବାର ପ୍ରତୀକ ।
ଭାରତରେ ଗଣତନ୍ତ୍ରରେ ନ୍ୟାୟପାଳିକାର ଭୂମିକାକୁ ଆମ ସମ୍ବିଧାନ ନିର୍ମାତା ମାନେ ଏଭଳି ନିରୁପିତ କରିଛନ୍ତି ଯେ ଏହା ସରକାରଙ୍କ ଅଙ୍ଗ ନହୋଇ ବି ସ୍ୱତନ୍ତ୍ର ଭାବରେ ଦେଶରେ ସାମ୍ବିଧାନର ଶାସନର ଗ୍ୟାରେଣ୍ଟି ଦେଇଥାଏ । ନ୍ୟାୟପାଳିକା ମଧ୍ୟ ତାର ଦାୟିତ୍ୱ ଠିକ ଭାବେ ପାଳନ କରୁଛି ଓ ଏଥିରେ ସର୍ବୋଚ୍ଚ ନ୍ୟାୟାଳୟର ଭୂମିକା ଗୁରୁତ୍ୱପୁର୍ଣ୍ଣ ଅଟେ । ଅନେକ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ସରକାରୀ ନିଷ୍ପତ୍ତିର ସମୀକ୍ଷା ସମ୍ବିଧାନର ଭାବନା ଅନୁସାରେ କରିଥାନ୍ତି । ବିଚାରପତି ଚନ୍ଦ୍ରଚୂଡ଼ଙ୍କ ମତରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଭୂମିକା ଲୋକଙ୍କ ନ୍ୟାୟାଳୟ ବା ଅଦାଲତ ରୂପରେ ନିରୁପିତ ହେବା ଉଚିତ୍ ଏବଂ ଏହାର ଏହି ସ୍ୱରୂପ ଭବିଷ୍ୟତ ପାଇଁ ସଂରକ୍ଷିତ ରହିବା ଆବଶ୍ୟକ । ସାଧାରଣ ନାଗରିକଙ୍କ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରା ଖୋଲା ରହିଛି ଏବଂ ସେମାନଙ୍କୁ ନ୍ୟାୟ ମିଳୁଛି ଏହି ଅବଧାରଣାକୁ ସ୍ଥାୟୀ ରଖିବା ଉଚିତ ଯାହାକୁ ବିକଶିତ କରିବା ପାଇଁ ୭୫ ବର୍ଷ ଲାଗି ଯାଇଛି । ସମାଜ ବଦଳୁଛି ଏବଂ ଏହାର ବିକାଶ ହେଉଛି ଏଣୁ ସର୍ବୋଚ୍ଚ ନ୍ୟାୟାଳୟ କେବଳ ବଡ଼ ବଡ଼ ମାମଲା ଉପରେ ନଜର ନରଖି ସାଧାରଣ ବା ଛୋଟ ବୋଲି ଚିନ୍ତା କରାଯାଉଥିବା ମାମଲା ଉପରେ ଦୃଷ୍ଟି ଦେବା ଉଚିତ୍ ବୋଲି କହିଛନ୍ତି ବିଚାରପତି ଚନ୍ଦ୍ରଚୂଡ଼ । ତାଙ୍କ ମତରେ ଗଣତନ୍ତ୍ରରେ କୌଣସି ସାମ୍ବିଧାନିକ ସଂସ୍ଥା ଆଭିଜାତ୍ୟ ନୁହେଁ, ବିଶେଷକରି ନ୍ୟାୟାପାଳିକା । କାରଣ ନ୍ୟାୟାପାଳିକା ଉପରେ ଲୋକଙ୍କ ସ୍ୱାର୍ଥର ରକ୍ଷା କରିବାର ଦାୟିତତ୍ୱ ରହିଛି । ପରିବର୍ତ୍ତିତ ସାମାଜିକ ସମୀକରଣକୁ ମଧ୍ୟ ଅଦାଲତ ସଂଜ୍ଞାନ ନେବା ଉଚିତ୍ ବୋଲି ମଧ୍ୟ କହିଛନ୍ତି ବିଚାରପତି ଚନ୍ଦ୍ରଚୂଡ଼ ।
ଆଶା କରାଯିବା ଉଚିତ୍ ଯେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ତାଙ୍କ ଅବସର ଗ୍ରହଣ ପୁର୍ବରୁ ଯେମିତି ନ୍ୟାୟପାଳିକାର ପ୍ରତୀକକୁ ବଦଳାଇ ଦେଇଛନ୍ତି ସେହିପରି ସାମ୍ବିଧାନିକ ସଂସ୍ଥାମାନଙ୍କ ଆଖିରେ ଯେଉଁ ପଟ୍ଟି ବନ୍ଧାଯାଇଛି ସେ ସବୁକୁ ହଟାଇବା ଦିଗରେ ପ୍ରୟାସ କରିବେ । ଇଡି ହେଉ ବା ସିବିଆଇ ଏପରିକି କେନ୍ଦ୍ରୀୟ ନିର୍ବାଚନ କମିଶନ ସମସ୍ତଙ୍କ ଆଖିରେ ପଟ୍ଟି ଓ ହାତରେ ଖଣ୍ଡା ରହିଛି । ଆଜିର ସମୟ ଆଖିରେ ପଟ୍ଟିବାନ୍ଧି କାମ କରିବାର ସମୟ ନୁହେଁ କିମ୍ବା ହାତରେ ଖଣ୍ଡା ଧରି କାହାରିକୁ ଶାସନ କରାଯାଇ ପାରିବ ନାହିଁ । ଅନେକଙ୍କ ମତରେ ନ୍ୟାୟର ଦେବୀ ବାସ୍ତବରେ ୟୁନାନର ପ୍ରାକ୍କାଳର ଦେବୀ ଯାହାଙ୍କୁ ନ୍ୟାୟର ପ୍ରତୀକ ବୋଲି କୁହାଯାଉଥିଲା । ଏହାଙ୍କ ନାମ ଜଷ୍ଟିଆ । ଏହାଙ୍କ ନାମରୁ ହିଁ ଜଷ୍ଟିସ ଶବ୍ଦର ଉତ୍ପତ୍ତି । ଏହି ଦେବୀଙ୍କ ଆଖିରେ ପଟ୍ଟି ବନ୍ଧା ହେବାର ଅର୍ଥ ହେଉଛି ନ୍ୟାୟର ଦେବୀ ସବୁବେଳେ ନିରପେକ୍ଷ ଭାବେ ନ୍ୟାୟ ଦେଇଥାନ୍ତି । କିନ୍ତୁ ଆମେ ସମସ୍ତେ ମଧ୍ୟ ଜାଣିଛେ ଯେ ଆଖିରେ ପଟି ବାନ୍ଧି ମୋଟର ସାଇକେଲ, ସାଇକେଲ ଚଳାଇବା, ଚିତ୍ର ଆଙ୍କିବା ଯାଦୁକରଙ୍କ କାମ । ବିଚାରପତି ଏଭଳି କରିପାରିବେ ନାହିଁ । କିନ୍ତୁ ନେତା କରିପାରିବେ ଓ କରୁଛନ୍ତି । ଯାହାବି ହେଉ ପରିବର୍ତ୍ତନ ସ୍ୱାଗତଯୋଗ୍ୟ ଏବଂ ଦେଶବାସୀ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ମନେ ରଖିବେ ନିଶ୍ଚୟ । ଅବସର ଗ୍ରହଣ ପୂର୍ବରୁ ସେ ନେଇଥିବା ପଦକ୍ଷେପ ଐତିହାସିକ ନିଶ୍ଚୟ ।
ରାମଚନ୍ଦ୍ରପୁର, ରଣପୁର
ମୋ: ୯୪୩୮୪୮୫୦୯୪