ଜୀବନର ଅଙ୍କକଷା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନର ଅଙ୍କକସା ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ନିଜ ବ୍ୟତୀତ ସାମାଜିକ ଜୀବନରେ ଆମେ ଅନେକ ଲୋକଙ୍କୁ ଭଲ ପାଉ, ଆଦର କରୁ, ଶ୍ରଦ୍ଧା ଓ ସମ୍ମାନ କରୁ । ସବୁ ଭଲ ପାଇବା ଏବଂ ଆଦର କରିବା ପଛରେ କୌଣସି ସ୍ୱାର୍ଥ ନଥାଏ । ଭଲପାଇବାର ଅର୍ଥ ହେଲା ସମାଜରେ କିଛି ଲୋକ ଆମକୁ ଭଲ ଲାଗନ୍ତି, ସେମାନଙ୍କ କିଛି ଗୁଣକୁ ଆମେ ଭଲ ପାଉ କିମ୍ବା ଆମର କିଛି ଗୁଣ ସେମାନଙ୍କୁ ଭଲ ଲାଗେ । ଯେଉଁମାନଙ୍କୁ ଆମେ ଭଲପାଉ ବା ଯେଉଁମାନେ ଆମକୁ ଭଲ ଲାଗନ୍ତି ସେମାନଙ୍କ ସହିତ ଦି'ପଦ କଥା ହେଇଗଲେ ମଧ୍ୟ ଆମକୁ ବଡ ଖୁସି ଲାଗେ ।
ଭଲପାଇବା କୌଣସି ଏକ ବସ୍ତୁଗତ ପଦାର୍ଥ ନୁହେଁ । ଏହା ହେଉଛି ଏକ ଭାବଗତ ପଦାର୍ଥ । ଏହାର ଦାନ ପ୍ରତିଦାନ ଅଙ୍କ କଷିବା ଭଳି ହୁଏ ନାହିଁ । କିନ୍ତୁ ଅନେକ ଲୋକ "ମୁଁ ଅମୁକ ଲୋକ ସହିତ ଇମିତି ସମ୍ପର୍କ ରଖିଲେ ସମୁକଟା ପାଇଯିବି'' ବୋଲି ଭାବନ୍ତି ନଚେତ୍ "ମୁଁ ଏହି ବ୍ୟକ୍ତି ସହ ଏତିକି ପର୍ଯ୍ୟନ୍ତ ସମ୍ପର୍କ ରଖିଲେ ମୋର ଏତିକି ଲାଭ ହେଇଯିବ'' ଭଳି ମନୋଭାବ ପୋଷଣ କରନ୍ତି । ଏ ଭାବନା ଉଭୟ ନିଜ ପାଇଁ ଓ ସାମାଜିକ ଜୀବନ ପାଇଁ କ୍ଷତିକାରକ ।
ସାମାଜକି ଜୀବନ ଆଦୌ ଅଙ୍କକଷାର ଜୀବନ ନୁହେଁ । ସାମାଜିକ ହେଉଛି ସ୍ନେହ ଏବଂ ପ୍ରେମର ଜୀବନ । ଏ ସମାଜର ଅନେକ ଲୋକ ପରସ୍ପରକୁ ସାହାଯ୍ୟ କରନ୍ତି । ସେମାନଙ୍କର ସ୍ୱାର୍ଥ ଥାଏ ବୋଲି ସାହାଯ୍ୟ କରନ୍ତି ନାହିଁ ।
ସାମାଜିକ ଜୀବନରେ ପ୍ରେମ ହେଉଛି ଏକ ଦାନ ବଦଳରେ ପ୍ରତିଦାନର ଆଶା ନଥିବା ସେବା । ଏଭଳି ଏକ ଗୁଣ ମଣିଷକୁ ମହାନ କରିଦିଏ । ପରିବେଶ ଏବଂ ସମାଜ ଆମକୁ ଅନେକ ଜିନିିଷ ଦିଏ । ତାହା ପ୍ରତିବଦଳରେ ଆମେ ସମାଜକୁ କିଛି ଦେଉ ନାହୁଁ । ଯାହା ଦେଇପାରୁ ତାହା ହେଲା ସ୍ନେହ ଓ ପ୍ରେମ । ସ୍ନେହ ଏବଂ ପ୍ରେମ ବାଣ୍ଟିବା ପାଇଁ ହିଁ ସୃଷ୍ଟି । ଏଥିରେ ପାଇବାର ଆଶା ହିଁ ନଥାଏ ।
ଆମ ସମସ୍ତଙ୍କ ହୃଦୟରେ ପ୍ରଚୁର ପ୍ରେମ ଅଛି । ପ୍ରେମ ହେଉଛି ଜୀବନର ପ୍ରକୃତି । କିନ୍ତୁ ସ୍ୱାର୍ଥର ବଳୟ ଭିତରେ ବଞ୍ଚି ବଞ୍ଚି ଆମ ହୃଦୟରେ ବିଧେ ବହଳର ଏମିତି ଘୃଣା ଜମାଟ ବାନ୍ଧିରହିଛି ଯେ, ଏତେ ଅହଂକାର ରହିଛି ଯେ ଆମେ ଅନ୍ୟର ଭଲପାଇବାକୁ ପାଇପାରୁନୁ ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।