ତ୍ରିବେଣୀରେ ବଢ଼ୁଛି ମଳ ଜୀବାଣୁ : ସ୍ନାନକୁ ନେଇ ଚିନ୍ତାପ୍ରକଟ କଲେ ଏନ୍ଜିଟି

Mahakumbh mela

ତ୍ରିବେଣୀରେ ବଢ଼ୁଛି ମଳ ଜୀବାଣୁ : ସ୍ନାନକୁ ନେଇ ଚିନ୍ତାପ୍ରକଟ କଲେ ଏନ୍ଜିଟି

ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ଚାଲିଛି ମହାକୁମ୍ଭ ମେଳା । ଦେଶର କୋଣଅନୁକୋଣରୁ ତଥା ବହୁ ବିଦେଶୀ ଶ୍ରଦ୍ଧାଳୁମାନେ ଏଠାକୁ ବୁଡ଼ ପକାଇବାକୁ ଆସୁଛନ୍ତି । ହେଲେ ଏହି ତ୍ରିବେଣୀ ସଙ୍ଗମ ପାଣି କେତେ ସ୍ୱଚ୍ଛ ତାହାକୁ ନେଇ ପ୍ରଶ୍ନ ଉଠିଛି । ମେଳା ସରିବାକୁ ଆଉ ଦିନ କେଇଟା ଥିବା ବେଳେ କୋଟି କୋଟି ଶ୍ରଦ୍ଧାଳୁ ଏଠାରେ ବୁଡ଼ ପକାଇ ସାରିଛନ୍ତି । ଆହୁରି ଅନେକ ଶ୍ରଦ୍ଧାଳୁ ବୁଡ଼ ଅପେକ୍ଷାରେ ଅଛନ୍ତି । ହେଲେ ଯେଉଁମାତ୍ରାରେ ଶ୍ରଦ୍ଧାଳୁ ଏଠାରେ ଜମା ହୋଇଥିଲେ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରିବା କାଠିକର ପାଠ ହୋଇ ପଡ଼ିଥିଲା । ଫଳରେ ବହୁ ଶ୍ରଦ୍ଧାଳୁ ଖୋଲା ମେଲାରେ ମଳତ୍ୟାଗ କରିବା  ଯୋଗୁ ତ୍ରିବେଣୀ ସଙ୍ଗମ ସ୍ଥଳ ଦୂଷିତ ହେବା ସଙ୍ଗେ ସଙ୍ଗେ ଗଙ୍ଗା,ଯମୁନା ନଦୀର ପାଣି ବି ଦୂଷିତ ହୋଇଛି । ସେଣ୍ଟ୍ରାଲ୍ ପଲୁ୍ୟସନ୍ କଣ୍ଟ୍ରୋଲ୍ ବୋର୍ଡ (ସିପିସିବି) ପକ୍ଷରୁ ଏହାର ଅନୁସନ୍ଧାନ କରାଯାଇ ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ନଦୀ ପାଣିରେ ପ୍ରବଳ ମାତ୍ରାରେ ବିଷ୍ଠା ଜୀବାଣୁ ବୃଦ୍ଧି ପାଇଛି । ସିପିସିବି ପକ୍ଷରୁ ଏହି ରିପୋର୍ଟ ଆସିବା ପରେ ନାସନାଲ୍ ଗ୍ରୀନ୍ ଟ୍ରିବୁ୍ୟନାଲ୍ (ଏନ୍ଜିଟି) ଚିନ୍ତା ପ୍ରକଟ କରିବା ସହ ସଙ୍ଗମରେ ସ୍ନାନ କରୁଥିବା ବ୍ୟକ୍ତି ସଚେତନ ହେବା ଜରୁରୀ ବୋଲି କହିଛନ୍ତି । 
