ଯୋଗ ଓ ଚେତନା 

ଯୋଗ ଓ ଚେତନା 

ଯୋଗ ମନୁଷ୍ୟର ଚେତନା ବିକାଶର ବିଜ୍ଞାନ ଅଟେ । ଯେଉଁଥିରେ ପଦାର୍ଥ, ଜୀବନ ଓ ଚେତନାର ସମନ୍ୱୟ ଥାଏ । ଭାରତୀୟ ପ୍ରାଚୀନତମ ଯୋଗ ପଦ୍ଧତି ଅନୁଯାୟୀ ମୂଳତଃ ଯୋଗ ହେଉଛି ୮୪ ପ୍ରକାରର । ତେବେ ତା'ମଧ୍ୟରୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଯୋଗ ହେଉଛି ବାରଟି । ତାହାହେଲା - ଜପଯୋଗ, ପ୍ରାଣଯୋଗ, ରାଜଯୋଗ, ହଟଯୋଗ, ଲୟଯୋଗ, ଋଜୁଯୋଗ, ନାଦଯୋଗ, ଭକ୍ତିଯୋଗ, ଜ୍ଞାନଯୋଗ, କର୍ମଯୋଗ, ସ୍ୱରଯୋଗ, ମନ୍ତ୍ରଯୋଗ ଓ ତନ୍ତ୍ରଯୋଗ । ପତଞ୍ଜଳି ଯୋଗଶାସ୍ତ୍ରରୁ ଉପରୋକ୍ତ ଯୋଗର ପଦ୍ଧତି ପ୍ରଣୀତ । 
ଜ୍ଞାନଯୋଗ, କର୍ମଯୋଗ, ଭକ୍ତିଯୋଗ, ଜପ ଯୋଗ ଇତ୍ୟାଦି କୋଡ଼ିଏ ପ୍ରକାର ଯୋଗ ରହିଛି । କିନ୍ତୁ ମୁଖ୍ୟତଃ ଯୋଗର ଦୁଇଟି ଧାରା ରହିଛି । ଗୋଟିଏ ହଠ ଯୋଗ ଏବଂ ଅନ୍ୟଟି ରାଜଯୋଗ । ହଠଯୋଗର ସମ୍ବନ୍ଧ ଶରୀର ସହିତ । ହଠଯୋଗ ଶରୀର ସାଧନା-ପ୍ରଧାନ ପଦ୍ଧତି ଅଟେ । ହଠଯୋଗ ଦ୍ୱାରା ଶରୀର ଆତ୍ମଶକ୍ତିର ଜାଗରଣ ପାଇଁ ପ୍ରସ୍ତୁତ ହୁଏ । ଶରୀରର ଅଙ୍ଗ ସୌଷ୍ଠବକୁ ସୁସଙ୍ଗଠିତ, ବ୍ୟବସ୍ଥିତ, ସୁଦୃଢ଼, ରୋଗହୀନ ଏବଂ ଶକ୍ତିସମ୍ପନ୍ନ କରିବା ଏହାର ପ୍ରଧାନ ଲକ୍ଷ୍ୟ । ହଠଯୋଗ ସାଧନାରେ ଶାରୀରିକ ସୌଷ୍ଠବ ଏବଂ ନମନୀୟତା ଉଭୟ ବିପରୀତଧର୍ମୀ ଗୁଣର ପରିପୁଷ୍ଟ ହୁଏ । ହଠଯୋଗକୁ ପ୍ରାଣ ନିରୋଧ ପ୍ରଧାନ ସାଧନା ଭାବେ ବର୍ଣ୍ଣନା କରାଯାଇଛି । ପ୍ରାଣ ହେଉଛି ଜୀବନର ସବୁଠାରୁ ଶକ୍ତିଶାଳୀ ଏବଂ ମୁଖ୍ୟ ଆଧାର । ଏହାକୁ ଜୀବନର ଅନ୍ୟତମ ସଂଜ୍ଞା ଭାବେ ଚିହ୍ନିତ କରାଯାଏ । ହଠଯୋଗ ଶବ୍ଦ ବ୍ୟାଖ୍ୟାରେ "ହ' କୁ ସୂର୍ଯ୍ୟ ଏବଂ "ଠ'କୁ ଚନ୍ଦ୍ର ଅର୍ଥରେ ଯେଉଁ ବ୍ୟାଖ୍ୟା କରାଯାଏ, ମତାନ୍ତରେ ତାହା ସୂର୍ଯ୍ୟନାଡ଼ି ଅର୍ଥାତ୍ "ପିଙ୍ଗଳା' ଯାହା ଦକ୍ଷିଣ ନାସାରନ୍ଧ୍ର