ଜଳକୁ ନେଇ ଗବେଷଣା କରୁଥିବା ଆମେରିକୀୟ ସଂସ୍ଥା ‘ନୋ ୟୋର୍ ଏଚ୍ଟୁଓ’ ପକ୍ଷରୁ କୁହାଯାଇଛି ଯେ, ଏହି ଦୁଇ ନଦୀରେ ଅପରିଷ୍କାର ମଳପଦାର୍ଥ ପାଣିରେ ମିଶୁନଥିବାରୁ ପାଣିରେ ଅମ୍ଳଜାନ ସ୍ତର ହ୍ରାସ ପାଉଛି । ଫଳରେ ଶରୀର ସମ୍ପର୍କରେ ଏହି ପାଣି ଆସିଲେ ଟାଇଫଏଡ୍ ଓ ଡିସେଣ୍ଟ୍ରି ଭଳି ରୋଗ ସୃଷ୍ଟି ହୋଇପାରେ । ଅପରପକ୍ଷେ ୨୦୦୪ରେ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ କେତେ ଦୂଷିତଯୋଗ୍ୟ ଜଳ ନଦୀକୁ ଛଡ଼ାଯାଇ ପାରିବ ତାହାକୁ ନେଇ ଏକ କମିଟି ଗଠନ  କରାଯାଇଥିଲା । ଏହି କମିଟି ପକ୍ଷରୁ କୁହାଯାଇଥିଲା ଯେ, ପ୍ରତି ୧୦୦ ଏମ୍ଏଲ୍ରେ ପାଣି ଅତିକମ୍ରେ ୫୦୦ ଏମ୍ପିଏନ୍ (ମାଏଲୋପ୍ରୋଲିଫେରେଟିଭ୍ ନିଓପ୍ଲାଜମ୍) ଏବଂ ଅତିବେଶୀରେ ୨୫୦୦ ଏମ୍ପିଏନ୍ ଦୂଷିତ ରହିଲେ ସହରରୁ ନିର୍ଗତ ପାଣିକୁ ନଦୀରେ ଛାଡ଼ିହେବ । କିନ୍ତୁ ୨୦୨୫ କୁମ୍ଭମେଳାରେ ପରିବେଶ ମନ୍ତ୍ରାଳୟ ପକ୍ଷରୁ ସଙ୍ଗମ ନଦୀର ପାଣି ପରୀକ୍ଷା କରି ଦର୍ଶାଯାଇଥିଲା ଯେ, ଏହି ପାଣିରେ ପ୍ରତି ୧୦୦ ଏମ୍ଏଲ୍ ପିଛା ୨୫୦୦ ଏମ୍ପିଏନ୍ ପର୍ଯ୍ୟନ୍ତ ମଳ ଜୀବାଣୁ ରହିଛି । ସେହିପରି ସିପିସିବି ପକ୍ଷରୁ ଗତ ଫେବ୍ରୁଆରୀ ୪ରେ ଗଙ୍ଗା ନଦୀର ଶାସ୍ତ୍ରୀ ବ୍ରିଜ୍ ପୂର୍ବରୁ ନମୁନା ପାଣିକୁ ପରୀକ୍ଷା କରାଯାଇ ଥିବା ବେଳେ ଏହା ୧୦୦ ଏମ୍ଏଲ୍ ପାଣି ପିଛା ସର୍ବାଧିକ ୧୧୦୦୦ ଏମ୍ପିଏନ୍ ମଳ ଜୀବାଣୁ ରହିଥିବା ଜଣାପଡ଼ିଥିଲା । ସେହିପରି ଏଠାରୁ ଦୁଇକିମି ଦୂର ସଙ୍ଗମରେ ଏହାର ସ୍ତର ଥିଲା ୭୯୦୦ ଏମ୍ପିଏନ୍ । ସେହିପରି ଯମୁନା ନଦୀର ନୈନି ବ୍ରିଜ୍ ନିକଟରୁ ସଂଗୃହିତ ନମୁନାର ସ୍ତର ୧୦୦ ଏମ୍ଏଲ୍ ପିଛା ୪୯୦୦ ଏମ୍ପିଏନ୍ ରହିଥିବା ଜଣାପଡ଼ିଛି ।