ଦେଇ ପ୍ରବାହିତ ହୁଏ । ଚନ୍ଦ୍ରନାଡ଼ି ଅର୍ଥାତ "ଇଡ଼ା' ଯାହା ବାମ ନାସାରନ୍ଧ୍ର ଦେଇ ପ୍ରବାହିତ ହୋଇଥାଏ । ତେଣୁ "ପିଙ୍ଗଳା'କୁ ପ୍ରାଣବାୟୁ ଓ "ଇଡ଼ା'କୁ ଅପାନ ବାୟୁ ବୋଲି ଗ୍ରହଣ କରାଯାଏ । ସାଧାରଣତଃ ମନୁଷ୍ୟର ନାସାରନ୍ଧ୍ର ଦେଇ ପ୍ରାଣବାୟୁ କିଛିଦିନ ବାମ ନାସାରେ ଏବଂ କିଛିଦିନ ଦକ୍ଷିଣ ନାସାରେ ପ୍ରବାହିତ ହୋଇଥାଏ । ଏହାଦ୍ୱାରା ମନରେ ଚଞ୍ଚଳତା, ପ୍ରାଣରେ ବ୍ୟାକୁଳତା ତଥା ସୁଖଦୁଃଖରେ ବିଚଳିତ ହେବା ଏବଂ ବିମୋହିତ ହେବା ଭଳି ଅବସ୍ଥା ଆସିଥାଏ । ସୁଷୁମ୍ନା ନାଡ଼ିକୁ ହଠଯୋଗ ଦ୍ୱାରା ଜାଗ୍ରତ କରାଯାଇଥାଏ ।
ଯୋଗର ମୌଳିକ ଅର୍ଥ ହେଉଛି ମିଳିତାବସ୍ଥା ଏବଂ ପ୍ରକୃତ ଆତ୍ମା ବା ଈଶ୍ୱରଙ୍କ ସହିତ ମିଳିତ ହେବାକୁ ଏହା ବୁଝାଇଥାଏ । ଅନ୍ୟ ଅର୍ଥରେ ସେହି ମିଳନ ଲାଭ କରିବା ପାଇଁ ଯୋଗ ଏକ ଉପାୟ ବା ପଦ୍ଧତି । ମନ ମଧ୍ୟରେ ଚିନ୍ତା ତରଙ୍ଗକୁ ନିୟନ୍ତ୍ରଣ କରିବା ବା ଚିତ୍ତବୃତ୍ତି ନିରୋଧକୁ ପତଞ୍ଜଳି ଯୋଗର ସଂଜ୍ଞା ରୂପେ ବର୍ଣ୍ଣନା କରିଛନ୍ତି । ଯୋଗସୂତ୍ରର ଚାରୋଟି ବିଭାଗ ବା ପାଦ ରହିଛି ତାହା ହେଲା ସମାଧି ପାଦ, ସାଧନା ପାଦ, ବିଭୁତି ପାଦ ଓ କୈବଲ୍ୟ ପାଦ । ସମାଧି ପାଦରେ ନିର୍ମଳ ଚୈତନ୍ୟ ବିଷୟ ଉଲ୍ଲେଖ ରହିଛି ଯାହାକୁ ଉଚ୍ଚଗୁଣସମ୍ପନ୍ନ ବ୍ୟକ୍ତିମାନେ ଲାଭ କରିଥାନ୍ତି । ସାଧନା ପାଦରେ ଯୋଗର ନିୟମ ଓ ପଦ୍ଧତି ବର୍ଣ୍ଣିତ ହୋଇଛି ଯାହାକୁ ସାଧାରଣରେ ସବୁ ସାଧକ ଓ ସାମାନ୍ୟ ଗୁଣସମ୍ପନ୍ନ ବ୍ୟକ୍ତିମାନେ ଅନୁସରଣ କରିଥାନ୍ତି । ବିଭୁତି ପାଦ ଆଧ୍ୟାତ୍ମିକ ପଥ ବା ଅଲୌକିକ ଶକ୍ତିର ଜାଗରଣ ବିଷୟରେ ସୂଚନା ଦେଇଥାଏ । ଆଉ କୈବଲ୍ୟ ପାଦ ମୋକ୍ଷ ବା ମୁକ୍ତି ସହିତ ସଂଶ୍ଲିଷ୍ଟ । ପତଞ୍ଜଳିଙ୍କ ଯୋଗ ପଦ୍ଧତିକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ ।